କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର

ଡ. ପବିତ୍ର ସୁବୁଦ୍ଧି

ଥରେ ଭକ୍ତ ସୁଦାମା ସଖା ଶ୍ରୀକୃଷ୍ଣଙ୍କୁ ପଚାରିଲେ, ”ମାଧବ! ବନ୍ଧୁତା କାହାକୁ କୁହାଯାଏ?“ ଶ୍ରୀକୃଷ୍ଣ କହିଲେ, ”ଯେଉଁଠି ସ୍ବାର୍ଥ ଥାଏ, ସେଠି ସମ୍ପର୍କ ନ ଥାଏ ଆଉ ଯେଉଁଠି ସମ୍ପର୍କ ଥାଏ, ସେଠି ସ୍ବାର୍ଥ ନ ଥାଏ। ଅର୍ଥାତ୍‌ ବିନା ସ୍ବାର୍ଥ ଓ ସର୍ତ୍ତରେ ବନ୍ଧଯାଇଥିବା ସମ୍ପର୍କକୁ ‘ବନ୍ଧୁତା’ କୁହାଯାଏ।“ ଏକଦା ନୋବେଲ ପୁରସ୍କାର ବିଜୟିନୀ ମଦର ଟେରେସା କହିଥିଲେ- ”ମଣିଷ ଜାତିର ସବୁଠାରୁ ଭୟଙ୍କର ଦାରିଦ୍ର୍ୟ ହେଲା: ନିଃସଙ୍ଗତା, ଏକାକୀତ୍ୱ ଓ ଅଲୋଡ଼ାପଣ।“ ନିର୍ଜନତାକୁ ସହ୍ୟ କରି ନେଇହୁଏ, ମାତ୍ର ନିଃସଙ୍ଗତାକୁ ସହ୍ୟ କରିବା କଷ୍ଟ। ଏଣୁ ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ ସ୍ବାଭାବିକ। ସେଇଥିପାଇଁ କେଉଁ ଅନାଦି ଅନନ୍ତକାଳରୁ ମଣିଷ, ମଣିଷ ସହ ସମ୍ପର୍କଟିଏ ଯୋଡ଼ିଛି, ଯାହାକି ଏ ସମାଜ ବନ୍ଧୁତା ବୋଲି କହେ। ‘ପରିବାର’ ପରେ ସର୍ବପୁରାତନ ମାନବିକ ସମ୍ପର୍କ ହେଉଛି ‘ବନ୍ଧୁତା’। ଏ ସମ୍ପର୍କର ପବିତ୍ରତା ପାରିବାରିକ ସମ୍ପର୍କର ପବିତ୍ରତାକୁ ଅତିକ୍ରମ କରିଯିବାର ଦୃଷ୍ଟାନ୍ତ ମଧ୍ୟ କମ୍‌ ନୁହେଁ। ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଉଦାହରଣ ହେଉଛନ୍ତି ମହାଭାରତର ‘କର୍ଣ୍ଣ’। ପାଣ୍ଡବମାନେ ତାଙ୍କର ଭାଇ ବୋଲି ଜାଣିବା ପରେ ମଧ୍ୟ ସେ ବନ୍ଧୁ ଦୁର୍ଯ୍ୟୋଧନକୁ ତ୍ୟାଗ କରି ନ ଥିଲେ। ଏତଦ୍‌ଭିନ୍ନ କୃଷ୍ଣ ଓ ସୁଦାମାଙ୍କର ଅପୂର୍ବ ବନ୍ଧୁତା କଥା ସମସ୍ତଙ୍କୁ ଜଣା।
କିଏ ଜଣେ ବିଦ୍ୱାନ୍‌ ଏକଦା କହିଥିଲେ- ବନ୍ଧୁତା ଜନ୍ମ ହୋଇଥାଏ, ତିଆରି ହୋଇ ନ ଥାଏ। ହୃଦୟ ତ ପ୍ରେମ ଭାଙ୍ଗିଥାଏ, କିନ୍ତୁ ବନ୍ଧୁତା ହୃଦୟକୁ ଯୋଡ଼ିଥାଏ। ଈଶ୍ୱର ଏ ଦୁନିଆରେ ଅନେକ ସମ୍ପର୍କ ଗଢ଼ିଛନ୍ତି, କିନ୍ତୁ ସବୁଠାରୁ ଶ୍ରେଷ୍ଠ ସମ୍ପର୍କ ହେଲା ‘ବନ୍ଧୁତା’। ଆମ ଜୀବନ ହେଉଛି ପିତାମାତାଙ୍କ ଉପହାର, ମାତ୍ର ଭଲ ବନ୍ଧୁଟିଏ ହେଉଛି ଈଶ୍ୱରଙ୍କ ଉପହାର। ସେଥିପାଇଁ କୁହାଯାଏ ଜଣେ ବିଶ୍ୱସ୍ତ ବନ୍ଧୁ, ଦଶ ଜଣ ଆମତ୍ୀୟଙ୍କ ସହ ସମାନ। ବନ୍ଧୁ ବାନ୍ଧିବାକୁ କିଛି ନିୟମ ନଥାଏ କି ଏହାକୁ ଶିଖେଇବା ପାଇଁ କୌଣସି ସ୍କୁଲ ନଥାଏ। ଅସଲ ବନ୍ଧୁତା ତ ହୃଦୟରୁ ଜନ୍ମ ନେଇଥାଏ। ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ, କେବଳ ଏକ ସମ୍ପର୍କ ନୁହେଁ, ଏହା ଏକ ନୀରବ ପ୍ରତିଶ୍ରୁତି ଯାହା ନିରନ୍ତର କହୁଥାଏ- ‘ମୁଁ ଥିଲି, ମୁଁ ଅଛି, ମୁଁ ରହିବି’। ଜଣେ ଭଲ ବନ୍ଧୁ କହେ ଚିନ୍ତା କରନା, କିଛି ଅସୁବିଧା ହେଲେ ମୁଁ ତୋ’ ସାଙ୍ଗରେ ଅଛି। କିନ୍ତୁ ଜଣେ ପ୍ରକୃତ ବନ୍ଧୁ କହେ- ମୁଁ ଥିବାଯାଏଁ ତୋର କେବେ ଅସୁବିଧା ହେବାକୁ ଦେବିନି। ଜୀବନରେ ଏମିତି ବନ୍ଧୁଟିଏ ଲୋଡ଼ା, ଯିଏ ଦୂରରୁ ଦେଖି ହସେ। ଶ୍ମଶାନରେ ଛିଡ଼ା ହୁଏ। ଦୁଃଖ ବେଳେ ଆସେ। ଦୁର୍ଭିକ୍ଷରେ ଲୋଡ଼େ। ରାଜଦ୍ୱାରେ ଛିଡ଼ା ହୁଏ। କୁହାଯାଏ ଜୀବନରେ ଦୁଇ ପ୍ରକାର ବନ୍ଧୁ ଲୋଡ଼ା। ଜଣେ କୃଷ୍ଣଙ୍କ ପରି, ଯିଏ ଯୁଦ୍ଧ ନ ଲଢ଼ି ମଧ୍ୟ ବନ୍ଧୁ ଅର୍ଜୁନଙ୍କୁ ଯୁଦ୍ଧ ଜିତେଇପାରନ୍ତି। ଆଉ ଜଣେ କର୍ଣ୍ଣଙ୍କ ଭଳି, ଯିଏ ପରାଜୟ ନିଶ୍ଚିତ ଜାଣି ମଧ୍ୟ ବନ୍ଧୁ ଦୁର୍ଯ୍ୟୋଧନଙ୍କ ପକ୍ଷ ଛାଡ଼ନ୍ତି ନାହିଁ। ସତରେ ପ୍ରକୃତ ବନ୍ଧୁତା ନା କେବେ ପରୀକ୍ଷା ନିଏ, ନା କେବେ ପରୀକ୍ଷା ଦିଏ। ସେଥିପାଇଁ ତ କୁହାଯାଏ- ଦେଶରେ ‘ରାଜା’, ସମାଜରେ ‘ଗୁରୁ’, ପରିବାରରେ ‘ପିତା’, ଘରେ ‘ସ୍ତ୍ରୀ’ ଓ ଜୀବନରେ ‘ବନ୍ଧୁ’ କେବେ ବି ସାଧାରଣ ହୋଇ ନ ଥା’ନ୍ତି। ‘ସୃଷ୍ଟି’ ଆଉ ‘ପ୍ରଳୟ’ ତ ଏହିମାନଙ୍କ ହାତରେ ହିଁ ହୋଇଥାଏ।
ବିଡ଼ମ୍ବନାର ବିଷୟ , ଏଭଳି ବନ୍ଧୁଟିଏ ଆଜି କାହିଁ ? ଏମତି ‘ହାଲୋ ହାଏ’ ବନ୍ଧୁ ତ ହଜାରେ। ଫେସ୍‌ବୁକରେ, ହ୍ବାଟ୍‌ସ ଆପ୍‌ରେ, ପୁରୁଣା ମାଟ୍ରିକ ବ୍ୟାଚ୍‌ ମେଳରେ, ଛାଡ଼ଖାଇ, ନୂଆଖାଇ ଭେଟ୍‌ଘାଟ ମେଳାରେ! ”କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା’ର ପ୍ରାପତି ଯୋଗୁଁ ଦେବା ନର?“ ଆଜିର ମଣିଷର ଜନସମ୍ପର୍କ ପୂର୍ବ ପିଢ଼ିର ମଣିଷ ଜନସମ୍ପର୍କ ତୁଳନାରେ ବହୁ ଅଧିକ। ବିଶେଷତଃ ସହର ନଗରରେ ରହୁଥିବା ପ୍ରତି ବ୍ୟକ୍ତିର ପରିଚିତ ମଣ୍ଡଳୀର ଆୟତନ ବେଶ ବଡ଼। ବହୁ କ୍ଷେତ୍ରରେ ସେ ସବୁ ପରିଚିତମାନଙ୍କୁ ଆମେ ବନ୍ଧୁ ଆଖ୍ୟା ଦେଇଥାଉ। ଏ ଗତାନୁଗତିକ ସମ୍ପର୍କ ବଳୟ ବାହାରେ ରହିଛି ପୁଣି ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌ ଭଳି ଛାୟାମୟା ସମ୍ପର୍କର ବ୍ୟାପକ ପରିସର। କିନ୍ତୁ ବିସ୍ମୟର କଥା, ପରିଚିତ, ସୁପରିଚିତ, ମିତ୍ର, ବନ୍ଧୁ ଓ ସହକର୍ମୀ ସଂଖ୍ୟାର ପ୍ରାଚୁର୍ଯ୍ୟ ସତ୍ତ୍ୱେ ଆଜିର ମଣିଷ ନିଜକୁ ନିଃସଙ୍ଗ ମଣୁଛି। ବିଡ଼ମ୍ବନାର ବିଷୟ ହେଲା ନିଃସଙ୍ଗ ଅନୁଭବକୁ ଦୂର କରିବା ମାନସରେ ମଣିଷଟିଏ କ୍ଲବ, ଆଡ୍ଡା, ଅଥବା ଟେଲିଭିଜନ ପାଖରେ ଆମତ୍ସମର୍ପଣ କରେ। କିନ୍ତୁ ସେ ସବୁରୁ ଓହରି ଆସିବାମାତ୍ରେ ନିଃସଙ୍ଗତା ତାକୁ ଆଚ୍ଛନ୍ନ କରେ। ବିଶ୍ୱାସ ହେଉଛି ବନ୍ଧୁତାର ଭିତ୍ତି। ବିଶ୍ୱାସରେ ସଙ୍କଟ ହେତୁ ଆଜି ଯେଉଁ ସର୍ବପୁରାତନ ମାନବିକ ସମ୍ପର୍କ ଦୁର୍ବଳ ହୋଇପଡ଼ିଛି, ତାହା ହେଲା ବନ୍ଧୁତା। ଏମିତି ତ ଇଣ୍ଟରନେଟ୍‌ରେ ଅନେକ ବନ୍ଧୁ, ଯାହାକୁ ଅଶରୀରୀ ବନ୍ଧୁ କୁହାଯାଏ। କିନ୍ତୁ ସେମାନେ କେବଳ କମ୍ପ୍ୟୁଟର ସ୍କ୍ରିନ ବା ସ୍ମାର୍ଟ ଫୋନ୍‌ରେ ବନ୍ଦୀ। ସେମାନଙ୍କ ସହ ବାସ୍ତବ ସମ୍ପର୍କ ସ୍ଥାପନର ଦୃଷ୍ଟାନ୍ତ ଅତି ନଗଣ୍ୟ। ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ଗୋଟେ ନାହିଁ। ବନ୍ଧୁ ତ ଅନେକ, ମାତ୍ର ଦୁଃଖ ବାଣ୍ଟିବାକୁ ଜଣେ ବି ନାହିଁ।
ବନ୍ଧୁତାର ଏ ଉତ୍କଟ ସଙ୍କଟବେଳେ ଗ୍ରୀକ୍‌ କିମ୍ବଦନ୍ତୀ ସାହିତ୍ୟରୁ ଡାମୋନ ଓ ପିଥିଆସ୍‌ଙ୍କ ଅବିସ୍ମରଣୀୟ ଚରିତ ସ୍ମରଣକୁ ଆସେ। ଦୁଇ ନିବିଡ଼ ବନ୍ଧୁ ତାମୋନ ଓ ପିଥିଆସ୍‌। ସେତେବେଳେ ସାଇରାକ୍ୟୁସରେ ଡାଇଆନୋସିଆସଙ୍କ ଏକଚ୍ଛତ୍ର ଶାସନ। ଏହି ଦୁର୍ଦ୍ଦାନ୍ତ ଶାସକଙ୍କ କୋପଦୃଷ୍ଟିରେ ପଡ଼ିଲେ ପିଥିଆସ୍‌। ତାଙ୍କୁ ପ୍ରାଣଦଣ୍ଡର ଆଦେଶ ହେଲା। ମୃତ୍ୟୁ ପୂର୍ବରୁ ଶେଷ ଅଭିଳାଷ ରୂପେ ସପ୍ତାହକ ପାଇଁ ବିରତି ମାଗିଲେ ପିଥିଆସ। ଶେଷଥର ପାଇଁ ଦୂରବର୍ତ୍ତୀ ଗ୍ରାମକୁ ଯାଇ ପରିବାରଠାରୁ ବିଦାୟ ନେଇ ଆସିବେ। କିନ୍ତୁ ଏଥିପାଇଁ ଏକ ବିଚିତ୍ର ସର୍ତ୍ତ ରଖିଲେ ଡାଇଆନୋସିଆସ। ତୁମର ଯଦି କେହି ବନ୍ଧୁ ତୁମ ପାଇଁ ମୁଣ୍ଡଜାମିନ ରହିବ ଏବଂ ତୁମେ ଯଦି ନିର୍ଦ୍ଦିଷ୍ଟ ଦିନ ସୂର୍ଯ୍ୟୋଦୟ ସୁଦ୍ଧା ଲେଉଟି ନ ଆସିବ, ତେବେ ସେ ଜାମିନଦାର ମୃତ୍ୟୁଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଥିବ, ତାହାହେଲେ ତୁମକୁ ସପ୍ତାହକ ପାଇଁ ବିରତି ମିଳିପାରେ। ତତ୍‌କ୍ଷଣାତ୍‌ ଆଗଭର ହେଲେ ଡାମୋନ। ଡାମୋନଙ୍କୁ କାରାରୁଦ୍ଧ କରାଗଲା ଓ ପିଥିଆସ୍‌ଙ୍କୁ ଗାଁକୁ ଯିବାର ଅନୁମତି ମିଳିଲା। ଷଷ୍ଠଦିନ ରାତି ସୁଦ୍ଧା ପିଥିଆସ୍‌ ଫେରିଲେ ନାହିଁ। ତେଣୁ ସପ୍ତମ ଦିନ ପ୍ରଭାତରେ ଡାମୋନଙ୍କୁ ଫାଶୀମଞ୍ଚକୁ ନିଆଗଲା। ସେଠାରେ ଉପସ୍ଥିତ ଥିଲେ ଡାଇଆନୋସିଆସ। ଡାମୋନଙ୍କ ଆଖିରେ ଅଶ୍ରୁ ଦେଖି ଅଟ୍ଟହାସ୍ୟ କଲେ ଏବଂ କହିଲେ- ମୁଁ ଠିକ୍‌ ଜାଣିଥିଲି ତୁମ ବନ୍ଧୁ ତୁମକୁ ଦଗା ଦେବ। ଏବେ ଅଶ୍ରୁପାତ କଲେ ଲାଭ କ’ଣ? କାଳବିଳମ୍ବ ନ କରି ଡାମୋନ କହିଲେ- ହେ ମହାମାନ୍ୟ ଶାସକ! ଏ ଅଶ୍ରୁ ଦୁଃଖଜନିତ ନୁହେଁ। ଇଏ ମୋର ଆନନ୍ଦର ଅଶ୍ରୁ। ମୋ ବନ୍ଧୁ ନିଶ୍ଚୟ କୌଣସି ଦୁର୍ଲଂଘ୍ୟ ଅସୁବିଧା ଯୋଗୁ ଅଟକି ଯାଇଛନ୍ତି। ଭଗବାନ୍‌ ମୋତେ ମୋ ବନ୍ଧୁ ପାଇଁ ପ୍ରାଣ ଦେବା ଅପୂର୍ବ ସୁଯୋଗଟିଏ ଦେଇଥିବାରୁ ମୁଁ ଅତ୍ୟନ୍ତ ପୁଲକିତ। ମୋ ଜୀବନ ଧନ୍ୟ ହୋଇଗଲା। ଡାମୋନ ଫାଶୀ ପାଇଁ ପ୍ରସ୍ତୁତ ହୋଇଗଲେ। ହଠାତ୍‌ ଅଦୂରରୁ ଶୁଣାଗଲା ଏକ ଉତ୍କଣ୍ଠିତ ବିକଳ ଚିତ୍କାର ରହିଯାଅ, ମୁଁ ଆସିଗଲିଣି। ଚାହୁଁ ଚାହୁଁ ଗଳଦ୍‌ଘର୍ମ ପିଥିଆସ୍‌ ଆସି ଫାଶୀମଞ୍ଚରେ ପହଞ୍ଚତ୍ଗଲେ ଏବଂ ବନ୍ଧୁ ଡାମୋନ୍‌ଙ୍କୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ। କହିଲେ, ଭଗବାନ୍‌ଙ୍କୁ ଅଶେଷ ଧନ୍ୟବାଦ ଯେ, ମୁଁ ଠିକ୍‌ ସମୟରେ ପହଞ୍ଚିଗଲି, ନଦୀରେ ପ୍ରବଳ ବନ୍ୟା ଯୋଗୁ ଆସିବାରେ ମୋର ବିଳମ୍ବ ହେଲା। ଆଉ ଟିକିଏ ବିଳମ୍ବ ହୋଇଥିଲେ ବନ୍ଧୁତାର ପବିତ୍ର ସମ୍ପର୍କରେ କଳଙ୍କ ଲାଗିଯାଇଥାନ୍ତା। ସ୍ତବ୍ଧ ପରିବେଶ। ଫାଶୀମଞ୍ଚରେ ଉଭୟ ଡାମୋନ ଓ ପିଥିଆସ ପଞ୍ଚମଥର ଲାଗି ଦୁର୍ବିନୀତ ଡାଇଆନୋସିଆସଙ୍କ ଆଖିରେ ଲୁହ। ଡାଇଆନୋସିଆସ ଦୁଇବନ୍ଧୁଙ୍କୁ କହିଲେ- ଆଜିଠାରୁ ମୋତେ ତମର ତୃତୀୟ ବନ୍ଧୁରୂପେ ଗ୍ରହଣ କର।
ବାସ୍ତବରେ ବନ୍ଧୁହୀନ ଜୀବନ ନର୍କ ସମାନ। ଦୀପକୁ ଜଳାଇବା ସହଜ, କିନ୍ତୁ ଦୀପକୁ ଜଳେଇରଖିବା ବହୁତ କଷ୍ଟ। ବନ୍ଧୁ ବାନ୍ଧିବା ସହଜ, ମାତ୍ର ବନ୍ଧୁତାକୁ ବଜାୟ ରଖିବା ସହଜ ନୁହେଁ। ଏଣୁ ବିଶ୍ୱାସ, ଭରସା ଓ ଭଲପାଇବା ଦେଇ ବନ୍ଧୁତାକୁ ବଞ୍ଚେଇ ରଖନ୍ତୁ। କାରଣ ବନ୍ଧୁତା ହିଁ ଆମ ପାଇଁ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଉପହାର।
ଅବସରପ୍ରାପ୍ତ ପ୍ରାଧ୍ୟାପକ
ମୋ: ୬୩୭୦୬୪୫୭୮୯


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri