ବିଦ୍ୟାର୍ଥୀଙ୍କ ବିଦେଶ ମୋହ

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଏବେ ଅଭିଭାବକ ହୁଅନ୍ତୁ କି ବିଦ୍ୟାର୍ଥୀ ନିଜେ, ଖୁବ୍‌ ଛୋଟବେଳୁ ତାଙ୍କ ମନରେ ବିଦେଶରେ ଶିକ୍ଷାଗ୍ରହଣ କରିବାର ମନୋବୃତ୍ତି ଘରକରି ରହୁଛି। ଭଲ ପାଠ ପଢ଼ି ବିଦେଶ ଯାତ୍ରା କଲେ ସ୍ବଚ୍ଛଳ ଜୀବନ, ଉନ୍ନତ ଜୀବନଶୈଳୀ ଏବଂ ମୋଟା ଅଙ୍କର ଦରମା ସମ୍ଭବ, ତେଣୁ ବିଦେଶ ଯିବାର ମୋହ ସବୁ ବିଦ୍ୟାର୍ଥୀଙ୍କ ମନରେ ଅଳ୍ପେ ବହୁତେ ରହିଥାଏ। ମାତ୍ର କେବେ କ’ଣ ଚିନ୍ତା କରାଯାଇଛି ଯେ ସ୍ବଦେଶରେ ଶିକ୍ଷାଗ୍ରହଣ ଛାଡି ଏତେ ମାତ୍ରାରେ ପିଲା ଅନ୍ୟ ଦେଶକୁ ଯାଉଛନ୍ତି କାହିଁକି ? ଏହାର କାରଣ ଆମ ଦେଶରେ ଉଚ୍ଚଶିକ୍ଷା ଗ୍ରହଣ ଓ ଯୋଗ୍ୟତା ଅନୁଯାୟୀ ଚାକିରି ନ ମିଳିବା କ୍ଷେତ୍ରରେ ପରିଲକ୍ଷିତ ଅଭାବ କିମ୍ବା ବିଦେଶର ଆକର୍ଷକ ସୁବିଧା ଓ ଦରମା ନୁହେଁ ତ?
ନିଶ୍ଚିତ ଭାବରେ ଏହା ହିଁ ଭାରତୀୟଙ୍କ ବିଦେଶ ମୋହର ପ୍ରଧାନ କାରଣ। ପ୍ରଥମେ ତ ସେଠାରେ ଆମ ଦେଶ ଅପେକ୍ଷା ସିଟ୍‌ ସଂଖ୍ୟା ଅଧିକା, ଦ୍ୱିତୀୟ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିଛି ତାହା ହେଉଛି, ସେଠାରେ ଶିକ୍ଷା ଶେଷ କରି ଆସୁଥିବା ପିଲାମାନେ ସ୍ବଦେଶକୁ ଫେରି ପରୀକ୍ଷା ଦେଇ ଆଗକୁ ଉଚ୍ଚ ଶିକ୍ଷା ଗ୍ରହଣ ଏବଂ ସରକାରୀ ଚାକିରି କରିବାରେ ବି କିଛି ପ୍ରତିବନ୍ଧକ ନାହିଁ।
ଏହି ପରିସ୍ଥିତିରୁ ଆକଳନ କରାଯାଇପାରେ ଯେ ଭାରତରେ ଏବେ ଉଚ୍ଚଶିକ୍ଷାର ସ୍ଥିତି ଚିନ୍ତାଜନକ। ବିଭିନ୍ନ ଶିକ୍ଷା ସଂସ୍ଥାନରେ ଯୋଗ୍ୟ ଶିକ୍ଷକଙ୍କ ସହିତ ଆହୁରି ଅନେକ ପାରିପାର୍ଶ୍ୱିକ ସୁବିଧାର ଅଭାବ ଫଳରେ ଉପଯୁକ୍ତ ଶିକ୍ଷାଦାନ ହୋଇପାରୁନାହିଁ। ଗୋଟିଏ ପଟେ ଶିକ୍ଷା ସଂସ୍ଥାନଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ଜୋର ଦିଆଯାଉଥିବା ବେଳେ ଅନ୍ୟପଟେ ଶିକ୍ଷକ ପଦୀ ଖାଲି ରହୁଛି। ସଂଖ୍ୟା ଦୃଷ୍ଟିରୁ ଉଚ୍ଚତର ଶିକ୍ଷା ବ୍ୟବସ୍ଥା ଦିଗରେ ଆମେରିକା ଓ ଚାଇନା ପରେ ଭାରତର ସ୍ଥାନ ତୃତୀୟ। ମାତ୍ର ଗୁଣାତ୍ମକ ଦୃଷ୍ଟିରୁ ବିଚାର କଲେ, ବିଶ୍ୱର ୧oo ଶୀର୍ଷ ବିଶ୍ୱବିଦ୍ୟାଳୟ ଭିତରେ ଭାରତର ଗୋଟିଏ ମଧ୍ୟ ବିଶ୍ୱବିଦ୍ୟାଳୟ ଆସୁନାହିଁ।
ଆମ ଦେଶରେ ଅଧ୍ୟୟନରତ ପିଲାଙ୍କ ପାଖରେ ଯେ ଯୋଗ୍ୟତାର ଅଭାବ ରହିଛି ତାହା ନୁହେଁ ବରଂ ଏହାପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରବେଶିକା କାର୍ଯ୍ୟପ୍ରଣାଳୀ ଦାୟୀ। ଉଦାହରଣ ସ୍ବରୂପ ଆମ ଦେଶରେ ୯୦% ରୁ ଅଧିକ ମାର୍କ ରଖିଥିବା ଛାତ୍ରୀଛାତ୍ର ଦିଲ୍ଲୀ ୟୁନିଭର୍ସିଟି (ଡି.ୟୁ.)ରେ ନିଜ ପସନ୍ଦ ଓ ଇଚ୍ଛା ମୁତାବକ ବିଷୟରେ ପଢ଼ିବାର ସୁଯୋଗରୁ ବଞ୍ଚିତ ହୁଅନ୍ତି। ଭଲ ମାର୍କ ରଖିବା ସତ୍ତ୍ୱେ ଭଲ କଲେଜରେ ପ୍ରବେଶ ହୋଇ ନ ପାରିଲେ ସେମାନେ ମଧ୍ୟମ ଏବଂ ନିକୃଷ୍ଟ ସ୍ତରୀୟ କଲେଜରେ ପଢିବା ଅପେକ୍ଷା ଦେଶ ବାହାରକୁ ଯାଇ ପଢିବାକୁ ଉଚିତ ମନେକରୁଛନ୍ତି। ଅପରପକ୍ଷେ ଅଷ୍ଟ୍ରେଲିଆ, କାନାଡ଼ା, ସିଙ୍ଗାପୁର, ୟୁ.କେ. ଆଦି ରାଷ୍ଟ୍ରରେ ୯୦% ମାର୍କ ରଖିଥିବା ପିଲାମାନେ ଇଚ୍ଛା ଅନୁଯାୟୀ ଯେ କୌଣସି ବିଷୟ ନେଇ ଅଧ୍ୟୟନ କରିବାକୁ ସକ୍ଷମ ହେଉଛନ୍ତି। ବିଦେଶରେ ପଢ଼ିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ସେଠି ପାଠପଢା ଆରମ୍ଭ ହେବାର ଗୋଟିଏ ବର୍ଷ ପୂର୍ବରୁ ପ୍ରବେଶିକା ପ୍ରସ୍ତୁତି ପ୍ରଣାଳୀ ଆରମ୍ଭ ହୋଇଯାଏ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଷୟ ଚୟନ କରି ପଢ଼ିବା ପାଇଁ ସମୟ ଓ ସ୍ବାଧୀନତା ମିଳିଥାଏ।
ଭାରତ ଅନେକ ପ୍ରକାରର ବୃତ୍ତି ଯେପରି ଚଳଚ୍ଚିତ୍ର ନିର୍ମାଣ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, କୃଷି ଏବଂ ପଶୁପାଳନ କ୍ଷେତ୍ରରେ ଖୁବ୍‌ ପଛରେ ରହିଛି। ମାତ୍ର ଏହିସବୁ କ୍ଷେତ୍ରରେ ପଢାପଢ଼ି ଏବଂ ରୋଜଗାରକ୍ଷମ ହେବାର ସୁବିଧା ସହଜରେ ଏବଂ ଉନ୍ନତ ଭାବରେ ବିଦେଶରେ ଉପଲବ୍ଧ ହୋଇଥାଏ। ଭିନ୍ନ ଭିନ୍ନ ପ୍ରକାରରେ କାର୍ଯ୍ୟକ୍ଷମ ହେବାର ସୁଯୋଗ ସହିତ ଅଧିକ ବେତନ ମଧ୍ୟ ମିଳିଥାଏ। ଅଧ୍ୟୟନରୁ ଜଣାଯାଇଛି ଯେ ଏସୀୟ ଦେଶଗୁଡିକରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ୮୦% ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ପାଇଁ ଏହି କାରଣରୁ ବିଦେଶ ଯିବାକୁ ଇଚ୍ଛୁକ ହୁଅନ୍ତି। ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟଗୁଡିକ ତରଫରୁ ବିଦ୍ୟାର୍ଥୀମାନଙ୍କୁ ଭିଜା ପ୍ରଦାନ କରାଯାଇ ବିଦେଶରେ ରହି ସେମାନଙ୍କ ପାଠପଢ଼ିବାର ସ୍ବପ୍ନକୁ ସାକାର କରାଯାଇପାରୁଛି, ତେଣୁ ସେମାନଙ୍କ ବିଦେଶ ଆକର୍ଷଣ କ୍ରମେ ବଢ଼ି ବଢ଼ି ଚାଲିଛି।
ସବୁଠାରୁ ବିଶେଷ ଆକର୍ଷଣ ଯାହା ବିଦ୍ୟାର୍ଥୀଙ୍କୁ ବିଦେଶରେ ଶିକ୍ଷାଗ୍ରହଣ କରିବା ପାଇଁ ଉତ୍ସାହିତ ଏବଂ ପ୍ରେରିତ କରେ, ତାହା ହେଉଛି ଅନୁସନ୍ଧାନ ଏବଂ ଗବେଷଣାଧର୍ମୀ କାର୍ଯ୍ୟକ୍ରମ। ଭାରତ ତୁଳନାରେ ବିଦେଶରେ ଏହା ଉନ୍ନତ ମାନର ହୋଇଥାଏ ଏବଂ ବିଦ୍ୟାର୍ଥୀଗଣ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ମନେକରନ୍ତି। ଗୋଟିଏ ପଟେ ଭାରତର ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ନିଜ ସଂସ୍ଥାରେ ପ୍ରବେଶ ପାଇଁ ବିଦେଶୀ ଶିକ୍ଷା ସଂସ୍ଥାଗୁଡିକ ଖୁବ୍‌ ଆଗ୍ରହୀ ହୋଇଥିବା ବେଳେ ଅନ୍ୟ ପଟେ ଆମ ମେଧାବୀ ବିଦ୍ୟାର୍ଥୀମାନେ ଉଚ୍ଚକ୍ଷମତା ସମ୍ପନ୍ନ କମ୍ପାନୀଗୁଡିକରେ କାମ କରିବାର ସୁଯୋଗ ପାଇବା ଅଭିଭାବକ ତଥା ଛାତ୍ରୀଛାତ୍ରଙ୍କୁ ବିଦେଶ ମୋହରେ ପକେଇସାରିଛି।
କାନାଡ଼ା, ଅଷ୍ଟ୍ରେଲିଆ, ବ୍ରିଟେନ ଓ ଆମେରିକାରେ ଅଧିକ ସଂଖ୍ୟକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଥିବାରୁ ନିକଟ ଭବିଷ୍ୟତରେ ଭାରତୀୟ ଛାତ୍ରଙ୍କ ବିଦେଶ ଗମନ ଧାରା ଜାରି ରହିବ ବୋଲି ଅନୁମାନ କରାଯାଉଛି। କେବଳ ଆମେରିକାରେ ୪oooରୁ ଅଧିକ ବିଶ୍ୱବିଦ୍ୟାଳୟ ରହିଛି। ସେଠାରେ ନିଯୁକ୍ତି ପାଇଥିବା ଛାତ୍ରୀଛାତ୍ରଙ୍କୁ ବେତନ ଓ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି। ଉପରୋକ୍ତ ବିଷୟ ଆଲୋଚନାର ପ୍ରାସଙ୍ଗିକତା ଏହା ଯେ ସବୁ ଯୋଗ୍ୟ ଏବଂ ମେଧାବୀ ବିଦ୍ୟାର୍ଥୀ ବିଦେଶରେ ଶିକ୍ଷାଗ୍ରହଣ କରିବା ଆମ ଦେଶ ପାଇଁ ଖୁସିର ବିଷୟ, ମାତ୍ର ଶିକ୍ଷାଗ୍ରହଣ ପରେ ନିଜ ଦେଶକୁ ନ ଫେରି ସେଠାକାର ସ୍ଥାୟୀ ବାସିନ୍ଦା ରୂପେ ରହିଗଲେ, ତାଙ୍କ ଉଚ୍ଚଶିକ୍ଷା ଏବଂ ଗବେଷଣା ଆମ ଦେଶର ହିତ କାମରେ ଲାଗିପାରିବ ନାହିଁ। ତେଣୁ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କୁ ଅନୁରୋଧ ବିଦେଶରେ ଶିକ୍ଷା ପାଇବା ପରେ ସେହି ଶିକ୍ଷାକୁ ନିଜ ଦେଶର ହିତ ପାଇଁ ଉତ୍ସର୍ଗ କରିବାର ମନୋବୃତ୍ତି ରଖନ୍ତୁ। ଅପରପକ୍ଷେ ଆମ ଦେଶରେ ମେଧାବୀ ଏବଂ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ଉନ୍ନତ ଶିକ୍ଷା ବ୍ୟବସ୍ଥା ଯୋଗେଇଦେବା ପାଇଁ ସରକାର ସେହି ମାନର ବିଶ୍ୱବିଦ୍ୟାଳୟ ଗଠନ ସହିତ ସେମାନଙ୍କୁ ପଢ଼ିବାର ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ।
ମୋ:୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri