ଶୁଦ୍ଧ ବିଚାର

ଡକ୍ଟର ବାସୁଦେବ ମିଶ୍ର

ଆମ ଇଚ୍ଛାର ଅନୁକୂଳରେ କାର୍ଯ୍ୟ ହେଉଥିଲେ ଅଥବା ସେହି ଅନୁସାରେ ଆମକୁ ସଫଳତା ମିଳୁଥିଲେ ଆମେ ସେଥିପାଇଁ ଅନ୍ୟ କାହାକୁ, ଏମିତିକି ଈଶ୍ୱରଙ୍କୁ ବି ଶ୍ରେୟ ଦେଉନା। ଆମ ପାରିବାପଣିଆର ଫଳସ୍ବରୂପ ତାହା ଆମର ପ୍ରାପ୍ୟ ଥିଲା ବୋଲି ଭାବିନେଉ। ଆମର କାର୍ଯ୍ୟ ସଫଳ ହେବା ଦିଗରେ ଈଶ୍ୱରଙ୍କର ଇଚ୍ଛା, ଗୁରୁଜନଙ୍କ ଆଶୀର୍ବାଦ ଅବା ବନ୍ଧୁମାନଙ୍କର ଶୁଭେଚ୍ଛା ଯେ ଥାଇପାରେ, ସେକଥା ଆମେ ମନକୁ ନେଉନା। ଈଶ୍ୱରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ସବୁ ବାଢିଦେଉ। ପରୀକ୍ଷା ସମୟ ଆସିଲେ ପିଲାଏ ସାଧାରଣତଃ ପାଠପଢା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। କିନ୍ତୁ ଅନେକ ଛାତ୍ରୀଛାତ୍ର ପାଠପଢା ଉପରେ ନଜର ଦେଇଥାନ୍ତି ଯେତିକି, ତା’ଠାରୁ ଅଧିକ ଧ୍ୟାନ ଦିଅନ୍ତି ମନ୍ଦିରରେ, ଠାକୁରମାନଙ୍କ ପାଖରେ, ପୂଜା ହୋମ ମାନସିକ ଇତ୍ୟାଦି କରିବାରେ। ପରୀକ୍ଷାର୍ଥୀ କ’ଣ, ଆଜିକାଲି ନେତାମାନେ ନିର୍ବାଚନ ପାଇଁ ନାମାଙ୍କନ କରିବାକୁ ଯିବା ପୂର୍ବରୁ ମନ୍ଦିରରେ ଠାକୁର ଠାକୁରାଣୀଙ୍କ ପୂଜା ହୋମ ଇତ୍ୟାଦି କରିବା ଦେଖାଯାଏ। ପୁଣି ଯେଉଁଦିନ ନିର୍ବାଚନର ଫଳ ଘୋଷିତ ହୁଏ ସେଦିନ ମଧ୍ୟ ପ୍ରାର୍ଥୀମାନେ ଠାକୁର ଠାକୁରାଣୀଙ୍କ ଶରଣରେ ରହିବା ଦେଖାଯାଏ । ଏକଥା ମଧ୍ୟ ଦେଖାଯାଏ, ନିର୍ବାଚନରେ ସଫଳତା ପ୍ରାପ୍ତ ହୋଇଥିବା ପ୍ରାର୍ଥୀ ତାଙ୍କର ପାଞ୍ଚବର୍ଷ ସମୟକାଳ ମଧ୍ୟରେ ଆଉଥରେ କେବେ ସେହି ମନ୍ଦିରକୁ ଆସିବାକୁ ସମୟ ପାଆନ୍ତି ନାହିଁ।
ଠିକ୍‌ ସେମିତି ଆମେ ଚାହୁଁ କେହି ଆମ ସହିତ କଥାବାର୍ତ୍ତା କରିବା ସମୟରେ ଆମ ମନ ଅନୁକୂଳରେ ଅର୍ଥାତ୍‌ ଯେଉଁପରି କଥା ଶୁଣିଲେ ଆମର ମନ ଖୁସି ହେବ, ସେପରି କଥା କହୁ। ଏପରିକି ଆମ ନିଜ ବିଷୟରେ ମଧ୍ୟ କିଛି ଭଲ ଶୁଣିବା ପାଇଁ ଆମର କାନଦୁଇଟି ଅପେକ୍ଷା କରିଥାଏ। ସେଥିରେ ଏପଟ ସେପଟ ହେଲେ ଆମେ ବିରକ୍ତ ହୋଇଉଠୁ। କିନ୍ତୁ ସବୁବେଳେ ତାହା ସମ୍ଭବ ହୁଏନାହିଁ। ଆମେ ସମୟ ସମୟରେ ଏପରି କାର୍ଯ୍ୟ ପାଇଁ କିଛି ବାଧ୍ୟତାମୂଳକ ପରିସ୍ଥିତି ସୃଷ୍ଟିକରୁ ଏବଂ ନିଜ ବିଷୟରେ ଗୁଡିଏ ଭ୍ରାନ୍ତ ଧାରଣା ନିଜ ମନକୁ ନେଉ। ଏପରି କାର୍ଯ୍ୟ କରୁ ନ ଥିବା ଅଥବା କାର୍ଯ୍ୟରେ ସାହାଯ୍ୟ ସହଯୋଗ କରୁ ନ ଥିବା ଲୋକକୁ ଆମେ ଅଜ୍ଞ, ମୂର୍ଖ ଅଥବା ପାଷଣ୍ଡ ବୋଲି କହି ତିରସ୍କାର କରୁ। ଶେଷରେ ପରିଣାମ ଆମକୁ ହିଁ ଭୋଗିବାକୁ ହୁଏ। ବଣର ରାଜା ସିଂହକୁ ଦିନେ ଶିଆଳଟାଏ ଭେଟି କହିଲା, ତୁମେ ନିଜକୁ ନିଜେ ରାଜା ବୋଲି କହିଲେ କ’ଣ ହେବ? ଏଠାରେ ବାସ କରୁଥିବା ଅନ୍ୟ ପଶୁପକ୍ଷୀମାନଙ୍କ ମତ ନେଇଛ? ସିଂହ ଭାବିଲା ସତ କଥା। ପରଦିନ ସେ ଗୋଟିଏ ଠେକୁଆକୁ ଭେଟି ସେଇ କଥା ପଚାରିବାରୁ ଠେକୁଆ ‘ଆପଣ ହିଁ ଏ ବଣର ରାଜା‘ ବୋଲି କହିଲା। ସିଂହର ମନ ଭାରି ଖୁସିହେଲା। ତା’ପରେ ସେ ଗୋଟିଏ ବଣଭୁଆକୁ ଭେଟି ସେଇ କଥା ପଚାରନ୍ତେ ସେ ମଧ୍ୟ ତା’ର ଉତ୍ତରରେ ସିଂହକୁ ରାଜା ବୋଲି ସ୍ବୀକାର କଲା। ଏଥର ସେ ଆହୁରି ଖୁସି ହୋଇ ବାଟରେ ଯାଉଯାଉ ସାମ୍ନାରେ ଆସୁଥିବା ହାତୀକୁ ଦେଖି ପଚାରିଲା- ‘ଏ ବଣର ରାଜା କିଏ?’ ହାତୀ ଏ କଥା ଶୁଣି ତାକୁ ତା ଶୁଣ୍ଢରେ ଧରି ଜୋରକରି ତଳେ କଚାଡି ଦେଲା। ସିଂହକୁ ତା’ ଶରୀରର ହାଡଗୁଡାକ ଭାଙ୍ଗିଯିବା ପରି ଲାଗିଲା। ତରବର ହୋଇ ଉଠି ଟିକିଏ ଦୂରକୁ ଘୁଞ୍ଚିଯାଇ କହିଲା- ‘ମୋ ପ୍ରଶ୍ନର ଉତ୍ତର ଜଣାନାହିଁ ତ ସିଧା ସେକଥା ନ କହି ମୋତେ ତଳେ କଚାଡିଲ କିଆଁ?‘
ନିଜର କର୍ତ୍ତବ୍ୟ କର୍ମକୁ ଠିକ୍‌ରୂପେ ସମ୍ପାଦନ ନ କରି ଭଲ ଫଳ ଆଶା କରିବା ବୃଥା ହୋଇଥାଏ। ଜମିରେ ହଳ ନ କରି, ଚାଷ ବେଉଷଣ ନ କରି ମଗୁଶିର ମାସକୁ ହାତରେ ଦା’ ଧରି ଧାନ କାଟିବାକୁ ଯିବାପରି କଥା। ତୁମେ ନିଜେ କିଏ ଏବଂ କେଉଁ କାର୍ଯ୍ୟ କରିବାରେ ତୁମର ଦକ୍ଷତା ରହିଛି, କେଉଁ କାର୍ଯ୍ୟକୁ ତୁମେ ସଫଳତାର ସହିତ ସମ୍ପନ୍ନ କରିପାରିବ ଏସବୁ କଥା ମନର ଶୁଦ୍ଧ ନିରପେକ୍ଷ ବିଚାର ଏବଂ ବିବେକର ଅନୁଶୀଳନ ଦ୍ୱାରା ସ୍ଥିର କରାଯାଇପାରେ। ଯେଉଁ କାର୍ଯ୍ୟ କରିବା ପାଇଁ ତୁମର ସାମର୍ଥ୍ୟ ନାହିଁ ସେପରି କାର୍ଯ୍ୟ କରିବା ପାଇଁ ଆବୋରି ବସିବାରେ କିଛି ନାହିଁ। ମାଟ୍ରିକ୍‌ ପାଠ ପଢିଥିବା ଲୋକ ପ୍ଲସ୍‌ ଥ୍ରୀ ପିଲାଙ୍କୁ ପାଠ ପଢାଇବ କିପରି? ପ୍ରକୃତିର ଶକ୍ତ ନିୟମ ହେଲା ତୁମେ ଯେଉଁ ମଞ୍ଜି ପୋତିବ, ସେହି ଗଛ ତଥା ଫଳଟି ପାଇବ। ତୁମେ ଗୋଟିଏ ଭଲ କାମ କଲେ ତା’ର ଫଳସ୍ବରୂପ ଭଲ ଫଳ ତୁମକୁ ପ୍ରାପ୍ତ ହେବ। ପ୍ରକୃତିର ନିୟମରେ ତୁମେ ଗୋଟିଏ ଧାନ ମାଟିରେ ପୋତିଦିଆ ତା’ର ଫଳସ୍ବରୂପ ମାଟି ମାଆ ତୁମକୁ ଆଞ୍ଜୁଳାଏ ଧାନ ନିଶ୍ଚୟ ଦେବ। ସେହି ନିୟମରେ ତୁମେ କରିଥିବା ଗୋଟିଏ ମନ୍ଦ କାମ ପାଇଁ ଅନେକ ଦଣ୍ଡ ତୁମ ପାଇଁ ସାଇତା ହୋଇ ରହିବ। କିନ୍ତୁ ଏସବୁ ପ୍ରତି ଆମର ନଜର ରହେନାହିଁ।
ଜୀବନର ପ୍ରତି ପଦକ୍ଷେପରେ ଆମକୁ ଅନେକ କଥା ବିଚାର କରିବାକୁ ପଡେ। ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତାଉପରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକଟିକୁ ଦେଖି ମଧ୍ୟ ଅନେକ ଲୋକ ବାଟଭାଙ୍ଗି ଚାଲିଯାଆନ୍ତି। କିନ୍ତୁ ଶହେ ଲୋକଙ୍କ ପରେ ଶେଷରେ ଯେଉଁ ଲୋକଟି ସେହି କ୍ଷତାକ୍ତ ଲୋକଟିକୁ ଉଠାଇ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କଲା, ତା’ର ସଂସ୍କାର ଏବଂ ବିଚାରଶକ୍ତି ଅନ୍ୟମାନଙ୍କଠାରୁ ଅଲଗା ନିଶ୍ଚୟ। ଦୁଃସ୍ଥ ଲୋକଟିକୁ ଦେଖିବା ପରେ ତା’ର ସଂସ୍କାରୀ ମନ ତାକୁ ଆଉ ଆଗକୁ ଯିବାକୁ ଦେଲାନାହିଁ। ତା’ର ଦୁଃଖଦୁର୍ଦ୍ଦଶା ଦେଖି ତା’ର ହୃଦୟ ଦୟାରେ ବିଗଳିତ ହେଲା। ଏକ ନିର୍ଦ୍ଦିଷ୍ଟ ସଂସ୍କାରଯୁକ୍ତ ପରିବେଶରେ ବଢିଥିବା ଯୁବକଙ୍କ ପକ୍ଷରେ ହିଁ ଏହା ସମ୍ଭବ ହୋଇପାରେ। ନଚେତ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ଉପରେ ଚେତା ହରାଇ ପଡିରହିଥିବା ଲୋକର ପକେଟ ଅଣ୍ଡାଳିବା ଲୋକ ମଧ୍ୟ ଏ ସଂସାରରେ ଅଛନ୍ତି। ମୁମୂର୍ଷୁ ବୃଦ୍ଧ ପିତାଙ୍କର ସେବାଯନତ୍ରେ ଅନ୍ୟ ଭାଇମାନେ ବ୍ୟସ୍ତ ଥିବାବେଳେ ତା’ ଭିତରୁ କେହି ପିତାଙ୍କର ସଞ୍ଚତ୍ତ ଧନକୁ ହାତେଇବାକୁ ଚେଷ୍ଟା କରିବା ଘଟଣା ଏ ସଂସାରରେ ବିରଳ ନୁହେଁ।
ଦଶରଥପୁର, ଯାଜପୁର
ମୋ-୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri