ବିଦ୍ୟୁତ୍‌ଚାଳିତ ଗାଡ଼ି-ଆବଶ୍ୟକତା ଓ ସମସ୍ୟା

ଇଂ. ମାୟାଧର ସ୍ବାଇଁ
ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ବାୟୁ ପ୍ରଦୂଷଣ ହେଉଛି ଗୋଟିଏ ମୁଖ୍ୟ ସମସ୍ୟା। ବିଶେଷକରି ସହରାଞ୍ଚଳରେ ଏହା ଅତି ସାଂଘାତିକ ହେଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ପୃଥିବୀରେ ୨୦୧୮ ମସିହାରେ ବାୟୁ ପ୍ରଦୂଷଣ ଯୋଗୁ ୮.୮ ନିୟୁତ ଲୋକ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଦେଶ ଅପେକ୍ଷା ଆମ ଦେଶର ସହରଗୁଡ଼ିକ ଅଧିକ ପରିମାଣରେ ପ୍ରଦୂଷିତ। ପୃଥିବୀର ୨୦ଟି ଶ୍ରେଷ୍ଠ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୫ଟି ସହର ଅଛି।
ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ମଧ୍ୟରେ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ କଳକାରଖାନା ପରେ ଯାନବାହନର ଅବଦାନ ବେଶି। ବିଶେଷକରି ସହରାଞ୍ଚଳରେ ପ୍ରଦୂଷଣର ମୁଖ୍ୟ କାରଣ ଭାବେ ଯାନବାହନକୁ ବିଚାର କରାଯାଇଥାଏ। ଦିନକୁ ଦିନ ଯାନବାହନର ସଂଖ୍ୟାବୃଦ୍ଧି ଏହି ସମସ୍ୟାକୁ ଅଧିକ ଜଟିଳ କରିଦେଇଛି। ଗାଡ଼ିଗୁଡ଼ିକରେ ଥିବା ଆଭ୍ୟନ୍ତରୀଣ ଦହନ ଇଞ୍ଜିନ ଡିଜେଲ ଓ ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନ ଦ୍ୱାରା କାର୍ଯ୍ୟ କରିଥାଏ। ଜୀବାଶ୍ମ ଦହନ ଯୋଗୁ ଏଥିରୁ କାର୍ବନ ମନୋକ୍‌ସାଇଡ୍‌, ଅଙ୍ଗାରକାମ୍ଳ, ସଲ୍‌ଫର ଡାଇଅକ୍‌ସାଇଡ୍‌, ନାଇଟ୍ରୋଜେନ୍‌ ଅକ୍‌ସାଇଡ୍‌ ଭଳି ପ୍ରଦୂଷକ ଗ୍ୟାସ୍‌ ଏବଂ କ୍ଷୁଦ୍ର କଣିକା ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ।
ଯାନବାହନଜନିତ ବାୟୁ ପ୍ରଦୂଷଣର ନିରାକରଣର ଉପାୟ ହେଉଛି ଯାନବାହନ ସଂଖ୍ୟା ହ୍ରାସ କରିବା, ଯାହା ସମ୍ଭବ ନୁହେଁ। ଅନ୍ୟ ବିକଳ୍ପ ହେଉଛି ଏଥିରେ ଆଭ୍ୟନ୍ତରୀଣ ଦହନ ଇଞ୍ଜିନ ବଦଳରେ ଅନ୍ୟ ଏକ ଇଞ୍ଜିନ ବ୍ୟବହାର କରିବା, ଯେଉଁଥିରେ ପେଟ୍ରୋଲ କିମ୍ବା ଡିଜେଲ ବ୍ୟବହାର ହେବ ନାହିଁ। ବୈଜ୍ଞାନିକମାନେ ଏପରି ଏକ ବିଦ୍ୟୁତ୍‌ ଇଞ୍ଜିନ ବିକାଶ କରିଛନ୍ତି ଯାହା ବ୍ୟାଟେରିରୁ ବିଦ୍ୟୁତ୍‌ ଶକ୍ତି ନେଇ କାର୍ଯ୍ୟ କରିବ। ଅନେକ ଦେଶରେ ଏହା ଉପରେ ଗବେଷଣା ଚାଲିଛି ଏବଂ ପରୀକ୍ଷାମୂଳକ ଭାବେ ବିଦ୍ୟୁତ୍‌ ଗାଡ଼ି ବ୍ୟବହୃତ ହେଲାଣି। କେତେକ ଗାଡ଼ି ନିର୍ମାତା ମଧ୍ୟ ବ୍ୟବସାୟିକ ଭାବେ ବିଦ୍ୟୁତ୍‌ ଗାଡ଼ି ଉତ୍ପାଦନ ଆରମ୍ଭ କଲେଣି। କିନ୍ତୁ ଅଧିକ ମୂଲ୍ୟ ହେତୁ ଏହାର ବ୍ୟବସାୟିକ ଦିଗ ପ୍ରତି ଲକ୍ଷ୍ୟ ରଖାଯାଇଛି।
ବିଦ୍ୟୁତ୍‌ ଇଞ୍ଜିନକୁ ବ୍ୟାଟେରିରୁ ଶକ୍ତି ଯାଏ। ବର୍ତ୍ତମାନ ସମସ୍ତ ଗାଡ଼ିରେ ଲିଥିୟମ୍‌ ଆୟନ୍‌ ବ୍ୟାଟେରି ବ୍ୟବହୃତ ହେଉଛି। ଏହି ବ୍ୟାଟେରି ମଧ୍ୟ ମୋବାଇଲ ଫୋନ୍‌, ଲାପ୍‌ଟପ୍‌ ଆଦିରେ ବ୍ୟବହୃତ ହେଉଛି; ମାତ୍ର ସେଥିରେ ଏହାର କ୍ଷମତା କମ୍‌ ଥାଏ। ବ୍ୟାଟେରିର ଅଧିକ ମୂଲ୍ୟ ହେତୁ ବିଦ୍ୟୁତ୍‌ ଗାଡ଼ିର ମୂଲ୍ୟ ଅଧିକ ହେଉଛି। ଏହା ମଧ୍ୟ ଦୂରଯାତ୍ରା ପାଇଁ ଅସୁବିଧାଜନକ। କାରଣ ବ୍ୟାଟେରିକୁ ଏକ ନିର୍ଦ୍ଦିଷ୍ଟ ଦୂରତା ପରେ ଚାର୍ଜ କରିବାକୁ ପଡ଼ିଥାଏ। ଉଦାହରଣ ସ୍ବରୂପ, ହ୍ୟୁଣ୍ଡାଇ କମ୍ପାନୀ ନିକଟରେ ବିକାଶ କରିଥିବା କାର୍‌ରେ ଦୁଇପ୍ରକାର ବ୍ୟାଟେରି ବ୍ୟବହାର କରୁଛି। ଗୋଟିଏର କ୍ଷମତା ହେଉଛି ୩୯ ଆମ୍ପିୟର ଆଓ୍ବାର ଓ ଅନ୍ୟଟିର କ୍ଷମତା ହେଉଛି ୬୪ ଆମ୍ପିୟର ଆଓ୍ବାର। ପ୍ରଥମଟିକୁ ୨୮୯ କି.ମି. ପରେ ଓ ଦ୍ୱିତୀୟକୁ ୪୪୯ କି.ମି. ପରେ ଚାର୍ଜ କରିବାକୁ ପଡୁଛି।
ସାଧାରଣତଃ ଗୋଟିଏ ବ୍ୟାଟେରିର ଓଜନ ୫୦୦ କି.ଗ୍ରା. ହୋଇଥାଏ ଏବଂ ଏଥିରେ ଶହ ଶହ ଲିଥିୟମ୍‌-ଆୟନ୍‌ କୋଷ ଥାଏ, ଯେଉଁଥିରେ ଲିଥିୟମ୍‌, କୋବାଲ୍ଟ , ନିକେଲ ଓ ମାଙ୍ଗାନିଜ ଧାତୁ ବ୍ୟବହୃତ ହୋଇଥାଏ। ପ୍ରତ୍ୟେକ ଧାତୁର ଅଲଗା ଅଲଗା କାମ ଥାଏ। ଲିଥିୟମ ଇଲେକ୍‌ଟ୍ରନ୍‌ ପ୍ରବାହ ସୃଷ୍ଟିକରେ ଓ ବ୍ୟାଟେରିକୁ ଚାର୍ଜ କରିଥାଏ। କୋବାଲ୍ଟ ବ୍ୟାଟେରିକୁ ଉତ୍ତାପରୁ ରକ୍ଷା କରିଥାଏ। ସମସ୍ୟା ହେଉଛି ଯେ ଲିଥିୟମ୍‌ ଓ କୋବାଲ୍ଟ ପୃଥିବୀରେ ବହୁ କମ୍‌ ପରିମାଣରେ ଗଚ୍ଛିତ ଅଛି, ଯାହାଦ୍ୱାରା ପୃଥିବୀର ସମସ୍ତ ଯାନବାହନକୁ ବିଦ୍ୟୁତ୍‌ଚାଳିତ କରିବା ସମ୍ଭବପର ମନେହେଉନାହିଁ। ପୁନଶ୍ଚ ଏହି ଧାତୁ ପୃଥିବୀର ଅତି ଅଳ୍ପ କେତୋଟି ଦେଶରେ ଉପଲବ୍ଧ। ଉଦାହରଣ ସ୍ବରୂପ, ପୃଥିବୀର ୬୫ ପ୍ରତିଶତ ଲିଥିୟମ୍‌ ବଲିଭିଆ ଓ ଚିଲିରେ ଏବଂ ୬୦ ପ୍ରତିଶତ କୋବାଲ୍ଟ କଙ୍ଗୋରେ ଅଛି। କମ୍‌ ଯୋଗାଣ ହେତୁ ଏଇ ଦୁଇ ଧାତୁର ମୂଲ୍ୟ ହେଉଛି ଅଧିକ। ହିସାବ କରାଯାଇଛି ଯେ, ଦୁଇଚକିଆ ବିଦ୍ୟୁତ୍‌ ଯାନର ମୋଟ ମୂଲ୍ୟର ୭୦ ପ୍ରତିଶତ ଓ ବିଦ୍ୟୁତ୍‌ କାର୍‌ ମୂଲ୍ୟର ୫୦ ପ୍ରତିଶତ ହେଉଛି ବ୍ୟାଟେରିର ମୂଲ୍ୟ। ଏଣୁ ବିଦ୍ୟୁତ୍‌ ଗାଡ଼ିର ସ୍ବପ୍ନ ଅଳ୍ପ କେତୋଟି ଦେଶରୁ କୋବାଲ୍ଟ ଓ ଲିଥିୟମ୍‌ ଆମଦାନି ଉପରେ ନିର୍ଭର କରୁଛି। ଗାଡ଼ି ନିର୍ମାତାମାନଙ୍କ ପାଇଁ ଏହା ହେଉଛି ବଡ଼ ସମସ୍ୟା। ଚାଇନା ନିଜର ଦୂରଦୃଷ୍ଟି ଯୋଗୁ ଏହି ସମସ୍ୟାରେ ନାହିଁ। ନିଜ ଦେଶରେ ଏହି ଦୁଇ ଧାତୁର ଖଣି ନ ଥିଲେ ମଧ୍ୟ ଏହା କଙ୍ଗୋ, ବଲିଭିଆ, ଚିଲି ଓ ଅଷ୍ଟ୍ରେଲିଆରେ କେତେକ ଖଣିକୁ କିଣିନେଇଛି। ଏପରିକି କଙ୍ଗୋର ଅଧା କୋବାଲ୍ଟ ଖଣି ଏହା ନିୟନ୍ତ୍ରଣରେ ଅଛି। ଏଣୁ ଚାଇନା ବର୍ତ୍ତମାନ ବ୍ୟାଟେରି ଓ ବିଦ୍ୟୁତ୍‌ ଗାଡ଼ି ଉତ୍ପାଦନରେ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି। ପୃଥିବୀର ବ୍ୟାଟେରି ବଜାରର ୬୦ ପ୍ରତିଶତ ଏହା ନିୟନ୍ତ୍ରଣ କରୁଛି। ଏହା ୨୦୧୮ ମସିହାରେ ଦଶଲକ୍ଷରୁ ଅଧିକ ବିଦ୍ୟୁତ୍‌ ଗାଡ଼ି ଉତ୍ପାଦନ କରିଛି।
ହାରାହାରି ଭାବେ ଗୋଟିଏ ବିଦ୍ୟୁତ୍‌ ଗାଡ଼ିର ମୂଲ୍ୟ ହେଉଛି ପେଟ୍ରୋଲ ଗାଡ଼ିର ଦୁଇଗୁଣ। ଏଥିପାଇଁ ଗ୍ରାହକମାନେ ମଧ୍ୟ ଏହାକୁ ପସନ୍ଦ କରୁନାହାନ୍ତି। ବ୍ୟାଟେରି ପ୍ରଯୁକ୍ତିବିଦ୍ୟାର ବିକାଶ ଘଟି ଏହାର ମୂଲ୍ୟ ହ୍ରାସ ନ ହେଲେ ଏହା ଲୋକପ୍ରିୟ ହୋଇପାରିବ ନାହିଁ। ଏଥିପାଇଁ ଅବଶ୍ୟ ଅନେକ ଦେଶରେ ଗବେଷଣା ଚାଲିଛି। ପାନାସୋନିକ୍‌, ଟେସ୍‌ଲା, ଟୋୟୋଟା ଓ ଚାଇନା ନିର୍ମାତାମାନେ ଏହି ଗବେଷଣାର ଶୀର୍ଷରେ ଅଛନ୍ତି। ମୂଲ୍ୟବାନ୍‌ କୋବାଲ୍ଟ ବଦଳରେ ଗନ୍ଧକ, ସୋଡିୟମ୍‌ କିମ୍ବା ମାଗ୍ନେସିୟମ୍‌ ବ୍ୟବହାର କରିବା ପାଇଁ ଗବେଷଣା ଚାଲିଛି।
ଆମ ଦେଶରେ ଲିଥିୟମ୍‌ ଆୟନ ବ୍ୟାଟେରି ଉତ୍ପାଦନ ହେଉନାହିଁ ଏବଂ ଏହାକୁ ବାହାର ଦେଶରୁ ଆମଦାନି କରାଯାଉଛି। ଯାହା ଜଣାପଡୁଛି, ଆମ ଦେଶରେ ବିଦ୍ୟୁତ୍‌ ଗାଡ଼ିର ବହୁଳ ବ୍ୟବହାର ପାଇଁ ଦଶବର୍ଷରୁ ଅଧିକ ସମୟ ଲାଗିବ। ଜାପାନରେ ଦଶବର୍ଷ ପୂର୍ବରୁ ବିଦ୍ୟୁତ୍‌ ଗାଡ଼ିର ପ୍ରଚଳନ ହୋଇଥିଲେ ସୁଦ୍ଧା ବ୍ୟାଟେରି ପ୍ରଯୁକ୍ତିବିଦ୍ୟାର ବିକାଶ ହୋଇ ନ ଥିବାରୁ ଏହାର ସଂଖ୍ୟା ସୀମିତ ଅଛି। ଏଥିରେ ଯନ୍ତ୍ରାଂଶ କମ୍‌ ଥିବାରୁ ଏହା କମ୍‌ ମରାମତି ଦରକାର କରିଥାଏ। ବିଦ୍ୟୁତ୍‌ ମୋଟର ସମସ୍ତ ବେଗରେ ସମାନ ଟର୍କ ଉତ୍ପାଦନ କରୁଥିବାରୁ ଏହି ଗାଡ଼ିରେ କ୍ଲଚ୍‌, ଗିୟର ବକ୍ସ ଓ ବେଗ ସଞ୍ଚାରଣ ବ୍ୟବସ୍ଥା ଆଦି ଯନ୍ତ୍ରାଂଶର ଆବଶ୍ୟକ ହୋଇ ନ ଥାଏ। ଗୋଟିଏ ବିଦ୍ୟୁତ୍‌ ଗାଡ଼ିରେ ୨୦ଟି ଗତିଶୀଳ ଯନ୍ତ୍ରାଂଶ ଥିବାବେଳେ ପେଟ୍ରୋଲ କିମ୍ବା ଡିଜେଲ ଇଞ୍ଜିନରେ ଏହି ସଂଖ୍ୟା ହେଉଛି ୨୦୦୦ରୁ ଅଧିକ।
ଭାରତ ବ୍ୟାଟେରି ପ୍ରଯୁକ୍ତିବିଦ୍ୟାରେ ଗବେଷଣା କରିବା ସହ ବିଦ୍ୟୁତ୍‌ ଗାଡ଼ି ଉତ୍ପାଦନ ପାଇଁ ନିର୍ମାତାମାନଙ୍କୁ ଆର୍ଥିକ ସୁବିଧା ଦେବା ଉଚିତ। ଏହାଦ୍ୱାରା ଦେଶରେ ବାୟୁ ପ୍ରଦୂଷଣ ହ୍ରାସହେବା ସଙ୍ଗେ ସଙ୍ଗେ ପେଟ୍ରୋଲ ଓ ଡିଜେଲର ଚାହିଦା କମିଯିବ। ଅଧିକାଂଶ ପେଟ୍ରୋଲିୟମ୍‌ ପଦାର୍ଥ ଆମଦାନି ହେଉଛି ଏବଂ ଏଥିପାଇଁ ଦେଶର ମୂଲ୍ୟବାନ୍‌ ବୈଦେଶିକ ପୁଞ୍ଜି ବ୍ୟୟ କରିବାକୁ ପଡୁଛି। ପୁନଶ୍ଚ ତେଲଖଣି ଥିବା ଉପସାଗରୀୟ ଦେଶଗୁଡ଼ିକରୁ ଏହାର ଆମଦାନିର ନିରାପତ୍ତା ମଧ୍ୟ ସନ୍ଦେହଜନକ ହୋଇପଡ଼ିଲାଣି। ନୀତି ଆୟୋଗ ଗତ ଜୁନ ୧୭ ତାରିଖରେ ପ୍ରସ୍ତାବ ଦେଇଛି ଯେ, ୨୦୩୦ ମସିହା ପରେ ଦେଶରେ କେବଳ ବିଦ୍ୟୁତ୍‌ ଗାଡ଼ି ବିକ୍ରି ହେବା ଉଚିତ। ଏହା ପୂର୍ବରୁ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରସ୍ତାବ ଦେଇଥିଲା ଯେ, ୨୦୨୫ ମସିହା ପରେ ଦେଶରେ ୧୫୦ ଘନ ସେ.ମି. କ୍ଷମତା ବିଶିଷ୍ଟ କେବଳ ବିଦ୍ୟୁତ୍‌ଚାଳିତ ଦୁଇଚକିଆ ଓ ତିନିଚକିଆ ଗାଡ଼ି ବିକ୍ରି ହେବା ଉଚିତ। ବର୍ତ୍ତମାନ କାର୍‌କୁ ଏଥିରେ ସାମିଲ କରାଯାଇଛି। ନୀତି ଆୟୋଗର ଗଣନା ଅନୁସାରେ ବିଦ୍ୟୁତ୍‌ ଗାଡ଼ି ପ୍ରଚଳନ ଫଳରେ ଦେଶରେ ବାର୍ଷିକ ତିନିଲକ୍ଷ କୋଟି ଟଙ୍କା ତେଲ ଆମଦାନିରୁ ବଞ୍ଚିଯିବ ଏବଂ ଦଶଲକ୍ଷରୁ ଅଧିକ ବ୍ୟକ୍ତି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବ୍ୟାଟେରି ନିର୍ମାଣ ଶିଳ୍ପରେ ନିଯୁକ୍ତି ପାଇବେ।
୭୦, ଲକ୍ଷ୍ମୀବିହାର, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri