କୁନି ବାହାଘର ହବ ତ

ସୁଧାକର ଦାସ
ନିର୍ବାଚନ ଫଳାଫଳ ବାହାରିବ ୨୩ ତାରିଖରେ। ସ୍ପଷ୍ଟ ହେଇଯିବ କିଏ ଜିତିଲା, କିଏ ହାରିଲା। ନିଷ୍ପତ୍ତି ହେଇଯିବ କାହା ହାତକୁ ଯିବ କ୍ଷମତା ଆଉ କିଏ ବସିବେ ବିରୋଧୀ ଆସନରେ। ପରିଷ୍କାର ହେଇଯିବ ଲୋକମତ କାହା ସପକ୍ଷରେ ଆଉ କାହା ବିପକ୍ଷରେ…।
ହେଲେ ଗୋଟିଏ କଥା କେବେ ସ୍ପଷ୍ଟ ଆଉ ପରିଷ୍କାର ହେବ, ତା’କୁ ମତେ ପ୍ରତୀକ୍ଷା କରିବାକୁ ପଡିବ। କଥାଟି ହେଲା…
ଆମ ଗାଁର ଦୀନବନ୍ଧୁ ଓ କୃପାସିନ୍ଧୁ ଦୁଇ ଭାଇ। କୃପାସିନ୍ଧୁର ପିଲାପିଲି କିଛି ନାହିଁ। ଦୀନବନ୍ଧୁର ତିନିବର୍ଷ ଭିତରେ ଲାଗ ଲାଗ ଦୁଇଟି ଝିଅ ଜନ୍ମ ହେଲେ। ପୁଣି ବର୍ଷ ତିନିଟା ପରେ ଦୀନବନ୍ଧୁର ସ୍ତ୍ରୀ ଗର୍ଭବତୀ ହେଲା। ଦୀନବନ୍ଧୁ ଯେତେବେଳେ ସ୍ତ୍ରୀକୁ ନେଇ ତା’ ପେଟ ୱାଶ୍‌ କରିବାକୁ ବାହାରିଲା କୃପାସିନ୍ଧୁ ଆଉ ତା’ ସ୍ତ୍ରୀ ବାଟ ଓଗାଳିଲେ। କହିଲେ- ପୁଅ ହଉ କି ଝିଅ, ଯାହା ହବ ଆମ କୋଳକୁ ଟେକିଦେବୁ। ଭାଇଭାଉଜଙ୍କ ଦମ୍ଭରେ ଦୀନବନ୍ଧୁ ସମ୍ଭାଳିଗଲା ଆଉ ୭ ମାସ ପରେ ତା’ର ଝିଅଟିଏ ହେଲା। ତା’ ନାଁ ରଖାଗଲା କୁନି। ଇଏ ଆଜକୁ ପ୍ରାୟ ୧୯-୨୦ ବର୍ଷ ତଳର କଥା। ସେତେବେଳେ ଅବଶ୍ୟ ଦୀନବନ୍ଧୁ ଓ କୃପାସିନ୍ଧୁ ଗୋଟିଏ ଓଳି ତଳେ ରହୁଥିଲେ। ଅପେକ୍ଷା କରାଗଲା, କୁନି କ୍ଷୀର ଛାଡିବା ପରେ କୃପାସିନ୍ଧୁ ପାଖକୁ ଚାଲି ଆସିବ। ତା’ ତ ହେଲାନି ବରଂ ବର୍ଷ ପାଞ୍ଚଟା ଭିତରେ ଦୁଇଭାଇ ଅଲଗା ହେଇଗଲେ। ଭିନ୍ନେ ହବା ଦିନ କୃପାସିନ୍ଧୁ କିନ୍ତୁ ଜୋର୍‌ ଦେଇ କହିଥିଲା- କୁନି ତୋ ପାଖରେ ରହୁ କି ମୋ ପାଖରେ…ତା’ ବାହାଘର ମୁଁ କରିବି, ଯାବତୀୟ ଖର୍ଚ୍ଚ ମୋର। ୟା ଭିତରେ ଦୀନବନ୍ଧୁର ବଡ଼ ଦୁଇ ଝିଅ ରମା ଓ ଭବାନୀଙ୍କର ବାହାଘର ସରିଛି। ଝିଅଦୁହିଁଙ୍କୁ ବାହା ଦବା ପାଇଁ ଦୀନବନ୍ଧୁ ନିଜ ଭାଗର ପୈତୃକ ସମ୍ପତ୍ତି ସବୁ ବିକିଭାଙ୍ଗି ଦେଇଛି। ଏବେ ତା’ ପାଖରେ ସମ୍ବଳ କେବଳ ଘରଡିହ ଖଣ୍ଡକ। ଚାରିମାସ ତଳେ କୁନି ପାଇଁ ଆସିଥିଲା ଗୋଟେ ବାହାଘର ପ୍ରସ୍ତାବ। ଦୁଇପକ୍ଷ ରାଜି ହେଲେ। ଯୌତୁକ ବାବଦକୁ ବରପକ୍ଷକୁ କେତେ ଟଙ୍କା ଦିଆଯିବ, ତା’ ବି ସ୍ଥିର ହେଲା। ଏ ସବୁ କାମରେ କୃପାସିନ୍ଧୁର ସହଯୋଗ ଦୀନବନ୍ଧୁର ମନୋବଳ ବଢ଼ଉଥିଲା। ଆଉ ଦୀନବନ୍ଧୁ ନିଶ୍ଚିନ୍ତ ଥିଲା ଯେ, ତା’ ଜବାବ ମୁତାବକ କୁପାସିନ୍ଧୁ କୁନି ବାହାଘରର ସକଳ ଭାର ବହନ କରିବ। ଆଉ ସେଦିନ ଦୀନବନ୍ଧୁ ପୂରା ଆଶ୍ୱସ୍ତ ହେଇଗଲା, ଯୋଉଦିନ କୃପାସିନ୍ଧୁ ଗାଁ ଲୋକଙ୍କ ସାଙ୍ଗରେ ତା’ ଭାଗର ଦୁଇମାଣ ଜମି ବିକିବା ପାଇଁ ମୂଲଚାଲ ଆରମ୍ଭ କଲା। ଜମି ବିକ୍ରିରୁ ଯାହା ପଇସା ମିଳିବ, ସେ ସବୁକିଛି କୁନି ବାହାଘରରେ ଖର୍ଚ୍ଚ ହବ ବୋଲି କୃପାସିନ୍ଧୁ ତା’ ବନ୍ଧୁବାନ୍ଧବଙ୍କ ଆଗରେ ବି କହୁଥିଲା।
ଏତିକିବେଳେ ଆସିଲା ନିର୍ବାଚନ। କୃପାସିନ୍ଧୁ ଚାଳରେ ଉଡିଲା ଗୋଟିଏ ଦଳର ପତାକା ତ ଦୀନବନ୍ଧୁ ଚାଳରେ ଆଉ ଗୋଟିଏ ଦଳର। ଦୀନବନ୍ଧୁର କାନ୍ଥରେ ଗୋଟିଏ ଦଳର ପୋଷ୍ଟର ତ କୃପାସିନ୍ଧୁର କାନ୍ଥରେ ଆଉ ଗୋଟିଏ ଦଳର। ସାରା ଗାଁ ଭିତରେ ଦୁଇଟା ଦଳ। ଗୋଟିଏ ପଟରେ କୃପାସିନ୍ଧୁ ଅନ୍ୟ ପଟରେ ଦୀନବନ୍ଧୁ। ଦୁଇ ଦଳଙ୍କ ଭିତରେ ଛକାପଞ୍ଝା, କଥା କଟାକଟି…।
ଠିକ୍‌ ଭୋଟ ପୂର୍ବଦିନ ଗାଁରେ ଟଙ୍କାବଣ୍ଟା ଘଟଣାକୁ ନେଇ ପ୍ରକାଶ ପାଇଲା ଉତ୍ତେଜନା। ରାତି ଅନ୍ଧାରରେ ଘୋ-ଘା, ଚିତ୍କାର, ମରଣାନ୍ତକ ଆକ୍ରମଣ, ଗାଁ ଭିତରେ ଦୌଡିଲା ଆମ୍ବୁଲାନ୍ସ। ପରଦିନ ସକାଳୁ ଜଣାପଡିଲା ସେଇ ଅନ୍ଧାର ଭିତରେ ଦୀନବନ୍ଧୁର ଟାଙ୍ଗିଆ ମାଡ଼ରେ ଗୁରୁତର ଅସୁସ୍ଥ ହେଇ କୃପାସିନ୍ଧୁ ପଡିଛି ବଡ଼ମେଡିକାଲରେ।
ୟା ଭିତରେ ନିର୍ବାଚନ ସରିଯାଇଛି। ଖାଲି ଯାହା ଫଳାଫଳ ଘୋଷଣାକୁ ଅପେକ୍ଷା। ଆଉ କେଇଟା ଦିନ ପରେ କୃପାସିନ୍ଧୁ ଓ ଦୀନବନ୍ଧୁଙ୍କ ଚାଳରୁ ପବନରେ ଉଡିଯିବ ଦଳୀୟ ପତାକା, କାନ୍ଥରୁ କବାଟରୁ ଚିରିଯିବ ପୋଷ୍ଟର। ହେଲେ କ’ଣ ହବ କୁନିର? କ’ଣ ହବ କୃପାସିନ୍ଧୁ ଦୀନବନ୍ଧୁକୁ ଦେଇଥିବା ଭରସାର? ସତରେ, ଭୋଟ ଗଣତି ଦିନ ଏସବୁ କଥା ସ୍ପଷ୍ଟ ହେଇଯା’ନ୍ତା କି! ଜଣା ପଡିଯା’ନ୍ତା କି କୃପାସିନ୍ଧୁ ଏବେ ବି ନିଜର ଜବାବ ରଖିବାକୁ ପ୍ରସ୍ତୁତ କି ନା…!!
ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ପ୍ରକ୍ରିୟା ହେଉଛି ନିର୍ବାଚନ। ନିର୍ବାଚନ ଆୟୋଗ ଏଥରର ନିର୍ବାଚନକୁ ଘୋଷଣା କଲେ ଗଣତନ୍ତ୍ରର ମହାପର୍ବ। ଏଇ କ’ଣ ମହାପର୍ବର ସୂଚନା ଯାହା ବିଭେଦ, ଅସୂୟା, ହିଂସା ସୃଷ୍ଟି କରି ମାନବିକତା, ସୌହାର୍ଦ୍ଦ୍ୟ ଆଉ ଭ୍ରାତୃତ୍ୱକୁ ପରାହତ କରେ?
କେଜାଣି, ହୁଏତ କୁନି ପାଖରେ ଏହାର ଉତ୍ତର ଥାଇପାରେ!! କାରଣ, ଏଥର କୁନି ଥିଲା ଫାଷ୍ଟ ଟାଇମ୍‌ ଭୋଟର୍‌।
ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri