ଭାଷାକୋଷ ପ୍ରଣେତା

ଡ. ଉଦ୍ଧବ ଚରଣ ନାୟକ
ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ବିଂଶ ଶତକର ପ୍ରଥମ ପାଦର ପ୍ରସିଦ୍ଧ ଗଦ୍ୟ ସାହିତି୍ୟକ ଓ ଅଭିଧାନ ସଂକଳକ। ଗଳ୍ପ ଛଳରେ ତତ୍କାଳୀନ ସମାଜକୁ ପରିହାସ କରିବା ହେଲା ପ୍ରହରାଜଙ୍କ ବୈଶିଷ୍ଟ୍ୟ। ତାଙ୍କର ଏହି ଶ୍ରେଣୀର ରଚନା ମଧ୍ୟରେ ଭାଗବତ ଟୁଙ୍ଗିରେ ସା, ବାଇ ମହାନ୍ତି ପାଞ୍ଜି ଓ ନନାଙ୍କ ବସ୍ତାନି ଆଦି ପୁସ୍ତକ ପ୍ରଧାନ। ତାଙ୍କର ଅନ୍ୟାନ୍ୟ ରଚନାଗୁଡ଼ିକ ହେଲା ଉତ୍କଳ କାହାଣୀ, ଓଡ଼ିଆ ଢଗଢ଼ମାଳି ଓ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ବିରାଟ ଚାତୁର୍ଭାଷିକ ଭାଷାକୋଷଟି ସାତଖଣ୍ଡରେ ବିଭକ୍ତ ଏକ ବିରାଟ ଗ୍ରନ୍ଥ।
ପ୍ରହରାଜ ଥିଲେ କଟକର ଜଣେ ଖ୍ୟାତନାମା ଓକିଲ। ପୁରୀରେ ସରକାରୀ ଓକିଲ ଭାବେ ମଧ୍ୟ ସେ ଖ୍ୟାତି ଅର୍ଜନ କରିଥିଲେ। ୧୯୦୧ ମସିହାରେ କେବଳ ଦେଢ଼ମାସ ପାଇଁ ସେ ଥିଲେ ରେଭେନ୍‌ଶା କଲେଜ ସଂସ୍କୃତ ବିଭାଗର ଅଧ୍ୟାପକ। ୧୮୭୪ ମସିହାରେ ସେ ଜନ୍ମ ହୋଇଥିଲେ କଟକ ଜିଲାର ସିଦ୍ଧେଶ୍ୱରପୁର ଗ୍ରାମରେ। ପିତା ନରସିଂହ ପ୍ରହରାଜ ଥିଲେ ଜଣେ ଧର୍ମନିଷ୍ଠ ବ୍ୟକ୍ତି। ମାତାଙ୍କ ନାମ ସୂର୍ଯ୍ୟମଣି ଦେବୀ। ବିଦ୍ୟାଳୟରେ ଅଧ୍ୟୟନ କାଳରେ ସେ ଥିଲେ ଜଣେ ସାଧାରଣ ଛାତ୍ର। ବନାନ ଭୁଲ୍‌ କରି ଲେଖିବା ଥିଲା ତାଙ୍କର ବହୁଦିନ ଯାଏ ଅଭ୍ୟାସ। ସେ ନିଜେ ଲେଖିଯାଇଛନ୍ତି, ମୁଁ ଜଣେ ଇଂଲିଶ ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବକ ହୋଇ ବି ନିଜ ଲେଖାରେ ଇ, ଈ, ଋ, ରୁ ଓ ଶ, ଷ, ସ ବର୍ଣ୍ଣମାଳା ପ୍ରୟୋଗରେ ଭୁଲ୍‌ କରିବସୁଥିଲି ଅନେକ ଦିନ ଯାଏ। ୧୮୯୧ ମସିହାରେ ସେ ଏଣ୍ଟ୍ରାନ୍‌ସ ପାସ୍‌ କଲେ। ଦୁଇ ଥରରେ ଆଇ.ଏ. ପାସ୍‌ କଲେ। କଲିଜିଏଟ ସ୍କୁଲରେ ପଢୁଥିବା ବେଳେ ସେ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କାର ପାଇଥିଲେ। ତାଙ୍କର ସହପାଠୀ ଥିଲେ କବିବର ରାଧାନାଥ ରାୟଙ୍କ ସୁପୁତ୍ର ଶଶିଭୂଷଣ ରାୟ। ଆଇ.ଏ. ପାସ୍‌ କରି ଇଞ୍ଜିନିୟରିଂ ପଢ଼ିବା ପାଇଁ କଲିକତାରେ ଶିବପୁର ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଲେ। ବର୍ଷେ ଖଣ୍ଡେ ଅଧ୍ୟୟନ କରି ଦେହ ଖରାପ ହେବାରୁ କଟକ ଫେରିଆସି ରେଭେନ୍‌ଶା କଲେଜରେ ବି.ଏ. ଶ୍ରେଣୀରେ ନାମ ଲେଖାଇଲେ। ୧୯୧୮ ମସିହାରେ ବି.ଏ. ପାସ୍‌ ପରେ ଓକିଲାତି ପଢ଼ି କଟକରେ ଓକିଲାତି ଆରମ୍ଭ କଲେ। ଓକିଲାତି ବ୍ୟବସାୟରେ ତାଙ୍କର ଗୁରୁ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ।
ଉତ୍କଳ ସାହିତ୍ୟ ପତ୍ରିକାରେ ସେ ଲେଖିଲେ ଆମ ଘରର ହାଲଚାଲ, ଦୁନିଆର ହାଲଚାଲ, ନନାଙ୍କ ବସ୍ତାନି, ବାଇନନାଙ୍କ ବୁଜୁଳି, ମିଆଁ ସାହେବଙ୍କ ରୋଜନାମଚା, ଜେଜେବାବାଙ୍କ ଟୁଣିମୁଣି ଓ ଦୁନିଆର ରୀତି ଆଦି, ଯାହା ଧାରାବାହିକ ଭାବରେ ପ୍ରକାଶ ପାଇଲା। ସେହି ସମୟରେ ଚାଲିଥାଏ ଢେଙ୍କାନାଳ ଗଡ଼ଜାତରେ ଅନ୍ଧାରିଶାସନ। ଦିନେ କଟକରେ ଢେଙ୍କାନାଳ ରାଜା ଶଙ୍କର ପ୍ରତାପଙ୍କ ସହ ତାଙ୍କର ଭେଟ ହୋଇଗଲା। ପ୍ରହରାଜେ ରାଜାଙ୍କୁ ସିଧାସଳଖ ଢେଙ୍କାନାଳ ରାଜ୍ୟ ଶାସନର ଦୋଷଦୁର୍ବଳତା ଓ ଅତ୍ୟାଚାର କଥା ପଚାରିଲେ। ରାଜା ଶଙ୍କର ପ୍ରତାପ ପ୍ରହରାଜଙ୍କୁ ପାନେ ଚଖାଇବା ପାଇଁ ତାଙ୍କ ରାଜ୍ୟ ଢେଙ୍କାନାଳକୁ ନିମନ୍ତ୍ରଣ କଲେ। ପ୍ରହରାଜେ ରାଜାଙ୍କର ମନ୍ଦ ଉଦ୍ଦେଶ୍ୟ ବୁଝି ନ ପାରି ଢେଙ୍କାନାଳ ଗଲେ। ସେଠାରେ ରାଜା ପ୍ରହରାଜଙ୍କୁ ଯେପରି ବ୍ୟବହାର ଦେଖାଇଲେ ସେ କଥା ହେବ ବୋଲି ସେ ଜାଣି ନ ଥିଲେ। ଯାହାହେଉ ଢେଙ୍କାନାଳରୁ କୌଶଳକ୍ରମେ ଚାଲି ଆସିଲେ କଟକ ସହରକୁ। ହେଲେ ପ୍ରହରାଜେ କି ଛାଡ଼ିବାର ଲୋକ। ରାଜା ଶଙ୍କର ପ୍ରତାପଙ୍କ ଅତ୍ୟାଚାରର ଅଙ୍ଗେନିଭା କାହାଣୀ ଓ ପ୍ରଜାମାନଙ୍କ ଉପରେ ଚାଲିଥିବା ଅନ୍ୟାୟ ଅତ୍ୟାଚାରର କାହାଣୀଗୁଡ଼ିକୁ ଏକତ୍ର କରି ସ୍ବପ୍ନରେ ରାଜଯୋଗ ଶୀର୍ଷକରେ ଧୁର୍ମୁଷଧର୍ମୀ ଗୁପ୍ତ ନାମରେ ନବଭାରତ ମାସିକ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ କଲେ। ନବଭାରତର ସମ୍ପାଦକ ଥାଆନ୍ତି ପଣ୍ଡିତ ନୀଳକଣ୍ଠ ଦାସ। ଦୁଇ ତିନୋଟି ଲେଖା ବାହାରିବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଗଲା। ଲେଖା ପ୍ରକାଶନ ବନ୍ଦ କରିବା ପାଇଁ ପଣ୍ଡିତ ନୀଳକଣ୍ଠଙ୍କ ଉପରେ ଚାପ ପଡ଼ିଲା। ହେଲେ ପଣ୍ଡିତେ ଦୃଢ଼ ଭାବରେ ଲେଖାଗୁଡ଼ିକ ପ୍ରକାଶ କରିବାରେ ଲାଗିଲେ।
୧୯୧୬ ମସିହାରେ ଗୋପାଳ ପ୍ରହରାଜ ଭାଷାକୋଷ ପ୍ରଣୟନ ଆରମ୍ଭ କଲେ। ଦିନକୁ ଅଠର ଘଣ୍ଟା ପରିଶ୍ରମ କରି ଦଶବର୍ଷରେ ଅର୍ଥାତ୍‌ ୧୯୨୭ ମସିହା ସୁଦ୍ଧା ମୂଳ ପାଣ୍ଡୁଲିପି ପ୍ରସ୍ତୁତି ସମାପନ କଲେ। ପ୍ରଥମେ ଏହାର ମୁଦ୍ରଣ ବ୍ୟୟ ୨୮,୪୦୦ ଟଙ୍କା ହେବ ବୋଲି ଅଟକଳ କରାଗଲା। ଓଡ଼ିଶାର ପ୍ରଥମ ଲାଟ୍‌ସାହେବ ହବାକ ସାହେବ ଭାଷାକୋଷ ପ୍ରକାଶ ନିମନ୍ତେ ୧୯,୨୦୦ ଟଙ୍କା ଅନୁଦାନ କରାଇଦେଲେ। ହେଲେ ପ୍ରାଥମିକ ଅଟକଳଠାରୁ ବ୍ୟୟଭାର ବଢ଼ିଯିବାରୁ ପ୍ରହରାଜେ ନିଜ ଘର ବନ୍ଧା ପକାଇ ଛାପାକାର୍ଯ୍ୟ ତ୍ୱରାନ୍ବିତ କଲେ। ମୟୂରଭଞ୍ଜର ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କଠାରୁ ସେ ପ୍ରାପ୍ତ ହେଲେ ୧୩,୦୦୦ ଟଙ୍କା। ଫଳରେ ମୟୂରଭଞ୍ଜର ସ୍ବର୍ଗତ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିରକ୍ଷା ପାଇଁ ଭାଷାକୋଷର ନାମ ହେଲା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ଭାଷାକୋଷ ପ୍ରକାଶ ପାଇଲା ସାତଖଣ୍ଡରେ। ଏଥିପାଇଁ ଖର୍ଚ୍ଚ ହେଲା ଦୁଇଲକ୍ଷ ଟଙ୍କା। ଏହି ଭାଷାକୋଷରେ ରହିଲା ୧,୮୪,୦୦୦ ଶବ୍ଦ। ଭାରତବର୍ଷର ତତ୍କାଳୀନ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଭାଷାକୋଷର ଉପାଦେୟତା ସମ୍ପର୍କରେ ଉପଯୁକ୍ତ ସୂଚନାମାନ ପ୍ରଦାନ କଲେ।
ଗୋପାଳ ପ୍ରହରାଜଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମର୍ଯ୍ୟାଦାପୂର୍ଣ୍ଣ ଉପାଧିମାନ ପ୍ରଦାନ କରାଯାଇଥିଲା। ୧୯୩୩ ମସିହାରେ ସେ ‘କୈସର-ଇ-ହିନ୍ଦ୍‌’ ପଦକ ପ୍ରାପ୍ତ ହେଲେ। ୧୯୩୭ ମସିହାରେ ସରକାରଙ୍କ ତରଫରୁ ତାଙ୍କୁ ରାୟବାହାଦୁର ଉପାଧି ମିଳିଲା।
(ଗୋପାଳ ପ୍ରହରାଜଙ୍କ ଜୟନ୍ତୀ ଉପଲକ୍ଷେ)
ମୋ- ୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri