ଜଙ୍ଗଲ ସଂରକ୍ଷଣ ନା ଧ୍ୱଂସ ପାଇଁ ବିଲ୍‌

ଭାଲଚନ୍ଦ୍ର ଷଡ଼ଙ୍ଗୀ

ମଣିପୁର ପ୍ରସଙ୍ଗରେ ସଂସଦରେ ବିରୋଧୀ ଦଳଙ୍କ ଅନୁପସ୍ଥିତି ସୁଯୋଗରେ କେନ୍ଦ୍ର ସରକାର ଜଙ୍ଗଲ ସଂରକ୍ଷଣ ବିଲ୍‌-୨୦୨୩କୁ ଲୋକ ସଭାରେ ଗୃହୀତ କରାଇଛନ୍ତି। ଦେଶର ଜଙ୍ଗଲ, ପରିବେଶ ଓ ଜୈବବିବିଧତା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିବା ଏହି ବିଲ୍‌ଟିକୁ ସରକାର ଦେଶର ବିଭିନ୍ନ ମହଲରୁ ବ୍ୟାପକ ବିରୋଧ ସତ୍ତ୍ୱେ ସଂସଦରେ ବିନା କୌଣସି ଆଲୋଚନା କିମ୍ବା ବିତର୍କରେ ଯେଉଁଭଳି ତରବରିଆ ଭାବେ ଗୃହୀତ କରାଇଲେ ସେଥିରୁ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବାରିହେଉଛି। ବିଲ୍‌ଟି ଲୋକ ସଭା ପରି ରାଜ୍ୟ ସଭାରେ ବି ଗୃହୀତ ହୋଇ ଶେଷରେ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଲେ ଆଇନରେ ପରିଣତ ହେବା ସହ ପୂର୍ବର ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ର ସ୍ଥାନ ନେବ।
ବିଲ୍‌ର ମୁଖବନ୍ଧରେ ଦେଶର ଜଙ୍ଗଲ ଏବଂ ପରିବେଶର ସଂରକ୍ଷଣ ନେଇ ଅନେକ କଥା କୁହାଯାଇଛି। ଏହା ସତ ଯେ ସରକାର ୨୦୧୫ରେ ପ୍ୟାରିସ ଠାରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବାର୍ଷିକ ୨୫୦ରୁ ୩୦୦ କୋଟି ଟନ୍‌ ଅଙ୍ଗାରକାମ୍ଳ ଗାସ୍‌କୁ ଶୋଷିବା ବା ଆହରଣ କରିବା ପାଇଁ ୨୦୩୦ ସୁଦ୍ଧା ଦେଶର ସର୍ବନିମ୍ନ ୩୩% ଭୂଭାଗକୁ ଜଙ୍ଗଲରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶର ମାତ୍ର ୨୧.୬୧% ଭୂଭାଗରେ ଜଙ୍ଗଲ ଅଛି। ଯଦି ଏହି ଘୋଷିତ ଜଙ୍ଗଲ ବାହାରେ ଥିବା ଜଙ୍ଗଲକୁ ମିଶାଯିବ ତାହେଲେ ଏହି ପରିମାଣ ସର୍ବାଧିକ ୨୪% ହେଉଛି। ଏଭଳି ସ୍ଥିତିରେ ୩୩% ଭୂଭାଗରେ ଜଙ୍ଗଲ ସୃଷ୍ଟି ପାଇଁ ସରକାରଙ୍କ ପ୍ରତିଶ୍ରୁତି ଅବାସ୍ତବ ମନେହୁଏ।
ବିଲ୍‌ରେ ସରକାର ଭାରତୀୟ ଜଙ୍ଗଲ ଅଧିନିୟମ – ୧୯୨୭ ଏବଂ ଅନ୍ୟାନ୍ୟ ଆଇନ ଅନୁଯାୟୀ ଘୋଷିତ ଅଥବା ବିଜ୍ଞପ୍ତି ପ୍ରାପ୍ତ ସମସ୍ତ ଜଙ୍ଗଲକୁ ତଥା ଅକ୍ଟୋବର ୨୫, ୧୯୮୦ରେ କିମ୍ବା ତା’ପରେ ଜଙ୍ଗଲ ଭାବରେ ରେକର୍ଡ କରାଯାଇଥିବା ଜଙ୍ଗଲ ଜମିକୁ ସଂରକ୍ଷଣର ପରିସରଭୁକ୍ତ କରିଛନ୍ତି। ଫଳରେ ଶ୍ରେଣୀଭୁକ୍ତ ହୋଇ ନ ଥିବା ଜଙ୍ଗଲଗୁଡ଼ିକୁ ସଂରକ୍ଷଣ ବ୍ୟବସ୍ଥାରୁ ବାହାରେ ରଖାଯାଇଛି। ସରକାରଙ୍କ ଏହି ପଦକ୍ଷେପ କିନ୍ତୁ ସୁପ୍ରିମକୋର୍ଟଙ୍କ ୧୯୯୬ରେ ଦିଆଯାଇଥିବା ‘ଟି.ଏନ୍‌ ଗୋଦାବର୍ମନ୍‌ ବନାମ ଭାରତ ସରକାର’ ମାମଲାର ରାୟର ଖୋଲାଖୋଲି ଉଲ୍ଲଂଘନ କରୁଛି। କାରଣ କୋର୍ଟ ସେତେବେଳେ ନିଜ ରାୟରେ ଜଙ୍ଗଲର ଅଭିଧାନିକ ପରିଭାଷା ଅନୁଯାୟୀ ବ୍ୟାଖ୍ୟା କରିବା ସହ ଜଙ୍ଗଲ ସଂରକ୍ଷଣ ଆଇନର ପରିସୀମାକୁ ସମ୍ପ୍ରସାରିତ କରିଥିଲେ। ଜଙ୍ଗଲ ରହିଥିବା ଦେଶର ସବୁ ଜମିକୁ ଏପରିକି ବ୍ୟକ୍ତିଗତ ଜମିରେ ଥିବା ଜଙ୍ଗଲକୁ ବି ଜଙ୍ଗଲ ଜମି ବୋଲି ଘୋଷଣା କରି ତା’କୁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ପରିସରଭୁକ୍ତ କରିଥିଲେ। ଏହାଫଳରେ ଜଙ୍ଗଲ ସଂରକ୍ଷଣ ଆଇନ ମୁତାବକ, ଉପରୋକ୍ତ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାମରେ ବ୍ୟବହାର କରିବା ଉପରେ କଟକଣା ଲାଗୁହେବା ସହ ସେଠାରେ ଜଙ୍ଗଲ ପରିଚାଳନା ଓ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ରେ ପ୍ରକାଶିତ ଭାରତ ସରକାରଙ୍କ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା ରିପୋର୍ଟରେ ଭାରତର ସମୁଦାୟ ଜଙ୍ଗଲ ଆବରଣ ୭,୭୫,୨୮୮ ବର୍ଗ କିଲୋମିଟର ବୋଲି କୁହାଯାଇଛି। ସେଥିମଧ୍ୟରୁ ୧,୨୦,୭୮୩ ବର୍ଗ କିଲୋମିଟର, ଯାହାକି ସମୁଦାୟ ଜଙ୍ଗଲ ଜମିର ୧୬%, ଉପରୋକ୍ତ ଅଶ୍ରେଣୀଭୁକ୍ତ ଜଙ୍ଗଲ ଅଧୀନରେ ଆସୁଛି। ଏପରିକି କିଛି ରାଜ୍ୟରେ ଏହି ପ୍ରତିଶତଠାରୁ ଅଧିକ ଜଙ୍ଗଲ ଜମି ଏହି ଶ୍ରେଣୀରେ ଆସୁଛି। ଅନ୍ୟପଟେ ପରିବେଶ ଓ ଜୈବ ବିବିଧତା ଦୃଷ୍ଟିରୁ ଏହି ଅଶ୍ରେଣୀଭୁକ୍ତ ଜଙ୍ଗଲ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। କିନ୍ତୁ ବିଲ୍‌ରେ ଅଶ୍ରେଣୀଭୁକ୍ତ ଜଙ୍ଗଲର ଏହି ବିଶାଳ ଭୂଭାଗକୁ ସଂରକ୍ଷଣ ଆଇନର ପରିଧିରୁ ବାହାରେ ରଖିବାକୁ କୁହାଯାଇଛି। ସେପରି ହେଲେ, ଆଗାମୀ ଦିନରେ ସରକାର ବିକାଶ ନାମରେ ଏହି ଲକ୍ଷାଧିକ ବର୍ଗ କି.ମି.ର ଜଙ୍ଗଲ ଜମି ଏବଂ ତା ଉପରେ ରହିଥିବା ମୂଲ୍ୟବାନ୍‌ ଜଙ୍ଗଲ ସମ୍ବଳକୁ କର୍ପୋରେଟରମାନଙ୍କୁ ଦେବାର ସମ୍ଭାବନା ରହିଛି।
ଜଙ୍ଗଲ ସଂରକ୍ଷଣ ବିଲ୍‌, ୨୦୨୩ ଆହୁରି ବିଭିନ୍ନ ପ୍ରକାରର ଜଙ୍ଗଲ ଜମିକୁ ସଂରକ୍ଷଣ ଆଇନର ପରିଧିରୁ ମୁକ୍ତ କରୁଛି। ଅର୍ଥାତ୍‌ ଏସବୁ ଜଙ୍ଗଲକୁ କୌଣସି ଅଣ-ଜଙ୍ଗଲ କାର୍ଯ୍ୟରେ ଉପଯୋଗ କରିବା ପାଇଁ ଏଣିକି ଜଙ୍ଗଲ ମଞ୍ଜୁରୀର ଅନିବାର୍ଯ୍ୟତା ରହିବନି। ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଜଙ୍ଗଲ ଜମିରେ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା କୌଣସି ରାସ୍ତା ଓ ରେଳ ଭିତ୍ତିଭୂମି ନିର୍ମାଣ କରିବା କ୍ଷେତ୍ରରେ ବି ଏଥିରେ ଛାଡ଼ କରାଯାଇଛି। ଏହି ସଂଶୋଧନରେ ”ଅନ୍ତର୍ଜାତୀୟ ସୀମାଠାରୁ ୧୦୦ କିଲୋମିଟର ମଧ୍ୟରେ ଅର୍ଥାତ୍‌ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ସିକିମ୍‌ ପରି ଉତ୍ତର ପୂର୍ବର ରାଜ୍ୟ ତଥା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁ କଶ୍ମୀର ପରି ସୀମାନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳ ରହିଥିବା ଜଙ୍ଗଲ ଜମି ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ରୁ ମୁକ୍ତ ହେବ ଏବଂ ସେଠାରେ ”ଜାତୀୟ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ପ୍ରକଳ୍ପ ନିର୍ମାଣ ଏବଂ ଜାତୀୟ ସୁରକ୍ଷା“ ପାଇଁ ସରକାରଙ୍କ ଜଙ୍ଗଲ ଅନୁମତି ଆଉ ଦରକାର ପଡ଼ିବନି। ସଂରକ୍ଷଣରୁ ମୁକ୍ତ ହୋଇ ଏସବୁ ଜଙ୍ଗଲ ଅଣ-ଜଙ୍ଗଲ କାମରେ ଉପଯୋଗ ହେଲେ ସେଠାକାର ଜୈବ ବିବିଧତା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବ ଏବଂ ଚରମ ପାଣିପାଗ ଘଟଣା ବି ଘଟିପାରେ। ଏହାବ୍ୟତୀତ ଆଭ୍ୟନ୍ତରୀଣ ସୁରକ୍ଷା ନାଁରେ ସରକାର ଦେଶର ଯେକୌଣସି ଜଙ୍ଗଲ ଅଞ୍ଚଳରେ ୫-୧୦ ହେକ୍ଟର ଜଙ୍ଗଲ ଜମିରେ କୌଣସି ଅଣଜଙ୍ଗଲ କାର୍ଯ୍ୟ ପାଇଁ ୫ରୁ ୧୦ ହେକ୍ଟର ଜଙ୍ଗଲ ଜମିକୁ ବିନା କୌଣସି ପ୍ରତିବନ୍ଧକରେ ହସ୍ତାନ୍ତର କରିପାରିବେ।
ବିଲ୍‌ରେ ପରିବେଶ ପର୍ଯ୍ୟଟନ ନାଁରେ ଘରୋଇ କମ୍ପାନୀଗୁଡ଼ିକୁ ପ୍ରାଣୀ ଉଦ୍ୟାନ, ବନ୍ୟଜନ୍ତୁ ସଫାରି ଏବଂ ବ୍ୟାଘ୍ର ସଂରକ୍ଷଣ ପରି ପ୍ରକଳ୍ପକୁ ସଂରକ୍ଷଣ ଆଇନରୁ ରିହାତି ଦିଆଯାଇଛି। ଘରୋଇ କମ୍ପାନୀଙ୍କ ମୁନାଫା ପାଇଁ ଉଦ୍ଦିଷ୍ଟ ଏସବୁ ପ୍ରକଳ୍ପ ଲାଗି ଦେଶର ବିପୁଳ ଜଙ୍ଗଲ ସମ୍ପଦକୁ ବ୍ୟବହାର କରିବା ଉଭୟ ପରିବେଶ ଓ ଜୈବବିବିଧତା ଦୃଷ୍ଟିରୁ କ୍ଷତିକାରକ ହେବ।
ପୂର୍ବ ଆଇନରେ ଅଣ-ଜଙ୍ଗଲ କାର୍ଯ୍ୟ ପାଇଁ ଜଙ୍ଗଲ ଜମିର ଡାଇଭର୍ସନ ବା ହସ୍ତାନ୍ତର ପ୍ରକ୍ରିୟା ଜଟିଳ ଥିଲା। କିନ୍ତୁ ନୂତନ ବିଲ୍‌ ମାଧ୍ୟମରେ ସରକାର ଅଣ ଜଙ୍ଗଲ କାମ କ୍ଷେତ୍ରରେ ରହିଥିବା ଏହି ଅସୁବିଧାଗୁଡ଼ିକୁ ହଟାଇବାକୁ ଚେଷ୍ଟା କରି ଜଙ୍ଗଲ ଅନୁମତି ପାଇବାର ପ୍ରକ୍ରିୟାକୁ ପୂର୍ବାପେକ୍ଷା ସହଜ କରିଛନ୍ତି। ଏପରିକି ଅନେକ ଶ୍ରେଣୀର ଜଙ୍ଗଲକୁ ବାଧ୍ୟତାମୂଳକ ଅନୁମତି ପ୍ରକ୍ରିୟାରୁ ବାଦ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଜଙ୍ଗଲ ଜମିରେ ନିଜର ପ୍ରକଳ୍ପ କରିବାକୁ ଇଚ୍ଛୁକ କର୍ପୋରେଟ୍‌ମାନଙ୍କ ମୁନାଫାକୁ ବଢ଼ାଇବ। କିନ୍ତୁ ସେଠାରେ ଥିବା ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କୁ କ୍ଷତିଗ୍ରସ୍ତ କରିବ। କାରଣ ସେସବୁ ଜଙ୍ଗଲ ଜମି ସଂରକ୍ଷଣରୁ ମୁକ୍ତ ହେବା ପରେ ଅଣଜଙ୍ଗଲ କାମରେ ତା’ର ହସ୍ତାନ୍ତର ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କର କୌଣସି ଭୂମିକା ରହିବନି।
ଦେଶର ଜଙ୍ଗଲ ସଂରକ୍ଷଣ ଆଇନରେ ଅଣାଯାଇଥିବା ଏହି ସଦ୍ୟତମ ସଂଶୋଧନ କୌଣସି ବିଚ୍ଛିନ୍ନ ଘଟଣା ନୁହେଁ। ବରଂ ମୋଦି ସରକାର ଅମଳରେ ଦେଶୀ ବିଦେଶୀ କର୍ପୋରେଟ୍‌ଙ୍କ ସ୍ବାର୍ଥରେ ଦେଶର ଜଙ୍ଗଲ ଏବଂ ପରିବେଶ ସହ ଜଡିତ ବିଭିନ୍ନ ଆଇନ ଓ ନିୟମରେ ଯେଉଁଭଳି ପରିବର୍ତ୍ତନ କରାଯାଉଛି, ଏହା ଅଂଶ ବିଶେଷ ମାତ୍ର। ଭାଜପାର ଗତ ନଅ ବର୍ଷର ଶାସନ କାଳରେ କ୍ଷତିପୂରଣକାରୀ ବନୀକରଣ (କାମ୍ପା) ଆଇନ ପ୍ରଣୟନ ସହ ଜଙ୍ଗଲ ଅଧିକାର ଆଇନ -୨୦୦୬କୁ ଦୁର୍ବଳ କରିବାକୁ ଲଗାତର ପ୍ରଚେଷ୍ଟା ହୋଇଛି। ଆମର ଜମି, ଜଙ୍ଗଲ, ପ୍ରାକୃତିକ ସମ୍ପଦ ଓ ଜୀବିକା ଉପରେ ଦେଶୀ ବିଦେଶୀ କର୍ପୋରେଟ୍‌ ଓ ସରକାରଙ୍କ ନିୟନ୍ତ୍ରଣକୁ ବଢ଼େଇବା ପାଇଁ ଅଣା ଯାଇଥିବା ଏହି ସଦ୍ୟତମ ବିଲ୍‌ ଦେଶର ଜଙ୍ଗଲ, ପରିବେଶ ଓ ଜୈବ ବିବିଧତା ସହ ଆଦିବାସୀ, ପାରମ୍ପରିକ ବନଜୀବୀଙ୍କ ଜୀବନ ଜୀବିକା ପ୍ରତି ଭୟଙ୍କର ବିପତ୍ତି ଆଣିବାକୁ ଯାଉଛି।
ମୋ : ୯୪୩୭୧୭୬୩୭୪


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri