Posted inଖେଳ

ମିଶନ୍‌ ଟି୨୦

ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ସୁପର ଶୋ ଅବ୍ୟାହତ ରହିଛି। ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ର ବିଶାଳ ବ୍ୟବଧାନରେ ଜିତିବାରେ ଉଭୟ ଅଭିଜ୍ଞ ଏବଂ ନୂତନ ଖେଳାଳିମାନଙ୍କ ସଫଳତା ଏପରି ଏକ ଚିତ୍ତାକର୍ଷକ ବିଜୟ ଆଣିଦେଇଛି। ଯେଉଁଥିରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସଫଳ ଟେଷ୍ଟ ପ୍ରତ୍ୟାବର୍ତ୍ତନ ସାମିଲ ରହିଛି। କର୍ନାଟକର ରଣଜୀ ଓପନର୍‌ ମୟଙ୍କ ଅଗ୍ରୱାଲଙ୍କ ପ୍ରଥମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ ମଧ୍ୟ ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ନାଲିବଲ୍‌ରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଉଭୟ ଇନିଂସ୍‌ରେ ଶତକ ଐତିହାସିକ ଥିଲା। ରବୀନ୍ଦ୍ର ଜାଡେଜାଙ୍କ ଉପଯୁକ୍ତ ସମୟରେ ବ୍ରେକ୍‌ ଥ୍ରୁ ବୋଲର ରୂପେ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ଗୋଟିଏ ଟେଷ୍ଟ ମ୍ୟାଚରେ ଉଭୟ ଟିମ୍‌ ପକ୍ଷରୁ ୫ଟି ଶତକ, କେତେଗୁଡିଏ ଦର୍ଶନୀୟ କ୍ୟାଚ୍‌ ସହିତ ଟିମ୍‌ ଇଣ୍ଡିଆ ୧୬୦ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ୧ନଂ ସ୍ଥାନ ହାସଲ କରିଛି। ଟେଷ୍ଟ ସଫଳତା ସହ ଭାରତ ମିଶନ ଟି୨୦ ବିଶ୍ୱକପ୍‌ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।
କ୍ୱଲିଫାଏ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ବାଂଲାଦେଶ ଅନ୍ୟ ଟିମ୍‌ଗୁଡ଼ିକ ସହ ଅବତୀର୍ଣ୍ଣ ହେବେ। ଏହାପରେ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡିକ ନେଇ ସ୍ଥିତି ସ୍ପଷ୍ଟ ହେବ। ଟିମ୍‌ ଇଣ୍ଡିଆ ତା’ର ବିଶ୍ୱକପ୍‌ ମିଶନ ୨୦୨୦ ସାଉଥ୍‌ ଆଫ୍ରିକା ସହିତ ୩ଟି ଟି୨୦ ମ୍ୟାଚ୍‌ରୁ ଆରମ୍ଭ କରିଛି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି୨୦ ବିଶ୍ୱକପ୍‌। ଏଥିପାଇଁ ଟିମ୍‌ ଇଣ୍ଡିଆ ତା’ର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଖେଳିବାକୁ ଥିବା ମ୍ୟାଚ୍‌ଗୁଡିକ ମଧ୍ୟରେ ଟି୨୦ ଫର୍ମାଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଧଳା ବଲରେ ଅଷ୍ଟ୍ରେଲିଆ ପରିବେଶରେ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍‌ ପାଇଁ ଅନେକ ନୂଆ ମୁହଁକୁ ଟିମ୍‌ ଇଣ୍ଡିଆ ଏବେଠାରୁ ସୁଯୋଗ ଦେବାକୁ ଆରମ୍ଭ କରିଛି। ଟି୨୦ ବିଶ୍ୱକପ୍‌ର ଏହି ୭ମ ସଂସ୍କରଣ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବଂ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ପରିଚାଳିତ ହେବ। ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହୋଇ ୧୫ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ମେଗା ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଭାଗନେବାକୁ ଥିବା ବେଳେ ମୋଟ ୪୫ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ୨୦୧୬ରେ ଖେଳାଯାଇଥିବା ଟି୨୦ ବିଶ୍ୱକପର ୬ଷ୍ଠ ସଂସ୍କରଣ ଭାରତରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ୱେଷ୍ଟଇଣ୍ଡିଜ ତା’ର ୨ୟ ଟାଇଟଲ ହାସଲ କରିଥିଲା। ଫାଇନାଲରେ ପରାସ୍ତ ହୋଇଥିବା ଇଂଲଣ୍ଡକୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିଛି ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ୧-୧ରେ ସମାପ୍ତ ହୋଇଥିବା ବେଳେ ଗୋଟିଏ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ଭାରତ ଅଳ୍ପକେ ଆଉ ଏକ ଟି୨୦ ସିରିଜ ବିଜୟକୁ ସହଜରେ ହାତଛଡା କରିଛି। ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଏବେ ଯୁବ ଖେଳାଳିମାନଙ୍କୁ ଦଳରେ ପ୍ରାଧାନ୍ୟ ଦେବାକୁ ଆରମ୍ଭ କରିଛନ୍ତି। ଭାରତ ଏହି ପ୍ରସ୍ତୁତି ପ୍ରକ୍ରିୟା ୨୦୧୯ ଆଇସିସି ବିଶ୍ୱକପ୍‌ ପରେ ୱେଷ୍ଟଇଣ୍ଡିଜ୍‌ ଗସ୍ତରୁ ଆରମ୍ଭ କରିଛି। ଦଳରେ ଏବେ କେତେକ ଯୁବ ଖେଳାଳି ସ୍ଥାନ ନେଇ ସାରିଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କୁ ମଝିରେ ବ୍ରେକ୍‌ ଦେଇ ସେମାନଙ୍କର ଦକ୍ଷତା ପରଖିନେବାର ସମୟ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ଆସନ୍ତାବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏକଦିବସୀୟ ବିଶ୍ୱକପ୍‌କୁ ନେଇ ଅନେକ ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପରାସ୍ତ ହେବା ସବୁଠାରୁ ଦୁଃଖଦ ଘଟଣା ଥିଲା। କାରଣ ପ୍ରଥମରୁ ଭାରତ ବିଶ୍ୱକପ୍‌ ପାଇଁ ଦୃଢ ଦାବିଦାର ରହିଥିଲା। କେତେଗୁଡିଏ ଭଲ ନିଷ୍ପତ୍ତି ଯୋଗୁଁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡିଲା। ଏକଥା ବିରାଟ କୋହଲିଙ୍କ ମନରୁ ଏପର୍ଯ୍ୟନ୍ତ ପାସୋରି ହୋଇ ନ ଥିବ।
ଚଳିତ ସାଉଥ ଆଫ୍ରିକା ଟି୨୦ ସିରିଜରେ ତା’ର ଫଳାଫଳ ଦେଖିବାକୁ ମିଳିଛି। ଏକ ନିଶ୍ଚିତ ସିରିଜ ବିଜୟକୁ ପୁଣି ହାତଛଡା କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ବାତିଲ ହେବା ପରେ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ ଉପଯୁକ୍ତ ଗେମ୍‌ପ୍ଲାନ ଅଭାବରୁ ତୃତୀୟ ମ୍ୟାଚ୍‌ ହାତଛଡା କରିବା ଟିମ୍‌ ଇଣ୍ଡିଆର ଦୁର୍ବଳତାକୁ ପଦାରେ ପକାଇଛି। ତେଣୁ ଟିମ୍‌ର ଶ୍ରେଷ୍ଠ ଖେଳାଳିମାନଙ୍କୁ କ୍ରମାଗତ ଭାବେ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି। ଘରୋଇ ସର୍କିଟରେ ପର୍ଯ୍ୟାପ୍ତ ପରିମାଣର ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ଫଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ଆସି ଉପନୀତ ହୋଇଛି।
ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ହାର୍ର୍ଦ୍ଦିିକ ପାଣ୍ଡ୍ୟା, ଲୋକେଶ ରାହୁଲ୍‌ ଏବଂ ରବୀନ୍ଦ୍ର ଜାଡେଜା ଧଳା ବଲରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି। ଏବେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଇ ସେମାନଙ୍କର ପ୍ରତିଭା ମାଧ୍ୟମରେ ଭାରତୀୟ ଦଳକୁ ଆଗକୁ ନେବାର ସମୟ ଆସିଛି। ସମସ୍ତ ଫର୍ମାଟରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦେବା ଫଳରେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନରେ ବ୍ୟାହତ ହେଉଥିବା ବେଳେ ଅଧିକ ଚାପ ଦଳ ଉପରେ ପଡୁଛି। ଏହା ସତ୍ୟ ଯେ ବିରାଟ କୋହଲି ଜଣେ ସଫଳ ଏବଂ ବିଚକ୍ଷଣ ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ ଦଳ କ୍ରମାଗତ ରୂପେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି। ତଥାପି ଅନ୍ୟ ଦେଶମାନଙ୍କ ପରି ଟି୨୦, ଏକଦିବସୀୟ ଏବଂ ଟେଷ୍ଟମ୍ୟାଚ୍‌ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ନିୟୋଜନ କଲେ ଭବିଷ୍ୟତ ପାଇଁ ଜଣେ ଦକ୍ଷ ଅଧିନାୟକ ଟିମ୍‌ ଇଣ୍ଡିଆ ପାଇଁ ତିଆରି ହୋଇପାରିବ କେତେକ ବିଚାର କରନ୍ତି। ଏଥିପାଇଁ ସୁନୀଲ ଗାଭାସ୍କର, ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକରଙ୍କ ପରି ମହାନ୍‌ ଖେଳାଳିମାନେ ସେମାନଙ୍କର ମତାମତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଖରେ ରଖି ସାରିଛନ୍ତି।
ଯଦିଓ ଦଳରେ ନବଦୀପ ସଇନି, ୱାଶିଂଟନ ସୁନ୍ଦର, ରିଷଭ ପନ୍ତ, ଦୀପକ ଚହର, କ୍ରୁନାଲ ପାଣ୍ଡ୍ୟା, ଶ୍ର୍ରେୟାସ ଆୟର, ଖଲିଲ ଅହମ୍ମଦଙ୍କ ପରି ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି। ତଥାପି ସେମାନଙ୍କୁ ସେମାନଙ୍କର ପ୍ରଦର୍ଶନରେ ସୁଧାର ଆଣିବା ଆବଶ୍ୟକ। ଏହି ଖେଳାଳିମାନଙ୍କୁ ଯଶପ୍ରୀତ ବୁମରାଙ୍କ ପରି ଚମକ ସୃଷ୍ଟି କରିବା ଆବଶ୍ୟକ। ଏହା ସତ୍ୟ ଯେ ସମୟ କ୍ରମେ ପରିପକ୍ୱତା ଦେଖାଇଥିବା ଭାରତୀୟ ପେସ ବୋଲରମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ଯୁବ ଖେଳାଳିମାନଙ୍କ ରୋଲ ମଡେଲ ହୋଇପାରିଛନ୍ତି। ଏମାନଙ୍କ ଉପସ୍ଥିତିରେ ଭାରତୀୟ ପେସ୍‌ ବୋଲିଂ ବେଶ୍‌ ଶାଣିତ ହୋଇଛି। ସେହିପରି ରାହୁଲ ଚହର, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ପରି ସ୍ପିନରମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବାକୁ ସକ୍ଷମ ହୋଇଛନ୍ତି। ତଥାପି ସେମାନଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ବ୍ୟାଟିଂ ବିଭାଗରେ ମଧ୍ୟ କେତେକ ନୂଆ ମୁହଁ ଦେଖିବାକୁ ମିଳିଛି। ନିଜକୁ ଟିମ୍‌ ଇଣ୍ଡିଆର ଜଣେ ବିଶ୍ୱସ୍ତ ବ୍ୟାଟସମ୍ୟାନ ରୂପେ ପ୍ରମାଣିତ କରିବା ପାଇଁ ସେମାନେ ସ୍ବାଧୀନ ଭାବେ ଖେଳିବା ଆବଶ୍ୟକ କରୁଛନ୍ତି। ଶ୍ରେୟାସ ଆୟର ଟି୨୦ ମ୍ୟାଚରେ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ରିଷଭ ପନ୍ତଙ୍କୁ ନେଇ ଚର୍ଚ୍ଚା ଅବ୍ୟାହତ ରହିଛି। ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ଜଣେ ଦକ୍ଷ ଏବଂ ଯୁବ ଆକ୍ରମଣାମତ୍କ ଉଇକେଟକିପର ରୂପେ ଦଳରେ ତାଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ନିଜକୁ ଠିକ୍‌ ରୂପେ ପ୍ରମାଣିତ କରି ପାରିନାହାନ୍ତି। ସେ ତାଙ୍କର ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବା ଆବଶ୍ୟକ। ସେହିପରି ଲୋକେଶ ରାହୁଲ ମଧ୍ୟ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ପରେ ଓପନ୍‌ର ଭୂମିକା ତୁଲାଇବାକୁ ସକ୍ଷମ। କାରଣ ହ୍ବାଇଟ ବଲ୍‌ ଖେଳର ସେ ଜଣେ ଶ୍ରେଷ୍ଠ ଓପନର। ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଜଣେ ଶ୍ରେଷ୍ଠ ଉପଯୋଗୀ ଅଲରାଉଣ୍ଡର ଭାବେ ନିଶ୍ଚିତ ରହିବେ।
ଦକ୍ଷିଣ ଆଫ୍ରିକା ଦଳ ଏବେ ଭାରତ ଗସ୍ତରେ ରହିଛି। ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ରହିଥିବା ବେଳେ ଦଳରେ ଏକାଧିକ ଯୁବ ଖେଳାଳି ରହିଛନ୍ତି। କିଛି ବର୍ଷ ପୂର୍ବେ ଦଳରେ ଥିବା ସମସ୍ତ ଦକ୍ଷ ଖେଳାଳି ବିଭିନ୍ନ ଫର୍ମାଟରୁ ଅବ୍ୟାହତି ନେଇ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଇଛନ୍ତି। ବିଶ୍ୱ କ୍ରିକେଟ୍‌ରେ ଅନେକ ଦଳ ମଧ୍ୟରେ ଏପରି ପରିବର୍ତ୍ତନ ଦେଖାଦେଇଛି। ଆଗାମୀ ଅଷ୍ଟ୍ରେଲିଆ ସିରିଜକୁ ଆଖି ଆଗରେ ରଖି ଦଳକୁ ଏବେଠାରୁ ପ୍ରସ୍ତୁତ କରିବାକୁ ହେବ। ଏବେଠାରୁ ଟିମ୍‌ ମ୍ୟାନେଜମେଣ୍ଟ ନାଲିବଲ ଏବଂ ଧଳା ବଲ୍‌ ଫର୍ମାଟ ପାଇଁ ସ୍ବତନ୍ତ୍ର ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଲେ ଦଳ ଆଗାମୀ ଟେଷ୍ଟ, ଏକଦିବସୀୟ ଏବଂ ଟି୨୦ ବିଶ୍ୱକପ୍‌ ପାଇଁ ଏକ ସନ୍ତୁଳିତ ଦଳ ଗଠନ କରିବା ସହିତ ମିଶନ୍‌ ୨୦୨୦ ପାଇଁ ପ୍ରସ୍ତୁତ କରିବା ସହିତ ଦୃଢ ଦାବିଦାର ରୂପେ ନିଜକୁ ପ୍ରମାଣିତ କରିବ।
ଟି୨୦ ବିଶ୍ୱକପ୍‌ ପାଇଁ ଆଇସିସିର ପୂର୍ଣ୍ଣ ସଦସ୍ୟତା ହାସଲ କରିଥିବା ୯ଟି ଦେଶ ସହିତ ଆୟୋଜକ ଅଷ୍ଟ୍ରେଲିଆ ଖେଳିବ। ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର ୧୨ ପାଇଁ କ୍ୱାଲିଫାଏ କରିନାହାନ୍ତି। ସମସ୍ତ ୪୫ଟି ମ୍ୟାଚ୍‌ ଆଡିଲେଡ୍‌, ଓଭାଲ, ବ୍ରିସ୍‌ବେନ, ଗିଲଙ୍ଗ, ହୋବାର୍ଟ, ମେଲବୋର୍ନ, ପର୍ଥ ଏବଂ ସିଡନୀରେ ଖେଳାଯିବାକୁ ଥିବା ବେଳେ ମେଲବୋର୍ନ ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଆଗାମୀ ନଭେମ୍ବର ମାସରେ ବାଂଲାଦେଶ ଏବଂ ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ୍‌ ସହିତ ଖେଳାଯିବାକୁ ଥିବା ୩ଟି ଲେଖାଏଁ ଟି୨୦ ମ୍ୟାଚ୍‌ ପାଇଁ ଏବେଠାରୁ ଉପଯୁକ୍ତ ପ୍ରସ୍ତୁତି ଏବଂ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଇ ଆଗାମୀ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର କରିବା ଆବଶ୍ୟକ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

ବଡ଼ଗାଁ,୬ା୧୧(ଅଶୋକ ଷଡ଼ଙ୍ଗୀ): ବିଦ୍ୟାଳୟ ନିମନ୍ତେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭିସି ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ…

ଜେଲ୍‌ରେ ଜୀବନ ହାରିଲେ କଏଦୀ

ରଗଡ଼ି,୬।୧୧: ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଜେଲ୍‌ ପରିସର ମେଡିକାଲ ଗ୍ରିଲ୍‌ରେ ପ୍ୟାଣ୍ଟରେ…

ରହସ୍ୟମୟୀ ଗାଁ: ଯେଉଁଠି ଉଲଗ୍ନ ହୋଇ ରୁହନ୍ତି ଲୋକେ, କାରଣ ଜାଣିଲେ…

ବିଶ୍ୱର ଅନେକ ସ୍ଥାନର ପରମ୍ପରା ଏବଂ ଜୀବନଶୈଳୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ସାଧାରଣତଃ ବାହାରକୁ ଯିବା ସମୟରେ ପୋଷାକ ପିନ୍ଧିବା ଜରୁରି ବୋଲି ବିବେଚନା କରାଯାଏ, କିନ୍ତୁ…

ବନ୍ୟାବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ଗଞ୍ଜାମ ପୋଲିସ, ମାନବିକତାର ଆଲୋକ ଜଳାଇଲେ ଏସ୍‌ପି

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର କରାଳ ବିଭୀଷିକାରେ ଛାରଖାର ହୋଇଯାଇଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା ସବୁକିଛି ଛଡ଼ାଇ ନେଇ ଅନେକ ପରିବାରଙ୍କୁ ନିଃସହାୟ କରିଦେଇଛି। ଏଭଳି…

ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ଶତାଧିକ କୋଟିର ପ୍ରକଳ୍ପ ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ୫ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ…

କିଡ୍‌ନୀ ରୋଗ ନେଲା ଆଉ ଜଣଙ୍କ ଜୀବନ, ଚିକିତ୍ସାରେ ସର୍ବସ୍ବାନ୍ତ ବସୁଦେବଙ୍କ ପରିବାର

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେଉଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଆଉ ଜଣେ ବ୍ୟକ୍ତିଙ୍କ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ଦମଦାର ଇନିଂସ; ନେପାଳକୁ ଧୂଳି ଚଟାଇ୧୦ ୱିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ,୬।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ, ଭାରତୀୟ ଦଳ ନେପାଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲା। ଶୁକ୍ରବାର (ନଭେମ୍ବର ୬) ‘ଅଲ ଆମେରାଟ କ୍ରିକେଟ ଗ୍ରାଉଣ୍ଡ’…

ବକ୍ସ ଅଫିସରେ ଧମାଲ କଲା ‘ରାମାୟଣ’, ରିଲିଜର ପ୍ରଥମ ଦିନରେ କଲା ୭ ବଡ଼ ରେକର୍ଡ

ମୁମ୍ବାଇ,୬।୧୧: ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ଅଭିନୀତ ‘ରାମାୟଣ’ ମୁଭି ବକ୍ସ ଅଫିସରେ ଏକ ଚମତ୍କାର ଆରମ୍ଭ କରିଛି ଏବଂ ପ୍ରଥମ ଦିନରେ ହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?