ବୋଉର ଶାଢ଼ି

ରୁଦ୍ର ପ୍ରସନ୍ନ ରଥ
ଓଡ଼ିଆ ଘରେ ଝିଅଟିଏ ବାହାହେଲା ବେଳେ ଶାଢ଼ିକୁ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି। ଝିଅ କେଉଁ ଶାଢ଼ି ପିନ୍ଧି ମଣ୍ଡପ ଉପରକୁ ଯିବ, କେଉଁ ଶାଢ଼ି ପିନ୍ଧି ବେଦି ଉପରକୁ ଯିବ ଆଉ ଚତୁର୍ଥୀରେ କେଉଁ ଶାଢ଼ି ପିନ୍ଧିବ ତାକୁ ବାଛିବା ପାଇଁ ସାରା ଘର ଲୋକେ ଦିନରାତି ଏକାଠି କରିଦେଇଥାନ୍ତି। ଅନେକ ଝିଅଙ୍କର ତ ଶାଢ଼ି ସହ ପ୍ରାରମ୍ଭିକ ପରିଚୟ ଏହି ବାହାଘର ସମୟରେ ହୋଇଥାଏ। ଝିଅ କିପରି ଠିକ୍‌ଭାବରେ ଶାଢ଼ି ପିନ୍ଧିପାରିବ ସେନେଇ ସମସ୍ତେ ତାକୁ ଲାଗିପଡି ତାଲିମ୍‌ ଦେଇଥାନ୍ତି। ଆଉ ଝିଅର ଅଜାଣତରେ ସେ ନିଜେ ନିଜ ଶାଢ଼ି ସହ ଏକ ଭାବନାତ୍ମକ ସମ୍ପର୍କ ଯୋଡି ସାରିଥାଏ। ଶାଢ଼ି ସହ ଯୋଡିହୋଇଥିବା ସମ୍ପର୍କ ଝିଅଟିଏ ଜୁଇଯାଏ ନେଇଯାଇଥାଏ।
ଝିଅ ଶାଶୁଘରକୁ ଆସେ ଟ୍ରଙ୍କ ଭର୍ତ୍ତି ଶାଢ଼ିର ପସରା ନେଇ। ନୂଆ ନୂଆ ସରାଗରେ ଶାଢ଼ି ବି ବେଶ୍‌ କିଣାହୁଏ। ନୂଆବୋହୂ ଉପରେ ବି ଆଦରରେ ବନ୍ଧୁବାନ୍ଧବ ଶାଢ଼ି ବିଛେଇ ଦିଅନ୍ତ। ପୂଜାରେ ନୂଆ ପିନ୍ଧିବାର ବାହାନାରେ ବେଶ୍‌ କିଛି ନୂଆ କିଣାହୋଇଯାଏ। ଝିଅଟି ସମୟକ୍ରମେ ବୋଉ ଡାକ ଶୁଣିବା ଲୋଭରେ ମା’ ହୋଇପଡ଼େ। ଆଉ ଥରେ ମା’ ହେଲା ପରେ ଶାଢ଼ି ପ୍ରତି ନଜର ହଟିଯାଇ ସବୁ ଲୋଭ ପିଲାପାଖକୁ ପଳାଇ ଆସେ। ଆଉ ସ୍ତ୍ରୀରୁ ବୋଉ ପାଲଟିଥିବା ଝିଅଟିର ଶାଢ଼ି ଏବଂ ଶାଢ଼ିର ବ୍ୟବହାର ବଦଳିଯାଇଥାଏ।
ବୋଉର ଶାଢ଼ି ଆଉ ତା’ର ହୋଇ ରହେନାହିଁ। ପିଲାପିଲିଙ୍କ ପାଇଁ ଏହା ପାଲଟି ଯାଏ ବୋଉକୁ ଚିହ୍ନିବାର ପ୍ରଥମ ପରିଚୟପତ୍ର। ପିଲାକୁ ସର୍ଦ୍ଦି ହୋଇଥିଲେ ପ୍ରଥମେ ଖୋଜାପଡ଼େ ବୋଉ ଶାଢ଼ିର କାନି। ଗୋଡ ଖଣ୍ଡିଆ ହେଲେ କିମ୍ବା ଦେହରେ ମାଡ ବାଜି ଫୁଲିଗଲେ ବୋଉ ଶାଢ଼ିର କାନିରେ ପାଟି ପାଖରେ ଫୁ ଫୁ କରି କ୍ଷତ ପାଖରେ ଲଗାଇଦିଏ। ଆମକୁ ଆରମ ମିଳୁ ବା ନ ମିଳୁ ବୋଉ ଖୁସି ହୁଏ। ଶୀତଦିନ ବୋଉ କୋଳରେ ବସି ଯେଉଁ ଶାଢ଼ି ଆମକୁ ଉଷୁମ ଦିଏ ଖରାଦିନେ ସେଇ ଶାଢ଼ିର କାନି ଆମ ପାଇଁ ପଙ୍ଖା ପାଲଟିଯାଏ। ତାରି ପବନରେ ଆମେ ଶୋଇପଡୁ ଆଉ ଆମ ପାଖରେ ଆମ ବୋଉ ଶାଢ଼ିକୁ ମୁଣ୍ଡ ତଳେ ବୁଜୁଳା କରି ଶୋଇପଡ଼େ। ଆମେ ଅଜାଣତରେ ବୋଉର ପଣତକାନିକୁ ଭିଡି ଆଣିଥାଉ ଆମ ଉପରକୁ। ସେଇ ପଣତକାନି, ଯେଉଁଠି ବନ୍ଧା ହୋଇଥାଏ ଘରର ନେନ୍ଥାଏ ଚାବିକାଠି କିମ୍ବା ପୁଳାଏ ପାନ।
ଖାଇସାରିଲା ପରେ ହାତ ପୋଛିବାକୁ କେହି ତଉଲିଆ ଖୋଜେନି। ବୋଉ ଶାଢ଼ିର କାନି ହିଁ ଯଥେଷ୍ଟ। ବାହାରୁ ଗଣ୍ଡଗୋଳ କରି ଆସିଲେ କିମ୍ବା ବାପାଙ୍କଠାରୁ ମାଡ଼ ଖାଇବାର ଆଶଙ୍କା ଥିଲେ ବୋଉ ଶାଢ଼ିର ଦି ହାତିଆ କାନି ହିଁ ବନିଯାଏ ଆମ ପାଇଁ ଢାଲ। ଯଦି କେବେ ପାଖରେ ବୋଉ ନ ଥାଏ ବା ବାହାରକୁ ଯାଇଥାଏ ବୋଉ ଶାଢ଼ିର ବାସ୍ନା ହିଁ ତାହାର ଉପସ୍ଥିତି ଜାହିର କରୁଥାଏ। ବୋଉର ଶାଢ଼ି କହୁଥାଏ ଜମାରୁ ଦୁଷ୍ଟାମି କରନି, ମଁୁ ଏଇଠି ଅଛି ସବୁ ଦେଖୁଛି। ବୋଉର ଅନୁପସ୍ଥିିତିରେ ବୋଉ ଶାଢ଼ିରେ ହାତ ବୁଲାଇ ଆଣିଲେ ବୋଉ ଖୁବ୍‌ ପାଖରେ ଥିବା ପରି ମନେହୁଏ। ଆମେ ଆଉ ଆମ ବୋଉ ଭିତରେ ବୋଉର ଶାଢ଼ି ହିଁ ଗୋଟିଏ ଚମତ୍କାର ବନ୍ଧ ବାନ୍ଧିଦେଇଥାଏ, ଯାହାକୁ ଡେଇଁଯିବା ଅସମ୍ଭବ।
ବୋଉ ବୁଢ଼ୀ ହୁଏ, ଶାଢ଼ି ବି ପୁରୁଣା ହୁଏ। ବୋଉର ଶାଢ଼ିରୁ ପୁଣି ତିଆରି ହୁଏ କନ୍ଥା। ବୋଉର ଶାଢ଼ି କନ୍ଥା ହେଲା ବେଳକୁ ବେଳେ ବେଳେ ବୋଉ ଚାଲିଯାଇଥାଏ ଆରପାରିକୁ। ଅଥଚ ରଙ୍ଗଛଡା ସେ ଶାଢ଼ିରେ ତିଆରି କନ୍ଥାରେ ଶୋଇପଡିଲେ ବୋଉର ଆଶିଷ ସବୁ ଦେହରେ ବୋଳିହେଲା ପରି ଲାଗେ। ବୋଉ ଚାଲିଯାଇଥାଏ ସତ, ଆମ ପାଇଁ ଛାଡିଯାଇଥିବା ସେ ଶାଢ଼ିତକ ଆମ ଘରର ତଥାପି ଅମୂଲ୍ୟ ସମ୍ପଦ ପାଲଟି ରହିଥାନ୍ତି। କେତେବେଳେ ବୋଉର ଶାଢ଼ିରେ ଗଣ୍ଠିଲି ହୋଇ ଆମ ଘରର ପୁରୁଣା ଲୁଗାପଟା ସବୁ ରଖାଯାଏ ତ ଆଉ କେତେବେଳେ ସେଥିରେ ଦୋଳି ତିଆରି ହୁଏ। କାମକୁ ଯାଉଥିବା ଅନେକ ଲୋକ ତ ଏମିତି ଦୋଳିଟେ ଗଛରେ ବାନ୍ଧି ଦେଇ ନିଜ ପିଲାଙ୍କୁ ସେଥିରେ ଶୁଆଇ ଦେଇ ମନ ଖୁସିରେ କାମରେ ଲାଗିଯାଆନ୍ତି। ବୋଉ ବିଧବା ହେଲେ ଧଳା ଶାଢ଼ି ପିନ୍ଧେ। ଶାଢ଼ିର ରଙ୍ଗ ବଦଳେ ସିନା ତା’ କାମ କରିବାରୁ ସେ କେବେ ବିରତ ହୁଏନାହିଁ। ସେ ଶାଢ଼ିରୁ ବି କନା ଆସି ପିଠାହାଣ୍ଡିରେ ଲାଗେ। ଅଥାରହାଣ୍ଡିରେ ଏଣ୍ଡୁରି ହୁଏ। ଆଉ ଧଡି ଚିରାହୋଇ ବଳା ହୋଇ ସଳିତା ହୁଏ।
ବୋଉ ପାଇଁ ଶାଢ଼ି ଖଣ୍ଡେ କିଣିପାରିବା ସବୁ ରୋଜଗାରିଆ ପୁଅର ସ୍ବପ୍ନ ଥାଏ। ଜୀବନର ପ୍ରଥମ ଦରମାରୁ ବୋଉକୁ ଶାଢ଼ି ଖଣ୍ଡେ କିଣିଦେଲେ ଅନେକଙ୍କୁ ପୁରୁଷପଣିଆ ସାର୍ଥକ ହେଲାପରି ଲାଗେ। ଅବଶ୍ୟ ସେତେବେଳକୁ ବୋଉର ଶାଢ଼ି ପିନ୍ଧିବା ସରାଗ ମରିଯାଇଥାଏ, ତଥାପି ପୁଅ ପାଖରୁ ଶାଢ଼ି ଖଣ୍ଡେ ପାଇଥିଲେ ଗାଁ ଲୋକଙ୍କୁ ଡାକି ଡାକି କହି ହେଉଥାଏ। ପୁଅର ଅନୁପସ୍ଥିତିରେ ପୁଅ ଉପରେ ସେ ସବୁଯାକ ସରାଗ ଢାଳିଦେଉଥାଏ। ବୋଉ ବୁଢୀ ହେଲେ ଗାଁରେ ପଡି ରହେ। ସହରରେ ପୁଅ ଘରେ ଜାଗା ଥିଲେ ବି ରହିବା ପାଇଁ ପୁଅ ହୃଦୟରେ ଆଉ ଜାଗା ନ ଥାଏ। ବୋଉର ଲୁଗା ସାତସିଆଁ ହୁଏ। ତଥାପି ବୋଉ ମୁହଁ ଖୋଲିପାରେନି।
ଝିଅରୁ ବୋହୂ, ବୋହୂରୁ ବୋଉ ଆଉ ବୋଉରୁ ବୁଢ଼ୀମା ପାଲଟିଥିବା ସେ ଲୋକଟି ଦିନେ ଆମ ସମସ୍ତଙ୍କୁ ଛାଡି ଚାଲିଯାଏ। ସେ ଆଣିଥିବା ସବୁ ଲୁଗା ପ୍ରାୟ ସରି ଆସିଥାଏ। ଆଉ ଯାହା ଖଣ୍ଡେ ଅଧେ ବଳିଥାଏ ସେ ବି ବୁଢ଼ୀ ସହ ମଶାଣିକୁ ଯାଏ। ବୁଢ଼ୀ ମରିଯାଏ ସତ କିନ୍ତୁ ଆମଠାରୁ ଆମ ବୋଉର ଶାଢ଼ିକୁ ଛଡେଇ ନେଇପାରେ ନାହିଁ। ସେ ମଲା ପରେ ବି ତା ଶାଢ଼ି ଆମ ସହିତ ଆମ ଅବଶିଷ୍ଟ ଜୀବନର ସୁଖଦୁଃଖର ସାଥୀ ହୋଇଥାଏ।
ଧବଳଗିରି, ଯାଜପୁରରୋଡ୍‌, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri