ଭାଷାକୋଷ ପ୍ରଣେତା

ଡ. ଉଦ୍ଧବ ଚରଣ ନାୟକ
ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ବିଂଶ ଶତକର ପ୍ରଥମ ପାଦର ପ୍ରସିଦ୍ଧ ଗଦ୍ୟ ସାହିତି୍ୟକ ଓ ଅଭିଧାନ ସଂକଳକ। ଗଳ୍ପ ଛଳରେ ତତ୍କାଳୀନ ସମାଜକୁ ପରିହାସ କରିବା ହେଲା ପ୍ରହରାଜଙ୍କ ବୈଶିଷ୍ଟ୍ୟ। ତାଙ୍କର ଏହି ଶ୍ରେଣୀର ରଚନା ମଧ୍ୟରେ ଭାଗବତ ଟୁଙ୍ଗିରେ ସା, ବାଇ ମହାନ୍ତି ପାଞ୍ଜି ଓ ନନାଙ୍କ ବସ୍ତାନି ଆଦି ପୁସ୍ତକ ପ୍ରଧାନ। ତାଙ୍କର ଅନ୍ୟାନ୍ୟ ରଚନାଗୁଡ଼ିକ ହେଲା ଉତ୍କଳ କାହାଣୀ, ଓଡ଼ିଆ ଢଗଢ଼ମାଳି ଓ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ବିରାଟ ଚାତୁର୍ଭାଷିକ ଭାଷାକୋଷଟି ସାତଖଣ୍ଡରେ ବିଭକ୍ତ ଏକ ବିରାଟ ଗ୍ରନ୍ଥ।
ପ୍ରହରାଜ ଥିଲେ କଟକର ଜଣେ ଖ୍ୟାତନାମା ଓକିଲ। ପୁରୀରେ ସରକାରୀ ଓକିଲ ଭାବେ ମଧ୍ୟ ସେ ଖ୍ୟାତି ଅର୍ଜନ କରିଥିଲେ। ୧୯୦୧ ମସିହାରେ କେବଳ ଦେଢ଼ମାସ ପାଇଁ ସେ ଥିଲେ ରେଭେନ୍‌ଶା କଲେଜ ସଂସ୍କୃତ ବିଭାଗର ଅଧ୍ୟାପକ। ୧୮୭୪ ମସିହାରେ ସେ ଜନ୍ମ ହୋଇଥିଲେ କଟକ ଜିଲାର ସିଦ୍ଧେଶ୍ୱରପୁର ଗ୍ରାମରେ। ପିତା ନରସିଂହ ପ୍ରହରାଜ ଥିଲେ ଜଣେ ଧର୍ମନିଷ୍ଠ ବ୍ୟକ୍ତି। ମାତାଙ୍କ ନାମ ସୂର୍ଯ୍ୟମଣି ଦେବୀ। ବିଦ୍ୟାଳୟରେ ଅଧ୍ୟୟନ କାଳରେ ସେ ଥିଲେ ଜଣେ ସାଧାରଣ ଛାତ୍ର। ବନାନ ଭୁଲ୍‌ କରି ଲେଖିବା ଥିଲା ତାଙ୍କର ବହୁଦିନ ଯାଏ ଅଭ୍ୟାସ। ସେ ନିଜେ ଲେଖିଯାଇଛନ୍ତି, ମୁଁ ଜଣେ ଇଂଲିଶ ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବକ ହୋଇ ବି ନିଜ ଲେଖାରେ ଇ, ଈ, ଋ, ରୁ ଓ ଶ, ଷ, ସ ବର୍ଣ୍ଣମାଳା ପ୍ରୟୋଗରେ ଭୁଲ୍‌ କରିବସୁଥିଲି ଅନେକ ଦିନ ଯାଏ। ୧୮୯୧ ମସିହାରେ ସେ ଏଣ୍ଟ୍ରାନ୍‌ସ ପାସ୍‌ କଲେ। ଦୁଇ ଥରରେ ଆଇ.ଏ. ପାସ୍‌ କଲେ। କଲିଜିଏଟ ସ୍କୁଲରେ ପଢୁଥିବା ବେଳେ ସେ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କାର ପାଇଥିଲେ। ତାଙ୍କର ସହପାଠୀ ଥିଲେ କବିବର ରାଧାନାଥ ରାୟଙ୍କ ସୁପୁତ୍ର ଶଶିଭୂଷଣ ରାୟ। ଆଇ.ଏ. ପାସ୍‌ କରି ଇଞ୍ଜିନିୟରିଂ ପଢ଼ିବା ପାଇଁ କଲିକତାରେ ଶିବପୁର ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଲେ। ବର୍ଷେ ଖଣ୍ଡେ ଅଧ୍ୟୟନ କରି ଦେହ ଖରାପ ହେବାରୁ କଟକ ଫେରିଆସି ରେଭେନ୍‌ଶା କଲେଜରେ ବି.ଏ. ଶ୍ରେଣୀରେ ନାମ ଲେଖାଇଲେ। ୧୯୧୮ ମସିହାରେ ବି.ଏ. ପାସ୍‌ ପରେ ଓକିଲାତି ପଢ଼ି କଟକରେ ଓକିଲାତି ଆରମ୍ଭ କଲେ। ଓକିଲାତି ବ୍ୟବସାୟରେ ତାଙ୍କର ଗୁରୁ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ।
ଉତ୍କଳ ସାହିତ୍ୟ ପତ୍ରିକାରେ ସେ ଲେଖିଲେ ଆମ ଘରର ହାଲଚାଲ, ଦୁନିଆର ହାଲଚାଲ, ନନାଙ୍କ ବସ୍ତାନି, ବାଇନନାଙ୍କ ବୁଜୁଳି, ମିଆଁ ସାହେବଙ୍କ ରୋଜନାମଚା, ଜେଜେବାବାଙ୍କ ଟୁଣିମୁଣି ଓ ଦୁନିଆର ରୀତି ଆଦି, ଯାହା ଧାରାବାହିକ ଭାବରେ ପ୍ରକାଶ ପାଇଲା। ସେହି ସମୟରେ ଚାଲିଥାଏ ଢେଙ୍କାନାଳ ଗଡ଼ଜାତରେ ଅନ୍ଧାରିଶାସନ। ଦିନେ କଟକରେ ଢେଙ୍କାନାଳ ରାଜା ଶଙ୍କର ପ୍ରତାପଙ୍କ ସହ ତାଙ୍କର ଭେଟ ହୋଇଗଲା। ପ୍ରହରାଜେ ରାଜାଙ୍କୁ ସିଧାସଳଖ ଢେଙ୍କାନାଳ ରାଜ୍ୟ ଶାସନର ଦୋଷଦୁର୍ବଳତା ଓ ଅତ୍ୟାଚାର କଥା ପଚାରିଲେ। ରାଜା ଶଙ୍କର ପ୍ରତାପ ପ୍ରହରାଜଙ୍କୁ ପାନେ ଚଖାଇବା ପାଇଁ ତାଙ୍କ ରାଜ୍ୟ ଢେଙ୍କାନାଳକୁ ନିମନ୍ତ୍ରଣ କଲେ। ପ୍ରହରାଜେ ରାଜାଙ୍କର ମନ୍ଦ ଉଦ୍ଦେଶ୍ୟ ବୁଝି ନ ପାରି ଢେଙ୍କାନାଳ ଗଲେ। ସେଠାରେ ରାଜା ପ୍ରହରାଜଙ୍କୁ ଯେପରି ବ୍ୟବହାର ଦେଖାଇଲେ ସେ କଥା ହେବ ବୋଲି ସେ ଜାଣି ନ ଥିଲେ। ଯାହାହେଉ ଢେଙ୍କାନାଳରୁ କୌଶଳକ୍ରମେ ଚାଲି ଆସିଲେ କଟକ ସହରକୁ। ହେଲେ ପ୍ରହରାଜେ କି ଛାଡ଼ିବାର ଲୋକ। ରାଜା ଶଙ୍କର ପ୍ରତାପଙ୍କ ଅତ୍ୟାଚାରର ଅଙ୍ଗେନିଭା କାହାଣୀ ଓ ପ୍ରଜାମାନଙ୍କ ଉପରେ ଚାଲିଥିବା ଅନ୍ୟାୟ ଅତ୍ୟାଚାରର କାହାଣୀଗୁଡ଼ିକୁ ଏକତ୍ର କରି ସ୍ବପ୍ନରେ ରାଜଯୋଗ ଶୀର୍ଷକରେ ଧୁର୍ମୁଷଧର୍ମୀ ଗୁପ୍ତ ନାମରେ ନବଭାରତ ମାସିକ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ କଲେ। ନବଭାରତର ସମ୍ପାଦକ ଥାଆନ୍ତି ପଣ୍ଡିତ ନୀଳକଣ୍ଠ ଦାସ। ଦୁଇ ତିନୋଟି ଲେଖା ବାହାରିବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଗଲା। ଲେଖା ପ୍ରକାଶନ ବନ୍ଦ କରିବା ପାଇଁ ପଣ୍ଡିତ ନୀଳକଣ୍ଠଙ୍କ ଉପରେ ଚାପ ପଡ଼ିଲା। ହେଲେ ପଣ୍ଡିତେ ଦୃଢ଼ ଭାବରେ ଲେଖାଗୁଡ଼ିକ ପ୍ରକାଶ କରିବାରେ ଲାଗିଲେ।
୧୯୧୬ ମସିହାରେ ଗୋପାଳ ପ୍ରହରାଜ ଭାଷାକୋଷ ପ୍ରଣୟନ ଆରମ୍ଭ କଲେ। ଦିନକୁ ଅଠର ଘଣ୍ଟା ପରିଶ୍ରମ କରି ଦଶବର୍ଷରେ ଅର୍ଥାତ୍‌ ୧୯୨୭ ମସିହା ସୁଦ୍ଧା ମୂଳ ପାଣ୍ଡୁଲିପି ପ୍ରସ୍ତୁତି ସମାପନ କଲେ। ପ୍ରଥମେ ଏହାର ମୁଦ୍ରଣ ବ୍ୟୟ ୨୮,୪୦୦ ଟଙ୍କା ହେବ ବୋଲି ଅଟକଳ କରାଗଲା। ଓଡ଼ିଶାର ପ୍ରଥମ ଲାଟ୍‌ସାହେବ ହବାକ ସାହେବ ଭାଷାକୋଷ ପ୍ରକାଶ ନିମନ୍ତେ ୧୯,୨୦୦ ଟଙ୍କା ଅନୁଦାନ କରାଇଦେଲେ। ହେଲେ ପ୍ରାଥମିକ ଅଟକଳଠାରୁ ବ୍ୟୟଭାର ବଢ଼ିଯିବାରୁ ପ୍ରହରାଜେ ନିଜ ଘର ବନ୍ଧା ପକାଇ ଛାପାକାର୍ଯ୍ୟ ତ୍ୱରାନ୍ବିତ କଲେ। ମୟୂରଭଞ୍ଜର ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କଠାରୁ ସେ ପ୍ରାପ୍ତ ହେଲେ ୧୩,୦୦୦ ଟଙ୍କା। ଫଳରେ ମୟୂରଭଞ୍ଜର ସ୍ବର୍ଗତ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିରକ୍ଷା ପାଇଁ ଭାଷାକୋଷର ନାମ ହେଲା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ଭାଷାକୋଷ ପ୍ରକାଶ ପାଇଲା ସାତଖଣ୍ଡରେ। ଏଥିପାଇଁ ଖର୍ଚ୍ଚ ହେଲା ଦୁଇଲକ୍ଷ ଟଙ୍କା। ଏହି ଭାଷାକୋଷରେ ରହିଲା ୧,୮୪,୦୦୦ ଶବ୍ଦ। ଭାରତବର୍ଷର ତତ୍କାଳୀନ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଭାଷାକୋଷର ଉପାଦେୟତା ସମ୍ପର୍କରେ ଉପଯୁକ୍ତ ସୂଚନାମାନ ପ୍ରଦାନ କଲେ।
ଗୋପାଳ ପ୍ରହରାଜଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମର୍ଯ୍ୟାଦାପୂର୍ଣ୍ଣ ଉପାଧିମାନ ପ୍ରଦାନ କରାଯାଇଥିଲା। ୧୯୩୩ ମସିହାରେ ସେ ‘କୈସର-ଇ-ହିନ୍ଦ୍‌’ ପଦକ ପ୍ରାପ୍ତ ହେଲେ। ୧୯୩୭ ମସିହାରେ ସରକାରଙ୍କ ତରଫରୁ ତାଙ୍କୁ ରାୟବାହାଦୁର ଉପାଧି ମିଳିଲା।
(ଗୋପାଳ ପ୍ରହରାଜଙ୍କ ଜୟନ୍ତୀ ଉପଲକ୍ଷେ)
ମୋ- ୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri