ସମ୍ପାଦକୀୟ/ଆମାଜନ: ବିଶ୍ୱ ବିପତ୍ତି

ବ୍ରାଜିଲର ଆମାଜନ ଜଙ୍ଗଲକୁ ନିଆଁ ଜଳେଇ ଚାଲିଛି। ଏକ ଅଧ୍ୟୟନ ଅନୁଯାୟୀ ବିଶ୍ୱ ଅମ୍ଳଜାନର ୨୦ ପ୍ରତିଶତ ଏହି ଜଙ୍ଗଲରୁ ଉତ୍ପନ୍ନ ହୋଇଥାଏ। କୁହାଯାଉଛି ଦେଶର ସେହି ଅଞ୍ଚଳରେ କୃଷି କ୍ଷେତ ସୃଷ୍ଟି ଲାଗି ଜଙ୍ଗଲକୁ କାଟିବା ପରେ ପୋଡ଼ି ଦିଆଯାଉଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ସ୍ପେସ୍‌ ରିସର୍ଚ୍ଚ (ଆଇଏନ୍‌ପିଇ) ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ପୂର୍ବବର୍ଷର ଏହି ସମୟ ତୁଳନାରେ ଏବର୍ଷ ୮୫ ପ୍ରତିଶତ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ଗବେଷକଙ୍କ ମତରେ ବ୍ରାଜିଲରେ ଚଳିତବର୍ଷ ୭୫,୦୦୦ ସ୍ଥାନରେ ନିଆଁ ଲାଗିଛି, ତନ୍ମଧ୍ୟରୁ ଅର୍ଦ୍ଧାଧିକ ଆମାଜନ ଜଙ୍ଗଲକୁ ଗ୍ରାସ କରିଛି। ଫଳରେ ପର୍ଯ୍ୟାପ୍ତ ଅଙ୍ଗାରକାମ୍ଳ ଶୋଷଣ କରୁଥିବା ବିଶ୍ୱର ଏହି ଜଙ୍ଗଲ ଏବେ ବିପଦରେ ପଡ଼ିଛି। ଅନ୍ତର୍ଜାତୀୟ ସ୍ତରରେ ଏ ନେଇ ଚିନ୍ତା ବ୍ୟକ୍ତ କରାଯାଉଥିବା ବେଳେ ଜଙ୍ଗଲ ଧ୍ୱଂସ କରି ତାହାକୁ ଚାଷୋପଯୋଗୀ ଜମି କରିବାକୁ କଠୋରପନ୍ଥୀ ନେତା ତଥା ବ୍ରାଜିଲ ରାଷ୍ଟ୍ରପତି ଜେର୍‌ ବୋଲ୍‌ସୋନାରୋ ପ୍ରୋତ୍ସାହନ ଦେଇଚାଲିବା ତାଙ୍କ ଏକଜିଦିଆ ଗୁଣକୁ ଦର୍ଶାଉଛି। ଏପରି କି ସେ ଗୋପାଳନ ଫାର୍ମର ମାଲିକ ଓ କାଠ କଟାଳିଙ୍କୁ ଜଙ୍ଗଲରେ ନିଜର ବ୍ୟବସାୟ ବିସ୍ତାର କରିବାକୁ ସୁଯୋଗ ଦେଉଛନ୍ତି।
ବୋଲ୍‌ସୋନାରୋଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ସେ ନିଜେ ଖଣ୍ଡନ କରିଛନ୍ତି। ନିଆଁ ଲିଭାଇବା ପାଇଁ ସେ ତାଙ୍କ ଦେଶର ସାମରିକ ବଳକୁ ନିୟୋଜିତ କରିଛନ୍ତି। ହେଲେ ସବୁ ସରିଗଲା ପରେ ତତ୍ପରତା ଦେଖାଇବାର କୌଣସି ମାନେ ନାହିଁ ବୋଲି କୁହାଯାଇପାରେ। ଆମାଜନରେ ନିଅଁା ଲାଗିବା ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରର ଦୃଷ୍ଟି ଆକର୍ଷଣ କରୁ ବୋଲି ବୋଲ୍‌ସୋନାରୋ ଚାହାନ୍ତି ନାହିଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବଏଲ ମାକ୍‌ରଁ ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ବ୍ରାଜିଲର ସାଓ ପାଉଲୋକୁ ବ୍ୟାପିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ବାଇରିଜ୍‌ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଫ୍ରାନ୍ସ ଆୟୋଜନ କରିଥିବାରୁ ସେ ଉକ୍ତ ପ୍ରସଙ୍ଗକୁ ଆଲୋଚନା ପରିସରକୁ ଆଣିବାକୁ ଚାହିଁଥିଲେ। ହେଲେ ବୋଲ୍‌ସୋନାରୋ ଏହାକୁ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ କହି ପାଲଟା ଜବାବ ଦେଇଛନ୍ତି। ଏଥିସହିତ ସେ ଜଳବାୟୁ ପରିବର୍ତ୍ତନରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି। ତାଙ୍କ ମତରେ ଆମାଜନ ଏକ ଜଙ୍ଗଲ ସମ୍ପଦଭରା ଅଞ୍ଚଳ ହୋଇଥିବାରୁ ତାହାକୁ କୃଷି, ଖଣି ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟବହାର କରାଯିବା ଉଚିତ। ତାଙ୍କ ଚିନ୍ତାଧାରାକୁ ବିରୋଧ କରୁଥିବା ତାଙ୍କ ଦେଶର ପରିବେଶ ସୁରକ୍ଷା ସଂସ୍ଥା ‘ଇବାମା’ର ୨୭ ଅଧିକାରୀଙ୍କ ମଧ୍ୟରୁ ୨୧ ଜଣଙ୍କୁ ବିଦା କରିବା ଲାଗି ବୋଲ୍‌ସୋନାରୋ ପରିବେଶ ମନ୍ତ୍ରୀ ରିକାର୍ଡୋ ସାଲ୍‌ସେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ବ୍ରାଜିଲ ରାଷ୍ଟ୍ରପତି ସତେ ଯେମିତି ନିଜ ଦ୍ୱାରା ସୃଷ୍ଟ ଏକ ସ୍ବର୍ଗରେ ବାସ କରୁଛନ୍ତି ବୋଲି ଭାବୁଛନ୍ତି। ତାଙ୍କର ଏଭଳି ଦୁଃସାହସିକତା ଯୋଗୁ ସମଗ୍ର ପୃଥିବୀକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ । ବୋଲ୍‌ସୋନାରୋଙ୍କ ଚିନ୍ତାଧାରା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ ବିଶ୍ୱର ଅନେକ ନେତାଙ୍କ ମୁଣ୍ଡରେ ଏହି ଚିନ୍ତାଧାରା ଏବେ ଚେର ଧରିଥିବାର ଦେଖାଯାଉଛି। ବିଶେଷକରି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଭୋଟ୍‌ ଲୋଭୀ ନେତାମାନେ ସାଧାରଣ ଗରିବ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଦେଶର ସବୁ ସମ୍ପତ୍ତିକୁ ଛାରଖାର କରିଦେବାରେ ଆଗଭର ହେଉଛନ୍ତି। ଏହାର ଅର୍ଥ ହେଲା, ଯେତେ ଅଧିକ ଗରିବ ଓ ଅଶିକ୍ଷିତ ଭୋଟର ରହିବେ, ସେତେ ଅଧିକ ସହଜ ହେଉଛି ସେମାନଙ୍କୁ ଶାସନ କରିବାର। ବୋଲ୍‌ସୋନାରୋ ମଧ୍ୟ ତାଙ୍କ ଦେଶ ବ୍ରାଜିଲରେ ବିକାଶର ଗୀତ ଗାଉଛନ୍ତି। ତାଙ୍କ କହିବା ଅନୁଯାୟୀ, ପୃଥିବୀର ଅନ୍ୟସବୁ ଦେଶ ପର୍ଯ୍ୟାପ୍ତ ପରିମାଣର ଅଙ୍ଗାରକାମ୍ଳ ନିର୍ଗମନ (କାର୍ବନ ଇମିଶନ) କରୁଛନ୍ତି। ପୃଥିବୀର ବିକଶିତ ରାଷ୍ଟ୍ରଗୁଡ଼ିକ ନିଜର ଜଙ୍ଗଲ ଧ୍ୱଂସ କରିବା ସହିତ ପ୍ରତ୍ୟେକ ନାଗରିକର ଫୁଟ୍‌ପ୍ରିଣ୍ଟ ବୃଦ୍ଧି କରିବାରେ ଲାଗିଛନ୍ତି। ସେଭଳି ସ୍ଥଳେ ବାୟୁମଣ୍ଡଳକୁ ବଞ୍ଚାଇ ରଖିବା ପାଇଁ ଅନୁନ୍ନତ ଦେଶଗୁଡ଼ିକ ଉପରେ ଚାପ ପକାଇବା ଅନେକ ଦୃଷ୍ଟିରୁ ସ୍ପୃହଣୀୟ ନୁହେଁ। ଏକବିଂଶ ଶତାବ୍ଦୀରେ ସବୁ ମଣିଷଙ୍କ ଚାହିଦା ବୃଦ୍ଧି ପାଉଛି। ସେହି ବିପୁଳ ଲୋଭଠାରୁ ଅଳ୍ପ କେତେକ ଦେଶ ଦୂରେଇ ରହନ୍ତୁ ବୋଲି ଆଶା ରଖୁଥିବା ଲୋଭୀମାନେ ସମସ୍ତଙ୍କର କ୍ଷତି କରି ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri