ଖୁଲଣା ଦେଈଙ୍କ ବେଲଣାକାଠି ପିଠିପୂଜା

ମାଧବ ଚନ୍ଦ୍ର ସ୍ବାଇଁ
ତିଦିନ ଚଣାଚଟା ଯୁଆଡ଼େ ଯାଇ ଥାଉନା କାହିଁକି ରାତି ଦଶଟା ବେଳକୁ ପିଇ ଦେଇ ଘରକୁ ଫେରେ। ଚଣାଚଟା ସେଇ ଗୀତଟା ”ଆହାରେ ଭଲ ମନ୍ଦ ନାଇଁ, ଯେ ସ୍ଥାନେ ଯେମନ୍ତ ମିଳଇ“ ଗାଇ ଗାଇ ପାଦ ଟଳମଳ ଅବସ୍ଥାରେ ଚାରି ପାଞ୍ଚ ଜାଗାରେ ଧକ୍କା ଖାଇଲେ ବି ଘର ଚିହ୍ନି ଆସେ। ସ୍ତ୍ରୀ ଖୁଲଣା ଦେଈର ସବୁଦିନ ଏପରି ଢକଲମ ତାମସା ଦେଖି ଦେଖି ଦିହସୁହା ହୋଇଗଲାଣି। ତଥାପି ବେଳେ ବେଳେ ରାଗରେ ବେଲଣାକାଠିରେ ସ୍ବାମୀ ଚଣାଚଟାର ପିଠି ପୂଜା କରି ସାରି ଭୋ ଭୋ ହୋଇ କାନ୍ଦେ। ମହିଳା ମଣ୍ଡଳ ମଦ ବିରୋଧୀ ଠେଙ୍ଗା ବାହିନୀରେ ଯୋଗ ଦେଇଛି ସିନା, ଚଣାଚଟାର ନାଲି ଆଖି ଓ ଗାଳିଗୁଲଜ ବେଳେ ବେଳେ ଖୁଲଣାକୁ ପାଟି ଚୁପ କରି ରହିବାକୁ ବାଧ୍ୟ କରେ।
ରାତି ଏଗାରଟା ହେଲାଣି ଚଣାଚଟା ଘରକୁ ଫେରିନି। ଏପଟ ସେପଟ ହୋଇ ପଡ଼ୋଶୀ ଦିନା ମା’କୁ ପଚାରିବାରୁ ସେ କହିଲା, ବଉଳ! ଆଜି ଆମର ପ୍ରାଣନାଥ ବି ଆସି ନାହାନ୍ତି। ଆସୁ ଆସୁ ରାତି ବାରଟା ଗୋଟେ ହେବ ବୋଲି ଖବର ଦେଇଛନ୍ତି।
ଖୁଲଣା ପଚାରିଲା-ବଉଳ ଆଜି କ’ଣ କିଏ ପାର୍ଟି ଦେଉଛି କି। ଦିନା ମା’ କହିଲା- ମଦ ଭେଣ୍ଡର ଚଇନ ଆଜି ପାର୍ଟି ଦେଉଛି। ଯେତେ ଯେଉଁଠି ମଦୁଆ ଅଛନ୍ତି, ସମସ୍ତଙ୍କୁ ସେ ନିମନ୍ତ୍ରଣ କରିଛି। ନାଚ ଗୀତ ହେବ, ବାଜା ବାଣ ଫୁଟିବ। ମଟନ୍‌ ବିରିୟାନୀ ସାଙ୍ଗକୁ ଚାଖଣା। ଯିଏ ଯେତେ ପିଇପାରିବ, ନାଚି ପାରିବ ତାକୁ ଆଜି ପୁରସ୍କାର ମିଳିବ। ଏ ପୁରସ୍କାର ଲୋଭରେ ବଉଳ ତୁମ ସ୍ବାମୀ ଓ ମୋ ସ୍ବାମୀ ଆହୁରି ଚାରି ପାଞ୍ଚଜଣଙ୍କୁ ସାଙ୍ଗରେ ଧରି ଯାଇଛନ୍ତି। ତୁ ଘରକୁ ଯାଆ। ଆଜି କବାଟ ବନ୍ଦ କରିଦେବୁ। ଜମା ଖୋଲିବୁ ନାହିଁ। ମୁଁ ବି ଖୋଲିବି ନାହିଁ। ଆଜି ଖାଲି ବ୍ୟାଟିଂ ଚାଲିବ।
ରାତି ସାଢ଼େ ଗୋଟାଏ। ହଠାତ୍‌ ବୁଲା କୁକୁରଗୁଡ଼ାକ ଭୋ ଭୋ ହୋଇ ରଡି ଛାଡ଼ିଲେ। ଖୁଲଣା ଦେଈର ନିଦ ଭାଙ୍ଗିଗଲା। କବାଟ ଖୋଲିଲା ବେଳକୁ ଖୁଲଣା ଦେଈ ଦେଖିଲେ ପତି ମଦନାଗର କୁକୁରଙ୍କ ମେଳରେ ବ୍ରେକ୍‌ ଡ୍ୟାନ୍ସ କରି କରି ଆସୁଛନ୍ତି। ମୁଣ୍ଡରେ ଗୋଟାଏ ମଦ କମ୍ପାନୀର ଟୋପି। କାନ୍ଧରେ ଗୋଟାଏ ଗାମୁଛା। ଟୋପି ଗାମୁଛା ସାଙ୍ଗକୁ ଖଣ୍ଡ ଖଣ୍ଡିଆ ଗୀତ ଶୁଣି ଖୁଲଣା ରକ୍ତ ଚାଉଳ ଚୋବାଇ ରହିଥାଏ। ଘର ଭିତରକୁ ପ୍ରବେଶ କଲାମାତ୍ରେ ଖୁଲଣା ଦେଈ ବେଲଣା କାଠିରେ ତିନି ଚାରି ପାହାର ଦେଉ ଦେଉ ଚଣାଚଟା ନାଟକୀୟ ଠାଣିରେ ଡାଏଲଗ୍‌ ମାରି କହିଲା- ତୋର ଆଉ କୌଣସି ଚାଲ୍‌ କାମ ଦେବନି ପ୍ରିୟେ। ଆଜିଠାରୁ ମୁଁ ମନ୍‌ କି ରାଜା। ବେଶି ନବରଙ୍ଗ ଦେଖେଇଲେ ବଜେଇଦେବି ବାଜା।
ଖୁଲଣା ଦେଈ ପ୍ରକୃତ ରହସ୍ୟଟା ଜାଣିବା ପାଇଁ କହିଲେ- କ’ଣ ହୋଇଛି କି? ତମର କ’ଣ ଲଟେରି ଉଠିଛିକି। ଚଣାଚଟା କହିଲା ଲଟେରି ଉଠିବ, ଉଠିବ। ଚନ୍ଦ୍ର ଯାନ ପରି ଉଠିବ। ସବୁ ମଦୁଆଙ୍କ ଭାଗ୍ୟ ଖୋଲିଗଲା ଜାଣ। ମଦ ଭେଣ୍ଡର ଯେତେ ଅଧିକ ମଦ ବିକିବ, ସେତେ ପୁରସ୍କାର ସିଏ ପାଇବ ବୋଲି ସରକାର ବାହାଦୁର ଘୋଷଣା କରିବା ପରେ ମଦୁଆମାନେ ଏବେ ମଦ ଭେଣ୍ଡରର ଜୁଆଁଇ କୁଣିଆ। ହେ ଶୁଣ। ମୋ କଥାକୁ ଟିକିଏ ଭଲରେ କାନରେ ନବ। କାଲିଠାରୁ ମହିଳାମାନେ ଯଦି ମଦ ବିରୋଧୀ ଆନ୍ଦୋଳନ କରନ୍ତି, ତୁ ସେ ଠେଙ୍ଗା ନେଇ ଆଉ ତାଙ୍କ ସାଙ୍ଗରେ ଯିବୁ ନାହିଁ। ସେ ଠେଙ୍ଗାଟାକୁ ମୁଁ ଚୁଲିରେ ଜାଳିଦେବି ନଚେତ ସେ ଠେଙ୍ଗାଟା ପାଖରେ ରଖିବି, ଆମ ଠେଙ୍ଗା ବାହିନୀ ପାଇଁ କାମ ଦେବ।
ଖୁଲଣା ପଚାରିଲା- ତୁମ ମଦୁଆମାନଙ୍କର ଠେଙ୍ଗା ବାହିନୀ କ’ଣ। ମଦ ଭେଣ୍ଡର ନିର୍ଦ୍ଦେଶ ଦେଇଛନ୍ତି- ଯଦି ଏଣିକି ମହିଳା ମଣ୍ଡଳ ଠେଙ୍ଗା ବାହିନୀ ମଦ ଦୋକାନ ଭାଙ୍ଗିବେ କିମ୍ବା ମଦ ଭେଣ୍ଡରକୁ ବିଜୁଳି ଖୁଣ୍ଟରେ ବାନ୍ଧି ପିଟିବେ, ତେବେ ଆମ ଠେଙ୍ଗା ବାହିନୀ କାମ ଦେଖାଇବ। ନିଜ ନିଜ ସ୍ତ୍ରୀକୁ ସ୍ବାମୀମାନେ ସମ୍ଭାଳିବେ। ଆଗାମୀ ଦଶହରା ବେଳକୁ ତୁମମାନଙ୍କ ପାଇଁ ଶାଢ଼ି, ଚୁଡି, ବିନ୍ଦି ମଦ ଭେଣ୍ଡର ଆମ ହାତରେ ଦେବେ। ଦଶହରା ଖର୍ଚ୍ଚ ଦେବେ। ଆମେ ସାଙ୍ଗ ହୋଇ ବୁଲିବା। ବୁଝିଲୁ ଖୁଲଣା ଆଜି ମୁଁ ଆଉ କିଛି ଖାଇବି ନାହିଁ। ପେଟେ ବିରିୟାନୀ ଠୁଙ୍କି କି ଆସିଛି। ଏକଥା କହି ସାରିବା ପରେ ଚଣାଚଟା ଭକ ଭକ କରି ବାନ୍ତି କରି ବେହୋସ ହୋଇ ଶୋଇଗଲା। ଖୁଲଣା ଭାବିଲା ଏଇଟା ହେଉଛି ମାହେନ୍ଦ୍ର ବେଳା। ଆଜି ଯାହା ପିଠି ପୂଜା ହେବ, କାଲିଠାରୁ ସବୁ ବନ୍ଦ। ଏହା କହି ବେଲଣାକାଠିରେ ଦୁଇ ଚାରି ପାହାର ଦେଇ ଭୋ ଭୋ କାନ୍ଦି କାନ୍ଦି ଖୁଲଣା କହିଲା- ଯିଏ ଉଜାଡ଼ୁଛି ସଂସାର ତାକୁ ମିଳୁଛି ପୁରସ୍କାର। ଅଜବ ରାଇଜ ଗଜବ ନୀତି, କାହାକୁ କହିବା କିଏ ଶୁଣିବ।
ଶୈଳନିବାସ, ଏଫ-୧୮୦, ସେକ୍ଟର-୭, ସିଡିଏ, କଟକ,
ମୋ-୯୪୩୭୧୪୬୩୬୮


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri