ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ ଜଳୁଥିବା ଅଗ୍ନିବର୍ଷୀ ସୂର୍ଯ୍ୟ ଓ ପାଦ ତଳେ ତାତିଲା ପୃଥିବୀ। ରାଜରାସ୍ତାରେ ନିଶୂନ ନୀରବତା। ପତ୍ନୀପତି ଦୁହେଁ ରାସ୍ତାକଡ଼ରେ ଖୋଳି ଚାଲିଛନ୍ତି ଶହେ ଫୁଟ ଲମ୍ବ, ଫୁଟେ ଓସାର ଓ ଚାରିଫୁଟ ଗଭୀରର ନାଳଟିଏ ଜଳଯୋଗାଣ ପାଇପ୍‌ ବିଛା ହେବା ପାଇଁ। ରାଜଧାନୀ ବାସିନ୍ଦା ବାବୁମାନଙ୍କୁ ଜଳକଷ୍ଟରୁ ଉଦ୍ଧାର କରିବା ପାଇଁ।
ମଜୁରିଆ ଦମ୍ପତିଙ୍କଠୁଁ ଅଳ୍ପ ଦୂରରେ ଗୋଟିଏ ଡେଙ୍ଗା ପତଳା ପତ୍ରଝଡ଼ା ଗଛର ହାଲୁକା ଛାଇରେ ଆକାଶକୁ ଚାହିଁ ହସୁଛି ଛଅମାସର କଅଁଳ ଶିଶୁଟିଏ। ପାଖରେ ତା’ର ତିନି ଚାରିବର୍ଷର ଅଗ୍ରଜ, ଯିଏ ତା’ ଜୀବନର ପ୍ରଥମ ଦାୟିତ୍ୱ ନିର୍ବାହ କରୁଛି ନିଜ ସାନଭାଇର ଯତ୍ନରକ୍ଷକ ହୋଇ। ସାନଭାଇଟି ପରି ବଡ଼ଟି ଓଠରେ ମଧ୍ୟ ହସ; ପ୍ରଚଣ୍ଡ ରୌଦ୍ରତାପରେ ଦହନ ଯନ୍ତ୍ରଣାର ସାମାନ୍ୟ ଆଭାସ ବିନା। ଦୁହଁିଙ୍କ ବୟସର ଅନ୍ୟ ସ୍ବଚ୍ଛଳ ଶିଶୁମାନେ ଯେତେବେଳେ ବିଦ୍ୟୁତ୍‌ ପଙ୍ଖା, ଏୟାରକୁଲର ଅବା ଏସିର ଶୀତଳ ପବନ ଭିତରେ ଘରର ଚାରିକାନ୍ଥ ମଧ୍ୟରେ ସୁରକ୍ଷିତ, ସେତେବେଳେ ଆକାଶର ଅଗ୍ନିବର୍ଷା ତଳେ ଦୁଇଭାଇ ଯେମିତି ସେମାନଙ୍କ ସ୍ବପ୍ନମୟ ଶୈଶବକୁ ଉପଭୋଗ କରୁଛନ୍ତି!
ଏଥର ତ ଆଦ୍ୟ ବିଷୁବର ଆରମ୍ଭରୁ ସମଗ୍ର ରାଜ୍ୟରେ ଅଂଶୁର ତାଣ୍ଡବ। ଆମ ରାଜଧାନୀ ତ ରାଜ୍ୟରେ ଅନ୍ୟ ବହୁ ତାତିଲା ଗଡ଼କୁ ପଛରେ ପକାଇ ଦେଇଛି। ସ୍ମାର୍ଟ ସିଟିର ଯାବତୀୟ ସ୍ମାର୍ଟ ଉପାଦାନ ମଧ୍ୟରେ ତଥାପି ଯେଉଁଠି ଜୀବନ ଡହଳବିକଳ, ସେଠି ମୁକ୍ତ ଆକାଶର ଛାତ ତଳେ ନିଜ ପେଟ ପୂରାଇବାକୁ ସମ୍ବଳ ସାଉଁଟୁଥିବା ଅସହାୟ ଶ୍ରମଜୀବୀ ମଣିଷ କେମିତି ବା ସାମ୍‌ନା କରନ୍ତା ନିଅଁା ଝାଡ଼ୁଥିବା ଉଦଣ୍ଡ ସୂର୍ଯ୍ୟଙ୍କୁ! ଶ୍ରମଜୀବୀ ମଣିଷମାନେ ତ ସମାଜର ଶେଷଧାଡ଼ିର ମଣିଷ, ରାସ୍ତାକଡ଼ର ଜୀବନଟିଏ ଜିଇବା ପାଇଁ ସେମାନେ ବସ୍ତୁତଃ ବାଧ୍ୟ। ତେଣିକି ଆକାଶରୁ ନିଅଁାବରଷୁ ତ ବାଦଲଫଟା ବର୍ଷା, ସଡ଼କର ସନ୍ତାନ ତ ସଡ଼କରେ ହିଁ ବଞ୍ଚତ୍ବ!
ପ୍ରକୃତିର ତାଣ୍ଡବ ଆଗରେ ମଣିଷର ସକଳ ବିଦ୍ୟା ବୁଦ୍ଧି ସବୁକାଳେ ପରାଜିତ। ସୁତରାଂ, ଅଂଶୁଘାତ ସମ୍ପର୍କରେ ସତର୍କ ସୂଚନାର ବ୍ୟାପକ ପ୍ରଚାର କରାଯାଇ ଅଂଶୁ ଆତକଙ୍କୁ ପ୍ରତିହତ କରିବାର ପ୍ରଚେଷ୍ଟା ବାରମ୍ବାର ପ୍ରତିଧ୍ୱନିତ ହେଉଛି ଟିଭି ଓ ସମ୍ବାଦପତ୍ର ଆଦି ବିସ୍ତୃତ ଗଣମାଧ୍ୟମରେ। ସରକାରୀ ଚେତାବନୀ ପ୍ରକାଶପାଉଛି- ”ଦିନ ଦଶଟା ପରେ ଘରୁ ପଦାକୁ ବାହାରନ୍ତୁ ନହିଁ। ଯଦି ବାହାରିବା ନିତାନ୍ତ ଲୋଡ଼ା ପଡ଼େ, ତେବେ ମୁଣ୍ଡରେ ଗାମୁଛା ଓ କାନ୍ଧରେ ପାଣିବୋତଲ ଧରି ବାହାରନ୍ତୁ। ଏଗାରରୁ ତିନିଟାଯାଏଁ ଶ୍ରମିକମାନଙ୍କୁ କାମରେ ଲଗାନ୍ତୁ ନାହିଁ। ଶିଶୁ ଓ ବୃଦ୍ଧମାନଙ୍କ ପାଇଁ ଅଧିକ ସତର୍କ ହୁଅନ୍ତୁ।“ ଯେଉଁମାନେ ଟିଭି ଦେଖନ୍ତି, ଖବରକାଗଜ ପଢ଼ନ୍ତି ସେମାନଙ୍କ ଉପରେ ଏହି ସରକାରୀ ସୂଚନାର ପ୍ରଭାବକୁ କେହି ଅସ୍ବୀକାର କରିପାରିବେ ନାହିଁ।
ମାତ୍ର ଯେଉଁମାନେ ସଡ଼କର ସନ୍ତାନ! ଘର ବାହାର ରାସ୍ତାକଡ଼ରେ ପ୍ରତିପାଳିତ ଯେଉଁମାନଙ୍କ ଜୀବନ! ରାସ୍ତା ଉପରକୁ ନ ବାହାରିଲେ ଯେଉଁମାନଙ୍କ ଦିନ ସରେନାହିଁ କି ପେଟ ପୂରେ ନାହିଁ, ସେମାନଙ୍କ ପାଇଁ ସବୁ ଦିନ, ସବୁ ମାସ ଓ ସବୁ ଋତୁର ଅନୁଭବ ଏକା ପରି! ସେମାନଙ୍କ ପାଇଁ ବୈଶାଖ ଓ ଶ୍ରାବଣ ମଧ୍ୟରେ କିଛି ଫରକ ନାହିଁ। ଅଗ୍ନିବର୍ଷୀ ଆକାଶ ଓ ବାଦଲଘେରା ବର୍ଷାମୁଖର ଆକାଶ ମଧ୍ୟରେ କିଛି ପ୍ରଭେଦ ନାହିଁ। ବାସ୍‌, ଉପରେ ଆକାଶ ତଳେ ପୃଥିବୀ। ତା’ ମଧ୍ୟରେ ଅଲୋଡ଼ା ଅବହେଳିତ ସଂଘର୍ଷମୟ ଜୀବନଟିଏ ଜିଉଁଥିବା ରାସ୍ତାକଡ଼ର ମଣିଷଟିଏ ସେ! ଟିଭି ଦେଖିବା ବା ସମ୍ବାଦପତ୍ର ପଢ଼ିବାର ନା ସୁଯୋଗ ଅଛି ନା ଅଛି ଯୋଗ୍ୟତା। ସୁତରାଂ, ସେ କାହୁଁ ବା ଜାଣନ୍ତା ପ୍ରଚଣ୍ଡ ରୌଦ୍ରତାପରେ ଏଠି ସଂଭ୍ରାନ୍ତ ବୋଲାଉଥିବା ଲୋକ ବି ସଂତ୍ରସ୍ତ, ଆତଙ୍କିତ। ଜାଣିଲେ ସେ କରନ୍ତା ବା କ’ଣ! ଦିନଟିଏ ରାସ୍ତାକୁ ନ ବାହାରିଲେ, ନିଅଁାବର୍ଷାକୁ ଡରି ନିଜକୁ ଘର ଭିତରେ ବନ୍ଦୀ କରି ରଖିଲେ, ତା’ ପରଦିନ ପୃଥିବୀ ପୃଷ୍ଠରେ ବଞ୍ଚତ୍ ରହିବାକୁ ସେ ଓ ତା’ର ପରିବାର ସୁଯୋଗ ପାଇବେ ତ!
ସୁତରାଂ, ସେ ବିଲରେ ଯାଇ କାମ କରେ, ସଡ଼କ ଉପରେ ରିକ୍‌ସା ଟାଣେ, ରାସ୍ତାକଡ଼ରେ ପଇଡ଼ କି ତରଭୁଜ ବିକେ। ପୁଣି ହାତରେ କରଣି ଧରି ଘର ତୋଳେ ତ କୋଦାଳ ଧରି ପାଣି ପାଇପ୍‌ ବିଛା ହେବା ପାଇଁ ମାଟି ଖୋଳୁଥାଏ। ପୁଣି କେଉଁଠି ବାରବର୍ଷର ବାଳିକାଟିଏ ହୋଇ ଘସି ପାରୁଥାଏ ବା ଜରି ଗୋଟାଉଥାଏ ବା ଅନ୍ୟ କେଉଁଠି ସାତ ବର୍ଷର ବାଳକଟିଏ ଉପରେ ମାଆବାପାଙ୍କ କାମ ସରିବାଯାଏଁ ଗଛମୂଳରେ ବସି ଟିକିଭାଇଟିର ଦାୟିତ୍ୱ ନେଉଥାଏ। ଅଂଶୁଘାତର ଆତଙ୍କ ସମ୍ପର୍କରେ କେହି ଏମାନଙ୍କୁ ଚେତାଇଦେଲେ ଅବା ଆଇନକୁ ଡରି ଏମାନଙ୍କୁ କେହି କାମ ଦେବାକୁ ମନାକଲେ ଏମାନେ ଉପହାସରେ ହସନ୍ତି। ସେମାନେ କହନ୍ତି, ”ଆମେ ତ ଆଉ ତୁମ ପରି ପାଟିରେ ରୁପା ଚାମଚ ନେଇ ଜନ୍ମ ହୋଇନାହୁଁ ଯେ ତାତିଲା ଖରାକୁ ଡରି ଘର ଭିତରେ ବସି ରହିବୁ! ଆମେ ସଡ଼କର ସନ୍ତାନ। ରାସ୍ତାକଡ଼ରେ ବନ୍ଧା ଆମ ଜୀବନ। ପ୍ରକୃତିର ପ୍ରକୋପକୁ ଡରି ରାସ୍ତା ଉପରକୁ ନ ବାହାରିଲେ ପେଟ ପୋଷିବୁ କେମିତି?“
ନିଜ ନିଜର ମହର୍ଗ ମୁଣ୍ଡକୁ ଅଂଶୁତାପରୁ ସୁରକ୍ଷିତ ରଖିବା ପାଇଁ ଏସି କାରରେ ସବାର ହୋଇ ବେକରେ ଫୁଲମାଳ ପକାଇ ଏବେକାର ନିର୍ବାଚନ ବେଳାରେ ମାଇକ୍ରୋଫୋନ୍‌ ଆଗରେ ଗରିବ, ଶ୍ରମିକଙ୍କ ସ୍ବାର୍ଥରକ୍ଷା ପାଇଁ ଚିତ୍କାର ଛାଡୁଥିବା ନେତାମାନଙ୍କ ପାଖରେ ଏମାନଙ୍କ ପ୍ରଶ୍ନର କି ଉତ୍ତର ଅଛି କେଜାଣି! ଶାସନର ପ୍ରଭୁ ହେବାକୁ ଯାଉଥିବା ଏଇ ଭୋଟପ୍ରାର୍ଥୀମାନଙ୍କ ପାଖରେ ଏଇ ପ୍ରଶ୍ନର ଉତ୍ତର ଥାଉ କି ନ ଥାଉ, ପ୍ରକୃତିର ପ୍ରଭୁଙ୍କ ପାଖରେ ଏ ଅଭିମାନର କିଛି ମୂଲ୍ୟ ନ ଥାଏ। ଅଂଶୁଘାତରୁ ନିଜ ନିଜକୁ ସବୁମତେ ସୁରକ୍ଷିତ ରଖୁଥିବା ସତର୍କ ଓ ସମର୍ଥ ମଣିଷମାନଙ୍କ ପାଖ ମାଡ଼ିପାରୁ ନ ଥିବା ଅଂଶୁର ଅଗ୍ନିରେ କେବଳ ଜଳିଯା’ନ୍ତି ଦୁଃଖୀ ଦରିଦ୍ରମାନେ। ସରକାରୀ ରିପୋର୍ଟ ଅନୁଯାୟୀ, ଏ ବର୍ଷ ସାରା ରାଜ୍ୟରେ ଯେଉଁ କେତେକ ଅଂଶୁଘାତ ଆକ୍ରାନ୍ତମାନେ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ଅବା ଯେଉଁ ତିନିଜଣ (ବେସରକାରୀ ଭାବେ ସଂଖ୍ୟା ବେଶ୍‌ ଅଧିକ ହେବ ବୋଲି ବିଶ୍ୱାସ କରାଯାଏ) ସଂସାର ଛାଡ଼ିଛନ୍ତି, ସେମାନେ ସବୁ ଏହି ବର୍ଗର, ଦୁଃସ୍ଥ ଓ ଦରିଦ୍ର।
ଲକ୍ଷ୍ୟ କରିବାର କଥା, ଏହି ଅଂଶୁ ଆକ୍ରାନ୍ତମାନଙ୍କ ଜୀବନ ସମର୍ପିତ ଥାଏ ଅନ୍ୟ ଅବଶିଷ୍ଟମାନଙ୍କ ସେବା କରିବା ପାଇଁ। ସେମାନେ ନ ଥିଲେ ସ୍ବଚ୍ଛଳ ଓ ସଂଭ୍ରାନ୍ତ ବୋଲାଉଥିବା ଲୋକମାନଙ୍କୁ ଖାଇବାକୁ ଦାନା ମିଳନ୍ତା ନାହିଁ କି ପିଇବାକୁ ପାଣି ମିଳନ୍ତା ନାହିଁ। ଅଳ୍ପଦିନ ତଳେ ଜଣେ ବନ୍ଧୁ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବାର ଖବର ପାଇ ଏଇ ଲେଖକ ଯାଇଥିଲା ତାଙ୍କୁ ଦେଖାକରିବା ପାଇଁ। ”ମାତ୍ର ପନ୍ଦର ମିନିଟ୍‌ ଖରାରେ ବୁଲି ଆସିଲି ଯେ ମରୁ ମରୁ ବଞ୍ଚତ୍ଗଲି“- ବନ୍ଧୁଙ୍କର ଏମିତି ଆତ୍ମଆଶ୍ୱାସନାଭରା ବିକଳ ପ୍ରତିକ୍ରିୟା ଶୁଣି ଏ ଲେଖକ ଏଇ ନିବନ୍ଧର ଉପକ୍ରମଣିକାରେ ବର୍ଣ୍ଣିତ ଧୁ ଧୁ ଖରାରେ ଗଛମୂଳରେ ଶାୟିତ ସେଇ ଟିକି ଶିଶୁଟି କଥା ମନେପକାଉଥିଲା। ଭାବୁଥିଲା, ବନ୍ଧୁଙ୍କୁ କହିଦେବ ବୋଲି- ”ଆମେ ବଡ଼ ଭାଗ୍ୟବାନ୍‌ ବନ୍ଧୁ! ଅଗ୍ନିବର୍ଷୀ ଆକାଶତଳୁ ଫେରିଆସି ଆଶ୍ରୟ ନେବାକୁ ଘର ଖଣ୍ଡିଏ ଅଛି। ଯାଅ ଦେଖିବ, ଖୋଲା ଆକାଶ ତଳେ, ପ୍ରଚଣ୍ଡ ରୌଦ୍ରତାପରେ ତଥାପି କେମିତି ହସିପାରୁଛି ରାସ୍ତାକଡ଼ର ଜୀବନ!“
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri