କୌତୂହଳ ପାଲଟୁଛି

ତଥାଗତ ସତପଥୀ

କରୋନା ଭାଇରସ୍‌କୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଭାରତବ୍ୟାପୀ ୨୨ ମାର୍ଚ୍ଚରେ ‘ଜନତା କର୍ଫ୍ୟୁ’ ପାଳନ କରାଯାଇଛି। ଜନସାଧାରଣ ନିଜକୁ ଘରେ ଆବଦ୍ଧ କରି ରଖିଥିଲେ। ରାସ୍ତାଘାଟ ଶୂନଶାନ୍‌ ରହିଥିଲା। ତେବେ ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକ୍ରମେ ଲୋକେ ନିଜ ବାଲ୍‌କୋନି କିମ୍ବା ଦାଣ୍ଡ ଦୁଆରେ ଛିଡ଼ାହୋଇ ତାଳିମାରିଛନ୍ତି, ଘଣ୍ଟ ପିଟିଛନ୍ତି ଏବଂ ଶଙ୍ଖ ଫୁଙ୍କିଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ୧୯ ମାର୍ଚ୍ଚରେ ଦେଶକୁ ସମ୍ବୋଧନ କରି କହିଥିଲେ ଯେ ଏଭଳି କରିବା ଦ୍ୱାରା ଡାକ୍ତର, ନର୍ସ, ପୌରପାଳିକା କର୍ମଚାରୀ, ପୋଲିସ, ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଜଣାଇବା। କିନ୍ତୁ ଦେଖିବାକୁ ମିଳିଛି ଯେ ଲୋକେ ଲଗାଲଗି ହୋଇ ସାମୂହିକ ଭାବେ ଘଣ୍ଟ ପିଟୁଛନ୍ତି, ଯାହା କରୋନା ଭାଇରସ୍‌କୁ ନିମନ୍ତ୍ରଣ କରିବାରେ ଅଧିକ ସାହାଯ୍ୟ କରିବ। କ୍ୱାରାଣ୍ଟାଇନ୍‌ ବା ସଙ୍ଗରୋଧ ବା ଏକାକୀ ଜୀବନ ବିତାଇବା ଦ୍ୱାରା ଭୂତାଣୁକୁ ପ୍ରତିହତ କରାଯାଇପାରିବ ବୋଲି ବାର୍ତ୍ତା ଯାହା କିଛିଦିନ ହେବ ଦିଆଯାଇଆସୁଛି, ଏକାଠି ଥାଳି ବଜାଇବା ବା ଘଣ୍ଟ ପିଟିବା ଦ୍ୱାରା ତାହା ମୂଳ ଲକ୍ଷ୍ୟକୁ ବିରୋଧ କରୁଛି ବୋଲି କୁହାଯାଇପାରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଦେଇଥିବା ଘଣ୍ଟ ବାଡ଼ାଇବା ଡାକରା କୌଣସି ଭାବେ କରୋନା ବିରୋଧୀ ଲଢ଼େଇରେ ନୂତନତ୍ୱ ଆଣିନାହିଁ। ଇଟାଲି, ସୁଇଜରଲାଣ୍ଡ, ସ୍ପେନ୍‌ ଭଳି ୟୁରୋପୀୟ ଦେଶରେ ଗତ କିଛି ସପ୍ତାହ ଧରି ପ୍ରତ୍ୟେକ ସନ୍ଧ୍ୟାରେ ଜନସାଧାରଣ ନିଜ ଘରେ ରହି ଗୀତ ଗାଉଛନ୍ତି ଓ ତାଳି ମାରୁଛନ୍ତି। ସେହିସବୁ ଦେଶରେ ଘଣ୍ଟ କିମ୍ବା ଅନ୍ୟ କୌଣସି ବାଦ୍ୟଯନ୍ତ୍ର ଦ୍ୱାରା ଶବ୍ଦ ପ୍ରଦୂଷଣ କରାଯାଉ ନାହିଁ। ସେହି ରାଷ୍ଟ୍ରଗୁଡ଼ିକରେ ଜନସାଧାରଣ ନିଜ ମନୋବଳ ବଢ଼ାଇବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିବା ନିମନ୍ତେ ଏଭଳି ପଦକ୍ଷେପ ନେଉଛନ୍ତି। ତାହାର ଅବିକଳ ନକଲ କରାଯାଇ ଭାରତବାସୀଙ୍କୁ ଦିନକ ପାଇଁ ଏଭଳି ବାର୍ତ୍ତା ଦିଆଗଲା। କିନ୍ତୁ ବାର୍ତ୍ତାରେ ସମସ୍ତେ ଅଲଗା ରହିବାକୁ କୁହା ନ ଯିବାରୁ ସାଧାରଣ ଭାରତୀୟ ଚରିତ୍ରଗତ ଦୋଷ ଯୋଗୁ ଆମେ ମେଳିହୋଇ ଶବ୍ଦ ପ୍ରଦୂଷଣ କଲୁ। ଏହି ଅବାସ୍ତବ ପ୍ରସ୍ତାବକୁ ସ୍ବୀକୃତି ଦେବା ପାଇଁ ବିଭିନ୍ନ ଆଳ ନିଆଗଲା।
ସୋସିଆଲ ମିଡିଆରେ ପ୍ରଚାର ହେଉଛି ଯେ, ଏକସଙ୍ଗେ କୋଟି କୋଟି ଲୋକ ଶବ୍ଦ ସୃଷ୍ଟି କଲେ ଚାରିଆଡ଼େ ଏକ ମେକାନିକାଲ ଭାଇବ୍ରେଶନ ବା ଯାନ୍ତ୍ରିକ କମ୍ପନ ସୃଷ୍ଟି ହେବ, ଯେଉଁଥିରେ ଭୂତାଣୁ ମରିଯିବେ ବା ଦୂରେଇଯିବେ। ପ୍ରକୃତପକ୍ଷେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ବରଂ ନୀରବତା ଓ ନିଃସଙ୍ଗ ଜୀବନ ବିତାଇଲେ ଏହି ଭୂତାଣୁକୁ ରୋକାଯାଇପାରୁଛି ବୋଲି ଚାଇନା ପ୍ରମାଣ ଦେଲାଣି। କରୋନାର ଜନ୍ମପୀଠ ଉହାନରେ ଅସଂଖ୍ୟ ଲୋକ କ୍ୱାରାଣ୍ଟାଇନ୍‌ରେ ରହିବା ଦ୍ୱାରା ଏହି ଭୂତାଣୁର ପ୍ରଭାବକୁ କମାଯାଇପାରିଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଲାଣି।
ଭାରତରେ ବିପଦ ପଡ଼ିଲେ ପ୍ରତ୍ୟେକ ଲୋକ ସଙ୍ଗେ ସଙ୍ଗେ ଡାକ୍ତର ଭଳି ମତ ଦେଇଥାଆନ୍ତି। ଏଠାରେ ଦେଖାଯାଏ ଶସ୍ୟକ୍ଷେତ୍ର ଦେଇ ଚାଲୁଥିବା ବେଳେ ଯଦି କେହି ଝୁଣ୍ଟି ପଡ଼ନ୍ତି, ସଙ୍ଗେ ସଙ୍ଗେ ସେଠାରେ କାମ କରୁଥିବା ଲୋକେ ଆଘାତ ଜାଗାରେ ମାଟି ଲେପି ଦେଇଥାଆନ୍ତି ବା ଗାଲପୋଡ଼ି ଗଛର ରସକୁ ଲଗାଇବାକୁ ପରାମର୍ଶ ଦେଇଥାଆନ୍ତି। ଏହା ଗୋଟିଏ ମାତ୍ର ଉଦାହରଣ। ରୋଗକୁ ପ୍ରତିରୋଧ କରିବାକୁ ହେଲେ ବିଜ୍ଞାନସମ୍ମତ ବା ଡାକ୍ତରୀ ବିଦ୍ୟାର ଉପଯୋଗ କରାଯିବା ଅନିବାର୍ଯ୍ୟ। ମନେରଖିବାକୁ ହେବ ଯେ, ଏହା ପୃଥିବୀବ୍ୟାପୀ ଏକ ପାଣ୍ଡାମିକ୍‌ ବା ମହାମାରୀ ପାଲଟିଗଲାଣି। ଏଥିରେ କୌଣସି ଦୈବ ବା ପ୍ରାକୃତିକ ଶକ୍ତିର ଭୂମିକା ନାହିଁ। କରୋନା ଭାଇରସ୍‌ ସମ୍ପୂର୍ଣ୍ଣ ଭାବେ ଏକ ମନୁଷ୍ୟକୃତ ବେମାରି ବୋଲି କୁହାଯାଉଛି। କିଛି ମାସ ତଳେ ମିଳିଥିବା ତଥ୍ୟ ଅନୁଯାୟୀ କରୋନା ଚାଇନାର ଉହାନ ସହରସ୍ଥିତ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ ବାହାରିଛି। ହୁଏତ ନିଜକୁ ରକ୍ଷାକରିବା ପାଇଁ ଚାଇନା ଏବେ କହୁଛି, ଏହି ରୋଗ ସୃଷ୍ଟି ପଛରେ ତା’ର କୌଣସି ଭୂମିକା ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ପୂର୍ବରୁ ମଧ୍ୟ ମିଡିଲ ଇଷ୍ଟ ରେସ୍‌ପିରେଟୋରି ସିଣ୍ଡ୍ରୋମ୍‌ (ଏମ୍‌ଇଆର୍‌ଏସ୍‌), ସିଭିୟର ଆକ୍ୟୁଟ୍‌ ରେସ୍‌ପିରେଟୋରି ସିଣ୍ଡ୍ରୋମ୍‌ (ସାର୍ସ), ସ୍ବାଇନ୍‌ ଫ୍ଲୁ, ବାର୍ଡ ଫ୍ଲୁ ଭଳି ରୋଗ ଚାଇନାରୁ ବାହାରିଛି। କେବଳ ସେତିକି ନୁହେଁ, ଚାଇନାର ବୈଜ୍ଞାନିକ ଥିବା କେତୋଟି ଆଫ୍ରିକୀୟ ଦେଶରେ ଇବୋଲା ରୋଗ ପଦାକୁ ଆସିଥିଲା। ସେତେବେଳେ ପୃଥିବୀବ୍ୟାପୀ ଭୟ ସୃଷ୍ଟି ହେବା ସତ୍ତ୍ୱେ ଇବୋଲାକୁ ନିୟନ୍ତ୍ରଣ କରାଯାଇପାରିଥିଲା। କ୍ରମାନ୍ବୟରେ ଦେଖିଲେ ଯେତେସବୁ ମହାମାରୀ ଆସୁଛି ତା’ର କୋପ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍‌ ଏବେ ମହାରାଜା ଗାଦି ମାଡ଼ି ବସିବା ଭଳି ହେଲାଣି। ୧୮୮ ଦେଶରେ ଏହା କାୟା ବିସ୍ତାର କରିସାରିଲାଣି। ଏହାର ଭୟାବହ ଦୌଡ଼ ଶେଷ କେବେ ହେବ, ତାହା ଭାବିବା କଷ୍ଟକର। କିନ୍ତୁ କରୋନାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିବା ସହିତ ଏବେ ସମଗ୍ର ପୃଥିବୀର ଅର୍ଥନୀତି ସମ୍ପୂର୍ଣ୍ଣ ବଦଳିଯିବାର ଆଶଙ୍କା ରହିଛି। ଯେହେତୁ ଅର୍ଥନୀତି ସହିତ ରାଜନୀତି ଓତପ୍ରୋତ ଜଡ଼ିତ, ସେଥିପାଇଁ ଅନେକ ଦୃଷ୍ଟିରୁ ରାଜନୈତିକ ପରିବର୍ତ୍ତନ ଆସିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଅନ୍ଦାଜ ଲଗାଯାଇଥିଲା ଯେ, ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହା ଅଧିକ ପ୍ରଭାବିତ କରିବ। ଅଦ୍ୟାବଧି ଭାରତରେ ଏହି ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ବିହାରର ୩୮ ବର୍ଷୀୟ ଜଣେ ଯୁବକ ଥିବା ଜଣାପଡ଼ିଛି। ଏଥିରୁ ବୁଝିବାକୁ ହେବ ଯେ, କୋଭିଡ୍‌-୧୯ ଆଉ ନିର୍ଦ୍ଦିଷ୍ଟ ବୟସ ମଧ୍ୟରେ ସୀମିତ ରହିନାହିଁ।
କରୋନା ଭାଇରସ୍‌ ଏହା ମଧ୍ୟ ଶିକ୍ଷା ଦେଉଛି ଯେ ଶୃଙ୍ଖଳିତ ଜୀବନ ଏଭଳି ମହାମାରୀକୁ ରୋକିବାରେ ସହାୟକ ହୋଇପାରିବ। କିନ୍ତୁ ଯେଉଁମାନେ ଅବାସ୍ତବ ସମାଧାନର ପ୍ରସ୍ତାବ ଦେଉଛନ୍ତି ତାହାଦ୍ୱାରା ରୋଗ ପ୍ରତିରୋଧ କରିବା କଷ୍ଟକର। ଭାରତ ଭଳି ଦେଶରେ ଡାକ୍ତର ଓ ସ୍ବାସ୍ଥ୍ୟ ସମ୍ପର୍କିତ ଗବେଷଣା କରୁଥିବା ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ଘୋର ଅଭାବ ରହିଛି। ବିଦେଶରେ ଔଷଧ ବାହାରିଲେ ଆମେ ତାହାକୁ ଆମଦାନୀ କରୁ ବା ତା’ର ଲାଇସେନ୍ସ ନେଇ ଭାରତରେ ପ୍ରସ୍ତୁତ କରିଥାଉ। ଗଣମାଧ୍ୟମରେ ଡାକ୍ତରଙ୍କ ପୋଷାକ ପିନ୍ଧି ବିଭିନ୍ନ ପ୍ରକାର ଅବାଞ୍ଛିତ ପରାମର୍ଶ ଦେବା ପାଇଁ ବହୁ ଜୋକର ଆଗଭର ହେଉଛନ୍ତି। କେଉଁଟା ସତ୍ୟ ଓ କେଉଁଟା ଅସତ୍ୟ ତାହା ଜାଣିବା ଶିକ୍ଷିତ ଲୋକଙ୍କ ପାଇଁ ମଧ୍ୟ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ଏଥିରେ କୌତୂହଳପୂର୍ଣ୍ଣ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ନିଜକୁ ସମ୍ପୂର୍ଣ୍ଣ ଭାବେ ଅଲଗା ରଖିବା ହେଉଛି ଏକମାତ୍ର ସମାଧାନ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri