Posted inଫୁରସତ

ପଶ୍ଚିମ ଓଡ଼ିଶାର ଧବଳେଶ୍ୱର ପୀଠ

ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରଠାରୁ ଅଳ୍ପ ଦୂରରେ ଥିବା କୁମୁଡ଼ା ପାହାଡ଼ରେ ରହିଛି ପ୍ରସିଦ୍ଧ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ। ଓଡ଼ିଶାରେ ଥିବା ବିଭିନ୍ନ ଐତିହାସିକ ଶୈବପୀଠ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏଠାରେ ଶ୍ରୀ ଶ୍ରୀ ଧବଳେଶ୍ୱର ଓ ମାତା ପାର୍ବତୀଙ୍କୁ ପ୍ରତ୍ୟକ୍ଷ ଦେବଦେବୀ ଭାବେ ପୂଜା କରାଯାଇଥାଏ। ସେଥିପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଏଠାରେ ମନସ୍କାମନା କରିଥାନ୍ତି…

ଧବଳେଶ୍ୱର ମହାଦେବଙ୍କ ଆବିର୍ଭାବ ସମ୍ପର୍କରେ
ଧବଳେଶ୍ୱର ମହାଦେବଙ୍କ ଆବିର୍ଭାବ ସମ୍ପର୍କରେ ମନ୍ଦିରର ମୁଖ୍ୟ ପୂଜକ କୁହନ୍ତି- ମହାରାଜା ଅଶୋକଙ୍କ ଶାସନ ସମୟରେ ରାଜା ନିଜ ସୈନ୍ୟସାମନ୍ତଙ୍କ ସହିତ ପରିଭ୍ରମଣରେ ଟିଟିଲାଗଡ଼ ଦେଇ ଯାଉଥିବାବେଳେ କିଛି ସମୟ ପାଇଁ କୁମୁଡ଼ା ପାହାଡ଼ ନିକଟରେ ବିଶ୍ରାମ ନେଇଥିଲେ। ସେଠାରେ ସେ ଏକ ବିରାଟ ଗୁମ୍ଫା ଭିତରେ ଶିବଲିଙ୍ଗଟିଏ ପୋତିହୋଇ ରହିଥିବାର ଦେଖିବାକୁ ପାଇଲେ। ସୈନ୍ୟସାମନ୍ତଙ୍କ ଦ୍ୱାରା ମହାରାଜା ସେହି ସ୍ଥାନକୁ ଖୋଳି ଉକ୍ତ ଶିବଲିଙ୍ଗଙ୍କୁ ଉଦ୍ଧାର କରିବା ସହ ସେଠାରେ ଏକ ମନ୍ଦିର ନିର୍ମାଣ କରାଇଲେ, ଆଉ ତାକୁ ଧବଳେଶ୍ୱର ପୀଠ ନାମରେ ଘୋଷଣା ବି କଲେ। ତା’ସହିତ ସ୍ଥାନୀୟ ବାସିନ୍ଦା ପାଢ଼ୀ ବଂଶଧରଙ୍କୁ ସେଠାରେ ପୂଜା କରିବାକୁ ନିୟୋଜିତ ମଧ୍ୟ କରିଥିଲେ। ଗୁମ୍ଫା ଭିତରେ ପୂଜା ପାଉଥିବା ଶିବଲିଙ୍ଗଙ୍କ ପାର୍ଶ୍ୱରେ ମାତା ପାର୍ବତୀ, ଗଣେଶ, କାର୍ତ୍ତିକେଶ୍ୱର, ପଞ୍ଚ ବୃଷଭଙ୍କ ମୂର୍ତ୍ତି ଥିବା ଦେଖିବାକୁ ମିଳିଥାଏ। ତା’ଛଡ଼ା ଉକ୍ତ ଗୁମ୍ଫା ଭିତରେ ଆଉ ଏକ ଗୁମ୍ଫା ବି ରହିଛି, ଯେଉଁଠାରେ ଶିବପାର୍ବତୀଙ୍କର ମୂର୍ତ୍ତି ଥିବା ଦେଖାଯାଏ। ତେବେ ଏହି ଗୁମ୍ଫା ଭିତର ଦେଇ ପ୍ରାୟ ୪୫ କି.ମି. ଦୂରରେ ଥିବା ରାଣୀପୁର ଝରିଆଲ ପର୍ଯ୍ୟନ୍ତ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି ବୋଲି ବି ଶୁଣିବାକୁ ମିଳିଥାଏ।

ଧବଳେଶ୍ୱର ପୀଠର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟ
ଏହି ପୀଠ ଭିତରେ ଯଜ୍ଞମଣ୍ଡପ, ତୁଳସୀ ମନ୍ଦିର, ଚଣ୍ଡୀ ମନ୍ଦିର, ଘଣ୍ଟାସିନୀ ମନ୍ଦିର ତଥା ଏକ ବିରାଟ ଶିବଙ୍କ ମସ୍ତକ ଦେଖିବାକୁ ମିଳିଥାଏ। ସେହିପରି ଏଠାରେ ଏକ ବ୍ୟାଘ୍ର ଗୁମ୍ଫା ମଧ୍ୟ ରହିଛି। କୁହାଯାଏ, ଏକଦା ଏହି ଗୁମ୍ଫାରେ ବାଘଟିଏ ବାସ କରୁଥିଲା, ଆଉ ଭକ୍ତମାନେ ତାକୁ କ୍ଷୀର, ଫଳମୂଳ ଖାଇବାକୁ ଦେଉଥିଲେ। ସେ କାହାର କିଛି କ୍ଷତି ବି କରୁ ନ ଥିଲା। ବ୍ୟାଘ୍ର ଗୁମ୍ଫା ବ୍ୟତୀତ କୁମୁଡ଼ା ପାହାଡ଼ ଉପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ଏକ ରାମମନ୍ଦିରକୁ ବି ପର୍ଯ୍ୟଟକ ଦେଖିପାରିବେ। ତା’ଛଡ଼ା ଉକ୍ତ ପାହାଡ଼ ଉପରେ ଥିବା ଏକ ପୋଖରୀ ସମେତ ଦୁଇଟି କୂଅ ବି ଅନ୍ୟତମ ଆକର୍ଷଣ ସାଜିଥାଏ। ସେହିପରି ପୀଠର ଉତ୍ତର ଦିଗରେ ୯ ଏକର ବିଶିଷ୍ଟ ଏକ ବିରାଟ ଦେବନ୍ଧ ପୋଖରୀ ରହିଛି। ଟିଟିଲାଗଡ଼ ମ୍ୟୁନିସିପାଲିଟି ଦ୍ୱାରା ପରିଚାଳିତ ଏକ ପ୍ରମୋଦ ଉଦ୍ୟାନ ବି ଏଠାରେ ଅଛି। ଏତଦ୍‌ ବ୍ୟତୀତ ହନୁମାନ ମନ୍ଦିର, ଗଣେଣ ମନ୍ଦିର, କଲ୍ୟାଣ ଓ ପ୍ରହରି ମଣ୍ଡପ ତଥା ଏକ ଫୁଲ ବଗିଚା ବି ଏହି ପୀଠ ମଧ୍ୟରେ ଶୋଭା ପାଉଛି।

କୁମୁଡ଼ା ପାହାଡ଼ର ଦୃଶ୍ୟ
ଏହି କୁମୁଡ଼ା ପାହାଡ଼ର ଲମ୍ବ ପ୍ରାୟ ଏକ କି.ମି. ଏବଂ ଓସାର ଅଧ କି.ମି. ବିଶିଷ୍ଟ। ଏହି ପାହାଡ଼ ଉପରେ ବୃକ୍ଷଲତା ନାହିଁ। କାରଣ ଏହା ଏକ ବିରାଟକାୟ ଲଣ୍ଡା ପାହାଡ଼। ତେବେ ଏହି ଏକ କି.ମି. ଲମ୍ବାବିଶିଷ୍ଟ କୁମୁଡ଼ା ପାହାଡ଼ର ପୂର୍ବରୁ ପଶ୍ଚିମ ଦିଗ ଯାଏଁ ଅନୁମାନ କଲେ ଏହା ଏକ ବିରାଟକାୟ ବୃଷଭ ଆକୃତି ପରି ଦେଖାଯାଇଥାଏ। ଉକ୍ତ ପାହାଡ଼ର ଦକ୍ଷିଣ ଦିଗରେ କୁମୁଡ଼ା ଗ୍ରାମ ସମେତ ବିଭିନ୍ନ ମନ୍ଦିର ଓ ୪ଟି ପୁଷ୍କରିଣୀ ଦେଖିବାକୁ ମିଳିଥାଏ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବାରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଏଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିର୍ମାଣାଧୀନ ରହିଛି। ସେହିପରି କୁମୁଡ଼ା ପାହାଡ଼ ସୁରକ୍ଷା ସମିତି, ଟିଟିଲାଗଡ଼ ଦ୍ୱାରା ଏହି ପାହାଡ଼ର ଉତ୍ତର ଓ ପଶ୍ଚିମ ଦିଗରେ ୨୦୧୩ ମସିହାରୁ ବୃକ୍ଷରୋପଣ ଓ ସୌନ୍ଦର୍ଯ୍ୟକରଣ ଅଭିଯାନ ବି ଆରମ୍ଭ ହୋଇଛି।

ଧବଳେଶ୍ୱର ମହାଦେବଙ୍କ ପର୍ବପର୍ବାଣି ଓ ପୂଜାବିଧି
ଭୋର୍‌ ୪ଟାରୁ ମନ୍ଦିର ଦ୍ୱାର ଫିଟାଯାଇ ନୀତିନିୟମ ଅନୁସାରେ ଦେବଦେବୀଙ୍କର ପୂଜାବିଧି କରାଯାଇଥାଏ। ମଧ୍ୟାହ୍ନରେ ଅନ୍ନଭୋଗ ଓ ସନ୍ଧ୍ୟାରେ ଆଳତି ଦିଆଯାଇଥାଏ। ଏହି ମନ୍ଦିରରେ ମୁଖ୍ୟତଃ ଫାଲ୍‌ଗୁନ କୃଷ୍ଣ ଚତୁର୍ଥୀରେ ୭ଦିନ ବ୍ୟାପି ମହାଶିବରାତ୍ରି ମହାସମାରୋହରେ ପାଳିତ ହୋଇଥାଏ। ଏହି ସମୟରେ ରାଜ୍ୟ ତଥା କଲିକତା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ସମେତ ଭାରତର ବିଭିନ୍ନ କୋଣ ଅନୁକୋଣରୁ ଦୋକାନ, ବଜାର, ମିନାବଜାର ପ୍ରଭୃତି ଏଠାକୁ ଆସିଥାଏ। ତା’ଛଡ଼ା ଶିବରାତ୍ରି ଉପଲକ୍ଷେ ଯଜ୍ଞ ମଣ୍ଡପରେ ପୂଜାବିଧି ସହିତ ପ୍ରହରି ମଣ୍ଡପରେ ନାମଯଜ୍ଞ କରାଯାଇଥାଏ। ସେହିପରି ଏଠାରେ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ବି ଜମିଥାଏ। ଭକ୍ତମାନଙ୍କ ମନସ୍କାମନା ପୂରଣ ପାଇଁ ଏଠାରେ ରୁଦ୍ରାଭିଷେକ, ମୁଣ୍ଡନ, ନାମଯଜ୍ଞ ତଥା ବିବାହ କର୍ମ ଆଦି କରାଯାଇଥାଏ।

ଶୈବପୀଠ ପରିଚାଳନା ପାଇଁ ଟ୍ରଷ୍ଟ ବୋର୍ଡ
ଏହି ଶୈବପୀଠଟି ଟିଟିଲାଗଡ଼ ଉପଜିଲାପାଳ, ସ୍ଥାନୀୟ ବିଧାୟକ ତଥା ଅନ୍ୟ କର୍ମକର୍ତ୍ତାଙ୍କ ଦ୍ୱାରା ପରିଚାଳିତ ହେଉଅଛି। ୨୦୧୯ ମସିହାରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ମନ୍ଦିରର ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ ନିର୍ମାଣାଧୀନ ରହିଛି। ଏହି ମନ୍ଦିରରେ ମୁଖ୍ୟ ପୂଜକ ଭାବେ ନରେନ୍ଦ୍ର ପାଢ଼ୀ ଓ ସହଯୋଗୀ ପୂଜକ ରୂପେ ସୁମନ୍ତ ପାଢ଼ୀ ପୂଜାର୍ଚ୍ଚନା କରି ଆସୁଛନ୍ତି।

କେମିତି ଯିବେ
ପ୍ରସିଦ୍ଧ ଧବଳେଶ୍ୱର ମହାଦେବଙ୍କ ଦର୍ଶନ ଲାଗି ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ଟିଟିଲାଗଡ଼ ରେଳ ଜଙ୍କଶନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ଅଳ୍ପ ଦୂରରେ ଥିବା ଏହି ଶୈବପୀଠକୁ ଅଟୋ କିମ୍ବା ରିକ୍ସାରେ ନଚେତ୍‌ ପାଦରେ ଚାଲି ଚାଲି ଯିବାକୁ ହୋଇଥାଏ। ଟିଟିଲାଗଡ଼ ରେଳଷ୍ଟେଶନ ଏକ ଜଙ୍କଶନ୍‌ ହୋଇଥିବାରୁ ଏଠାକୁ ଦିଲ୍ଲୀ, ମୁମ୍ବାଇ, କଲିକତା, ଆନ୍ଧ୍ରପ୍ରଦେଶ ତଥା ମଧ୍ୟପ୍ରଦେଶ ଆଦି ସ୍ଥାନରୁ ସିଧାସଳଖ ଟ୍ରେନ୍‌ର ସୁବିଧା ରହିଛି।

-ତୁମେଶ୍ୱର ସାହୁ, କେସିଙ୍ଗା


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri