ପାପପୁଣ୍ୟର ଦ୍ୱନ୍ଦ୍ୱ

ରମେଶ ଚନ୍ଦ୍ର ସାମଲ
କଥାରେ ଅଛି-ଲାଉ ଲଗେଇଲେ ଚଣା ଫଳେନା କିମ୍ବା ଚଣା ଲଗେଇଲେ ଲାଉ ଫଳେନା। କର୍ମ ନେଇ ଫଳ। ଆଜି କରିଥିବା କର୍ମର ଫଳ ଆଜି, କାଲି, ଏହି ଜନ୍ମରେ କିମ୍ବା ପରଜନ୍ମରେ, ନ ହେଲେ କେତେ ଜନ୍ମ ପରେ ଭୋଗ କରିବାକୁ ପଡ଼ିଥାଏ। ଶତପୁତ୍ରର ଜନନୀ ଗାନ୍ଧାରୀଙ୍କୁ ତାଙ୍କର ପୂର୍ବ ଅଷ୍ଟମ ଜନ୍ମରେ ପିଲାଦିନେ କରିଥିବା ପାପର ଫଳ ଭୋଗିବାକୁ ପଡ଼ିଥିଲା। ଶୋକରେ ଅଧୀରା ଗାନ୍ଧାରୀଙ୍କୁ ଭଗବାନ ଶ୍ରୀକୃଷ୍ଣ ସାନ୍ତ୍ୱନା ଦେବାବେଳେ କହିଥିଲେ, ମାତଃ! ତୁମେ ଏକ ଜନ୍ମରେ କୌତୂହଳବଶତଃ ଦିନେ ସମୁଦ୍ରକୂଳରେ ବୁଲୁ ବୁଲୁ କଇଁଛ ଅଣ୍ଡାଗୁଡିକ ଗୋଡ଼ରେ ଚକଟି ନଷ୍ଟ କରିଦେଇଥିଲ। ଏହି ପାପର ଫଳ ତୁମକୁ ଏ ଜନ୍ମରେ ମିଳିଲା। ତୁମେ ମଧ୍ୟ ତୁମ ପୁଅକୁ ଯୁଦ୍ଧକୁ ଗଲାବେଳେ ଆଶିଷ ଦେଇଥିଲ- ”ଯାଅ ବୀର ରଣେ ଧରଣୀବକ୍ଷୁଁ ପାପରାଶି ହେଉ କ୍ଷୟ। ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ।“ ତୁମର ପୁତ୍ରମାନେ ଅଧର୍ମରେ ରହି ଯୁଦ୍ଧ କରୁଥିବାରୁ ନାଶ ଗଲେ।
ମନରେ ପ୍ରଶ୍ନ ଉଠେ- ଭଲମନ୍ଦ ପାପପୁଣ୍ୟ କ’ଣ? ଯେଉଁ କାମ କଲେ ନିଜର ମଙ୍ଗଳ ହେବା ସହିତ ଜନସମାଜର ମଙ୍ଗଳ ହୁଏ ତାହା ମହତ୍‌ ଓ ପୁଣ୍ୟ କାର୍ଯ୍ୟ। ଅପରପକ୍ଷରେ ଯେଉଁ କାମ ଦ୍ୱାରା ଅନ୍ୟର କ୍ଷତି ଓ ଅମଙ୍ଗଳ ହୁଏ ତାହା ଖରାପ ଓ ପାପ କାମ। ଆଧ୍ୟାତ୍ମିକ ଦୃଷ୍ଟିରୁ ପାପ ନ କରି କାହା ପ୍ରତି ପାପ ମନୋଭାବ ରଖିବା ମଧ୍ୟ ପାପ। ପାପପୁଣ୍ୟର ସଂଜ୍ଞା ସବୁ ଦେଶରେ ଊଣାଅଧିକେ ସମାନ। ସବୁ ଧର୍ମରେ ହିଂସା ନ କରିବାକୁ ଉପଦେଶ ଦିଆଯାଇଥାଏ। କିନ୍ତୁ କେତେକ ଧର୍ମରେ ନିଜର ଧର୍ମ ରକ୍ଷା କରିବାକୁ ବା ବୃହତ୍ତର ସମାଜକଲ୍ୟାଣ ପାଇଁ ଆବଶ୍ୟକ ହେଲେ ଯୁଦ୍ଧ କରିବାକୁ ମଧ୍ୟ ଉପଦେଶ ଦିଆଯାଏ। ଏହାକୁ ଧର୍ମଯୁଦ୍ଧ କୁହାଯାଏ। ସବୁ ଦେଶରେ ଯେ କେହି ଅପରାଧ କଲେ ଏହା ବିଚାର କରାଯାଇ ଦେଶର ନିୟମ ଅନୁଯାୟୀ ଦଣ୍ଡ ଦିଆଯାଏ। ନିଜେ ଅପରାଧ ନ କରି ଏଥିପାଇଁ କାହାକୁ ପ୍ରବର୍ତ୍ତାଇଲେ କିମ୍ବା ଦୋଷୀକୁ ତା’ର ଅପରାଧ କାମରେ ପ୍ରତ୍ୟକ୍ଷ ବା ପରୋକ୍ଷ ସାହାଯ୍ୟ କଲେ ତାହାକୁ ମଧ୍ୟ ଅପରାଧ ବୋଲି ବିବେଚନା କରାଯାଏ। ସତ୍ୟ, ଧର୍ମ, ନ୍ୟାୟ ଓ ସମାଜର ସମୂହ ମଙ୍ଗଳ ପାଇଁ ବେଳେ ବେଳେ କଣ୍ଟକେନୈବ କଣ୍ଟକମ୍‌ ନୀତିରେ କିଛି ଅନୀତି ଆଚରଣ କରିବାକୁ ପଡିଲେ ଏହାକୁ ଅଧର୍ମ ବା ଅନ୍ୟାୟ କୁହାଯାଏନି।
ଦେଶରେ ଆତଙ୍କ ଖେଳାଉଥିବା ଅପରାଧୀମାନଙ୍କୁ ଅକ୍ତିଆର କରିବାକୁ ଯାଇ ଗୁଳିଗୋଳା ବିନିମୟରେ ଯଦି କୌଣସି ଆତଙ୍କବାଦୀର ମୃତ୍ୟୁ ହୋଇଯାଏ ଏହାକୁ ଅପରାଧ ଭାବେ ଗଣାଯାଏନି। ଅପରାଧ କରୁଥିବା ଲୋକଙ୍କୁ ବୁଝାଶୁଝା କରି ଯଦି ସତ୍‌ମାର୍ଗରେ ପରିଚାଳିତ କରାଯିବା ସମ୍ଭବ ନ ହୁଏ, ତେବେ ତାଙ୍କୁ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ଦେବା ଛଡା ଅନ୍ୟ ବିକଳ୍ପ ନ ଥାଏ। ହିନ୍ଦୁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଗୀତା ଯାହାକୁ ଭଗବାନଙ୍କର ମୁଖନିଃସୃତ ମନେକରାଯାଏ ସେଥିରେ ଦୁଇପକ୍ଷ କୁରୁପାଣ୍ଡବଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଧର୍ମଯୁଦ୍ଧ ଓ ଯୁଦ୍ଧ ହୋଇଥିବା ସ୍ଥାନକୁ ଧର୍ମକ୍ଷେତ୍ର କୁହାଯାଏ। କାରଣ କୌରବମାନଙ୍କର ଅନ୍ୟାୟ, ଅନୀତି ଓ ଅଧର୍ମ ବିରୋଧରେ ଧର୍ମପଥରେ ପରିଚାଳିତ ହେଉଥିବା ପାଣ୍ଡବମାନଙ୍କର ସତ୍ୟ, ଧର୍ମ ଓ ଜନସମୂହର ମଙ୍ଗଳ ପାଇଁ ଏହି ଯୁଦ୍ଧ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣ ଏଥିରେ ସାଧୁ ମହତ୍‌ ଲୋକଙ୍କର ରକ୍ଷା ଓ ଦୁଷ୍ଟ ଲୋକଙ୍କର ବିନାଶ ପାଇଁ ପାଣ୍ଡବମାନଙ୍କ ପକ୍ଷରେ ନିଜକୁ ସାମିଲ କରିଥିଲେ। ଭଗବାନ୍‌ ନିଜେ ସ୍ବୟଂ ଧର୍ମ। ଏଣୁ ସେ ଧର୍ମପକ୍ଷ ସମର୍ଥନ କରିଥିଲେ। ଏହି ଯୁଦ୍ଧରେ ଦୁଷ୍ଟ କୌରବମାନଙ୍କର ସମୂହ ବିନାଶ ଓ ପୁଣ୍ୟବାନ ପାଣ୍ଡବମାନଙ୍କର ଜୟ ହୋଇଥିଲା। ଧର୍ମ ସବୁବେଳେ ଜିତେ। ମେଘ ଆଢୁଆଳରେ ସୂର୍ଯ୍ୟ କିଛି ସମୟ ପାଇଁ ଲୁଚି ଯାଇପାରନ୍ତି କିନ୍ତୁ ମେଘ ସୂର୍ଯ୍ୟଙ୍କୁ ସବୁଦିନ ପାଇଁ ଢାଙ୍କିପାରେନା। ସେହିଭଳି ପାପ, ଅଧର୍ମରେ କବଳିତ ପୁଣ୍ୟ ସାମୟିକ ନିଷ୍ପଭ୍ର ହୋଇଯାଇପାରେ କିନ୍ତୁ ପରିଶେଷରେ ସତ୍ୟ, ଧର୍ମ, ପୁଣ୍ୟର ସୂର୍ଯ୍ୟ ଉଦୟ ହୁଅନ୍ତି। ଅଧର୍ମରତ ପାପୀମାନେ ସମାଜ ଦେହରେ କର୍କଟ ରୋଗଗ୍ରସ୍ତ ଅଙ୍ଗ ଭଳି। ଦେହକୁ ରକ୍ଷା କରିବାକୁ ରୋଗଗ୍ରସ୍ତ ଅଙ୍ଗକୁ ଯେଉଁଭଳି ଶଲ୍ୟ ଚିକିତ୍ସା ଦ୍ୱାରା ବାହାର କରିବା ଆବଶ୍ୟକ ପଡେ ସେହିଭଳି ସାରା ସମାଜକୁ ରକ୍ଷା କରିବାକୁ ଏମାନଙ୍କୁ ନିପାତ କରିବା ଅନିବାର୍ଯ୍ୟ ହୋଇପଡେ। ସମାଜର ମଙ୍ଗଳ ପାଇଁ ଏହା କରିବା କିଛି ଅପରାଧ ନୁହେଁ।
ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ତ୍ରେତୟାଯୁଗରେ ବାନର ରାଜା ବାଳିର ଅନ୍ୟାୟ ଅପରାଧର ବିଲୋପ ପାଇଁ ତାକୁ ଗଛ ଆଢୁଆଳରେ ଲୁଚିରହି ଅତର୍କିତ ଭାବେ ଶରାଘାତ କରି ମାରିଥିଲେ। ତା’ର ଅପରାଧ ଥିଲା ସେ ନିଜ ସାନଭାଇର ସ୍ତ୍ରୀକୁ ହରଣ କରିଥିଲା। ଲୁଚିଛପି କାହାକୁ ମାରିବା ବୀରୋଚିତ କାମ ନୁହେଁ। ଏହା ଜାଣି ମଧ୍ୟ ସେ ବାଧ୍ୟ ହୋଇ ଏହା କରିଥିଲେ। ଏଥିପାଇଁ ନିଜକୁ ସେ ମଧ୍ୟ ଅନୁରୂପ ଭାବେ ଦଣ୍ଡିତ କରିଥିଲେ। ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ବାଳିର ପୁତ୍ର ଅଙ୍ଗଦ ଯିଏକି ସେ ସମୟରେ ଜାରାଶବର ହୋଇ ଜନ୍ମ ହୋଇଥିଲା, ତାହା ଦ୍ୱାରା ନିଜକୁ ଗଛ ଆଢୁଆଳରେ ଲୁଚାଇ ରଖି ଶରାଘାତ କରାଇ ଇହଲୀଳା ସମ୍ବରଣ କରିଥିଲେ। ଏହାଦ୍ୱାରା ନିଜକୁ ଅପରାଧ ପାଇଁ ଦଣ୍ଡିତ କରିବା ସଙ୍ଗେ ସଙ୍ଗେ ଅଙ୍ଗଦକୁ ପିତୃହନ୍ତାର ପ୍ରତିଶୋଧ ନେବାରେ ସାହାଯ୍ୟ କରିଥିଲେ।
ପାପପୁଣ୍ୟର ସଂଜ୍ଞା ବ୍ୟାପକ। ଜୀବହତ୍ୟା ପାପ। କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କର ଜୀବନ ଅଛି। ଶାରୀରିକ ଗଠନ ଦୃଷ୍ଟିରୁ ମଣିଷ ଗୋଟିଏ ନିରାମିଷାଶୀ ପ୍ରାଣୀ। ଏଣୁ ତା’ର ଉଦ୍ଭିଦଜାତ ଯେ କୌଣସି ଦ୍ରବ୍ୟର ବ୍ୟବହାର ତା’ପାଇଁ ପାପ ନୁହେଁ। କିନ୍ତୁ ଜୀବହତ୍ୟା କରି ତାକୁ ଖାଦ୍ୟ ଭାବେ ଗ୍ରହଣ କରିବା ମଣିଷ ପାଇଁ ନିଶ୍ଚିତ ଭାବେ ପାପ। ମାଂସାଶୀ ପ୍ରାଣୀମାନଙ୍କ ପାଇଁ ଏହା ପାପ ନୁହେଁ। କାରଣ ଏହା ସେମାନଙ୍କ ଖାଦ୍ୟ।
ମୋଟ ଉପରେ କହିବାକୁ ଗଲେ ନୀତି ଦୃଷ୍ଟିରୁ ଯାହା ସାଧାରଣ ଭାବରେ ଗ୍ରହଣୀୟ ନୁହେଁ, ତାହା ମଧ୍ୟ କରଣୀୟ ନୁହେଁ। ପୁଣ୍ୟ କାର୍ଯ୍ୟ ମଙ୍ଗଳକର ନିଜ ପାଇଁ ଓ ଜଗତ ପାଇଁ। ଏଣୁ ସର୍ବ ପାପ ବର୍ଜନ କରି ଧର୍ମ ପୁଣ୍ୟ ପଥରେ ନିଜକୁ ପରିଚାଳିତ କରିପାରିଲେ ଜୀବନ ମଙ୍ଗଳମୟ ଓ ଶୁଭଙ୍କର ହେବା ସହିତ ଦୁନିଆରେ ସୁଖ ଶାନ୍ତି ଐଶ୍ଚର୍ଯ୍ୟର ସୂର୍ଯ୍ୟୋଦୟ ହେବ। ସ୍ବର୍ଗର ସୁଖ ଶାନ୍ତି ଧରାଧାମକୁ ଓହ୍ଲେଇ ଆସିବ।
ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡ଼ା, ମୋ-୯୪୩୯୮୭୯୦୨୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri