Posted inଫୁରସତ

ପଶ୍ଚିମ ଓଡ଼ିଶାର ଧବଳେଶ୍ୱର ପୀଠ

ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରଠାରୁ ଅଳ୍ପ ଦୂରରେ ଥିବା କୁମୁଡ଼ା ପାହାଡ଼ରେ ରହିଛି ପ୍ରସିଦ୍ଧ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ। ଓଡ଼ିଶାରେ ଥିବା ବିଭିନ୍ନ ଐତିହାସିକ ଶୈବପୀଠ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏଠାରେ ଶ୍ରୀ ଶ୍ରୀ ଧବଳେଶ୍ୱର ଓ ମାତା ପାର୍ବତୀଙ୍କୁ ପ୍ରତ୍ୟକ୍ଷ ଦେବଦେବୀ ଭାବେ ପୂଜା କରାଯାଇଥାଏ। ସେଥିପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଏଠାରେ ମନସ୍କାମନା କରିଥାନ୍ତି…

ଧବଳେଶ୍ୱର ମହାଦେବଙ୍କ ଆବିର୍ଭାବ ସମ୍ପର୍କରେ
ଧବଳେଶ୍ୱର ମହାଦେବଙ୍କ ଆବିର୍ଭାବ ସମ୍ପର୍କରେ ମନ୍ଦିରର ମୁଖ୍ୟ ପୂଜକ କୁହନ୍ତି- ମହାରାଜା ଅଶୋକଙ୍କ ଶାସନ ସମୟରେ ରାଜା ନିଜ ସୈନ୍ୟସାମନ୍ତଙ୍କ ସହିତ ପରିଭ୍ରମଣରେ ଟିଟିଲାଗଡ଼ ଦେଇ ଯାଉଥିବାବେଳେ କିଛି ସମୟ ପାଇଁ କୁମୁଡ଼ା ପାହାଡ଼ ନିକଟରେ ବିଶ୍ରାମ ନେଇଥିଲେ। ସେଠାରେ ସେ ଏକ ବିରାଟ ଗୁମ୍ଫା ଭିତରେ ଶିବଲିଙ୍ଗଟିଏ ପୋତିହୋଇ ରହିଥିବାର ଦେଖିବାକୁ ପାଇଲେ। ସୈନ୍ୟସାମନ୍ତଙ୍କ ଦ୍ୱାରା ମହାରାଜା ସେହି ସ୍ଥାନକୁ ଖୋଳି ଉକ୍ତ ଶିବଲିଙ୍ଗଙ୍କୁ ଉଦ୍ଧାର କରିବା ସହ ସେଠାରେ ଏକ ମନ୍ଦିର ନିର୍ମାଣ କରାଇଲେ, ଆଉ ତାକୁ ଧବଳେଶ୍ୱର ପୀଠ ନାମରେ ଘୋଷଣା ବି କଲେ। ତା’ସହିତ ସ୍ଥାନୀୟ ବାସିନ୍ଦା ପାଢ଼ୀ ବଂଶଧରଙ୍କୁ ସେଠାରେ ପୂଜା କରିବାକୁ ନିୟୋଜିତ ମଧ୍ୟ କରିଥିଲେ। ଗୁମ୍ଫା ଭିତରେ ପୂଜା ପାଉଥିବା ଶିବଲିଙ୍ଗଙ୍କ ପାର୍ଶ୍ୱରେ ମାତା ପାର୍ବତୀ, ଗଣେଶ, କାର୍ତ୍ତିକେଶ୍ୱର, ପଞ୍ଚ ବୃଷଭଙ୍କ ମୂର୍ତ୍ତି ଥିବା ଦେଖିବାକୁ ମିଳିଥାଏ। ତା’ଛଡ଼ା ଉକ୍ତ ଗୁମ୍ଫା ଭିତରେ ଆଉ ଏକ ଗୁମ୍ଫା ବି ରହିଛି, ଯେଉଁଠାରେ ଶିବପାର୍ବତୀଙ୍କର ମୂର୍ତ୍ତି ଥିବା ଦେଖାଯାଏ। ତେବେ ଏହି ଗୁମ୍ଫା ଭିତର ଦେଇ ପ୍ରାୟ ୪୫ କି.ମି. ଦୂରରେ ଥିବା ରାଣୀପୁର ଝରିଆଲ ପର୍ଯ୍ୟନ୍ତ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି ବୋଲି ବି ଶୁଣିବାକୁ ମିଳିଥାଏ।

ଧବଳେଶ୍ୱର ପୀଠର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟ
ଏହି ପୀଠ ଭିତରେ ଯଜ୍ଞମଣ୍ଡପ, ତୁଳସୀ ମନ୍ଦିର, ଚଣ୍ଡୀ ମନ୍ଦିର, ଘଣ୍ଟାସିନୀ ମନ୍ଦିର ତଥା ଏକ ବିରାଟ ଶିବଙ୍କ ମସ୍ତକ ଦେଖିବାକୁ ମିଳିଥାଏ। ସେହିପରି ଏଠାରେ ଏକ ବ୍ୟାଘ୍ର ଗୁମ୍ଫା ମଧ୍ୟ ରହିଛି। କୁହାଯାଏ, ଏକଦା ଏହି ଗୁମ୍ଫାରେ ବାଘଟିଏ ବାସ କରୁଥିଲା, ଆଉ ଭକ୍ତମାନେ ତାକୁ କ୍ଷୀର, ଫଳମୂଳ ଖାଇବାକୁ ଦେଉଥିଲେ। ସେ କାହାର କିଛି କ୍ଷତି ବି କରୁ ନ ଥିଲା। ବ୍ୟାଘ୍ର ଗୁମ୍ଫା ବ୍ୟତୀତ କୁମୁଡ଼ା ପାହାଡ଼ ଉପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ଏକ ରାମମନ୍ଦିରକୁ ବି ପର୍ଯ୍ୟଟକ ଦେଖିପାରିବେ। ତା’ଛଡ଼ା ଉକ୍ତ ପାହାଡ଼ ଉପରେ ଥିବା ଏକ ପୋଖରୀ ସମେତ ଦୁଇଟି କୂଅ ବି ଅନ୍ୟତମ ଆକର୍ଷଣ ସାଜିଥାଏ। ସେହିପରି ପୀଠର ଉତ୍ତର ଦିଗରେ ୯ ଏକର ବିଶିଷ୍ଟ ଏକ ବିରାଟ ଦେବନ୍ଧ ପୋଖରୀ ରହିଛି। ଟିଟିଲାଗଡ଼ ମ୍ୟୁନିସିପାଲିଟି ଦ୍ୱାରା ପରିଚାଳିତ ଏକ ପ୍ରମୋଦ ଉଦ୍ୟାନ ବି ଏଠାରେ ଅଛି। ଏତଦ୍‌ ବ୍ୟତୀତ ହନୁମାନ ମନ୍ଦିର, ଗଣେଣ ମନ୍ଦିର, କଲ୍ୟାଣ ଓ ପ୍ରହରି ମଣ୍ଡପ ତଥା ଏକ ଫୁଲ ବଗିଚା ବି ଏହି ପୀଠ ମଧ୍ୟରେ ଶୋଭା ପାଉଛି।

କୁମୁଡ଼ା ପାହାଡ଼ର ଦୃଶ୍ୟ
ଏହି କୁମୁଡ଼ା ପାହାଡ଼ର ଲମ୍ବ ପ୍ରାୟ ଏକ କି.ମି. ଏବଂ ଓସାର ଅଧ କି.ମି. ବିଶିଷ୍ଟ। ଏହି ପାହାଡ଼ ଉପରେ ବୃକ୍ଷଲତା ନାହିଁ। କାରଣ ଏହା ଏକ ବିରାଟକାୟ ଲଣ୍ଡା ପାହାଡ଼। ତେବେ ଏହି ଏକ କି.ମି. ଲମ୍ବାବିଶିଷ୍ଟ କୁମୁଡ଼ା ପାହାଡ଼ର ପୂର୍ବରୁ ପଶ୍ଚିମ ଦିଗ ଯାଏଁ ଅନୁମାନ କଲେ ଏହା ଏକ ବିରାଟକାୟ ବୃଷଭ ଆକୃତି ପରି ଦେଖାଯାଇଥାଏ। ଉକ୍ତ ପାହାଡ଼ର ଦକ୍ଷିଣ ଦିଗରେ କୁମୁଡ଼ା ଗ୍ରାମ ସମେତ ବିଭିନ୍ନ ମନ୍ଦିର ଓ ୪ଟି ପୁଷ୍କରିଣୀ ଦେଖିବାକୁ ମିଳିଥାଏ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବାରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଏଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିର୍ମାଣାଧୀନ ରହିଛି। ସେହିପରି କୁମୁଡ଼ା ପାହାଡ଼ ସୁରକ୍ଷା ସମିତି, ଟିଟିଲାଗଡ଼ ଦ୍ୱାରା ଏହି ପାହାଡ଼ର ଉତ୍ତର ଓ ପଶ୍ଚିମ ଦିଗରେ ୨୦୧୩ ମସିହାରୁ ବୃକ୍ଷରୋପଣ ଓ ସୌନ୍ଦର୍ଯ୍ୟକରଣ ଅଭିଯାନ ବି ଆରମ୍ଭ ହୋଇଛି।

ଧବଳେଶ୍ୱର ମହାଦେବଙ୍କ ପର୍ବପର୍ବାଣି ଓ ପୂଜାବିଧି
ଭୋର୍‌ ୪ଟାରୁ ମନ୍ଦିର ଦ୍ୱାର ଫିଟାଯାଇ ନୀତିନିୟମ ଅନୁସାରେ ଦେବଦେବୀଙ୍କର ପୂଜାବିଧି କରାଯାଇଥାଏ। ମଧ୍ୟାହ୍ନରେ ଅନ୍ନଭୋଗ ଓ ସନ୍ଧ୍ୟାରେ ଆଳତି ଦିଆଯାଇଥାଏ। ଏହି ମନ୍ଦିରରେ ମୁଖ୍ୟତଃ ଫାଲ୍‌ଗୁନ କୃଷ୍ଣ ଚତୁର୍ଥୀରେ ୭ଦିନ ବ୍ୟାପି ମହାଶିବରାତ୍ରି ମହାସମାରୋହରେ ପାଳିତ ହୋଇଥାଏ। ଏହି ସମୟରେ ରାଜ୍ୟ ତଥା କଲିକତା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ସମେତ ଭାରତର ବିଭିନ୍ନ କୋଣ ଅନୁକୋଣରୁ ଦୋକାନ, ବଜାର, ମିନାବଜାର ପ୍ରଭୃତି ଏଠାକୁ ଆସିଥାଏ। ତା’ଛଡ଼ା ଶିବରାତ୍ରି ଉପଲକ୍ଷେ ଯଜ୍ଞ ମଣ୍ଡପରେ ପୂଜାବିଧି ସହିତ ପ୍ରହରି ମଣ୍ଡପରେ ନାମଯଜ୍ଞ କରାଯାଇଥାଏ। ସେହିପରି ଏଠାରେ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ବି ଜମିଥାଏ। ଭକ୍ତମାନଙ୍କ ମନସ୍କାମନା ପୂରଣ ପାଇଁ ଏଠାରେ ରୁଦ୍ରାଭିଷେକ, ମୁଣ୍ଡନ, ନାମଯଜ୍ଞ ତଥା ବିବାହ କର୍ମ ଆଦି କରାଯାଇଥାଏ।

ଶୈବପୀଠ ପରିଚାଳନା ପାଇଁ ଟ୍ରଷ୍ଟ ବୋର୍ଡ
ଏହି ଶୈବପୀଠଟି ଟିଟିଲାଗଡ଼ ଉପଜିଲାପାଳ, ସ୍ଥାନୀୟ ବିଧାୟକ ତଥା ଅନ୍ୟ କର୍ମକର୍ତ୍ତାଙ୍କ ଦ୍ୱାରା ପରିଚାଳିତ ହେଉଅଛି। ୨୦୧୯ ମସିହାରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ମନ୍ଦିରର ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ ନିର୍ମାଣାଧୀନ ରହିଛି। ଏହି ମନ୍ଦିରରେ ମୁଖ୍ୟ ପୂଜକ ଭାବେ ନରେନ୍ଦ୍ର ପାଢ଼ୀ ଓ ସହଯୋଗୀ ପୂଜକ ରୂପେ ସୁମନ୍ତ ପାଢ଼ୀ ପୂଜାର୍ଚ୍ଚନା କରି ଆସୁଛନ୍ତି।

କେମିତି ଯିବେ
ପ୍ରସିଦ୍ଧ ଧବଳେଶ୍ୱର ମହାଦେବଙ୍କ ଦର୍ଶନ ଲାଗି ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ଟିଟିଲାଗଡ଼ ରେଳ ଜଙ୍କଶନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ଅଳ୍ପ ଦୂରରେ ଥିବା ଏହି ଶୈବପୀଠକୁ ଅଟୋ କିମ୍ବା ରିକ୍ସାରେ ନଚେତ୍‌ ପାଦରେ ଚାଲି ଚାଲି ଯିବାକୁ ହୋଇଥାଏ। ଟିଟିଲାଗଡ଼ ରେଳଷ୍ଟେଶନ ଏକ ଜଙ୍କଶନ୍‌ ହୋଇଥିବାରୁ ଏଠାକୁ ଦିଲ୍ଲୀ, ମୁମ୍ବାଇ, କଲିକତା, ଆନ୍ଧ୍ରପ୍ରଦେଶ ତଥା ମଧ୍ୟପ୍ରଦେଶ ଆଦି ସ୍ଥାନରୁ ସିଧାସଳଖ ଟ୍ରେନ୍‌ର ସୁବିଧା ରହିଛି।

-ତୁମେଶ୍ୱର ସାହୁ, କେସିଙ୍ଗା


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?