ଯାନ୍ତ୍ରିକ ଯନ୍ତ୍ରଣା

ଡ. ଦ୍ୱିତୀ ଚନ୍ଦ୍ର ସାହୁ

ହାଟରେ ପରିବା କିଣୁଥିଲି। ପଛରୁ ମୋ ହାତକୁ ଧରି ଟାଣିନେଲେ କେହି। ବୁଲି ଦେଖିଲି ଜଣେ ଅବସରପ୍ରାପ୍ତ ଶିକ୍ଷକ। କିଛି ପଚାରିବା ଆଗରୁ ସେ କହିଲେ – ସାହୁ ବାବୁ! ଆପଣଙ୍କୁ ଖବରକାଗଜରେ ହିଁ ଦେଖୁଛି। ଭଲ ଲେଖୁଛନ୍ତି। ଅନେକ ସମୟରେ ଆପଣଙ୍କ ଲେଖା ପଢ଼ି ପାରୁନି। ମିସ୍‌ ହୋଇଯାଉଛି। ମୁଁ ଉତ୍ସାହିତ ହୋଇ କହିଲି – ସାର! ଆପଣଙ୍କ ହ୍ବାଟ୍ସଆପ୍‌ ନମ୍ବର ଦିଅନ୍ତୁ ଲେଖା ପ୍ରକାଶିତ ହେଲେ ମୁଁ ପଠେଇ ଦେବି। ସେ ତୁରନ୍ତ ତାଙ୍କ ପ୍ୟାଣ୍ଟ ପକେଟରୁ ଗୋଟେ ମୁଣ୍ଡା ମୋବାଇଲ ବାହାର କରି ଦେଖାଇଲେ ଓ କହିଲେ – ବୁଝିଲେ ଆଜ୍ଞା ! ଏଇଟା ମୋର ମୋବାଇଲ। ହାଲୋ କଲେ ସରିଲା। ଗାଡ଼ି ଘୋଡ଼ା ନାହିଁ। ନିଜ ସାଇକେଲକୁ ଦେଖାଇ ପୁଣି କହିଲେ – ଏଇଟା ମୋର ସର୍ବସ୍ବ। ବାହାରେ ଖାଇବା ନାହିଁ। ଯାହା ଖାଇବି ଘରେ। ଅବସର ନେଇ ୧୩ ବର୍ଷ ହେଲାଣି। ବିନା ଚଷମାରେ ପଢ଼ିପାରୁଛି। ଚାଲବୁଲରେ ସମସ୍ୟା ନାହିଁ। ଭଗବାନଙ୍କ ଦୟାରୁ ସୁସ୍ଥ ଅଛି। ଏଣିକି ମୋର ପାଟିରୁ କଥା ବାହାରୁ ନ ଥାଏ। ଖାଲି ବିସ୍ମୟ ହେଉଥାଏ। ବୋଧେ ହୁଏ ନିଜ ଦମ୍ଭରେ ସେ ବଞ୍ଚି ପାରୁଛନ୍ତି ବୋଲି ପରିଣତ ବୟସରେ ରୋଗ ତାଙ୍କୁ ସ୍ପର୍ଶ କରିପାରିନି। ଅସୁସ୍ଥତା ପାଇଁ ଅନେକ ସମୟରେ ଆମେ ଚାରିପାଖର ପରିବେଶ, ଖାଦ୍ୟ, ପାନୀୟ ଉପରେ ଦାୟୀ କରୁ। ଯଦିଓ ଏହା କିଛି ମାତ୍ରାରେ ଦାୟୀ, କିନ୍ତୁ ଏହା କେବଳ ଭେଳିକି ମାତ୍ର। ନିଜକୁ ନିଜେ ତୁଷ୍ଟି କରିବା ଲାଗି ଆମର ଏଭଳି ଉଦ୍ୟମ। ବାସ୍ତବରେ ଏସବୁଠାରୁ ଆମର ଜୀବନଶୈଳୀ ଅଧିକମାତ୍ରାରେ ଆମ ଅସୁସ୍ଥତାର ପ୍ରମୁଖ କାରଣ ହୋଇଥାଏ। ଆଜିକାଲି ୟାଠାରୁ ବଡ଼ ଅଧିକ ସମସ୍ୟା ହେଉଛି ଯାନ୍ତ୍ରିକ ଯନ୍ତ୍ରଣା।
ଯେତକ ଯାବତୀୟ କାରବାର ଆଜି ମୋବାଇଲରେ। ଖଣ୍ଡେ ମୋବାଇଲ ପକେଟରେ ଅଛି। ଆଉ ସେଥିରେ ନେଟ ରହିଛି। ଜାଣ ଦୁନିଆ ତୁମ ପାଦ ତଳେ ଚୁମୁଛି। କେବଳ ଫୋନ ପାଇଁ ମୋବାଇଲ ଯଥେଷ୍ଟ ନୁହଁ। ବିବିଧ କର୍ମରେ ମୋବାଇଲର ଆବଶ୍ୟକତା ଅଧିକ। ଆଙ୍ଗୁଠି ଟିପିଲେ ସବୁ କାମ ହୋଇପାରୁଛି। ଅନ୍‌ଲାଇନରେ କିଣା ବିକା, ପରୀକ୍ଷା, ପାଠପଢ଼ାଠାରୁ ଆରମ୍ଭ କରି ଖବର, ସିନେମା, ମନୋରଞ୍ଜନ ଇତ୍ୟାଦି ଇତ୍ୟାଦି। ଘରେ ରୋଷେଇ କାମ ହେଉଥିବ ଏପଟେ ମୋବାଇଲରେ ସିରିଏଲ ଦେଖାଚାଲିବ। ଆଜିକାଲି ହଠାତ୍‌ କାହାର ମୋବାଇଲ ହଜିଗଲା କିମ୍ବା ଖରାପ ହୋଇଗଲା। ତେବେ ସେଇ ବ୍ୟକ୍ତିଙ୍କର ଖାଲି ଆଚରଣ ଓ ଉଚ୍ଚାରଣକୁ ଦେଖିବେ। ସେ ବ୍ୟସ୍ତ ହୋଇପଡିବା ସହ ଆଖପାଖର ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେବେ। ଲାଇନରେ ଟିକେଟ ପାଇଁ ଠିଆ ହୋଇଛନ୍ତି ସେପଟ କାଚ ଗୁମୁଟି ଭିତରେ ଥିବା ଲୋକଟି କହିବ ଏବେ ହୋଇପାରିବନି। ଲିଙ୍କ୍‌ ଫେଲ୍ୟୁର। ବ୍ୟାଙ୍କରେ ଟଙ୍କା ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଠିଆ ହୋଇ ବିରକ୍ତର ଶେଷ ସୀମା ପାର ହୋଇ ସାରିଥିବେ। ସେତେବେଳେ ଦରଜା ପାଖରେ ଗୋଟେ ମଲାଟରେ ଲେଖାଥିବ ଲିଙ୍କ୍‌ ଫେଲ୍ୟୁର। ସେଇଠି ଜୀବନ ଅଚଳ। ପୃଥିବୀ ଅନ୍ଧାର। ଧୈର୍ଯ୍ୟର ବନ୍ଧ ଭାଙ୍ଗିିଯିବ। ନିତି ବାଇକରେ ଯାଉଥିବେ। ହଠାତ କୋଉ କାମରେ ବାହାରିଲାବେଳକୁ ଗାଡ଼ି ଅଚଳ ହୋଇଯିବ। ନିଜର ବୋଲ ମାନିବନି। ଦି’ ତିନିଟା ଗୋଇଠା କେହି କେହି ମାରିବେ। ଷ୍ଟେସନରେ ଲାଗିଲେ ଯାଇ ଭାରତୀୟ ରେଳର ଠିକ ଟାଇମ। ରେଳ ଚଢ଼ିଲା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଲେ ଯାଇ ରକ୍ଷା। ତାରି ଭିତରେ ଘଟି ଯାଇପାରେ ଅନେକ କଥା। ବିଳମ୍ବ ସ୍ବାଭାବିକ ପ୍ରକ୍ରିୟା। ଠିକ ସମୟରେ ପହଞ୍ଚତ୍ବା ଅଲୌକିକତା। ଯାତ୍ରୀର ଯନ୍ତ୍ରଣା ଅକଥନୀୟ ଓ ଅବର୍ଣ୍ଣନୀୟ। ଶୀଘ୍ର ପହଞ୍ଚତ୍ବା ଲାଗି ବିମାନରେ ଯିବେ ଭଲ କଥା। କିନ୍ତୁ ବିମାନରେ ବି ଏବେ ସେଇ ଅବସ୍ଥା। ଟ୍ରାଫିକ ସମସ୍ୟା, ପାଗ ସମସ୍ୟା, ଯାନ୍ତ୍ରିକ ତ୍ରୁଟି ଏମିତି ଅନେକ ବ୍ୟଥା। ତାକୁ ହଜମ କରି ଗଲେ ଦୋଷ ନାହିଁ। ନ ହେଲେ ଠିକ୍‌ ସମୟରେ ପହଞ୍ଚିବେ ବୋଲି ଗ୍ୟାରେଣ୍ଟି ନାହିଁ।
କମ୍ପୁଟର ଓ ଲାପଟପର କାହାଣୀ ବହୁତ। ଲାପଟପ ବହୁ ଚାକିରିଆଙ୍କ ଆତ୍ମା। ଉଠିଲାଠାରୁ ପୁଣି ଶୋଇବାକୁ ଗଲା ଯାଏ ତାରି ସହ ଉଠାବସା। କେତେ କେତେ ତଥ୍ୟ ସୁରକ୍ଷିତ ରହିଛି ବୋଲି ଚିନ୍ତାମୁକ୍ତ। ସବୁକିଛି ସଫ୍ଟ କପି ଆକାରରେ ରହିଥିବାରୁ ତଥ୍ୟ ଆଦାନପ୍ରଦାନରେ ସମସ୍ୟା ନାହିଁ। ଭାରି ଭରସା ଦେଇ ଚାଲିଥାଏ ସେ। କିନ୍ତୁ ଯେତେବେଳେ ଏହି ଲାପଟପ ଧୋକା ଦିଏ ସେତେବେଳେ ଅକଲ ଗୁଡୁମ ହୋଇଯାଏ। ଯାବତୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଉ ଖୋଲି ହୁଏନି। ତାକୁ ପୁଣି ଟଣାଓଟରା ନାନାଦି ପରପଞ୍ଚ କରି ହୁଏତ ତଥ୍ୟ ସବୁକୁ ଆଦାୟ କରିହୁଏ। କିନ୍ତୁ ସେଥିରେ ବି ଶତ ପ୍ରତିଶତ ଗ୍ୟାରେଣ୍ଟି ନାହିଁ। ଯନ୍ତ୍ର ଯେତିକି ସହଜ ଓ ସୁବିଧା। ତା’ର ପଛରେ ସେତିକି କଷ୍ଟ ଓ ଯନ୍ତ୍ରଣା ରହିଛି। ଯନ୍ତ୍ର ଉପରେ ଭରସା କରି ବଞ୍ଚୁଥିବା ମଣିଷ ଏମିତି ସଙ୍କଟଜନକ ସ୍ଥିତିରେ ପଡୁଛି। ଯନ୍ତ୍ର ଖାଲି କଷ୍ଟ ଦେଉନି। ମଣିଷର ଶକ୍ତି ଓ ସାମର୍ଥ୍ୟ ଉପରେ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯନ୍ତ୍ରବତ୍‌ ମଣିଷ ଅସମୟରେ ଯାବତୀୟ ରୋଗକୁ ଆମନ୍ତ୍ରଣ କରୁଛି। ପିଲାଟି ବେଳରୁ ମୋବାଇଲ ଦେଖି ଭାତ ଖାଉଥିବା ପିଲା ସ୍କୁଲକୁ ଗଲାବେଳକୁ ଆଖିରେ ଚଷମା ଲଗେଇବାକୁ ପଡୁଛି। ସମୟ ପୂର୍ବରୁ ବୟସର ଭାରରେ ମଣିଷ ଯେତିକି ନଇଁ ପଡୁଛି, ସେତିକି ରୋଗର ଶିକାର ହେଉଛି। ଆଖି କାନର କ୍ଷମତା ଶୀଘ୍ର ଚାଲି ଯାଉଛି। ବୌଦ୍ଧିକ ପରିଚାଳନାରେ ମଣିଷ ଅନେକ ସମୟରେ ବ୍ୟର୍ଥ ହେଉଛି। ଯାନ୍ତ୍ରିକ ସମସ୍ୟା ହୁଏତ ସାମୟିକ ଛଟପଟ କରେ। ଯନ୍ତ୍ର ସଜାଡିଗଲେ ଜୀବନ ପୁଣି ମଧୁମୟ ହୋଇଯାଏ। କିନ୍ତୁ ଅଦୃଶ୍ୟ ଭାବେ ନିଜର ସାଥୀ ପାଲଟି ଯାଇଥିବା ଯାନ୍ତ୍ରିକ ଯନ୍ତ୍ରଣା କ୍ରମଶଃ ନିଜର ଅଗୋଚରରେ ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ପରିଣତ ହୋଇପଡେ। ତାରି ପରିସରରୁ ମୁକୁଳିବା ସହଜ ହୋଇପାରେନା ମଣିଷ। ପରେ ଛଟପଟ ହୋଇ ଜୀବନ ଜିଇବାକୁ ବାଧ୍ୟ। ଏସବୁ କଥା ମନକୁ ଛୁଇଁଲାବେଳେ ସେହି ତଥାକଥିତ ଅବସରପ୍ରାପ୍ତ ସାର୍‌ଙ୍କ ହସହସ ଚେହେରା ମନେ ପଡିଗଲା। ମନରେ ପ୍ରଶ୍ନ ସୃଷ୍ଟି ହେଲା ଆଜି ବି କ’ଣ ସତରେ ସାର୍‌ଙ୍କ ଭଳି ବଞ୍ଚିହେବ ଏବଂ ଯାନ୍ତ୍ରିକ ଯନ୍ତ୍ରଣାରୁ ମୁକ୍ତି ମିଳିବ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ- ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri