ଜୀବନର ସାୟାହ୍ନରେ

ଡ. ନିଖିଳାନନ୍ଦ ପାଣିଗ୍ରାହୀ
୨୦୧୯ ମସିହାରେ ରସାୟନ ବିଜ୍ଞାନରେ ଯେଉଁ ତିନିଜଣ ନୋବେଲ ବିଜୟୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଗୁଡ୍‌ଏନଫ୍‌, ଷ୍ଟାନ୍‌ଲେ ହ୍ବିଟ୍ଟିଙ୍ଗହମ୍‌ ଓ ଆକିରା ୟାସିନୋ। ଲିଥିୟମ-ଆୟନ-ବ୍ୟାଟେରି କ୍ଷେତ୍ରରେ ଅଭିନବ ଅବଦାନ ପାଇଁ ସେମାନେ ଏହି ଗୌରବ ପ୍ରାପ୍ତ ହୋଇଥିଲେ। ଉକ୍ତ ବ୍ୟାଟେରିର ବ୍ୟବହାର ଦ୍ୱାରା ଖଣିଜ-ତୈଳର ଚାହିଦା ଯଥେଷ୍ଟ ହ୍ରାସ ହେବ ଓ ଆମ ସମାଜ ଉତ୍କଟ ପ୍ରଦୂଷଣରୁ କେତେକାଂଶରେ ନିସ୍ତାର ପାଇବ। ତେବେ ଏମିତି ସୌଭାଗ୍ୟପ୍ରାପ୍ତ ତିନି ବିଜେତାଙ୍କ ମଧ୍ୟରେ ଯେଉଁ ଜଣକ ସମଗ୍ର ବିଶ୍ୱବାସୀଙ୍କ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ସେ ହେଉଛନ୍ତି ବୟୋଜ୍ୟେଷ୍ଠ ରସାୟନବିତ୍‌ ଗୁଡ୍‌ଏନଫ। ଜୁଲାଇ ୧୯୨୨ରେ ଜର୍ମାନୀର ଜେନାରେ ଜନ୍ମିତ ଗବେଷକ ସତାନବେ ବର୍ଷ ବୟସରେ ପୁରସ୍କୃତ ହୋଇଛନ୍ତି। ଅଦ୍ୟାବଧି ସମସ୍ତ ନୋବେଲ ବିଜେତାଙ୍କ ମଧ୍ୟରେ ସେ ହେଉଛନ୍ତି ସବୁଠାରୁ ବୟସ୍କ ବ୍ୟକ୍ତି।
ଏହି ଅବସରରେ ତାଙ୍କୁ ଯେତେବେଳେ ବର୍ତ୍ତମାନ କେମିତି ସମୟ ବିତାଉଥିବା ବିଷୟରେ ପ୍ରଶ୍ନ କରାଗଲା, ସେ ଉତ୍ତର ଦେଇଥିଲେ- ”ଏ ବୟସରେ ଆଉ କ’ଣ ଅବସର ନେଇଯିବି, ଆଉ ମୃତ୍ୟୁକୁ ଅପେକ୍ଷା କରିବି- ମୁଁ ଏମିତି ଭାବେ ନାହିଁ। ଏବେ ବି ମୁଁ ଗବେଷଣାରେ ନିଜକୁ ନିମଗ୍ନ କରେ। ଯେଉଁ ପାଞ୍ଚ ଦିନ ପ୍ରତି ସପ୍ତାହରେ ଗବେଷଣାଗାର ଖୋଲା ରହେ, ମୁଁ ପୂରାପୂରି ଗବେଷଣା ଓ ଛାତ୍ରୀଛାତ୍ରଙ୍କ ସହ ବିଚାର ଆଲୋଚନାରେ ବ୍ୟସ୍ତ ରହେ। ଏପରି କି ଶନିବାର ପରି ଛୁଟି ଦିନରେ ଘରୁ କାମ କରେ।“
ଗୁଡ୍‌ଏନଫଙ୍କ ଏହି ଅକ୍ଳାନ୍ତ, ଏକନିଷ୍ଠ ପରିଶ୍ରମର ଏକମାତ୍ର ଲକ୍ଷ୍ୟ ହେଉଛି, ସମ୍ପ୍ରତି ସମାଜରେ ବହୁଳ ବ୍ୟବହୃତ ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ପ୍ରଦୂଷଣମୁକ୍ତ ଶକ୍ତିର ବିକାଶ ପାଇଁ ବ୍ରତୀ ହେବା। ତାଙ୍କୁ ବିଶ୍ୱର ଯେଉଁ ସର୍ବୋଚ୍ଚ ସ୍ବୀକୃତି ମିଳିଛି, ସେ ଏହାର କାରଣ ଭାବେ ଦର୍ଶାଇଥିଲେ ଯେ, ସଫଳତା ଦୁଃସାଧ୍ୟ ହେଲେ ମଧ୍ୟ ଜଣେ ଯଦି ଆଶା ନ ହରାଇ ଚେଷ୍ଟା କରେ, ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ।
କିନ୍ତୁ ପ୍ରଶ୍ନ ଉଠେ କେବଳ ଅବିରତ ଉଦ୍ୟମ ଦ୍ୱାରା ଜଣେ ସାଫଲ୍ୟମଣ୍ଡିତ ହୋଇପାରିବ କି? ଏହା ଅନସ୍ବୀକାର୍ଯ୍ୟ ଯେ, ଉଦ୍ଭାବନ କ୍ଷେତ୍ରରେ ଅଗ୍ରଣୀ ହୋଇ ଶୀର୍ଷ ସ୍ଥାନରେ ଉପନୀତ ହେବାକୁ ଜଣେ ଧୀଶକ୍ତିସମ୍ପନ୍ନ ହେବା ନିହାତି ଆବଶ୍ୟକ। ପୁଣି ପ୍ରତ୍ୟେକଟି ଗବେଷଣା କ୍ଷେତ୍ରରେ ଯେମିତି ଏଇ ଯୁଗରେ କ୍ଷୀପ୍ର ଅଗ୍ରଗତି ଘଟୁଛି, ସେଥି ସହିତ ତାଳ ଦେବାକୁ ପଡିବ। ଜଣେ ପରିଣତ ବୟସରେ ଏମିତି ସର୍ତ୍ତମାନ ପୂରଣ କରିବା ଏକ ବିରଳ ଓ ବିସ୍ମୟକର ଘଟଣା। ଗୁଡ୍‌ଏନଫଙ୍କ ଜୀବନରେ ଘଟିଥିବା ଏମିତି ଅସାଧାରଣ କାର୍ଯ୍ୟକଳାପ ଓ ତଦନୁସାରେ କୃତିତ୍ୱ ଆମ ସମସ୍ତଙ୍କୁ ଆଚମ୍ବିତ କରିଥାଏ।
ଏହି ମର୍ମରେ ଆମ ମନ ବିଭିନ୍ନ ବାର୍ଦ୍ଧକ୍ୟଜନିତ ଦୁର୍ବଳତା ସମ୍ବନ୍ଧରେ ଆନ୍ଦୋଳିତ ହୋଇପାରେ। ଆମେ ଦେଖୁଛେ, ବୟସ ବଢିଲେ ଜଣକର ସ୍ମୃତିଶକ୍ତି ହ୍ରାସ ପାଏ। ଶାରୀରିକ ଦୌର୍ବଲ୍ୟ ଜଣକୁ ନିଷ୍କ୍ରିୟ କରିଥାଏ। ବୃଦ୍ଧମାନଙ୍କ ପଞ୍ଚେନ୍ଦ୍ରିୟ ଶିଥିଳ ହୋଇଯାଏ। କାମ କରିବାକୁ ସ୍ପୃହା ଜାତ ହୋଇ ନ ଥାଏ। ଇଚ୍ଛା ଥିଲେ ମଧ୍ୟ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏଥିରେ ସହଯୋଗ କରି ନ ଥାନ୍ତି। ତେବେ ମୋଟାମୋଟି ଭାବେ ବାର୍ଦ୍ଧକ୍ୟର କିଛି ବିଶେଷତ୍ୱ ସମ୍ବନ୍ଧରେ ମଧ୍ୟ ଅନୁଶୀଳନ କରାଗଲେ, ଏକ ସ୍ପଷ୍ଟ ଓ ସାମଗ୍ରିକ ଚିତ୍ରର ସନ୍ଧାନ ଆମେ ପାଇପାରିବା।
ଶରୀରବିଜ୍ଞାନୀଙ୍କ ଅନୁସାରେ ବୟସ ବୃଦ୍ଧି ଘଟି ବୃଦ୍ଧାବସ୍ଥାରେ ପହଞ୍ଚିଲେ, ଆମ ମସ୍ତିଷ୍କର ଆୟତନ କମିଯାଏ। ଏହାର ପ୍ରଭାବ ମସ୍ତିଷ୍କର ଭିନ୍ନ ଭିନ୍ନ ଅଂଶ ଉପରେ ପଡିଥାଏ। ମସ୍ତିଷ୍କର କେତୋଟି ଭାଗ ହେଉଛି ହିପୋକ୍ୟାମ୍ପସ, ଯାହା କି ଆମ ସ୍ମୃତିକୁ ସାଇତି ରଖିଥାଏ। ଅନ୍ୟ ଏକ ଅଂଶ ହେଉଛି ସେରେବେଲମ୍‌, ଯାହାଦ୍ୱାରା ଆମ ଶରୀର ଗତି ଓ ଚଳପ୍ରଚଳ ପରି କାର୍ଯ୍ୟମାନ ସମ୍ପାଦନ କରେ। ତୃତୀୟ ଭାଗଟି ହେଉଛି ଫ୍ରଣ୍ଟାଲ ଲୋବ୍‌ ବା ଅଗ୍ରମସ୍ତିଷ୍କ। ଏହାଦ୍ୱାରା ଆମେ ସମସ୍ୟାର ସମାଧାନ କରୁ, ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଉପଯୁକ୍ତ ନିଷ୍ପତ୍ତି ନେଉ। ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ଏହି ପ୍ରତ୍ୟେକଟି ବିଭାଗ ଖୁବ୍‌ ଉପାଦେୟ।
ଯେତେବେଳେ ଜଣେ ଷାଠିଏ-ସତୁରି ବର୍ଷରେ ପହଞ୍ଚେ ତା’ର ମସ୍ତିଷ୍କର ଫ୍ରଣ୍ଟାଲ ଲୋବ୍‌ ଓ ହିପୋକ୍ୟାମ୍ପସ ସଙ୍କୁଚିତ ହୁଏ। ଫଳରେ ବୟସ୍କମାନଙ୍କ ସ୍ମୃତି-ଶକ୍ତି କମିଯାଏ। ତତ୍‌ ସହ ବୋଧ-ଶକ୍ତି ବା ବୁଝିପାରିବା ସଂକ୍ରାନ୍ତ କାର୍ଯ୍ୟ ବିଘ୍ନିତ ହୁଏ।
ମସ୍ତିଷ୍କରେ ଏତାଦୃଶ ଅବନତି ଘଟିବା ସତ୍ତ୍ୱେ ପରିଣତ ବୟସରେ ଏକ ଶୁଭସୂଚକ ଲକ୍ଷଣ ଦେଖିବାକୁ ମିଳେ। ଏହି ବୟସରେ ମସ୍ତିଷ୍କରେ ବିଦ୍ୟମାନ ଡିଫଲ୍‌ଟ ନେଟ୍‌ଓ୍ବର୍କ (ନିଷ୍କ୍ରିୟ ନେଟ୍‌ଓ୍ବର୍କ) ସକ୍ରିୟ ହୁଏ। ଯେତେବେଳେ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ନ କରି ବସି ରହେ ସେତେବେଳେ ଏହି ନେଟ୍‌ଓ୍ବର୍କ କାର୍ଯ୍ୟକ୍ଷମ ହୁଏ। ତେଣୁ ଶାରୀରିକ ପରିଶ୍ରମ କମ୍‌ କରୁଥିବା ବ୍ୟକ୍ତି କର୍ମଚଞ୍ଚଳ ବ୍ୟକ୍ତିଙ୍କଠାରୁ ଅପେକ୍ଷାକୃତ ଅଧିକ ସୁବିଧାଜନକ ସ୍ଥିତିରେ ରହିଥାଏ ନିଷ୍କ୍ରିୟ ନେଟ୍‌ଓ୍ବର୍କ କ୍ଷେତ୍ରରେ। ସାଧାରଣତଃ ଯୁବକମାନେ ବିଭିନ୍ନ କାର୍ଯ୍ୟ କରିବାରେ ଅତ୍ୟଧିକ ସମୟ ବିତାଇଥାନ୍ତି। ସେମାନେ ବୟସ୍କଙ୍କ ପରି ସଂକୀର୍ଣ୍ଣ ସ୍ଥାନରେ ନିଜକୁ ଆବଦ୍ଧ କରି ରଖି ନ ଥାନ୍ତି। ତେଣୁ ତରୁଣମାନଙ୍କ ଅପେକ୍ଷା ବୃଦ୍ଧମାନଙ୍କ ନିଷ୍କ୍ରିୟ ନେଟ୍‌ଓ୍ବର୍କର ପରିସର ଅଧିକ ବିସ୍ତୃତ ରହେ। ଫଳ ସ୍ବରୂପ ବରିଷ୍ଠମାନେ ଦୀର୍ଘସମୟ ଧରି ବସି ରହୁଥିବାରୁ ସେମାନେ ଲାଭବାନ୍‌ ହୁଅନ୍ତି। ଏହାଦ୍ୱାରା ଅତୀତର ବିଭିନ୍ନ କାର୍ଯ୍ୟକଳାପ ସେମାନେ ରୋମନ୍ଥନ କରନ୍ତି। ପ୍ରକାରାନ୍ତରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ, ସେମାନଙ୍କ ବିସ୍ତୃତ ଅନୁଭୂତି ଉଚିତ ମାର୍ଗ ପ୍ରଦର୍ଶନ କରିଥାଏ ଏବଂ ସେମାନଙ୍କ ଉପଦେଶ ବା ପରାମର୍ଶ କାର୍ଯ୍ୟକାରୀ କରାଗଲେ ସୁଫଳ ପ୍ରାପ୍ତ ହୁଏ। ତେଣୁ ସେମାନଙ୍କ ତଥାକଥିତ ଆଳସ୍ୟ ଅନାଦରଣୀୟ ନୁହେଁ।
ଅବଶ୍ୟ ମସ୍ତିଷ୍କର ଏହି ବିଶେଷତ୍ୱ୍‌ ସତ୍ତ୍ୱେ ଜଣେ ଯଦି ବୟସ ବଢିଲେ ସୁଦ୍ଧା ସ୍ଥାଣୁଭାବେ ଘରେ ବସି ସମୟ ଅତିବାହିତ ନ କରି ପ୍ରାତଃଭ୍ରମଣ, ବ୍ୟାୟାମ ନିୟମିତ କରେ ତଥା ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ରଖେ ତେବେ ମସ୍ତିଷ୍କର ବୟସଜନିତ ଜୈବିକ କ୍ଷୟିଷ୍ଣୁ ଭାଗମାନ କିଛିମାତ୍ରାରେ ସୁରକ୍ଷିତ ହୋଇଥାଏ। ଏହାଦ୍ୱାରା ଜଣେ କର୍ମପ୍ରବଣ ବୟସ୍କ ବ୍ୟକ୍ତିର ହିପୋକ୍ୟାମ୍ପସ ସେରେବେଲମ୍‌ ଇତ୍ୟାଦି ଅଂଶ ମଧ୍ୟ କେତେକାଂଶରେ ସତେଜ ରହିବା ସହ ଅତିରିକ୍ତ ଭାବେ ସେ ନିଷ୍କ୍ରିୟ ନେଟ୍‌ଓ୍ବର୍କ ଦ୍ୱାରା ଉପକୃତ ହୁଏ।
ରସାୟନଶାସ୍ତ୍ରରେ ନୋବେଲ ବିଜୟୀ ବୟୋଜ୍ୟେଷ୍ଠ ଗୁଡ୍‌ଏନଫ୍‌ଙ୍କ ଜୀବନରେ ଆମେ ମସ୍ତିଷ୍କର ଏମିତି ସମ୍ମିଶ୍ରିତ ଓ ସୁଷମ ସଂଯୋଗର ଉପସ୍ଥିତି ଲକ୍ଷ୍ୟ କରୁ। ସମ୍ପ୍ରତି ସେ ଅଷ୍ଟିନସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଓ ମେଟେରିଆଲ ସାଇନ୍ସ ବିଭାଗରେ କାର୍ଯ୍ୟରତ।
ଏତଦ୍‌ବ୍ୟତୀତ ବୁଢା ହୋଇଗଲେ ଜଣେ ମୃତ୍ୟୁ ବିଷୟରେ ଅବଶ୍ୟ ଅତିଶୟ ଚିନ୍ତିତ ହୋଇଥାଏ। ବାଳ ପାଚିଗଲେ ଜଣେ ଅନୁଭବ କରେ ସତେ ଯେମିତି ମଶାଣିରେ ତା’ର ଗୋଟିଏ ଗୋଡ ପହଞ୍ଚିଗଲାଣି ଓ ମୃତ୍ୟୁ ଆସନ୍ନ। ଏହି ଦୁଶ୍ଚିନ୍ତାରୁ ମୁକ୍ତ ହେବା ସକାଶେ ସକାରାତ୍ମକ ମନୋଭାବ ଦରକାର। ନିମ୍ନ କାହାଣୀର ମର୍ମାର୍ଥ ଜଣେ ହୃଦୟଙ୍ଗମ କଲେ ଭଲ ହେବ। ଏଥିରେ ନିହିତ ଆଧ୍ୟାତ୍ମିକ ଭାବନା।
ଏକଦା ବାପା ସହ ତାଙ୍କ ଛୋଟ ପୁଅ ଗୋଟିଏ ମେଳାକୁ ବୁଲି ଯାଇଥିଲେ। ମେଳାର ଭୀଷଣ ଭିଡ ମଧ୍ୟରେ ପୁଅଟି ବାପାର ହାତ ଦୈବାତ୍‌ ଛାଡି ନିଃସଙ୍ଗ ହୋଇଗଲା। ସେ ବାପାକୁ ଖୋଜି ଏଣେତେଣେ କାନ୍ଦି କାନ୍ଦି ବୁଲୁଥିବା ବେଳେ ପୋଲିସ ତାକୁ ଧରି ଥାନାକୁ ନେଲା। ପୋଲିସ ତାକୁ ନେବାବେଳେ ପିଲାଟି ଅଧିକ ବିକଳ ହେଉଥାଏ। କାରଣ ତା’ ମନରେ ଧାରଣା ଥିଲା ଯେ ପୋଲିସମାନେ ମାଡ ଦିଅନ୍ତି। କିନ୍ତୁ ଥାନାରେ ପହଞ୍ଚି ପିଲାଟି ଦେଖିଲା ଯେ ଥାନାରେ ରିପୋର୍ଟ କରି ତା’ ବାପା ସେଠାରେ ବସିଛନ୍ତି। ସେ ଆନନ୍ଦରେ ନାଚିଉଠିଲା।
ଠିକ୍‌ ସେମିତି ଈଶ୍ୱର ଆମକୁ ଦୁନିଆର ଏହି ମେଳାକୁ ପଠାଇଛନ୍ତି। ଜୀବନର ନାନା ବାଧାବିଘ୍ନ ଆମ ପାଇଁ ଉକ୍ତ ଗପର ଭୟସୂଚକ ଘଟଣାବଳୀ। ତେବେ ମୃତ୍ୟୁ ପରେ ଆମେ ସେଇ ଈଶ୍ୱରଙ୍କ ପାଖକୁ ଯାଉ, ଯିଏ ଆମକୁ ଏଠାକୁ ପଠାଇଛନ୍ତି-ପିଲାଟି ଥାନାରେ ତା’ ବାପାଙ୍କୁ ଭେଟିବା ପରି।
ମୋ-୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri