ବନ୍ଧୁତାର ମହତ୍ତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଇଂରେଜ କବି ହେନ୍‌ରି ଅଷ୍ଟିନ ଡବସନ୍‌ କହିଥିଲେ, ଯଶ ହେଉଛି ଏପରି ଏକ ଖାଦ୍ୟ ଯାହା କେବଳ ମୃତବ୍ୟକ୍ତି ଖାଇଥାନ୍ତି। (Fame is a food that dead men eat.)। ପୃଥିବୀର ବହୁ ମନୀଷୀ ସେମାନଙ୍କ ଅବଦାନ ପାଇଁ ଜୀବନକାଳ ମଧ୍ୟରେ ସ୍ବୀକୃତି ପାଇ ନ ଥିଲେ। ମୃତ୍ୟୁ ପରେ ସେମାନେ ପାଇଲେ ସ୍ବୀକୃତି ଓ ଯଶ। କୋପରନିକସ ଓ ଗାଲିଲିଓଙ୍କ ଭଳି ବୈଜ୍ଞାନିକମାନେ ମଧ୍ୟ ମୃତ୍ୟୁ ପରେ ହିଁ ପ୍ରଶଂସିତ ଓ ସ୍ବୀକୃତ ହୋଇଥିଲେ। ଭାରତରେ ଅନଓ୍ବାର ଜବଲପୁରୀ, ସମ୍ପଦ ରାମ୍‌ଟେକେ, ଦେବେନ୍ଦ୍ର ସ୍ବରୂପ, କୁଳଦୀପ ନାୟାର ପ୍ରମୁଖ ଅନେକ ବିଶିଷ୍ଟ ବ୍ୟକ୍ତି ମରଣୋତ୍ତର ପଦ୍ମ ସମ୍ମାନ ପାଇଛନ୍ତି। ଏମାନଙ୍କ ଜୀବନ ଅନୁଧ୍ୟାନ କଲେ କବି ଡବସନ୍‌ଙ୍କ ଉକ୍ତି ଠିକ୍‌ ବୋଲି ଅନୁଭବ ହୁଏ। ଅପରପକ୍ଷରେ ବନ୍ଧୁତା ହେଉଛି ଏକ ମହତ୍ତର ଗୁଣ, କାରଣ ଯେତେବେଳେ ମଣିଷ ମୃତ୍ୟୁର ନିକଟତର ହୁଏ, ସେତେବେଳେ ସେ ତା’ର ବନ୍ଧୁକୁ ସ୍ମରଣ କରେ ଓ ତା’ର ସମସ୍ତ ଦୋଷତ୍ରୁଟିକୁ ଭୁଲିଯାଇ କେବଳ ସୁଗୁଣଗୁଡିକୁ ମନେ ପକାଇଥାଏ। ବଞ୍ଚିଥିବା ଅବସ୍ଥାରେ ହିଁ ଜଣେ ଉତ୍ତମ ବନ୍ଧୁ ସ୍ବୀକୃତି ପାଏ। ଏଣୁ କବି ଲେଖିଥିଲେ :
For truly, when a man shall end,
He lives in memory of his friend,
Who doth his better part recall
And of his faults make funeral.
ମଣିଷ ଏକ ସାମାଜିକ ପ୍ରାଣୀ। ନିର୍ଜନତା ବା ନିଃସଙ୍ଗତା ତା’ ପାଇଁ ଅସହ୍ୟ। ଏଣୁ ‘ଦି ସଲିଚ୍ୟୁଡ୍‌ ଅଫ୍‌ ଆଲେକ୍‌ଜାଣ୍ଡାର ସେଲ୍‌କାର୍କ’ କବିତାରେ କବି ଉଇଲିୟମ୍‌ କାଓପରଙ୍କ ନାୟକ ଏକ ନିର୍ଜନ ଦ୍ୱୀପରେ ରହି ପ୍ରଶ୍ନ କରିଛି- ବିଜନତା! କାହିଁ ତୋ ବେଶ ମୋହନ?/ଯେ ବେଶେ ମୋହିଲୁ ତୁ ମୁନିନୟନ (ଅନୁବାଦ: ମଧୁସୂଦନ ରାଓ)। ଇଂରେଜ ପ୍ରାବନ୍ଧିକ ଫ୍ରାନ୍‌ସିସ୍‌ ବେକନ ଯଥାର୍ଥରେ କହିଥିଲେ- ଯିଏ ନିର୍ଜନତାରେ ଆନନ୍ଦ ଉପଲବ୍ଧି କରେ ସେ ଏକ ବଣ୍ୟ ପଶୁ କିମ୍ବା ଦେବତା। ସମାଜରେ ବଞ୍ଚି ରହିବାକୁ ହେଲେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼େ। ଏହି ନିର୍ଭରଶୀଳତାରୁ ସୃଷ୍ଟି ହୁଏ ବନ୍ଧୁତା। ଏହି ବନ୍ଧୁତାର ବନ୍ଧନ ଏପରି ଦୃଢ଼ ହୁଏ ଯେ ଦୁର୍ଯ୍ୟୋଧନ ଖଳ ପ୍ରକୃତିର ଲୋକ ହୋଇଥିଲେ ମଧ୍ୟ ତା’ର ବିପଦ ସମୟରେ କର୍ଣ୍ଣ ତାକୁ ତ୍ୟାଗ କରିନାହିଁ। ବିଶିଷ୍ଟ ଇଂରେଜ ଲେଖକ ଇ.ଏମ୍‌. ଫୋଷ୍ଟର କହିଛନ୍ତି ”ନିଜ ଦେଶ ପ୍ରତି ବିଶ୍ୱାସଘାତକତା କରିବା ଓ ବନ୍ଧୁ ପ୍ରତି ବିଶ୍ୱାସଘାତକତା କରିବା ମଧ୍ୟରେ ମୋତେ ଯଦି ବାଛିବାକୁ ହୁଏ, ମୁଁ ଦେଶକୁ ବିଶ୍ୱାସଘାତକତା କରିବାକୁ ପସନ୍ଦ କରିବି। ଫୋଷ୍ଟରଙ୍କ ଏହି ବକ୍ତବ୍ୟକୁ ଦେଶଦ୍ରୋହ କୁହାଯାଇପାରେ। ମାତ୍ର ତାଙ୍କ ଦୃଷ୍ଟିରେ ବନ୍ଧୁତା ହେଉଛି ମହତ୍ତର। ଇଂରେଜ ପ୍ରାବନ୍ଧିକ ବେକନ୍‌ ତାଙ୍କ ପ୍ରବନ୍ଧ ‘ଅଫ୍‌ ଫ୍ରେଣ୍ଡଶିପ୍‌’ରେ ବନ୍ଧୁତାର ଜୟଗାନ କରି କହିଛନ୍ତି, ଜୀବନର ଝଡ଼ଝଞ୍ଜା ସମୟରେ ସାହାଯ୍ୟ କରେ ବନ୍ଧୁ, ବିବ୍ରତ ଅବସ୍ଥାର ଚିନ୍ତାକୁ ପ୍ରଶମିତ କରେ ବନ୍ଧୁ। ବିପଥଗାମୀ ଲୋକକୁ ଠିକ୍‌ ପଥକୁ ଆଣିବା ପାଇଁ ଉଚିତ ପରାମର୍ଶ ଦିଏ ବନ୍ଧୁ। ଜଣେ ସଂସ୍କୃତ କବି ମଧ୍ୟ ଅନୁରୂପ ଭାବରେ କହିଛନ୍ତି-
”ପାପାନ୍ନିବାରୟତି ଯୋଜୟତେ ହିତାୟ
ଗୁହ୍ୟଂ ନିଗୁହ୍ୟତି ଗୁଣାନ୍‌ ପ୍ରକଟୀକରୋତି।
ଆପଦ୍‌ଗତଂ ଚ ନ ଜହାତି ଦଦାତି କାଳେ
ସତ୍‌ମିତ୍ର ଲକ୍ଷଣମିଦଂ ପ୍ରବଦନ୍ତି ଧୀରାଃ।ା“
ଅର୍ଥାତ୍‌ ପଣ୍ଡିତମାନେ ତାକୁ ସତ୍‌ମିତ୍ର କହନ୍ତି ଯିଏ ବନ୍ଧୁକୁ ପାପକର୍ମରୁ ଦୂରେଇ ରଖେ ଓ ହିତକର୍ମରେ ନିୟୋଜିତ କରେ। ବନ୍ଧୁର ଗୁପ୍ତକଥାକୁ ପ୍ରଘଟ କରେନାହିଁ ଓ ତା’ର ସୁଗୁଣକୁ ପ୍ରଚାର କରେ। ବିପଦ ସମୟରେ ତ୍ୟାଗ କରେନାହିଁ ଓ ଆବଶ୍ୟକ ସମୟରେ ଦାନ କରେ।
ଆଜି ସମୟ ବଦଳିଯାଇଛି। କେତେବେଳେ ଧନ ପାଇଁ ତ କେତେବେଳେ ପ୍ରେମ ପାଇଁ ବନ୍ଧୁକୁ ବନ୍ଧୁ ହତ୍ୟା କରିବାକୁ କୁଣ୍ଠାବୋଧ କରୁନାହିଁ। ଅତୀତରେ ବ୍ରୁଟାସ୍‌ ଅନ୍ତରଙ୍ଗ ବନ୍ଧୁ ରୋମ୍‌ ସମ୍ରାଟ ଜୁଲିୟସ ସିଜରଙ୍କୁ ହତ୍ୟା କରିଥିଲେ। ମାତ୍ର ଆଜି ଯେଉଁମାନେ ବନ୍ଧୁକୁ ହତ୍ୟା କରିଛନ୍ତି ସେମାନେ ବ୍ରୁଟାସ୍‌ଠାରୁ ବି ଆହୁରି ହୀନ, କାରଣ ସେଦିନ ବ୍ରୁଟାସ୍‌ ସିଜରଙ୍କ ବିରୋଧୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇଥିଲେ। ତାଙ୍କର ଏକ ଧାରଣା ହୋଇଥିଲା ଯେ ଜୁଲିୟସ୍‌ ସିଜର ଥିଲେ ଏକଚ୍ଛତ୍ରବାଦୀ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ସିଜରଙ୍କୁ ହତ୍ୟା କରିବା ଆବଶ୍ୟକ। ଠିକ୍‌ ହେଉ ବା ଭୁଲ୍‌ ହେଉ ବ୍ରୁଟାସ୍‌ ଅନ୍ତତଃ ଏକ ଆଦର୍ଶବୋଧରେ ଉଦ୍‌ବୁଦ୍ଧ ହୋଇ ବନ୍ଧୁହତ୍ୟା କରିଥିଲେ। ମାତ୍ର ଆଜି ଯେଉଁସବୁ ବନ୍ଧୁହତ୍ୟା ସଂଘଟିତ ହେଉଛି ତା’ ପଛରେ କୌଣସି ଆଦର୍ଶବୋଧ ନାହିଁ, ରହିଛି ସ୍ବାର୍ଥ, ଧନଲିପ୍ସା ଓ ପ୍ରେମ। ବନ୍ଧୁତାର ମହତ୍ତ୍ୱ ସମ୍ପର୍କରେ ଆଖି ଖୋଲିଦିଏ ଗ୍ରୀକ୍‌ କିମ୍ବଦନ୍ତୀ ‘ଡାମୋନ୍‌ ଓ ପିଥିଅସ୍‌’। ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତକର କଥା। ରାଜା ଡାଇଓନିସିଆସ ଡାମୋନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରାଣଦଣ୍ଡ ଦେଇଥିଲେ। ଡାମୋନ୍‌ ଚାହିଁଲେ ମୃତ୍ୟୁ ପୂର୍ବରୁ ସେ ନିଜ ଗାଁକୁ ଯାଇ ତାଙ୍କ ପରିବାରଠାରୁ ଶେଷ ବିଦାୟ ନେଇ ଆସିବେ। ଏଥିପାଇଁ ସେ ପ୍ରାର୍ଥନା କରନ୍ତେ ରାଜା କହିଲେ ଯଦି ତାଙ୍କ ସ୍ଥାନରେ ଆଉ କେହି ଜାମିନରେ ରହିବେ ତାଙ୍କୁ ଛାଡି ଦିଆଯାଇପାରେ। ମାତ୍ର ଠିକ୍‌ ସମୟରେ ନ ପହଞ୍ଚିଲେ ଜାମିନରେ ଥିବା ବ୍ୟକ୍ତିର ମୁଣ୍ଡକାଟ ହେବ। ବିସ୍ମୟର କଥା ଏହିଭଳି ଏକ ଦାରୁଣ ସର୍ତ୍ତ ରକ୍ଷା କରିବା ପାଇଁ ଆଗେଇ ଆସିଲେ ଡାମୋନ୍‌ଙ୍କ ବନ୍ଧୁ ପିଥିଅସ୍‌। ସମସ୍ତେ କହିଲେ ପିଥିଅସ୍‌ ନିର୍ବୋଧ। ମାତ୍ର ନିଜ ବନ୍ଧୁଙ୍କ ଶେଷଇଚ୍ଛା ପୂରଣ କରିବାରେ ସାହାଯ୍ୟ କରିପାରୁଥିବାରୁ ସେ ଥିଲେ ଆନନ୍ଦିତ। ସର୍ତ୍ତ ଅନୁସାରେ ପିଥିଅସ୍‌ ଜାମିନରେ ରହିଲେ ଓ ଡାମୋନ୍‌ ଗାଁକୁ ଗଲେ। ମୃତ୍ୟୁଦଣ୍ଡ ମୁହୂର୍ତ୍ତ ପାଖେଇ ଆସିଲା, ମାତ୍ର ଡାମୋନ୍‌ ଫେରିଲେ ନାହିଁ। ସେଦିନ ପ୍ରଚଣ୍ଡ ବର୍ଷା ହେଉଥିବାରୁ ଡାମୋନ୍‌ଙ୍କ ଆସିବାରେ ବିଳମ୍ବ ହେଉଥାଏ। ଯଥା ସମୟରେ ସର୍ତ୍ତ ଅନୁସାରେ ପିଥିଅସ୍‌ଙ୍କୁ ବଧ୍ୟଭୂମିକୁ ନିଆଗଲା। ସମସ୍ତେ ଭାବୁଥାନ୍ତି ପିଥିଅସ୍‌ ବନ୍ଧୁ ଦ୍ୱାରା ବିଶ୍ୱାସଘାତକତାର ଶିକାର ହୋଇଛନ୍ତି। ଅସଂଖ୍ୟ ଜନତା ଏହି ଦୃଶ୍ୟ ଦେଖିବା ପାଇଁ ସମବେତ ହୋଇଥାନ୍ତି। ପିଥିଅସ୍‌ କାନ୍ଦୁଥାନ୍ତି। ରାଜା ତାଙ୍କ ଜାମିନ ରହିବା ନିଷ୍ପତ୍ତିକୁ ଉପହାସ କରନ୍ତେ ସେ କହିଲେ ମହାରାଜ, ମୋର ଏ ଅଶ୍ରୁ ଦୁଃଖଜନିତ ନୁହେଁ, ଏହା ହେଉଛି କୃତଜ୍ଞତାର ଅଶ୍ରୁ। ଆଜି ମୋର ସୌଭାଗ୍ୟ ଯେ ମୁଁ ମୋର ବନ୍ଧୁଙ୍କ ଜୀବନରକ୍ଷା କରିପାରିଛି। ଆପଣ ନିର୍ଦ୍ୱନ୍ଦ୍ୱରେ ମୋର ଶିରଚ୍ଛେଦ କରନ୍ତୁ। ରାଜକର୍ମଚାରୀ ଶିରଚ୍ଛେଦ କରିବା ପାଇଁ ଉଦ୍ୟତ ହୁଅନ୍ତେ, ଠିକ୍‌ ଏହି ସମୟରେ ଡାମୋନ୍‌ ପହଞ୍ଚିଗଲେ ଓ ପିଥିଅସ୍‌ଙ୍କୁ କୁଣ୍ଢାଇ ପକାଇ କାନ୍ଦି କାନ୍ଦି କହିଲେ, ହେ ଈଶ୍ୱର ଯଦି ମୋର ସାମାନ୍ୟ ବିଳମ୍ବ ହୋଇଥାନ୍ତା ମୋ ବନ୍ଧୁଙ୍କ ଶିରଚ୍ଛେଦ ହୋଇଥାନ୍ତା। ”ସେ ବନ୍ଧୁ ପିଥିଅସ୍‌ଙ୍କ ଜୀବନ ରକ୍ଷା କରିପାରିଥିବାରୁ କୃତଜ୍ଞ ଅନୁଭବ କଲେ। ଦୁଇବନ୍ଧୁଙ୍କ ପରସ୍ପରର ଜୀବନ ରକ୍ଷା କରିବାର ସଙ୍କଳ୍ପ ଭାବବିହ୍ବଳ କରିଦେଇଥିଲା ରାଜା ଡାଇଓନିସିଆସଙ୍କୁ। ସେ ସେମାନଙ୍କ ତୃତୀୟ ବନ୍ଧୁ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହା ହେଉଛି ବନ୍ଧୁତାର ମହତ୍ତ୍ୱ। ଏଣୁ ବନ୍ଧୁତାକୁ କବି ଉଇଲିୟମ୍‌ କାଓପର ଏକ ଦିବ୍ୟଗୁଣ ଭାବରେ ବର୍ଣ୍ଣନା କରିଥିଲେ। ଭକ୍ତକବି ମଧୁସୂଦନଙ୍କ ଭାଷାରେ ‘କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର/ଯାର ପ୍ରାପତି ଯୋଗୁ ଦେବତା ନର।’
(ଅଗଷ୍ଟ ୪ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଉପଲକ୍ଷେ)
ଟିଟିଲାଗଡ଼, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri