ବଡ଼ ଲୋକଙ୍କୁ ଉତ୍ତର ନାହିଁ

ବୈକୁଣ୍ଠନାଥ ମିଶ୍ର
ଘଞ୍ଚ ଜଙ୍ଗଲ ମଧ୍ୟରେ ସୁଉଚ୍ଚ ପାହାଡ଼। ପାହାଡ଼ରୁ କଳକଳ ନାଦ କରି ବହିଆସୁଛି ଚିର ଚଞ୍ଚଳ ଝରଣା। ବନ୍ୟଜନ୍ତୁଙ୍କ ତୃଷା ନିବାରଣର ଏକ ଉତ୍କୃଷ୍ଟ ଉତ୍ସ। ଏକଦା ମୃଗ ଶାବକଟିଏ ପାହାଡ଼ର ପାଦଦେଶରେ ଥିବା ଝରଣାରୁ ପରମତୃପ୍ତିରେ ଜଳ ପାନ କରୁଥିବା ସମୟରେ ପାହାଡ଼ର ଶିଖର ଦେଶରୁ ମହାବଳ ବାଘର ଦୃଷ୍ଟି ତା’ ଉପରେ ପଡିଲା ଓ ଆଖି ପିଛୁଳାକେ ଆସି ମୃଗଶାବକ ସମ୍ମୁଖରେ ଉଭାହେଲା। ବାଘ ତାକୁ ଖାଇବାକୁ ଉଦ୍ୟତ ହେବାରୁ ସେ ଭୟର ସହ କହିଲା, ମୋତେ ଖାଇବା ପୂର୍ବରୁ ଦୟାକରି ମୋ କଥା ଟିକେ ଶୁଣ- ତୁମ ଉଦର ତୁଳନାରେ ମୋ ଶରୀର ଏତେ କ୍ଷୁଦ୍ର ଯେ ମୋ ମାଂସରେ ତୁମ କ୍ଷୁଧା ମେଣ୍ଟିବ ନାହିଁ। ଦ୍ୱିତୀୟତଃ ମୋର କେଉଁ ଅପରାଧ ଯୋଗୁ ତୁମେ ମୋତେ ମାରିବାକୁ ଚାହୁଁଛ? ବାଘ କହିଲା, ତୁ ଏ ଝରଣା ଜଳ ଗୋଳିଆ କଲୁ, ଯେଉଁଥିପାଇଁ ନିର୍ମଳ ଜଳପାନରୁ ମୁଁ ବଞ୍ଚିତ ହେଲି। ମୃଗ ଶାବକ କହିଲା, ତୁମେ କ’ଣ ବୁଦ୍ଧିଭ୍ରଷ୍ଟ ହୋଇଛ? ପାହାଡର ନିମ୍ନଦେଶରେ ମୁଁ ଜଳପାନ କରୁଥିଲି, ତୁମେ ଶୀର୍ଷ ଭାଗରେ ଥିଲ। ମୁଁ ଯଦି ପାଣି ଗୋଳି କରିଥାଏ ତାହା ସ୍ରୋତର ପ୍ରତିକୂଳରେ ଯାଇ ତୁମ ପାଖରେ ପହଞ୍ଚିଲା କିପରି? ବାଘ ଘାବରେଇଯାଇ କହିଲା ତୁ ନ କରିଥିଲେ ତୋ ମା’ କରିଥିବ; ତେଣୁ ମୁଁ ତୋତେ ଖାଇବି। ବିଚରା ମୃଗଶାବକ ଶାନ୍ତ ଭାବରେ ଉତ୍ତର ଦେଲା, ତୁମେ ଯେତେବେଳେ ମୋତେ ଖାଇବା ପାଇଁ ସିଦ୍ଧାନ୍ତ ନେଇସାରିଛ, ମୋ କଥାରେ ତ ତୁମେ ବିରତ ହେବନାହିଁ। ତେବେ ଏତେ ବାହାନା କାହିଁକି? ମୋତେ ଖାଇପାର। ବଡ଼ଲୋକଙ୍କୁ କ’ଣ ଉତ୍ତର ଅଛି?
ଆମ ଦେଶରେ ସମ୍ପ୍ରତି ଏପରି ନ୍ୟାୟ ସର୍ବତ୍ର ପରିଦୃଷ୍ଟ। କମ୍ପାନୀଗୁଡ଼ିକ ଉପରେ କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ଶୁଳ୍କ ଅନାଦାୟ ପଡିଥିବା ବେଳେ ମହାବଳମାନେ ପ୍ରତିଦିନ କ୍ଷୁଦ୍ର ଉପଭୋକ୍ତାଙ୍କୁ ମାରି ଚାଲିଛନ୍ତି। ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ ନ କରି ବ୍ୟାପକ ବିଦ୍ୟୁତୀକରଣ ଓ ଶୁଳ୍କ ଆଦାୟର କଠୋରତା ସାଧାରଣ ଉପଭୋକ୍ତାଙ୍କୁ ନୈରାଶ୍ୟ ମଧ୍ୟକୁ ଠେଲି ଦେଇଛି। ବର୍ତ୍ତମାନ ସୁଦ୍ଧା ଭାରତର ୧୫୪୩୧ଟି ଗ୍ରାମ ବିଦ୍ୟୁତୀକରଣରୁ ବଞ୍ଚିତ। ସେଗୁଡିକ ମଧ୍ୟରୁ ଓଡ଼ିଶାର ୩୨୮୨ଟି ଗ୍ରାମ ଅନ୍ତର୍ଭୁକ୍ତ। ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ନ କରି ଉପଭୋକ୍ତା ସଂଖ୍ୟା ବୃଦ୍ଧିପାଇଲେ ବିଦ୍ୟୁତ୍‌ ଯୋଗାଣ କ୍ଷେତ୍ରରେ ସଙ୍କଟ ଉପୁଜିବା ସୁନିଶ୍ଚିତ। ଅଘୋଷିତ ବିଦ୍ୟୁତ୍‌କାଟ ସହ କ୍ଷୀଣ ଶକ୍ତି ସରବରାହ କ୍ଷୁଦ୍ର ଉପଭୋକ୍ତା ଓ ଚାଷୀକୁଳକୁ ଉଚ୍ଛନ୍ନ କରୁଥିବା ସତ୍ତ୍ୱେ ବିଦ୍ୟୁତ୍‌ ଦେୟ ପୈଠର ଜୁଲମ୍‌ ତାକୁ ପୀଡା ଦେଉଛି। ବିଦ୍ୟୁତ୍‌ ସେବାରୁ ବଞ୍ଚିତ ଗ୍ରାମଗୁଡିକୁ ବିଦ୍ୟୁତ୍‌ ଯୋଗାଣ ସରକାରଙ୍କର ସକ୍ରିୟ ବିଚାରାଧୀନ ଅଛି। ତେଣୁ ଉତ୍ପାଦନ ବୃଦ୍ଧି ଓ ନିରନ୍ତର ସେବାର ଆବଶ୍ୟକତା ରହିଛି। ଏ ଦେଶର ଜନସାଧାରଣଙ୍କ ଅର୍ଥ ତୋଷରପାତ ସ୍ବରୂପ ହଜାର ହଜାର କୋଟି ଠକିନେଇ ବିଜୟ ମାଲ୍ୟା, ନୀରବ ମୋଦିମାନେ ବିଦେଶକୁ ପଳାୟନ କରୁଛନ୍ତି। ବଡ଼ବଡ଼ ରାଜନେତା ଓ ବ୍ୟାଙ୍କ ଉଚ୍ଚ ପଦାଧିକାରୀଙ୍କ ସହ ଶୀତଳ ମଧୁଚନ୍ଦ୍ରିକାରେ ଏହା ସମ୍ଭବ ହୋଇଥିବା ବେଳେ ଏହାର ଉତ୍କଟ ପରିଣତି ସମଗ୍ର ଦେଶବାସୀଙ୍କୁ ଭୋଗିବାକୁ ହେଉଛି। ବ୍ୟାଙ୍କଗୁଡ଼ିକର ସାଧାରଣ କମର୍ର୍ଚାରୀ ଏ ବିଷଜ୍ୱାଳାରୁ ମୁକ୍ତ ନୁହନ୍ତି। ପ୍ରତି ୫ ବର୍ଷରେ ବ୍ୟାଙ୍କ କର୍ମଚାରୀଙ୍କର ବେତନ ସମୀକରଣ ହୁଏ। ୨୦୧୨ରେ ମୂଳ ବେତନର ୧୫% ବର୍ଦ୍ଧିତ ହୋଇଥିବା ବେଳେ ୨୦୧୭ରେ ମାତ୍ର ଦୁଇ ପ୍ରତିଶତ ବୃଦ୍ଧି ଘୋଷଣା ବ୍ୟାଙ୍କ କର୍ମଚାରୀଙ୍କୁ ହତୋତ୍ସାହ କରିଛି। ପୁଣି ବ୍ୟାଙ୍କଗୁଡ଼ିକରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଏହାର କୁଫଳର ଶିକାର ହେଉଛି ବିଚରା ଗ୍ରାହକ। ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ଏଥିପାଇଁ ଦାୟୀ।
ଏହା ଦିବାଲୋକ ପରି ସ୍ପଷ୍ଟ ଯେ, ଏ ଦେଶରେ ସଂଘଟିତ ହେଉଥିବା ସମସ୍ତ ଦୁର୍ନୀତି ମୂଳରେ ରାଜନେତା ଓ ଉଚ୍ଚ ପଦାଧିକାରୀଙ୍କର ପରୋକ୍ଷ ସମ୍ପୃକ୍ତି ନିହିତ। କୌଣସି ଘଟଣାରେ ଜନମତ ପ୍ରବଳ ହେଲେ ତାକୁ ପ୍ରଶମିତ କରିବା ପାଇଁ କିଛି ନିମ୍ନ ପାହ୍ୟାର କର୍ମଚାରୀଙ୍କୁ ଲୋକଦେଖାଣିଆଭାବେ ସାମୟିକ ନିଲମ୍ବନ କରିଦେଲେ କାର୍ଯ୍ୟ ଶେଷ। ନିର୍ମାଣରେ ମାନରକ୍ଷା କରାଯାଇ ନ ଥିବାରୁ ଅଧିକାଂଶ ନଦୀ ପୋଲ, ଫ୍ଲାଏଓଭର ଲୋକାର୍ପଣ ପୂର୍ବରୁ ଅଚଳ ହୋଇ ପଡୁଥିତ୍ବା ଖବରକାଗଜ ପୃଷ୍ଠାରୁ ଜ୍ଞାତ ହେଉଛି। ଏ କ୍ଷେତ୍ରରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ପ୍ରଶ୍ନ ମଧ୍ୟ କରାଯାଉ ନାହିଁ। ବରଂ ପ୍ରବଳ ଜନମତକୁ ପ୍ରଶମିତ କରିବା ପାଇଁ କିଛି କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଉଛି। ଏହା ଅତ୍ୟନ୍ତ ବାସ୍ତବ ଓ ଅନସ୍ବୀକାର୍ଯ୍ୟ ଯେ ସେହି ଅଧସ୍ତନମାନଙ୍କର ସମ୍ପୃକ୍ତି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦିବା କିଛି ସମ୍ପୃକ୍ତି ଥାଏ, ତାହା କେବଳ ଉପରିସ୍ଥ ହାକିମଙ୍କର ଅଲିଖିତ ଆଦେଶର ପ୍ରତିଫଳନ ମାତ୍ର। ପ୍ରଥମେ ଯେତେବେଳେ ଛତିଶଗଡ଼ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କଥା ଜଣାପଡିଲା, ଓଡ଼ିଶାର ତଦାନୀନ୍ତନ ଜଳସମ୍ପଦ ସଚିବ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ଆମ ମହାନଦୀର ଏକବୁନ୍ଦା ଜଳ ଛତିଶଗଡ଼ ନେବାର ପ୍ରଶ୍ନ ଉଠୁନାହିଁ। ତେଣୁ ଓଡ଼ିଶାବାସୀ ଭୟଭୀତ ହେବାର କାରଣ ନାହିଁ। କିନ୍ତୁ ବାସ୍ତବ ସ୍ଥିତି ଆଜି ଆମେ ପ୍ରତ୍ୟକ୍ଷ କରୁଛୁ।
ଶିକ୍ଷାବର୍ଷର ଚାରିମାସ ଅତିକ୍ରାନ୍ତ ହେଲା ପରେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ଯୋଗାଇ ନ ଦିଆଯିବା ଏକ ସାଧାରଣ ଘଟଣା। ଅଥଚ ପାଠପଢା ନ ହେବା ପାଇଁ ଶିକ୍ଷକଙ୍କୁ ଦାୟୀ କରାଯାଏ। ବିଦ୍ୟାଳୟ ଗୃହନିର୍ମାଣ ନିମ୍ନମାନର ହେବା ଶିକ୍ଷା କମିଟି, ଠିକାଦାର ଓ ବ୍ଲକ କନିଷ୍ଠଯନ୍ତ୍ରୀଙ୍କ ଅସାଧୁମେଣ୍ଟର ଫଳ ହେଲେ ମଧ୍ୟ ଛାତ ଭୁଶୁଡି କିଛି ଦୁର୍ଘଟଣା ଘଟିଲେ ବିଚରା ପ୍ରଧାନଶିକ୍ଷକଟି ବଳିପଡ଼େ। ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହେବା ମୂଳରେ କିଛି ଅସାଧୁ ଅଭିଭାବକ ଓ ତାଙ୍କୁ ପ୍ରୋତ୍ସାହିତ କରୁଥିବା ଦାୟିତ୍ୱରେ ଥିବା କିଛି ପୋଲିସ ଅଧିକାରୀ ଓ ପରୀକ୍ଷାକେନ୍ଦ୍ରର କିଛି ଲାଞ୍ଚଖୋର ଶିକ୍ଷକଙ୍କ ମିଳିତ ମହାମେଣ୍ଟ ଦାୟୀ ହେଲେ ମଧ୍ୟ ବିଚରା କୋମଳମତି ପିଲାମାନଙ୍କର ପରୀକ୍ଷା ଫଳ ବାତିଲ କରାଯାଉଛି, ଯେଉଁମାନଙ୍କ ମଧ୍ୟରେ କିଛି ମେଧାବୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି। ଚିଟ୍‌ଫଣ୍ଡ ଠକେଇ ଆମ ରାଜ୍ୟର ଏକ କଳଙ୍କ। ଚିଟ୍‌ଫଣ୍ଡ କମ୍ପାନୀଗୁଡ଼ିକ ରାଜନେତା ଓ ବରିଷ୍ଠ ଅଧିକାରୀଙ୍କ ଅନୁଗ୍ରହରେ ସାଧାରଣ ଜନତାର କଷ୍ଟଲବ୍ଧ ଧନକୁ ଆତ୍ମସାତ୍‌ କରି ମୁକ୍ତ ବିଚରଣ କରୁଥିବା ବେଳେ କମ୍ପାନୀମାଲିକ କିମ୍ବା ତାଙ୍କୁ ପ୍ରୋତ୍ସାହନ ଦେଇଥିବା ନେତା, ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ କେହି ବି ସାମାନ୍ୟ ଅନୁକମ୍ପା ପ୍ରଦର୍ଶନ କରୁନାହାନ୍ତି। ଫଳତଃ ନିବେଶକଟି ଅସୀମ ମାନସିକ ଯନ୍ତ୍ରଣାରେ ଦଗ୍ଧ ହେଉଛି।
ମଦ ଉତ୍ପାଦନ, ଆମଦାନି ଓ ବିକ୍ରିକୁ ନିଷିଦ୍ଧ ନ କରି ମଦ୍ୟପଙ୍କ ଦୌରାତ୍ମ୍ୟ ଯୋଗୁ ଦୁର୍ଘଟଣା ଓ ସାମାଜିକ ନିରାପତ୍ତା ବିପନ୍ନ ହେଉଛି ବୋଲି ଚିତ୍କାର କରିବା ନିହାତି ହାସ୍ୟାସ୍ପଦ। ସେହିପରି ପ୍ଲାଷ୍ଟିକ ଉତ୍ପାଦନକୁ ନିଷେଧ ନ କରି ତା’ର ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ କିଛି ଲାଭ ନାହିଁ। କମ୍ପାନୀ ବନ୍ଦ ହେଲେ ଉତ୍ପାଦ ବଜାରରେ ଉପଲବ୍ଧ ହେବନାହିଁ କି ଲୋକେ ତା’ ପ୍ରତି ଆକ୍‌ୃଷ୍ଟ ହେବେ ନାହିଁ। ଗୁଟ୍‌ଖା ଉତ୍ପାଦନ ନିଷିଦ୍ଧ ନ କରି ଏହାର ଖୋଳ ଉପରେ ବୈଧାନିକ ସତର୍କତା ଆଳରେ ଯେତେ ଭୟଙ୍କର ଚିତ୍ର ଆଙ୍କିଲେ ମଧ୍ୟ ଏହା ବ୍ୟବହାରକାରୀଙ୍କୁ ଆଦୌ ପ୍ରଭାବିତ କରୁନାହିଁ। ପରୋକ୍ଷରେ ସରକାରୀ ପ୍ରୋତ୍ସାହନପ୍ରାପ୍ତ କମ୍ପାନୀଗୁଡ଼ିକ ସମାଜକୁ ବିଷଜ୍ୱାଳାରେ ଭରପୂର କରିସାରିଲେଣି। କମ୍ପାନୀଗୁଡ଼ିକର ଧନ ଲାଳସା ଓ ସେଥିପାଇଁ ସରକାରୀ ବାବୁମାନଙ୍କର ପ୍ରୋତ୍ସାହନ ସାଧାରଣଙ୍କ ବିନାଶ ମାର୍ଗକୁ ସୁଗମ କରୁଛି। ଗରିବୀ ଶୋଷଣ ମାଧ୍ୟମରେ ଅର୍ଥ କ୍ଷମତାର ଶୀର୍ଷରେ ଉପନୀତ ହେବା ପାଇଁ ଚାଲିଥିବା ଅପ୍ରକାଶ୍ୟ ପ୍ରତିଯୋଗିତା ଏ ଦେଶର ସାଧାରଣ ଜନତାଙ୍କୁ ହତଚକିତ କରିଛି। ଓଡ଼ିଶାରେ ଅବସ୍ଥାପିତ ଜଣେ ତାମିଲ ଅଧିକାରୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ସାଢେ ସାତହଜାର କୋଟି ଏବଂ ସେ ତାମିଲନାଡୁର ଶ୍ରେଷ୍ଠ ନବମ ଧନୀବ୍ୟକ୍ତି ବୋଲି ନିକଟରେ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଏହା ସତ୍ୟ ହୋଇଥିଲେ ସାଂଘାତିକ। କାରଣ ଏ ବିପୁଳ ସମ୍ପତ୍ତିର ସିଂହଭାଗ ଓଡ଼ିଶାର, ଯାହାକୁ ସେ ଅତି ଚତୁରତାର ସହ ଲୁଟିଛନ୍ତି। ଏ ଦେଶର ମନ୍ତ୍ରୀ, ବିଧାୟକ ଓ ପାର୍ଲାମେଣ୍ଟ ସଦସ୍ୟଙ୍କ ସମ୍ପତ୍ତି ଆହରଣର ପୌନଃପୁନିକତା ସମସ୍ତ ଗାଣିତିକ ସୂତ୍ରର ଊର୍ଦ୍ଧ୍ୱରେ। ଦୁର୍ନୀତି ନିବାରଣ ସଂସ୍ଥା କ୍ଷୁଦ୍ର ଅଧିକାରୀମାନଙ୍କୁ କୌଶଳରେ ଜାଲ ବିଛାଇ କାବୁ କରୁଥିବା ବେଳେ କୌଣସି ସଂସ୍ଥା ଉଚ୍ଚ ପଦାଧିକାରୀ ଓ ସେମାନଙ୍କ ଶାସନ ମୁଖ୍ୟଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଗରିବ ଜୀବନଧାରଣ ପାଇଁ ସଂଗ୍ରାମ କରୁଥିବା ବେଳେ ଏମାନଙ୍କ ଧନରାଶି ସୀମାତୀତ ଭାବେ ବୃଦ୍ଧି ପାଇଚାଲିଛି।
ସବୁ ଧର୍ମଶାସ୍ତ୍ରରେ ଧନ ଉପାର୍ଜନ ପାଇଁ ସୀମାଧାର୍ଯ୍ୟ କରାଯାଇଛି। ଯେପରି ବେଦ କହେ-ଧନ ଉପାର୍ଜନ ସମୟରେ ପରଦୁଃଖ ପ୍ରତି ଉଦାସୀନ ହେବା ଉଚିତ ନୁହେଁ। ସ୍ବଭାବ କବି ଗଙ୍ଗାଧର ମେହେର କହନ୍ତି- ”ଧନ ନୀରବେ ଆସିବୁରେ ଗରବ ନ ଦେବୁ ମନେ, ବିରତ ନ କରି ଅବିରତ ଥିବୁ ବିବେକ ଅନୁମୋଦନେ। ପଡିଲେ ତୋ ପାଦ ଦେବି ଧନ୍ୟବାଦ ତୋଷିବି ମୁଁ ସମାଜରେ, କିନ୍ତୁ ଏ ଜଗତେ ଅନ୍ୟକୁ ବା ମୋତେ ନ ପେଲିବୁ ପ୍ରମାଦରେ।“
ନିଜ ପାଇଁ ଓ ଅନ୍ୟ ଲାଗି ବିପଦ ସୃଷ୍ଟି କରି ଧନ ଅର୍ଜନ କରିବାକୁ କବି ବାରଣ କରିଛନ୍ତି। ସବଳ ବିରୋଧରେ କେହି ତୁଣ୍ଡ ଖୋଲନ୍ତି ନାହିଁ। ମହାବଳମାନେ ପ୍ରତ୍ୟହ ନିରୀହ ମୃଗଶାବକମାନଙ୍କୁ ଶିକାର କରିବାରେ ଲାଗିଛନ୍ତି। ହେଲେ ବଡ଼ ଲୋକଙ୍କୁ ଉତ୍ତର ନାହିଁ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri