ଯେଉଁ କଥାକୁ ସେଇ କଥା

ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବାୟତ୍ତତାକୁ ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ପରେ ଏହି ରାଜ୍ୟକୁ ଭାଗ କରାଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଢ଼ାଯାଇଥିଲା। ଏନ୍‌ଡିଏ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଇତିମଧ୍ୟରେ ୭ ମାସ ପୂରିଗଲାଣି। ଏପରି ପଦକ୍ଷେପ ନେବା ପୂର୍ବରୁ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କ ସମେତ ଅନେକ ନେତାଙ୍କୁ ଗୃହବନ୍ଦୀ କରିଥିଲେ। ନିକଟରେ ଫାରୁକ୍‌ ଅବଦୁଲ୍ଲାଙ୍କୁ ମୁକ୍ତ କରାଯାଇଛି। ଅନ୍ୟପକ୍ଷରେ ପିଡିପିର ପୂର୍ବତନ ମନ୍ତ୍ରୀ ତଥା ନୂତନ ଭାବେ ଗଢ଼ି ଉଠିଥିବା ‘ଜମ୍ମୁ କଶ୍ମୀର ଅପ୍‌ନି ପାର୍ଟି’ ଅଧ୍ୟକ୍ଷ ଅଲ୍‌ତାଫ୍‌ ବୁଖାରୀ ଏକ ୨୪ ଜଣିଆ ପ୍ରତିନିଧି ଦଳର ନେତୃତ୍ୱ ନେଇ ୧୪ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୧୫ ମାର୍ଚ୍ଚରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟି କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଜମ୍ମୁ ଓ କଶ୍ମୀରରୁ ସ୍ବାୟତ୍ତତା ହଟିବା ପରେ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ବୁଖାରୀଙ୍କ କଥାବାର୍ତ୍ତାକୁ ରାଜନୈତିକ ମହଲରେ ଗୁରୁତ୍ୱ ଦିଆଯାଉଛି। କାରଣ ଜମ୍ମୁ ଓ କଶ୍ମୀରକୁ ପୁନଶ୍ଚ ରାଜ୍ୟ ମାନ୍ୟତା ଦିଆଯିବା ନେଇ ଶାହା ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ଏନ୍‌ଡିଏ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବାରେ ଆଚମ୍ବିତ ହେବାର ନାହିଁ। ଜମ୍ମୁ ଓ କଶ୍ମୀରରୁ ସ୍ବାୟତ୍ତତା ହଟେଇ ଦିଆଯିବା ପରେ କୁହାଯାଇଥିଲା ଯେ, ସେଠାରେ ସ୍ବାଭାବିକତା ଫେରିଆସିଲେ କେନ୍ଦ୍ର ନିଷ୍ପତ୍ତିରେ ପରିବର୍ତ୍ତନ କରିପାରେ। କିନ୍ତୁ ସେଠାରେ କେଉଁ ଧରଣର ପରିବର୍ତ୍ତନ ଘଟିଛି, ତାହା ସ୍ପଷ୍ଟ କରାଯାଉ ନ ଥିବାରୁ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣତଃ ସମ୍ବିଧାନ ଅନୁଯାୟୀ ରାଜ୍ୟର ମାନ୍ୟତା ବିଭିନ୍ନ ଭୌଗୋଳିକ ଅଞ୍ଚଳକୁ ଦିଆଯାଇଥିବା ବେଳେ ଅନ୍ୟ କେତେକ କ୍ଷୁଦ୍ର ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଛି। ଏହା କୌଣସି ନେତାଙ୍କ ନିଦ୍ରାଭଙ୍ଗ ପର ବିଳିବିଳେଇବା ଅନୁସାରେ ଘଟେ ନାହିଁ। ନିଦରେ ଶୋଇଥିବା ବେଳେ କଡ଼ ଲେଉଟାଇଲା ଭଳି ଦେଶ ଚଳାଇଲେ ତାହା ଅଧିକ ସମସ୍ୟା ସୃଷ୍ଟି କରିବ। କାରଣ ପ୍ରତ୍ୟେକ ନିଷ୍ପତ୍ତି ବଦଳାଇବାର ଅର୍ଥ ହେଉଛି ତାହା ପରବର୍ତ୍ତୀ ସମୟ ପାଇଁ ଉଦାହରଣ ଭାବେ ବ୍ୟବହୃତ ହେବାର ସୁଯୋଗ ସୃଷ୍ଟି କରୁଛି।
ଜମ୍ମୁ ଓ କଶ୍ମୀରର ସର୍ବାଙ୍ଗୀନ ଉନ୍ନତି କେନ୍ଦ୍ରର ଦାୟିତ୍ୱ ବୋଲି ସେତେବେଳେ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ବାରମ୍ବାର କହିଥିବା ବିଷୟ ସମସ୍ତଙ୍କ ମନେଥିବ। ବାସ୍ତବତା ଦେଖିଲେ ଅଦ୍ୟାବଧି ଭିତ୍ତିଭୂମିର ଉନ୍ନତି ସହ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରି ନାହିଁ। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଞ୍ଜି ବିନିଯୋଗ ନେଇ ଦିଆଯାଇଥିବା ଡକରାରେ ଅନେକେ ସାମିଲ ହୋଇପାରୁ ନାହାନ୍ତି। ସ୍ବାଭାବିକ ଅବସ୍ଥା ଫେରିପାରି ନ ଥିବାରୁ ଶିଳ୍ପପତି ଓ ବ୍ୟବସାୟୀମାନେ ସେଠାକାର ବ୍ୟବସ୍ଥାକୁ ଭରସି ପାରୁନାହାନ୍ତି। ଯଦିଓ କିଛି ମାସ ତଳେ ଇଣ୍ଟରନେଟ୍‌ ଓ ମୋବାଇଲ ଫୋନ୍‌ ସେବାକୁ ପୁନଃ ସ୍ଥାପିତ କରାଯାଇପାରିଛି, ତଥାପି ସେଠାକାର ବାସିନ୍ଦା ଭୟମୁକ୍ତ ହୋଇପାରୁନାହାନ୍ତି। ଅସଂଖ୍ୟ ଲୋକଙ୍କୁ ଗୃହବନ୍ଦୀ କରି ରଖାଯିବା ଓ ବାକ୍‌ ସ୍ବାଧୀନତାକୁ ସଙ୍କୁଚିତ କରାଯିବା ନେଇ ଅଭିଯୋଗ ମଧ୍ୟ ବାରମ୍ବାର ଶୁଣିବାକୁ ମିଳୁଛି। ଜମ୍ମୁ ଓ କଶ୍ମୀରକୁ ନେଇ କେନ୍ଦ୍ର ସରକାର କରିଥିବା ପରୀକ୍ଷଣ ଅନ୍ତର୍ଜାତିକୀକରଣ ହୋଇଥିବା ବେଳେ ଅନେକ ବିଶ୍ୱମଞ୍ଚରେ ଭାରତକୁ କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ପୂର୍ବାପେକ୍ଷା ସୀମାନ୍ତରେ ଉତ୍ତେଜନା କମିଛି ବୋଲି ଯାହା କୁହାଯାଉଛି, ତାହାର କୌଣସି ପ୍ରମାଣ ମିଳିପାରୁ ନାହିଁ। କେନ୍ଦ୍ର ଓ ଉପତ୍ୟକାର ଅଧିବାସୀଙ୍କ ମଧ୍ୟରେ ବିଶ୍ୱାସର ସଙ୍କଟ ଦେଖାଦେଇଥିବାରୁ ଆଜି ପରିସ୍ଥିତି ସ୍ବାଭାବିକ ହୋଇପାରୁ ନାହିଁ ବୋଲି ଅନେକେ ବୁଝିପାରୁଛନ୍ତି। କିନ୍ତୁ କେହି ପାଟି ଖୋଲିବାକୁ ଚାହୁଁନାହାନ୍ତି। କାରଣ ସେଠାରେ ନିୟୋଜିତ ପର୍ଯ୍ୟାପ୍ତ ସେନା ସେମାନଙ୍କ ପାଇଁ ଭୟ ସୃଷ୍ଟି କରିଚାଲିଛି। ସେଥିପାଇଁ ଜମ୍ମୁ ଓ କଶ୍ମୀରରୁ ଭାରତୀୟ ସେନା ହଟିଯାଉ ବୋଲି ଯୁବବର୍ଗ ଚାହୁଁଥିବା କେତେକ ସର୍ଭେରୁ ଜଣାପଡ଼ିଛି।
ଏଭଳି ସ୍ଥଳେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରରେ ଅଟକ ରହିଥିବା ନେତାମାନଙ୍କୁ ମୁକ୍ତ କରିଦେଇ ଏକ ଶାନ୍ତି ଆଲୋଚନାକୁ ଆସିବା ଦରକାର। ଶତ ଚେଷ୍ଟା ସତ୍ତ୍ୱେ ଯେହେତୁ ଉକ୍ତ ଅଞ୍ଚଳକୁ କେନ୍ଦ୍ର ନିୟନ୍ତ୍ରଣ ମଧ୍ୟକୁ ଆଣିପାରି ନାହିଁ, ତେଣୁ ଜନସାଧାରଣଙ୍କ ମତକୁ ପ୍ରାଧାନ୍ୟ ଦିଆଯିବା ଦରକାର। କିନ୍ତୁ ଯେଉଁ ବେଗରେ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି କଶ୍ମୀର ଉପରେ ଚଢ଼ାଉ କରାଯାଇଥିଲା ଏବଂ ସେଥିରୁ ରାଜନୈତିକ ମଲେଇ ଖାଇବାର ଉଦ୍ୟମ କରାଗଲା, ତାହା ଯୋଗୁ ଏବେକାର ପଟ ପରିବର୍ତ୍ତନ ସେହି ରାଜ୍ୟବାସୀଙ୍କ ନିକଟରେ ଏକ ଭାରତ ବିରୋଧୀ ଚିନ୍ତାଧାରା ଛିଡ଼ା କରାଇଥାଇପାରେ। ପୂର୍ବରୁ ଏଭଳି ଦମନ ଯୋଗୁ କଶ୍ମୀରବାସୀ ଭାରତ ବିରୋଧୀ ପାଲଟିଥିଲେ। ୨୦୧୯ ଅଗଷ୍ଟଠାରୁ ସେହି ଚଢ଼ାଉର ମାତ୍ରା ବୃଦ୍ଧି ପାଇଥିଲା। ସେଥିପାଇଁ ବିରୋଧ ମଧ୍ୟ ଅନୁରୂପ ବଢ଼ିଥିବ ବୋଲି ଆଶଙ୍କା କରାଯାଇପାରେ। ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଖବରକୁ ଦମନ କରାଯାଇପାରେ, କିନ୍ତୁ ସାଧାରଣ ନାଗରିକଙ୍କୁ ଅତ୍ୟଧିକ ଲମ୍ବା ସମୟ ମୌନ ରଖାଯିବା ଆଧୁନିକ ଯୁଗରେ କଷ୍ଟକର। ବ୍ରିଟେନ୍‌ର ସାଂସଦଙ୍କୁ ପ୍ରବେଶ ନିଷେଧ କରିବା ସହଜ ହୋଇପାରେ, କିନ୍ତୁ ମାନସିକ ଘୃଣାଭାବକୁ ପ୍ରବେଶରୁ ନିଷିଦ୍ଧ କରିବା ଅସମ୍ଭବ। ଆଗାମୀ ଦିନରେ କଶ୍ମୀର ସମସ୍ୟା ବୃଦ୍ଧି ପାଇବାର ସବୁ ସଂକେତ ମିଳୁଛି। ଯଦି ତାହା ହୁଏ, ତେବେ ଭାରତ ପାଇଁ ସାମରିକ ଖର୍ଚ୍ଚ ବହୁ ମାତ୍ରାରେ ବଢ଼ିଯିବ। ଶେଷରେ ଯେଉଁ କଥାକୁ ସେଇ କଥା।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri