ଶ୍ରମିକଙ୍କ ଦୈନିକ କାର୍ଯ୍ୟ ସମୟ

ବୃହସ୍ପତି ସାମଲ

ନିଜ ଦେଶ ପ୍ରତି ଉତ୍ତରଦାୟିତ୍ୱର ନିଦର୍ଶନ ସ୍ବରୂପ ଯୁବପିଢ଼ି ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ ବୋଲି ନିକଟ ଅତୀତରେ ଇନ୍‌ଫୋସିସର ସହସଂସ୍ଥାପକ ନାରାୟଣ ମୂର୍ତ୍ତି ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ମତ ରଖିବା ପରେ ବିବାଦ ସୃଷ୍ଟି ହେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କର ସପ୍ତାହକୁ ତିନି ଦିନ କାମ ଠିକ୍‌ ରହିବ ବୋଲି ମତ ଦେବା ପରେ ଶ୍ରମିକ ଓ କର୍ମଚାରୀମାନଙ୍କର ଦୈନିକ କାର୍ଯ୍ୟ ନିର୍ଘଣ୍ଟକୁ ନେଇ ଏବେ ଅନେକ ଆଲୋଚନା, ପର୍ଯ୍ୟାଲୋଚନା। ଶ୍ରମିକ ଓ କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ନିର୍ଘଣ୍ଟର ଅବଧି ସମ୍ପର୍କରେ ବିଶେଷ ଆଲୋଚନାକୁ ଯିବା ପୂର୍ବରୁ ଐତିହାସିକ ମେ’ ଦିବସର କଥା ଆଲୋଚନା ହେବା ସ୍ବାଭାବିକ। ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଯେତେବେଳେ ଆମେରିକାର ଚିକାଗୋ ସହର ଏକ ଶିଳ୍ପନଗରୀ ଭାବେ ଗଢ଼ିଉଠୁଥିଲା, ପୁଞ୍ଜିପତି ମାଲିକମାନଙ୍କର ଦାଉରେ ଶ୍ରମିକମାନେ ୧୬ରୁ ୨୦ ଘଣ୍ଟା ଖଟୁଥିଲେ। ଗୋଟିଏ ପଟେ ପୁଞ୍ଜିବାଦୀ ମାଲିକାନାର ଅକଥନୀୟ ଅତ୍ୟାଚାର ଓ ଅନ୍ୟପକ୍ଷରେ କାର୍ଯ୍ୟସ୍ଥଳୀରେ ଶ୍ରମିକମାନଙ୍କର ଦୀର୍ଘ ସମୟ ଖଟଣିରୁ ସୃଷ୍ଟ ସାମାଜିକ ଅସ୍ଥିରତା ଜନମାନସକୁ ବିଚଳିତ କରୁଥିଲା ବେଳେ ଶ୍ରମିକମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଆମେରିକାନ ଫେଡେରେଶନ ଅଫ୍‌ ଲେବର ୧୮୮୬ ମେ’ ପହିଲାରୁ ଦିନକୁ ସର୍ବାଧିକ ଆଠ ଘଣ୍ଟା କାମ କରିବାର ଦାବିକରି ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନ ଆରମ୍ଭ କଲା। ୪ ମେ’ ୧୮୮୬ରେ ଚିକାଗୋ ସହରର ହେମାର୍କେଟ ସ୍କୋୟାରରେ ଗଣହତ୍ୟାର ଯେଉଁ ରକ୍ତରଞ୍ଜିତ ଘଟଣା ଘଟିଗଲା, ତାହା ସମଗ୍ର ବିଶ୍ବର ଶ୍ରମିକଶ୍ରେଣୀ ପାଇଁ ଇତିହାସ ରଚିଲା। ଦୈନିକ ଆଠ ଘଣ୍ଟା କାମ କରିବାର ଦାବିକରି ଆଠଜଣ ମୃତ୍ୟୁବରଣ କଲେ, ଯାହାଙ୍କ ଭିତରୁ ଚାରି ଜଣ ଫାଶୀ ପାଇଥିଲେ, ସତୁରିରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ କ୍ଷତାକ୍ତ ହେବା ସହିତ ଶହେରୁ ଊର୍ଦ୍ଧ୍ୱଙ୍କୁ ବନ୍ଦୀ କରାଯାଇଥିଲା। ପୁଞ୍ଜିବାଦୀ ପ୍ରୋତ୍ସାହିତ ପୋଲିସ ଜୁଲମକୁ ବେଖାତିର କରି ଏହି ଆନ୍ଦୋଳନ ପୃଥିବୀର ଅନ୍ୟାନ୍ୟ ଦେଶକୁ ବ୍ୟାପିଗଲା। ଆଠଘଣ୍ଟିଆ କାର୍ଯ୍ୟ ଦିବସ ପାଇଁ ବିଶ୍ୱବ୍ୟାପୀ ଦାବି କ୍ରମଶଃ ଜୋରଦାର ହେଲା ଏବଂ ୧୯୮୯ରେ ଫ୍ରାନ୍ସ ବିପ୍ଳବର ଶତବାର୍ଷିକୀ ଅବସରରେ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ଭାବେ ପାଳନ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଗଲା। ଦିନକୁ ସର୍ବାଧିକ ଆଠ ଘଣ୍ଟା କାମ କରିବାର ଦାବିକୁ ମନେପକାଇ ସେବେଠାରୁ ଯଦିଓ ମେ’ ଦିବସ ପାଳିତ ହେଉଛି, ଏ ପ୍ରସଙ୍ଗ ଆଜି ବି ବିବାଦୀୟ। ୧୯୪୨ରେ ଭାଇସରାୟଙ୍କ ପରିଷଦରେ ବାବା ସାହେବ ଆମ୍ବେଡ଼କର ଭାରତରେ ପ୍ରଥମେ ଏହି ଆଠ ଘଣ୍ଟିଆ କାର୍ଯ୍ୟଦିବସ କଥା ଉଠାଇଥିଲେ। ପରିଶେଷରେ ଭାରତୀୟ କାରଖାନା ଅଧିନିୟମ ୧୯୪୮ ଏକ ଶ୍ରମ ଆଇନ ହିସାବରେ ଗୃହୀତ ହେଲା ପରେ ଭାରତରେ ଆଠ ଘଣ୍ଟିଆ କାର୍ଯ୍ୟଦିବସ ଯଦିଓ ଲାଗୁହୋଇଛି, ବହୁ କ୍ଷେତ୍ରରେ ଆଜି ମଧ୍ୟ ଶ୍ରମିକମାନେ ଆଠ ଘଣ୍ଟାରୁ ବହୁ ଅଧିକ ସମୟ କାମ କରୁଛନ୍ତି। ଉଭୟ ସରକାରୀ କାର୍ଯ୍ୟାଳୟର ସଂଗଠିତ ଶ୍ରମିକ-କର୍ମଚାରୀ ଓ ବେସରକାରୀ ଏବଂ ଘରୋଇ କ୍ଷେତ୍ରର ଅସଂଗଠିତ ଶ୍ରମିକମାନଙ୍କ ଦୁର୍ଦ୍ଦଶା ଆଜି ପ୍ରାୟ ସମାନ।
ଉଦାହରଣ ଛଳରେ ଡାକ କର୍ମଚାରୀଙ୍କ କଥା ଆଲୋଚନା କରାଯାଇପାରେ। ୧୯୯୦-୯୧ରୁ କେନ୍ଦ୍ର ସରକାରଙ୍କ ନବ୍ୟ ଉଦାରବାଦ ନୀତିରେ ଧୀରେ ଧୀରେ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ବ୍ୟବସାୟୀକରଣକୁ ପ୍ରାଧାନ୍ୟ ଦିଆଗଲା। ନିଜର ଚିରାଚରିତ ଡାକ କାରବାର, ସଞ୍ଚୟ ଯୋଜନା ଓ ଜୀବନ ବୀମା ବ୍ୟତୀତ ମହଜୁଦା କର୍ମଚାରୀଙ୍କୁ ନେଇ ବିଭିନ୍ନ ଡିଜିଟାଲ ସେବା ସହ ରେଳ ଯାତ୍ରୀ ପଞ୍ଜୀକରଣ, ପେନସନଭୋଗୀଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରଦାନ, ଗଙ୍ଗାଜଳ ବିକ୍ରି, ପାସପୋର୍ଟ ସେବା, ଆଧାର ସଂଶୋଧନ ଓ ପଞ୍ଜୀକରଣ ଏବଂ ଗୋଟେ ସାଧାରଣ ସେବା କେନ୍ଦ୍ର ହିସାବରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ), ଶ୍ରମଯୋଗୀ ମନ-ଧନ ଯୋଜନା, ଲଘୁ ବ୍ୟାପାରୀ ମନ-ଧନ ଯୋଜନା, ଫସଲ ବୀମା ଯୋଜନାରେ ସେବା ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିତ୍ଲା। ଏହା ସହ ବିଜୁଳି, ପାଣି, ଗ୍ୟାସ ବିଲ୍‌ ଓ ସାଧାରଣ ବୀମା ପ୍ରିମିୟମ ଅସୁଲି, ଟେଲିଫୋନ, ଡିଟିଏଚ୍‌, ଟାଟା ସ୍କାଏ ଭଳି ଟେଲିଭିଜନ କେବୁଲ ରିଚାର୍ଜ, ଉଡାଜାହାଜ, ରେଳ, ବସ୍‌ ଟିକେଟ ବୁକିଂ ଭଳି ଶହ ଶହ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ। ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା, ଘର ଘର ତ୍ରିରଙ୍ଗା, ମୋ ମାଟି ମୋ ଦେଶ, ଅମୃତ କଳସ ଯାତ୍ରା ଭଳି ଅନେକ ଯୋଜନାର ପ୍ରଚାର ପ୍ରସାର ପାଇଁ ଡାକ ବିଭାଗର କର୍ମଚାରୀ ବିଶେଷ ଭାବେ ୩ରୁ ୫ଘଣ୍ଟା ପାଇଁ ସମୟାନୁପାତିକ ଭତ୍ତା (ବେତନ ନୁହେଁ) ଭିତ୍ତିରେ ନିୟୋଜିତ ଗ୍ରାମୀଣ ଡାକ ସେବକମାନେ ରବିବାର ଓ ଛୁଟିଦିନ ସହ ଦିନକୁ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ କାମ କରିବାକୁ ବାଧ୍ୟ ହେଉଛନ୍ତି। ପାଞ୍ଚ ଦିନିଆ ସପ୍ତାହ ଦାବିକୁ ସରକାର ଅଗ୍ରାହ୍ୟ କରିସାରିଥିବା ବେଳେ ବ୍ୟାଙ୍କ ଓ ବୀମା ଉଦ୍ୟୋଗ ଭଳି ଡାକଘରର କର୍ମଚାରୀମାନଙ୍କୁ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ମଧ୍ୟ ମିଳେ ନାହିଁ। ଏହି ବୈଷମ୍ୟ ଅନେକ କେନ୍ଦ୍ର ସରକାରୀ ଅନୁଷ୍ଠାନରେ ଦୃଶ୍ୟମାନ। ସାମଗ୍ରିକ ଭାବେ ଯଦି କେନ୍ଦ୍ର ସରକାରୀ କାର୍ଯ୍ୟାଳୟର ଅବସ୍ଥା ଆଲୋଚନା କରାଯାଏ, ତେବେ ୧୯୮୩ରୁ ନୂତନ ପଦବୀ ସୃଷ୍ଟିକୁ ବନ୍ଦ କରିବା, ଏପ୍ରିଲ ୨୦୦୩ରୁ ମାର୍ଚ୍ଚ ୨୦୦୯ ମଧ୍ୟରେ ସିଧାସଳଖ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଖାଲି ପଦବୀର ଦୁଇ ତୃତୀୟାଂଶକୁ ଉଚ୍ଛେଦ କରିବା ଏବଂ ସମ୍ପ୍ରତି ଅନୂ୍ୟନ ୧୫ଲକ୍ଷ ଖାଲି ପଡ଼ିଥିବା ପଦବୀକୁ ପୂରଣ ନ କରିବା ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକମାନେ ଅତ୍ୟଧିକ କାମର ଚାପକୁ ମୁଣ୍ଡରେ ବୋହି ଦୈନିକ ଆଠ ଘଣ୍ଟା କାମ କରିବାର ଅଧିକାର ହରେଇ ସାରିଲେଣି।
ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ଅବସ୍ଥା ମଧ୍ୟ ତଦ୍ରୁପ। ଲକ୍ଷ ଲକ୍ଷ ପଦବୀ ଖାଲିପଡ଼ିଥିବା ବେଳେ ଏବେ ନିୟମିତ ଚାକିରି କମ୍‌। ଅନେକ ଦପ୍ତରରେ କଣ୍ଟ୍ରାକଚୁଆଲ ଓ ଆଉଟସୋର୍ସିଂ କର୍ମଚାରୀ ବେଶି, ଯାହାଙ୍କର ଦୁର୍ବଳ ଚାକିରି ସର୍ତ୍ତାବଳୀ ସେମାନଙ୍କୁ ଆବଶ୍ୟକତାଠାରୁ ଅଧିକ ସମୟ କାମ କରିବା ପାଇଁ ବାଧ୍ୟ କରୁଛି। ଆଇଟି ସେକ୍ଟରର କଥା ନ କହିବା ଭଲ। କିଛି ଅଧିକ ଅର୍ଥ ଲୋଭରେ କର୍ମଚାରୀମାନଙ୍କର ଦିନରାତି ଖଟଣି। ଅତ୍ୟଧିକ କାମର ଚାପ ସହ କର୍ମକ୍ଷେତ୍ରରେ ଦୀର୍ଘ ସମୟ ଉପସ୍ଥିତିରୁ ଏବର ଯୁବପିଢ଼ି ଏକ ଅବ୍ୟବସ୍ଥିତ ସାମାଜିକ ଓ ବିଶୃଙ୍ଖଳିତ ପାରିବାରିକ ଜୀବନ ଜିଇବାକୁ ବାଧ୍ୟ ହେଉଥିବାରୁ ଛାଡ଼ପତ୍ର ଏବଂ ଆତ୍ମହତ୍ୟା ପ୍ରବଣତାଭଳି ସାମାଜିକ ବ୍ୟାଧି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୨୨ର ଏକ ସର୍ବେକ୍ଷଣ ଅନୁଯାୟୀ ୫୧ ପ୍ରତିଶତ କର୍ମଚାରୀ ଅତ୍ୟଧିକ କାମର ଚାପରେ ବିଚଳିତ ଏବଂ ତନ୍ମଧ୍ୟରୁ ୩୯ ପ୍ରତିଶତର ପାରିବାରିକ ଜୀବନ ନକାରାତ୍ମକ ଭାବେ ପ୍ରଭାବିତ।
ଭାରତ ସରକାର ବର୍ତ୍ତମାନ ୪୪ଟି ଶ୍ରମ ଆଇନକୁ ଉଚ୍ଛେଦ ଓ ସଙ୍କୁଚିତ କରି ମାଲିକ ଓ ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି ଦୈନିକ ୧୨ ଘଣ୍ଟାର ଶ୍ରମ ଦାନ ସହ ୪ଟି ଶ୍ରମ କୋଡ୍‌ ଲାଗୁ କରିବାକୁ ତତ୍ପର। ନେଦରଲାଣ୍ଡ, ଜର୍ମାନୀ, ନରୱେ, ଡେନମାର୍କ, ଫ୍ରାନ୍ସ, ସ୍ଲୋଭେନିଆ, ବେଲ୍‌ଜିୟମ, ସୁଇଜରଲାଣ୍ଡ, ସୁଇଡେନ ଓ ଅଷ୍ଟ୍ରିଆ ଭଳି ପୃଥିବୀର ଅନେକ ଦେଶ ସପ୍ତାହକୁ ଯଥାକ୍ରମେ ମାତ୍ର ୨୭.୫, ୨୭.୭୫, ୨୮, ୨୮.୨, ୨୯.୭, ୩୧, ୩୧.୫, ୩୧.୭୫, ୩୨.୧ ଓ ୩୨.୫ ଘଣ୍ଟା କାମ କରୁଥିବା ବେଳେ ଭାରତର କର୍ମଚାରୀମାନେ ସପ୍ତାହକୁ ୭୦ ଘଣ୍ଟା ଅର୍ଥାତ ଦିନକୁ ଅନୂ୍ୟନ ୧୨ ଘଣ୍ଟା କାମ କରିବାକୁ ନାରାୟଣ ମୂର୍ତ୍ତିଙ୍କ ପରାମର୍ଶ ଭାରତୀୟ କାରଖାନା ଅଧିନିୟମ ୧୯୪୮ର ପରିପନ୍ଥୀ, ମାନବାଧିକାରକୁ କ୍ଷୁଣ୍ଣ କରିବା ସହ ପୁଞ୍ଜିବାଦକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ, ଯାହା ଅତ୍ୟନ୍ତ ନିନ୍ଦନୀୟ।
ମୋ:୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri