ପିତା-ପୁତ୍ର ସମ୍ପର୍କ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

“ବାପା ଓ ପୁଅ ମଧ୍ୟରେ ସବୁବେଳେ କଠିନ ପ୍ରତିଯୋଗିତା ଚାଲିଥାଏ; ଜଣେ କ୍ଷମତା ସକାଶେ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟ ଜଣକ ସ୍ବାଧୀନତା ପାଇଁ ଚେଷ୍ଟାକରେ।“
-ସାମୁଏଲ ଜନ୍‌ସନ (ସୁପରିଚିତ ନାମ-ଡକ୍ଟର ଜନ୍‌ସନ, ୧୭୦୯-୧୭୮୪)।
ବ୍ରିଟିଶ ଲେଖକ ଓ ସାହିତ୍ୟ ସମାଲୋଚକ ଡକ୍ଟର ଜନ୍‌ସନଙ୍କ ଉଦ୍ଧୃତିରେ ପ୍ରତିଫଳିତ ପିତା-ପୁତ୍ର ମଧ୍ୟରେ ରହିଥିବା ଅସ୍ବସ୍ତିକର ସମ୍ପର୍କ।
ଜବାହରଲାଲ ନେହେରୁ ଇଂଲଣ୍ଡରେ ଅଧ୍ୟୟନ କରୁଥିବା ବେଳେ ଥରେ ତାଙ୍କ ବାପା ମୋତିଲାଲ ନେହେରୁଙ୍କଠାରୁ ଗୋଟିଏ ଅପ୍ରତ୍ୟାଶିତ ପତ୍ର ପାଇଲେ। ସେଥିରେ ଲେଖାଥିଲା, ‘ତୋର ପାଠପଢ଼ା ନିମନ୍ତେ ଆବଶ୍ୟକ ମୁତାବକ ଅର୍ଥ ପଠାଉଛି। ହେଲେ ସେହି ଅର୍ଥ ତୁ କିଭଳି ଭାବେ ଖର୍ଚ୍ଚ କରୁଛି ତାହା ମୁଁ ଜାଣିପାରୁନାହିଁ। ଗୋଟିଏ ଗୋଟିଏ ପଇସା ତୁ କିଭଳି ବ୍ୟୟ କରୁଛୁ, ମୁଁ ଜାଣିବାକୁ ଚାହୁଁଛି। ଏଣିକି ତୁ ତୋର ଖର୍ଚ୍ଚର ଟିକିନିଖି ବିବରଣୀ ମୋ ନିକଟକୁ ପଠାଇବୁ। ଏହା ଅତି ଜରୁରୀ ବୋଲି ଭାବିବୁ।’ଜବାହରଙ୍କୁ ଏହି ଚିଠିଟି ଅତ୍ୟନ୍ତ ବ୍ୟଥିତ କଲା। ଅପବ୍ୟୟ କରୁଥିବା ସନ୍ଦେହକରି ବାପା ତାଙ୍କୁ ନିବର୍ତ୍ତାଇବାକୁ ଏମିତି ସନ୍ଦେଶ ଦେଇଛନ୍ତି ବୋଲି ସେ ଦୁଃଖିତ ହେଲେ। ଗଭୀର ମନସ୍ତାପରେ ସେ ମୋତିଲାଲଙ୍କୁ ନିଜ ସ୍ବାଭିମାନ ବଜାୟ ରଖିବାକୁ ଯେଉଁ ଉତ୍ତର ଦେଇଥିଲେ, ତାହା ହେଉଛି, ‘ଯଦି ମୋ ଉପରେ ବିଶ୍ୱାସ ନାହିଁ ତେବେ ଏଣିକି ଆଉ ପଇସା ପଠାଇବେନି। ମୁଁ ଅନ୍ୟ ବ୍ୟବସ୍ଥା କରି ନିଜ ଖର୍ଚ୍ଚ ଉଠାଇବି। ସେ ଭରସା ମୋର ଅଛି। ଆଉ ଯଦି ନିଜ ଖର୍ଚ୍ଚ ଉଠାଇବାରେ ସକ୍ଷମ ନ ହୁଏ ତା’ହେଲେ ବିଦେଶ ଛାଡ଼ି ଦେଶକୁ ଫେରିଯିବି। ଏହା ମୋର ନିଷ୍ପତ୍ତି।’
ପୁଅର ଏହି ପତ୍ର ପାଇ ମୋତିଲାଲ ବୁଝିଗଲେ ଯେ, ତାଙ୍କ ଚିଠି ଦ୍ୱାରା ପୁଅ ମର୍ମାହତ। ପୁଅ କାଳେ ବିଦେଶରେ ସ୍ବାଧୀନ ଭାବେ ରହି ବିଳାସବ୍ୟସନରେ ମାତିବ ଓ ବିପଥଗାମୀ ହୋଇଯିବ ବୋଲି ଭୟ ବା ସନ୍ଦେହରେ ସେ ପରୋକ୍ଷ ଭାବେ ଏକ ସତର୍କବାଣୀ ଶୁଣାଇବାକୁ ଚାହୁଁଥିଲେ। ଏହା ଜଣାଶୁଣା ଯେ, ଏପରି ଦୃଷ୍ଟାନ୍ତ ସମାଜରେ ପରିଦୃଷ୍ଟ ହୁଏ ଏବଂ ଏମିତି ପରିବେଶରେ ସନ୍ତାନମାନେ କେମିତି କୁଳାଙ୍ଗାର ହୋଇ ସାରା ବଂଶର ମର୍ଯ୍ୟାଦାହାନି ଘଟାଇଥାନ୍ତି, ତାହା ତାଙ୍କର ମୁରବିମାନଙ୍କୁ ଆଗୁଆ ପଦକ୍ଷେପ ନେବାକୁ ପ୍ରେରିତ କରିଥାଏ। ତା ଯୋଗୁ ଯେମିତି ଅନାଦୃତ ହୁଏ, ପୁଅର ଭବିଷ୍ୟତ ସେମିତି ହୋଇପାରେ।
ତେଣୁ ଯେକୌଣସି ବାପା ଏହି ବିଷୟରେ ସଚେତନହେବା କଦାପି ଗର୍ହିତ ହୋଇ ନ ପାରେ। କିନ୍ତୁ ସୂକ୍ଷ୍ମାନୁଭବୀ ଜବାହର ବାପାଙ୍କର ପ୍ରକୃତ ଆନ୍ତରିକ ଉଦ୍ଦେଶ୍ୟ ହୃଦୟଙ୍ଗମ ନ କରି ପ୍ରତିକ୍ରିୟାଶୀଳ ହେଲେ। ଅବଶ୍ୟ ମୋତିଲାଲ ପରିସ୍ଥିତିକୁ ଜଟିଳ ହେବାକୁ ନ ଦେଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଉଦ୍ଦେଶ୍ୟରେ ପୁଅକୁ ଜଣାଇଲେ, ‘ମୁଁ ପଠାଇଥିବା ପତ୍ର ତୋର ସ୍ବାଭିମାନ ଉପରେ ଆଞ୍ଚ ଆଣିବା ପାଇଁ ଉଦ୍ଦିଷ୍ଟ ନ ଥିଲା କି ତୋ ଠାରୁ ପତ୍ର ପାଇ ମୁଁ ଦୁଃଖିତ ହୋଇନି। ମୁଁ କେବଳ ଏତିକି କହିବାକୁ ଚାହୁଁଥିଲି କେତେ ଟଙ୍କା ଖର୍ଚ୍ଚ ହେଉଛି। ସେହି ଅନୁଯାୟୀ ପ୍ରତି ମାସରେ ସେତିକି ପରିମାଣରେ ଅର୍ଥ ପ୍ରଦାନ ପାଇଁ ବ୍ୟବସ୍ଥା କରିବି।’
ପିତା-ପୁତ୍ର ମଧ୍ୟରେ ମନୋମାଳିନ୍ୟ ଅନେକ ଦୃଷ୍ଟାନ୍ତରେ ପରିଦୃଷ୍ଟ ହୁଏ। ତେବେ ଏହା ସାମୟିକ ହେବ ନା ସ୍ଥାୟୀ, ତାହା ପ୍ରତି କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ। ଆମମାନଙ୍କ ମଧ୍ୟରୁ ଅନେକେ ଯେଉଁ ସମସ୍ୟା ଦ୍ୱାରା ଅନେକ ସମୟରେ ସନ୍ତୁଳିତ ହେଉ, ତାହାର ଆଭାସ ନିମ୍ନ ଉକ୍ତିରୁ କେତେକାଂଶରେ ମିଳେ । ”ମୁଁ ଯେତେବେଳେ ପିଲା ଥିଲି, ବାପା ଯାହା ଚାହୁଁଥିଲେ ତାହା କରୁଥିଲି। ବର୍ତ୍ତମାନ ମୁଁ ମୋ ପୁଅ ଯାହା କହୁଛି, ତାହା କରିବାକୁ ବାଧ୍ୟ। ମୋର ସମସ୍ୟା ହେଉଛି ମୁଁ ମୋ ଜୀବନରେ ଆଉ କେବେ ମୋ ମନ ମୁତାବକ କାମ କରିବି ?“ ଆମେରିକାର ହାସ୍ୟରସ ସ୍ରଷ୍ଟା ଲେଖକ ସାମ୍‌ ଲେଭେନ୍‌ସନ (୧୯୧୧-୧୯୮୦) ଏଥିରେ ଉଲ୍ଲେଖ କରିଛନ୍ତି, କିପରି ପରିବାର ସମ୍ଭାଳୁଥିବା ଜଣେ ବ୍ୟକ୍ତି ନିଜ ମାନସିକ ଭାରସାମ୍ୟ ରକ୍ଷା କରିବାରେ ଦ୍ୱନ୍ଦ୍ୱରେ ପଡ଼ିଥାଏ। ପ୍ରତ୍ୟେକ ମଣିଷ ନିଜ ସ୍ବାଧୀନତା ପାଇଁ ଆତୁର। କିନ୍ତୁ ସାମାଜିକ ବନ୍ଧନ ଓ ପାରିବାରିକ ସମ୍ପର୍କ କାରଣରୁ ଏହା ଅବାଧ ଓ ସମସ୍ୟାମୁକ୍ତ ହୋଇପାରେ ନାହିଁ। ଏହି ପରିପ୍ରେକ୍ଷୀରେ ପିତା-ପୁତ୍ର ସମ୍ବନ୍ଧ ଉପରେ ଅଧିକ ଆଲୋକପାତ କରିବା ସମୀଚୀନ।
ଫ୍ରାଞ୍ଜ କାଫକା ତତ୍କାଳୀନ ବୋହେମିଆର ରାଜଧାନୀ ପ୍ରାଗ୍‌ରେ (ସମ୍ପ୍ରତି ଚେକ୍‌ ରିପବ୍ଲିକର ରାଜଧାନୀ) ୧୮୮୩ରେ ଏକ ଇହୁଦୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଏହି ବିଖ୍ୟାତ ଔପନ୍ୟାସିକ, ଗାଳ୍ପିକ ଜଣକ କମ୍‌ ବୟସରେ ୧୯୨୪ରେ ପ୍ରାଣତ୍ୟାଗ କରିଥିଲେ। ତାଙ୍କ ଲେଖାରେ ନିଃସଙ୍ଗତା, ଅପରାଧବୋଧ, ଅସଂଗତି ପରି ଭାବନା ଓ ଘଟଣା ପରିସ୍ଫୁଟ। ସେଥିରେ ବର୍ଣ୍ଣିତ ଅନନ୍ୟ ଘଟଣା ଓ ବାତାବରଣକୁ ଲକ୍ଷ୍ୟ କରି ସାହିତ୍ୟ-ସମାଲୋଚକମାନେ ‘କାଫ୍‌କେସ୍କ’ ନାମକ ଏକ ନୂତନ ଶବ୍ଦ ବାହାର କରିଛନ୍ତି। ତାଙ୍କ ରଚନାଗୁଡ଼ିକରେ ସ୍ବତନ୍ତ୍ରତା ସହଜେ ବାରିହୁଏ।
ଏତାଦୃଶ ବିଚିତ୍ର ସୃଷ୍ଟି ସମ୍ଭାରର ସ୍ରଷ୍ଟା କାଫକାଙ୍କ ସଫଳତାର ରହସ୍ୟ ବୁଝିବା ପାଇଁ ତାଙ୍କ ଆଦ୍ୟଜୀବନ ବିଚାର କରିବା ଯଥାର୍ଥ। ମଧ୍ୟବର୍ଗୀୟ ପରିବାରର ସଦସ୍ୟ କାଫକାଙ୍କ ସମ୍ପର୍କ ନିଜ ପିତାଙ୍କ ପ୍ରତି ସହଜ ନ ଥିଲା। ୬ଜଣ ଭାଇଭଉଣୀଙ୍କ ମଧ୍ୟରେ ଫ୍ରାଞ୍ଜ କାଫକା ଥିଲେ ସବୁଠାରୁ ବଡ଼। ବାପାଙ୍କ ସମ୍ବନ୍ଧରେ ଫ୍ରାଞ୍ଜ ଯେଉଁ ଚିତ୍ର ପ୍ରଦାନ କରିଛନ୍ତି, ତାହା ହେଉଛି, ‘ତାଙ୍କ ପିତା ହରମାନଙ୍କ ନିକଟରେ ଥିଲା ଶାରୀରିକ ବଳିଷ୍ଠତା, ସ୍ବାସ୍ଥ୍ୟ, ଖାଦ୍ୟପ୍ରିୟତା, ଉଚ୍ଚ ସ୍ବର, ବାକ୍‌ପଟୁତା, ଆତ୍ମସନ୍ତୋଷ, ସାଂସାରିକ ପ୍ରଭୁତା, ସହନଶୀଳତା ଉପସ୍ଥିତ ବୁଦ୍ଧି ଓ ମଣିଷମାନଙ୍କ ସ୍ବଭାବ ବିଷୟରେ ଜ୍ଞାନ। ତେଣୁ ସେ ଜଣେ ‘ପ୍ରକୃତ କାଫକା’। ଫ୍ରାଞ୍ଜ କାଫକାଙ୍କ ଜୀବନୀ ଲେଖକ ଷ୍ଟାନ୍‌ଲେ କର୍ନଗୋଲ୍ଡ ହରମାନଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି ଯେ, ତାଙ୍କର ଥିଲା ପ୍ରଶସ୍ତ ଆକୃତି, ସେ ଥିଲେ ସ୍ବାର୍ଥପର, ସେ ନିଜ କର୍ତ୍ତୃତ୍ୱ ବିସ୍ତାର କରିବାକୁ ଚେଷ୍ଟିତ ଥାନ୍ତି। ତତ୍‌ ସହ ତାଙ୍କ ପିତାମାତା ନିଜ ବ୍ୟବସାୟିକ ଉନ୍ନତି ପାଇଁ ବ୍ୟସ୍ତ ରହନ୍ତି। ଫ୍ରାଞ୍ଜଙ୍କ ଲାଳନ ପୋଷଣ ଦାୟିତ୍ୱ ଧାଈମାନେ ତୁଲାନ୍ତି। ଫଳରେ ତାଙ୍କ ପାରିବାରିକ ସମ୍ପର୍କ ଆତ୍ମୀୟତା ଓ ଆନ୍ତରିକତାରୁ ବଞ୍ଚିତ ଥିଲା।
ଏତାଦୃଶ ଅସଂଲଗ୍ନ ଭାବେ ପରିବାରରେ ରହୁଥିବା ଫ୍ରାଞ୍ଜ ଦୁର୍ଭାଗ୍ୟବଶତଃ କମ୍‌ ବୟସରେ କନିଷ୍ଠ ଦୁଇ ଭାଇଙ୍କୁ ହରାଇଲେ। ନିଜ ମାନସିକ ବିଷର୍ଣ୍ଣତା ବିଶ୍ଳେଷଣ କରିବାକୁ ଯାଇ ସେ ପିତାଙ୍କ ପ୍ରତି ମନରେ ଥିବା ଅପ୍ରସନ୍ନତା ଓ ଅଭାବବୋଧ ଗୋଟିଏ ପତ୍ର ଦ୍ୱାରା ଜଣାଇଥିଲେ। ଶତାଧିକ ପୃଷ୍ଠାବ୍ୟାପୀ ଏହି ଚିଠିରେ ବାପା ଯେମିତି ତାଙ୍କଠାରୁ ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଦାବି କରୁଥିଲେ ଓ ଏହା ପୂରଣ କରିବା ପାଇଁ ଅନିବାର୍ଯ୍ୟ ଆବଶ୍ୟକତା ଉପରେ ଜୋର ଦେଉଥିଲେ, ତାହା ମର୍ମସ୍ପର୍ଶୀ ଭାବେ ଚିତ୍ରିତ। (ଦ୍ରଷ୍ଟବ୍ୟ: ଫ୍ରାଞ୍ଜ କାଫକା-ଏ ବାଇଓଗ୍ରାଫି, ମାକ୍ସ ବ୍ରଡ୍‌, ୧୯୬୦, ୧୫-୧୬ ପୃଷ୍ଠା)। ଫ୍ରାଞ୍ଜଙ୍କ ଉପରୋକ୍ତ ‘ଲେଟର ଟୁ ହିଜ୍‌ ଫାଦର’ (ବ୍ରିଫ୍‌ ଏନ୍‌ଡେନଭାଟେର) ଉପରେ ଏହା ହେଉଛି ଜଣେ ବିଜ୍ଞ ସମାଲୋଚକ (ମାକ୍ସ ବ୍ରଡ୍‌)ଙ୍କ ଟିପ୍ପଣୀ।
ଅବଶ୍ୟ ବାପା-ପୁଅ ମଧ୍ୟରେ ଏହି ଅସାମଞ୍ଜସ୍ୟକୁ କେହି କେହି ସକାରାତ୍ମକ ଢଙ୍ଗରେ ବିଚାର କରିପାରନ୍ତି। ହୁଏତ ସେମାନେ ମତପୋଷଣ କରିବେ ଯେ, ଏହି ଅମେଳ ବିଶ୍ୱ-ସାହିତ୍ୟର ବିଭବକୁ ସମୃଦ୍ଧ କଲା। ତଥାପି ଯେଉଁ ମୌଳିକ ପ୍ରଶ୍ନଟି ଆମକୁ ଆନ୍ଦୋଳିତ କରିପାରେ, ତାହା ବ୍ରିଟିଶ ସାହିତି୍ୟକ ଏଭେଲିନ୍‌ ବାଗ୍‌ଙ୍କ (୧୯୦୩-୧୯୬୬)ଙ୍କ ବିଶ୍ୱାସକୁ ନେଇ। ”ନିମନ୍ତ୍ରଣକାରୀ ଓ ଅତିଥି ମଧ୍ୟରେ ସବୁଠାରୁ ସୁଖଦାୟକ ଘଟଣାଟିଏ କେମିତି ବର୍ଣ୍ଣନା କରିବା ?
ଏହା ଜାଣିବା ଓ ଦେଖିବା ସକାଶେ ପିତା ଓ ପୁତ୍ର ମଧ୍ୟରେ ସମ୍ପର୍କକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଉ।“ ପ୍ରଶ୍ନ ଉଠୁଛି : ଉଦ୍ଧୃତି ଅନୁରୂପ ଏହା କ’ଣ ସତରେ ଠିକ୍‌ ନା ଏକ ଅଳିକ କଳ୍ପନା? ବାପା-ପୁଅ ସମ୍ପର୍କ କ’ଣ ବିଶୁଦ୍ଧ ମଧୁର ? ଏହା ବିଶ୍ଳେଷଣ ସାପେକ୍ଷ।

ମୋ:୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri