Posted inଫୁରସତ

ଚିନ୍ମୟ ଚିନ୍ତନ: ଈଶ୍ୱରଙ୍କ ଗଣିତ

ଆମେମାନେ ଦୁନିଆରେ ଦେଖୁ ଯେ, ଯେଉଁମାନେ ଧନୀ ସେମାନଙ୍କର ଧନ ଦିନକୁ ଦିନ ବଢ଼ୁଛି। ରୋଗ, ଦୁଃଖ, ବିପଦ ଆଦି ଖୁବ୍‌ କ୍ୱଚିତ୍‌ ସେମାନଙ୍କର ଥାଏ। କିନ୍ତୁ ଯେଉଁମାନେ ଦିନକୁ ଦି ଓଳି ଖାଇବାକୁ ମୁଠାଏ ପାଆନ୍ତି ନାହିଁ, ସେମାନଙ୍କ ଉପରେ ବହୁ ବିପଦ। ଏମିତିରେ ଫଟା ଅଧୁଲିଟିଏ ନ ଥିବ ତେଣେ ପୁଅ ଆକ୍ସିଡେଣ୍ଟରେ ପଡିବଣି, ସ୍ତ୍ରୀର ବ୍ଲଡପ୍ରେସର, ନିଜର ହେଭି ଡାଇବେଟିସ୍‌, ନିଜର ଏକମାତ୍ର ସୁନ୍ଦରୀ ଝିଅକୁ ତେଣେ କୋଉ ଲଫଙ୍ଗା ଟୋକା ନେଇ ପଳାଇଲାଣି, ଏଣେ ଥାନାରେ ଏଫ୍‌ଆଇଆର୍‌ ଦେଲେ ପୋଲିସ ଶୁଣୁନି। କୋର୍ଟକୁ ଯିବାକୁ ପଇସା ନାହିଁ-ଏମିତି କେତେ ଦୁଃଖ ଜଞ୍ଜାଳ ଭିତରେ ଘାଣ୍ଟି ଚକଟି ହେଉଥାଏ ଗରିବ ମେହନତି ମଣିଷଟିଏ।
ଅନେକ ସମୟରେ ସନ୍ନ୍ୟାସୀ ଭାବେ, ଆଉ ଆପଣମାନେ ବି ଭାବୁଥିବେ ଯେ ବୋଝ ଉପରେ ନଳିତା ବିଡା ପରି ଦୁଃଖୀଟିଏ ଏତେ ଦୁଃଖ ପାଏ କାହିଁକି? ଅନ୍ୟପକ୍ଷରେ ଧନ ଉପରେ ଧନ ପାଇ ଧନୀଟିଏ ଆରାମରେ ବୁଲୁଥାଏ। କେବଳ ସୁଖ ଆଉ ସୁଖ।

ହେଲେ ପାଠକେ, ମନେ ରଖିବା ଦରକାର ଯେ ମଣିଷର ହିସାବ କିତାବରେ ଗୋଳମାଳ ହୋଇପାରେ କିନ୍ତୁ ଈଶ୍ୱରଙ୍କ ହିସାବ ପୂରା ପକ୍କା। ସେ କାହାକୁ ଗରିବ କରିବେ, କାହାକୁ ଧନୀ କରିବେ, କାହାକୁ ଧନୀରୁ ଗରିବ ବା ଗରିବରୁ ଧନୀ କରିବେ-ଏ କଥା ଆମ ଅପେକ୍ଷା ତାଙ୍କୁ ବେଶି ଜଣା। ଆମ ମନ ବୁଝେନା ବୋଲି ଆମେ କାହା ଦୁଃଖ ଦେଖି କାନ୍ଦୁ ବା କାହା ସୁଖରେ ଖୁସି ହେଉ।
ହେଲେ ମନରେ ପ୍ରଶ୍ନ ଉଠେ ଅସଲରେ ଈଶ୍ୱର ଏମିତି କରନ୍ତି କାହିଁକି? ଦୁଃଖ ପାଉଥିବା ଲୋକଟି ଈଶ୍ୱରଙ୍କ ହିଡ ହାଣି ଦେଇଥାଏ ନା ସୁଖୀ ଲୋକଟା ଈଶ୍ୱରଙ୍କ ଘରେ ପନିପରିବା, ଘିଅ,ମହୁ କିଛି ଲାଞ୍ଚ ଦେଇ ଆସିଥାଏ? କଳିଯୁଗର ବହେ ଲାଞ୍ଚୁଆ ଲୋକଙ୍କ ପରି କ’ଣ ଈଶ୍ୱରଙ୍କ ଚରିତ୍ର ?

ପାଠକେ, ଏହା ଏକ ବିରାଟ ପ୍ରଶ୍ନ। ଏହାର ଉତ୍ତର ଖୋଜି ବସିଲେ ଗୋଟିଏ ବଡ଼ ବହି ହେବ। ଏହି ସଂକ୍ଷିପ୍ତ ସ୍ଥାନରେ ବର୍ଣ୍ଣନା ସମ୍ଭବ ନୁହେଁ। ତଥାପି ଅନେକଗୁଡ଼ିଏ ଉତ୍ତର ମଧ୍ୟରୁ କେବଳ ଗୋଟିଏ ଉତ୍ତର ବାବଦରେ ଆମେ ଆଜି ଶୁଣିବା।
ଗପଟିଏ ଶୁଣିବା ହୁଅନ୍ତୁ।

ଦୁଇଜଣ ବାଟୋଇ ଏକ ଦୂର ଜାଗାକୁ ଯାଉଥିଲେ। ବେଳ ବୁଡ଼ିଗଲା। ଦୁଇଜଣ ଯାକ ଯାଇ ଗୋଟିଏ ମନ୍ଦିର ବେଢ଼ାରେ ରାତ୍ରିଯାପନ କଲେ। କିଛି ସମୟ ପରେ ତୃତୀୟ ଜଣେ ବାଟୋଇ ଆସି ସେ ମନ୍ଦିରରେ ପହଞ୍ଚିଲେ। ରାତ୍ରି ଭୋଜନ ସମୟ ଉପଗତ ହେଲା। ପ୍ରଥମ ବାଟୋଇ ପାଖରେ ୩ଟି, ଦ୍ୱିତୀୟ ବାଟୋଇ ଝୁଲାରେ ୫ଟି -ଏମିତି ୮ଟି ରୁଟି ଥିଲା। ତୃତୀୟ ବାଟୋଇ ପାଖରେ କିଛି ନାହିଁ। ଦୁଇଜଣ ଖାଇବେ। ଆଉ ଜଣେ ଉପାସରେ ଶୋଇବ। ଏହା କ’ଣ କଥା ଅବସ୍ଥା?

ପ୍ରଥମ ବାଟୋଇ କହିଲା-ରୁଟି ୮ଟିକୁ ବାଟୋଇ ୩। ଜଣଙ୍କ ପିଛା ୨ ପଟ ଲେଖାଏଁ ବାଣ୍ଟିଲେ ବଳିପଡୁଛି ୨ଟି। ୟାକୁ ପୁଣି କେମିତି ବାଣ୍ଟିବା?
ତୃତୀୟ ବାଟୋଇ, ସିଏ ତା’ର ଚୁପଚାପ ହୋଇ ବସିଥାଏ। ତା ପାଖେ ତ ଖାଇବାକୁ ନାହିଁ। ସିଏ ଆଉ କ’ଣ କରିବ। ସେ କେବଳ ପ୍ରାର୍ଥନା କରୁଥାଏ। ୟେ ଦୁଇ ବାଟୋଇ ଏଣେ ଚିନ୍ତା କରୁଥାନ୍ତି-ରୁଟି କେମିତି ସମାନ ସମାନ ଭାଗରେ ବାଣ୍ଟିବେ।
ବହୁ ଚିନ୍ତା କଲାପରେ ଦ୍ୱିତୀୟ ବାଟୋଇ ମଗଜରେ ଗୋଟିଏ ଆଇଡିଆ ପଶିଲା। ସେ ପ୍ରତ୍ୟେକ ରୁଟିକୁ ୩ଟି ଖଣ୍ଡରେ ବିଭକ୍ତ କଲା। ଏମିତିରେ ୮ଟି ରୁଟିକୁ ୨୪ ଖଣ୍ଡ ହେଲା। ଖାଇବା ବାଲା ୩। ତେଣୁ ଜଣଙ୍କ ପିଛା୮ ଖଣ୍ଡ ରୁଟି ପଡିଲା। ଏଥିରେ କେହି ଖୁସି ହେବାର ନାହିଁ କି କେହି ଦୁଃଖ କରିବାର ନାହିଁ।

ଭୋଜନ ନିମନ୍ତେ ତୃତୀୟ ବାଟୋଇକୁ ନିମନ୍ତ୍ରଣ କଲେ ଅନ୍ୟ ଦୁଇ ବାଟୋଇ। ଆନନ୍ଦରେ ଭୋଜନ କଲେ।
ରାତି ପାହି ଆସିଲା। ପ୍ରଥମ ବାଟୋଇ ଆଗେ ଉଠିଲା। ଦେଖିଲା ତୃତୀୟ ବାଟୋଇଟି କେତେବେଳୁ ଉଠି ଚାଲିଯାଇଛି। କିନ୍ତୁ ୮ଟି ସ୍ବର୍ଣ୍ଣ ମୁଦ୍ରା ରଖି ଦେଇଯାଇଛି। ଦ୍ୱିତୀୟ ବାଟୋଇ ବି ନିଦ ମଳମଳ କରି ଉଠିଲା। ଆଖି ଆଗରେ ସ୍ବର୍ଣ୍ଣମୁଦ୍ରା। ଚିଠିଟିଏ ପାଖରେ ପଡିଛି। ଲେଖାଅଛି ରାତ୍ରି ଭୋଜନ ପାଇଁ ଉପହାର।

ବାଟୋଇ ଦ୍ୱୟ ଆନନ୍ଦିତ। କିନ୍ତୁ ପରେ ଆରମ୍ଭ ହେଲା ମନୋମାଳିନ୍ୟ। ପ୍ରଥମ ବାଟୋଇ କହିଲା -ମୋର ୪ଟିକୁ ତୁମର ୪। ସମାନ ଭାବରେ ବାଣ୍ଟିନେବା।

ଦ୍ୱିତୀୟ ବାଟୋଇ କହିଲା-ନା… ନା..। ସେମିତି ହେବନି। ମୁଁ ଦେଇଥିଲି ୫ଟି ରୁଟି। ତେଣୁ ମୁଁ ନେବି ୫, ତୁ ନେ ୩।
ହାତାହାତି ହେବାକୁ ଯାଉଥିଲେ। ମନ୍ଦିର ପୂଜକ ଆସି ପହଞ୍ଚିଗଲେ। ସବୁ କଥା ଶୁଣିଲେ। ଜଣେ କହୁଛି ୪-୪ ତ ଆଉ ଜଣେ କହୁଛି ୫-୩। ପୂଜକକୁ ୫-୩ ନ୍ୟାୟଟି ପସନ୍ଦ ହେଉଥିଲା। ହେଲେ ଏଥିରେ ଅନ୍ୟ ବାଟୋଇଟି ସହମତ ହେବନି। ଭଲା ସମାଧାନ କେମିତି ହେବ?

ପୂଜକ କହିଲେ-ହଉ ଠିକ୍‌ ଅଛି। ମୋତେ ସବୁତକ ସ୍ବର୍ଣ୍ଣମୁଦ୍ରା ଦେଇଦିଅ। ମୁଁ ରାତିରେ ଠାକୁରଙ୍କୁ ପଚାରି କାଲି ସକାଳେ ଆପଣଙ୍କୁ ନ୍ୟାୟ ଜଣାଇବି।

ରାତିରେ ପୂଜକଙ୍କୁ ସ୍ବପ୍ନାଦେଶ ହେଲା-ଶୁଣ, ଭାଗ ବଣ୍ଟୁଆର ୪-୪ କି ୫-୩ ନୁହେଁ, ତା ହେବ ୧-୭। ଅର୍ଥାତ ପ୍ରଥମ ବାଟୋଇ ପାଇବ ଗୋଟିଏ ଏବଂ ଦ୍ୱିତୀୟ ବାଟୋଇ ପାଇବ ୭ଟି ସ୍ବର୍ଣ୍ଣମୁଦ୍ରା।

ଈଶ୍ୱରଙ୍କ ନିର୍ଦ୍ଦେଶାନୁସାରେ ଠିକ୍‌ ସେମିତି ହିଁ ପୂଜକ ବାଣ୍ଟିଦେଲେ। ନ୍ୟାୟର ବିଶ୍ଳେଷଣ ଶୁଣିବା ପରେ ଦୁଇ ବାଟୋଇ ନିଜ ନିଜ ସ୍ବର୍ଣ୍ଣମୁଦ୍ରା ଗ୍ରହଣ ପାଇଁ ଏକରକମ ବାଧ୍ୟ ହେଲେ।

ପାଠକେ! ଆପଣମାନେ ଚିନ୍ତିତ ହୋଇପଡ଼ିବେଣି। ଏମିତି କ’ଣ ନ୍ୟାୟ ହେଲା ମ!! ସ୍ବର୍ଣ୍ଣମୁଦ୍ରାର ବଣ୍ଟନ ୪-୪ ହେଉ କି ୩-୫ ହେଉ, ଆମ ବିଚାରରେ କିଛି ଅସୁବିଧା ନ ଥିଲା। ହେଲେ ଈଶ୍ୱର କେଉଁ ତର୍କରେ ଜଣକୁ ଦେଲେ ଗୋଟିଏ, ଅନ୍ୟକୁ ଦେଲେ ୭ଟି!!
ଈଶ୍ୱର ଅବଶ୍ୟ ପୂଜକଙ୍କୁ ସବୁ ବୁଝାଇ ଦେଇଥିଲେ। ଏଠି କଥା ଉଠୁଛି-ଯିଏ ଯେତେ ଅନ୍ୟକୁ ଦାନ କରିଛି, ସିଏ ସେଇ ଅନୁପାତରେ ପ୍ରତିଦାନ ବି ପାଇଛି। ତିନି ବାଟୋଇକୁ ୨୪ ଖଣ୍ଡ ରୁଟି। ଜଣ ପିଛା ୮ ଖଣ୍ଡ ରୁଟି ଭାଗ ପଡିଲା। ଏବେ ଦେଖିବା ତୃତୀୟ ବାଟୋଇକୁ କିଏ କେତେ ଦାନ କରିଛି। ପ୍ରଥମ ବାଟୋଇ ପାଖରେ ୩ ପଟ ରୁଟି ଥିଲା। ଏହା ହେଲା ୯ ଖଣ୍ଡ। ଏଥିରୁ ସେ ନିଜେ ଖାଇଛି ୮ ଖଣ୍ଡ। ମାତ୍ର ଖଣ୍ଡିଏ ତୃତୀୟ ବାଟୋଇ ପତରକୁ ଯାଇଛି। ତେଣୁ ସେ ଗୋଟିଏ ସ୍ବର୍ଣ୍ଣମୁଦ୍ରା ପାଇବାକୁ ହକ୍‌ଦାର। ସେଇ ନ୍ୟାୟରେ ଦ୍ୱିତୀୟ ବାଟୋଇ ୭ଟି ସ୍ବର୍ଣ୍ଣମୁଦ୍ରା ପାଇଥିଲା।

ବନ୍ଧୁଗଣ। ଗପଟି ସରିଲା। ଆମ ହିସାବ ଠୁଁ ଈଶ୍ୱରଙ୍କ ହିସାବ ବେଶ୍‌ ନିଆରା ଆଉ ଠିକ ମଧ୍ୟ। ତେଣୁ ଗରିବକୁ ଆହୁରି ଗରିବ, ଧନୀକୁ ଢ଼େର ଧନୀ, ଦୁଃଖୀକୁ ମହାଦୁଃଖୀ ଆଦି କରିବାରେ ତାଙ୍କ ଗଣିତ କେବେ ବି ଭୁଲ ହୋଇ ନ ଥିବ। ଏହା ଶତ ପ୍ରତିଶତ ସତ୍ୟ।
-ଶ୍ରୀ ସନ୍ନ୍ୟାସୀ, ରାମନଗର,
ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?