କରୋନା ମୁକାବିଲାରେ ଆଶାକର୍ମୀଙ୍କ ଅନନ୍ୟ ଭୂମିକା

ସୁଶ୍ରୀ ପ୍ରୀତି ସୁଦାନ (ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ) / ଡକ୍ଟର ରଜନୀ ବେଦ (କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଜାତୀୟ ସ୍ବାସ୍ଥ୍ୟ ପ୍ରଣାଳୀ ସମ୍ବଳ କେନ୍ଦ୍ର)

ପନ୍ଦରବର୍ଷ ପୂର୍ବେ, ୨୦୦୫ରେ ଭାରତର ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ‘ଆଶା’ କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରାଯାଇଥିଲା। ଏହାକୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ (ଏନ୍‌ଆର୍‌ଏଚ୍‌ଏମ୍‌)ର ଅଂଶବିଶେଷ ଭାବେ ଗ୍ରହଣ କରାଯାଇଥିଲା। ଆରମ୍ଭରେ ଏହା କେବଳ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଥିଲା। ‘ହାଇ ଫୋକସ ଷ୍ଟେଟ’ ଭାବେ ବିବେଚିତ ତଥା ପୂର୍ବରୁ କ୍ଷମତାପ୍ରାପ୍ତ କାର୍ଯ୍ୟାନୁଷ୍ଠାନ ସମୂହରେ ଆସୁଥିବା ରାଜ୍ୟଗୁଡ଼ିକ ହିଁ ଏହି କାର୍ଯ୍ୟକ୍ରମର ସୁବିଧା ପାଇବାକୁ ଯୋଗ୍ୟ ଥିଲେ। ଏହି ରାଜ୍ୟଗୁଡ଼ିକ ହେଲେ-ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହ ଏବଂ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀର ଭଳି ପାର୍ବତ୍ୟାଞ୍ଚଳ ରାଜ୍ୟ ଓ କେତେକ ଆଦିବାସୀ ଅଧ୍ୟୁଷିତ ରାଜ୍ୟ। ମାତ୍ର ଚାରିବର୍ଷ ପରେ, ୨୦୦୯ରେ ଦେଶର ଅବଶିଷ୍ଟ ରାଜ୍ୟ ‘ଆଶା’ କାର୍ଯ୍ୟକ୍ରମକୁ ଗ୍ରହଣ କରିବା ସକାଶେ ଆଗ୍ରହ ପ୍ରକଟ କରିଥିଲେ। ସେଥିମଧ୍ୟରେ କେରଳ ମଧ୍ୟ ସାମିଲ ଥିଲା, ଯେଉଁ ରାଜ୍ୟରେ ଏବେ କୋଭିଡ୍‌-୧୯ ମହାମାରୀ ମୁକାବିଲା ଦିଗରେ ‘ଆଶା’ କର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଚଳିତବର୍ଷ ଜାନୁୟାରୀ ପରଠାରୁ ଏହି ବିଶ୍ୱ ମହାମାରୀ ମୁକାବିଲାରେ ଆଶାକର୍ମୀମାନଙ୍କ ପ୍ରେରଣାଦାୟୀ ଭୂମିକା ସର୍ବାଧିକ ଚର୍ଚ୍ଚାରେ ରହିଛି।
‘ଆଶା’ କହିଲେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ନେଇ ଗଠିତ ଏକ କ୍ୟାଡରକୁ ବୁଝାଏ। ସେମାନେ ସକ୍ରିୟ କର୍ମୀ/ ସାମାଜିକ କର୍ମୀ, ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ତଥା ଲିଙ୍କ ୱାର୍କର ଭାବେ ଭୂମିକା ନିର୍ବାହ କରୁଛନ୍ତି। ଦେଶର ପ୍ରତ୍ୟେକ ଗ୍ରାମ/ପଲ୍ଲୀରେ ଏବେ ଏମାନଙ୍କୁ ଦେଖିବାକୁ ମିଳୁଛି। ଏପରି କି ସହରାଞ୍ଚଳ ବସ୍ତିରେ ମଧ୍ୟ ସେମାନଙ୍କ ଉପସ୍ଥିତି ଅନୁଭବ କରିହେବ। ଆଶା କାର୍ଯ୍ୟକ୍ରମ କହିଲେ, ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ରୂପାୟନ ମାତ୍ରାକୁ ବୁଝାଏ; ଯାହା କି ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର ଭାବେ ବିବେଚିତ ହୋଇଥାଏ। ଆଶା କର୍ମୀଙ୍କ ସଫଳତା ଅନେକଗୁଡ଼ିଏ କାରଣ ଉପରେ ନିର୍ଭରଶୀଳ। ସେଗୁଡ଼ିକ ମଧ୍ୟରେ ରହିଛି- ଗୋଷ୍ଠୀ ନେତୃତ୍ୱ ଚୟନ, ସ୍ଥାନୀୟ ସ୍ବୟଂଶାସିତ ଅନୁଷ୍ଠାନଗୁଡ଼ିକ ସହ ଜଡ଼ିତ ଗୋଷ୍ଠୀସ୍ତରୀୟ ଢାଞ୍ଚା ବିଷୟରେ ଗଭୀର ଧାରଣା, ସମର୍ପିତ ସହଯୋଗ ଓ ପ୍ରଶିକ୍ଷଣ ବ୍ୟବସ୍ଥା, ପରାମର୍ଶ ଦେବାର କାର୍ଯ୍ୟ ଏବଂ ଏକ ମିଶ୍ରିତ ବ୍ୟବସ୍ଥା ମାଧ୍ୟମରେ ପାରିଶ୍ରମିକ ପ୍ରଦାନ ସୁବିଧା; ଯାହା ନିଶ୍ଚିତ ଓ ପ୍ରଦର୍ଶନ ଆଧାରିତ ପାରିଶ୍ରମିକ ପ୍ରଦାନର ଏକ ସମାହାର।
ଆଶା କର୍ମୀମାନଙ୍କ ଦୈନନ୍ଦିନ କାର୍ଯ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ନଟ୍‌ ଓ ବୋଲ୍ଟ ଭଳି କାମ କରିଥାଏ। ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାର ତୃଣମୂଳ ସ୍ତର ଅର୍ଥାତ୍‌ ଉପସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ ହିଁ ରହି ସେମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି। ସେହିସବୁ କେନ୍ଦ୍ରଗୁଡ଼ିକୁ ଏବେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସ୍ବାସ୍ଥ୍ୟ ଓ ନିରାମୟ କେନ୍ଦ୍ର ଭାବେ ପରିବର୍ତ୍ତିତ କରାଯାଉଛି। ଆଶାକର୍ମୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସଂଯୋଗକାରୀର ଭୂମିକା ନିର୍ବାହ କରିଥାନ୍ତି। କାରଣ ସେମାନଙ୍କ ନିକଟରେ ନିଜ ଗୋଷ୍ଠୀ ସମ୍ପର୍କରେ ଗଭୀର ଜ୍ଞାନ ରହିଥାଏ, ଯାହା କି ଅନ୍ତିମ ପଙ୍‌କ୍ତି ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ଯୋଗାଣରେ ସହାୟକ ହୋଇଥାଏ। ଏହି ବିଶେଷତ୍ୱ ହିଁ କୋଭିଡ୍‌ ସଂକ୍ରମଣ ହୋଇଥାଉ ଅବା ଅଣକୋଭିଡ୍‌ ଅସୁସ୍ଥତା, ସମସ୍ତ କାର୍ଯ୍ୟରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ଲାଗି ସକ୍ଷମ କରିଥାଏ।
ବର୍ଷ ପରେ ବର୍ଷ ଆଶାକର୍ମୀମାନେ ଏକ ସାମାଜିକ ପୁଞ୍ଜି ନିର୍ମାଣ କରିଛନ୍ତି ଏବଂ ସେମାନେ ନିଜର ଜନସମ୍ପର୍କକୁ ବିବିଧ କାର୍ଯ୍ୟରେ ବିନିଯୋଗ କରୁଛନ୍ତି। ଏହା ଏପରି ଏକ କାର୍ଯ୍ୟକ୍ରମ, ଯେଉଁଥିରେ ଆଶାକର୍ମୀଙ୍କ ନିଜସ୍ବ ପ୍ରେରଣା ଏବଂ ଜନସମ୍ପର୍କ ମିଳିତ ଭାବେ ଏକ ମହାଶକ୍ତିରେ ପରିଣତ ହୋଇଛି ଏବଂ ତାହା ଏକ ସଚେତନ ସାମୂହିକ ଶକ୍ତି ସୃଷ୍ଟି କରିଛି। ସେମାନେ କୋଭିଡ-୧୯ ଭଳି ବୈଶ୍ୱିକ ମହାମାରୀର ମୁକାବିଲା କରିବା ନିମନ୍ତେ ନିଜର ବିପୁଳ ଅଭିଜ୍ଞତାର ପୂର୍ଣ୍ଣ ଉପଯୋଗ କରୁଛନ୍ତି।
ଏହା କହିବା ଅତିଶୟୋକ୍ତି ହେବନାହିଁ ଯେ ଦେଶରେ ସ୍ବାସ୍ଥ୍ୟସେବାର ବ୍ୟାପକ ନେଟୱର୍କ କାର୍ଯ୍ୟ କରୁଥିଲେ ହେଁ ପ୍ରତ୍ୟେକ ଗ୍ରାମରେ ଜଣେ ଜଣେ ଆଶାକର୍ମୀଙ୍କ ଉପସ୍ଥିତି ହିଁ ସମସ୍ତଙ୍କ ନିକଟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ପହଞ୍ଚାଇ ପାରିଛି। ବିଗତ କିଛି ସପ୍ତାହ ହେବ ଆମେ ସମସ୍ତେ ଏହା ଦେଖୁଛୁ। ୨୦୧୩ ମସିହାରେ ଦେଶର ସହରାଞ୍ଚଳରେ ଆଶାକର୍ମୀ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏହା ଥିଲା ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଅଂଶବିଶେଷ। ଏଥିରେ ଆଶାକର୍ମୀମାନଙ୍କୁ କେବଳ ସହରର ବସ୍ତି ଏବଂ ଏଭଳି ବସତି ଅଞ୍ଚଳରୁ ଚୟନ କରାଯିବାର ବାଧ୍ୟତାମୂଳକ ନିୟମ ରହିଛି, ଯାହାଦ୍ୱାରା ସେମାନେ ସହରାଞ୍ଚଳର ଗରିବ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେଇପାରିବେ। ଏବେ ଏହି ବ୍ୟବସ୍ଥା ଗ୍ରାମାଞ୍ଚଳ ଆଶା କାର୍ଯ୍ୟକ୍ରମ ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି।
ଉତ୍ତରାଖଣ୍ଡର ଭୂମିକମ୍ପ ହେଉ ଅବା ଓଡ଼ିଶାର ଝଡ଼ବାତ୍ୟା କିମ୍ବା ବର୍ତ୍ତମାନର ବୈଶ୍ୱିକ ମହାମାରୀ କରୋନା, ଯାହା କି ସାରା ଦେଶରେ ମାଡ଼ି ଚାଲିଛି, ସେସବୁ ବିପତ୍ତିକୁ ଆଶାକର୍ମୀମାନେ ହିଁ ସର୍ବପ୍ରଥମେ ମୁକାବିଲା କରିବାକୁ ଆଗେଇ ଆସିଛନ୍ତି। କୋଭିଡ୍‌-୧୯ ଠାରୁ ସୁରକ୍ଷିତ ରହିବାର ପ୍ରସ୍ତୁତି ଏବଂ ଏହାର ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ମୁକାବିଲା କ୍ଷେତ୍ରରେ ଆଶାକର୍ମୀମାନେ ଅଙ୍ଗନୱାଡି କର୍ମୀ ଓ ଏଏନ୍‌ଏମ୍‌ମାନଙ୍କୁ ସାଙ୍ଗରେ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତେବେ ଦେଶରେ କରୋନା ମହାମାରୀ ମୁକାବିଲା କରିବାରେ ଅନ୍ୟ ଛାମୁଆ କର୍ମୀମାନଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରାଯିବା ଉଚିତ, କିନ୍ତୁ ଆଶାକର୍ମୀମାନେ ଗାଁରେ ହିଁ ରୁହନ୍ତି ଓ ବୟସ୍କ ହୁଅନ୍ତୁ ଅବା ନବଜାତ ଶିଶୁ ପ୍ରତ୍ୟେକ ଲୋକର ଘରକୁ ନିୟମିତ ଭାବେ ଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥାନ୍ତି।
ଘରକୁ ଘର ବୁଲି ସର୍ଭେ କରିବା, ଲୋକଙ୍କୁ ଭଲ ଭାବେ ହାତ ଧୋଇବା ସମ୍ପର୍କରେ ସଚେତନ କରିବା, ମାସ୍କ ସିଲେଇ କରି ଅନ୍ୟମାନଙ୍କୁ ବାଣ୍ଟିବା, ସଚେତନତା ସୃଷ୍ଟି କରିବା ଏବଂ ଗୋଷ୍ଠୀ ନିରୀକ୍ଷଣ ସହିତ ଆଶା ଫିଲ୍ଡ ଟିମ୍‌ ସହିତ ସଂକ୍ରମିତମାନଙ୍କୁ ଚିହ୍ନଟ କରିବାରେ ଅଗ୍ରଣୀ ରହିଛନ୍ତି ତଥା ନିଜ ସମୁଦାୟ ମଧ୍ୟରେ କୋଭିଡ୍‌ ମୁକାବିଲାରେ ସବୁଠୁ ଆଗରେ ରହିଛନ୍ତି।
କୋଭିଡ୍‌-୧୯ କାର୍ଯ୍ୟକ୍ରମ ବ୍ୟତୀତ, ଆଶାକର୍ମୀମାନେ ଅଣକୋଭିଡ୍‌ ସମ୍ପର୍କିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ମଧ୍ୟ ଗୁରୁଦାୟିତ୍ୱ ତୁଲାଇବାରେ ସଫଳ ହୋଇଛନ୍ତି। ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଯତ୍ନ, ଯକ୍ଷ୍ମା ରୋଗାକ୍ରାନ୍ତ ଏବଂ ଅନ୍ୟାନ୍ୟ ଘାତକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ନିକଟରେ ନିରବଚ୍ଛିନ୍ନ ଭାବେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଜାରି ରଖି ଆସିଛନ୍ତି। ଯେହେତୁ ସେମାନେ ନିଜ ଗୋଷ୍ଠୀ ସହ ଢେର ପୂର୍ବରୁ ଭଲ ରୂପେ ପରିଚିତ, ସେହି ଦୃଷ୍ଟିରୁ ସେମାନେ ପୀଡ଼ିତ ଲୋକମାନଙ୍କ ନିକଟରେ ଶୀଘ୍ର ପହଞ୍ଚିବା ସହଜସାଧ୍ୟ ହୋଇଥାଏ। ଏପରି କି ମହିଳାମାନଙ୍କୁ ନିରାପଦ ପ୍ରସବ ନିମନ୍ତେ ସବୁମତେ ପ୍ରବର୍ତ୍ତାଇବାରେ ଆଶାକର୍ମୀମାନେ ସକ୍ଷମ ହୋଇଥାନ୍ତି। ଏଥିସହ ଗର୍ଭବତୀ ମହିଳା ଓ ପ୍ରସବ ପରେ ନବଜାତକଙ୍କୁ ଟିକା ପ୍ରଦାନ ନିମନ୍ତେ ରାଜି କରାଇବା କାର୍ଯ୍ୟ ମଧ୍ୟ ସେମାନେ ନିୟମିତ ଭାବେ କରିଆସୁଛନ୍ତି। ଅନେକ ରାଜ୍ୟରେ ଆଶାକର୍ମୀମାନେ ଘର ଘର ବୁଲି ଅସୁସ୍ଥ ଓ ବୟୋବୃଦ୍ଧମାନଙ୍କୁ ଉପଶମକାରୀ ସେବା ପ୍ରଦାନ ମଧ୍ୟ ଜାରି ରଖିଛନ୍ତି। ଘରକୁ ଘର ବୁଲି ନବଜାତକଙ୍କ ଯତ୍ନ ନେବା ସହ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଶିଶୁଯତ୍ନ ସଂକ୍ରାନ୍ତ ବିଭିନ୍ନ ପ୍ରକାର ପରାମର୍ଶ ଦେଉଛନ୍ତି।
ନିଜ ପ୍ରତି ଏବଂ ନିଜ ପରିବାର ପ୍ରତି ସଂକ୍ରମଣର ଭୟ ଥିବା ସତ୍ତ୍ୱେ ସେମାନେ କୋଭିଡ୍‌-୧୯ ମୁକାବିଲାର ଗୁରୁଦାୟିତ୍ୱ ମୁଣ୍ଡାଇଛନ୍ତି। ନିରବଚ୍ଛିନ୍ନ ଭାବେ କର୍ତ୍ତବ୍ୟ ସମ୍ପାଦନ ଜାରି ରଖିଛନ୍ତି। ମେଘାଳୟର ଦୁର୍ଗମ ଗ୍ରାମାଞ୍ଚଳରେ ସଙ୍ଗରୋଧରେ ଥିବା ଲୋକମାନଙ୍କୁ ପାନୀୟ ଜଳ ଯୋଗାଇବାଠାରୁ ଆରମ୍ଭ କରି ରାଜସ୍ଥାନରେ ଘରକୁ ଘର ବୁଲି ନବଜାତକଙ୍କ ଯତ୍ନ ଅଥବା ଆସାମରେ ଦୁରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଔଷଧ ପହଞ୍ଚାଇବା ସବୁପ୍ରକାରର କାର୍ଯ୍ୟରେ ଆଶାକର୍ମୀମାନେ ସାହସ ଓ ବିଶ୍ୱାସର ଏକ ନୂଆ ଭାବନା ପ୍ରଦର୍ଶିତ କରିଛନ୍ତି। ତେଣୁ ଜନସାଧାରଣଙ୍କ ମନରେ ଆଶାକର୍ମୀମାନେ ଏକ ନୂତନ ଆତ୍ମବିଶ୍ୱାସ ଏବଂ ଆସ୍ଥା ସୃଷ୍ଟି କରିପାରିଛନ୍ତି। ପୁଣି କେତେକ ରାଜ୍ୟରେ ଆଶାକର୍ମୀମାନେ ବ୍ଲକ ଓ ଜିଲାସ୍ତରୀୟ କୋଭିଡ୍‌ ନିରୋଧୀ ଟିମରେ ସାମିଲ ହୋଇ ଉଚ୍ଚ ମାନର ବିଶ୍ୱସନୀୟତା ତଥା ଦାୟିତ୍ୱବୋଧ ପ୍ରଦର୍ଶନ କରିଛନ୍ତି। କେତେକ ସ୍ତରରେ ମତ ପ୍ରକାଶ ପାଇଛି ଯେ, ଆଶାକର୍ମୀମାନଙ୍କୁ କୋଭିଡ୍‌-୧୯ ନିରୋଧୀ ପ୍ରୟାସରେ ସାମିଲ କରିବାରେ ଅନେକ ବିପଦ ରହିଛି, ତେଣୁ ସେମାନଙ୍କୁ କେବଳ ଗୋଷ୍ଠୀ ସଚେତନତା କାର୍ଯ୍ୟରେ ସୀମିତ ରଖାଯିବା ଉଚିତ। କେତେକ ସ୍ଥାନରେ ଆଶାକର୍ମୀ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ହିଂସାତ୍ମକ ଆକ୍ରମଣ ମଧ୍ୟ ହୋଇଥିବାର ନଜିର ରହିଛି। ଏଭଳି ହିଂସା ପଛରେ ଥିବା କାରଣଟି ହେଲା ଭୟ। କିନ୍ତୁ ରାଜ୍ୟଗୁଡ଼ିକ ଏଭଳି ଘଟଣାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଆଶାକର୍ମୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିଛନ୍ତି।
ଯେ କୌଣସି ବର୍ଗର ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ପ୍ରଦର୍ଶିତ ହିଂସାତ୍ମକ ଆଚରଣ ବିରୋଧରେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିପାଇଁ ଏପ୍ରିଲ ୨୦୨୦ରେ ମହାମାରୀ ବ୍ୟାଧି ଆଇନ ୧୮୯୭ ଅନୁସାରେ ଏକ ଅଧ୍ୟାଦେଶ (ମହାମାରୀ ବ୍ୟାଧି ସଂଶୋଧନ ଅଧ୍ୟାଦେଶ) ଜାରି କରାଯାଇଛି। ଏଭଳି ହିଂସାତ୍ମକ କାଣ୍ଡ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧରେ ଆର୍ଥିକ ଓ ଜେଲ ଦଣ୍ଡ ଭଳି ପ୍ରାବଧାନ କରାଯାଇଛି। ଏହା ଅତିରିକ୍ତ, ଛାମୁଆ କୋଭିଡ୍‌ ଯୋଦ୍ଧାମାନଙ୍କ ସ୍ବାସ୍ଥ୍ୟ ନିରାପତ୍ତାକୁ ସୁନିଶ୍ଚିତ କରାଯିବା ସକାଶେ ରାଜ୍ୟମାନଙ୍କୁ ବାରମ୍ବାର ଚେତାଇ ଦିଆଯାଉଛି। ଆଶାକର୍ମୀମାନଙ୍କୁ ମାସ୍କ ବାନ୍ଧିବା ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏହାକୁ କାର୍ଯ୍ୟରେ ମଧ୍ୟ ପରିଣତ କରାଯିବା ସହ ଏଥିରୁ ଈପ୍‌ସିତ ସୁଫଳ ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ, ଜିଲା ଓ ବ୍ଲକ ସ୍ତରରେ ପିପିଇ ବ୍ୟବସ୍ଥା ୟୁନିଫର୍ମ ଭାବେ ନ ଥିଲା। କିନ୍ତୁ ରାଜ୍ୟମାନେ ସେମାନଙ୍କର ସ୍ବାସ୍ଥ୍ୟକର୍ମୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଦିଗରେ ଯନତ୍ବାନ ହୋଇଛନ୍ତି। ସେଥିପାଇଁ ଆଶାକର୍ମୀମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରଦାନ କରାଯିବାକୁ ସୁନିଶ୍ଚିତ କରାଯାଇଛି।
ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କୋଭିଡ୍‌-୧୯ ବିରୋଧୀ ସ୍ବାସ୍ଥ୍ୟ କର୍ମୀ ବୀମା ଯୋଜନାରେ ସାମିଲ କରାଯାଇଛି; ଯାହା କି ଦେଶପ୍ରତି ସେମାନଙ୍କର ଅମୂଲ୍ୟ ଯୋଗଦାନ ଓ ନିରବଚ୍ଛିନ୍ନ ପ୍ରତିବଦ୍ଧତା ପ୍ରତି ଏକ କ୍ଷୁଦ୍ର ସ୍ବୀକୃତି ବୋଲି କୁହାଯାଇପାରେ।
ଏଭଳି ବୈଶ୍ୱିକ ମହାମାରୀ ସଂକ୍ରମଣର ଜଟିଳ ପରିସ୍ଥିତି ସମୟରେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ଆଶାକର୍ମୀମାନଙ୍କ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯିବା ଜରୁରୀ। ଅନ୍ୟ ସମସ୍ତ ସଂସ୍କାର ଭଳି, ଆଶା କାର୍ଯ୍ୟକ୍ରମରେ ମଧ୍ୟ ବିଭିନ୍ନ ପ୍ରକାରର ଆହ୍ବାନ ରହିଛି। ସାରା ଦେଶରେ ଏହାର ପରିବର୍ତ୍ତନଶୀଳ ଏବଂ ବିଷମ ପ୍ରଭାବ ଦେଖିବାକୁ ମିଳିଛି। ତଥାପି ଆଶା କାର୍ଯ୍ୟକ୍ରମକୁ ଦୀର୍ଘସ୍ଥାୟୀ ଓ ସୁଦୃଢ଼ କରିବା ସ୍ବାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ୱ। ଆଶା କର୍ମୀମାନଙ୍କ ବିଶ୍ୱସନୀୟତା ଓ ଗରିମା ବୃଦ୍ଧି, ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ସୁନିଶ୍ଚିତ କରିବା ତଥା ସେମାନଙ୍କ କ୍ଷମତା ନିର୍ମାଣ କ୍ଷେତ୍ରରେ ନିଶ୍ଚିତ ଭାବେ ଧ୍ୟାନଦେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri