ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର କୁମାର ରାୟ ଓରଫ୍‌ ରବି ରାୟ। ‘ଲୋକଶକ୍ତି ସଂଗଠନ’ ଥିଲା ଓଡ଼ିଶାର ପ୍ରଥମ ‘ପଞ୍ଜୀକୃତ ଷ୍ଟ୍ରିଟ୍‌ ପ୍ଲେ ଗ୍ରୁପ୍‌’। ନେଦରଲାଣ୍ଡ ସରକାର ଏହାକୁ ଫଣ୍ଡିଂ କରୁଥିଲେ। ଆଉ ଏହି ଗ୍ରୁପ୍‌ ଗଁା ଗଁା ବୁଲି ନାଟକ ଜରିଆରେ ଲୋକମାନଙ୍କୁ ସଚେତନ କରାଉଥିଲା। ସେତେବେଳେ ଏହି ଗ୍ରୁପ୍‌ରେ ୩୫ଜଣ ସଦସ୍ୟ ଥିଲେ। ଏମିତି ୭/୮ବର୍ଷ ଚାଲିବା ପରେ ନେଦରଲାଣ୍ଡ ସରକାର ଫଣ୍ଡିଂ ବନ୍ଦ କରିଦେଲେ। ଫଳରେ ପ୍ଲେ ଗ୍ରୁପ୍‌ ବନ୍ଦ ହୋଇଯିବା ଅବସ୍ଥାକୁ ଚାଲିଆସିଲା। କଳାକାରମାନେ ମଧ୍ୟ ଅସହାୟ ହୋଇପଡ଼ିଲେ। ତେବେ ଏତିକିବେଳେ ରବି ରାୟ ନିଷ୍ପତ୍ତି ନେଲେ, ନାଟ୍ୟସଂସ୍ଥା ବନ୍ଦ ହେବନି। ଏହି ସଂସ୍ଥା ନିଜେ ରୋଜଗାର କରିବ। ଆଉ ସେଇଥିରେ ତାହା ଆଗକୁ ବଢ଼ିବ। ବାସ୍‌, ଏହି ନିଷ୍ପତ୍ତିରୁ ସୃଷ୍ଟି ହେଲା ଆଜିର ‘ବାଘାଯତୀନ ଲୋକନାଟ୍ୟ’।

ରବି ରାୟ କହନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଥମେ ଲୋକଶକ୍ତି ଏବଂ ପରେ ବାଘାଯତୀନ ଲୋକନାଟ୍ୟ ସୃଷ୍ଟିହେଲା ତାହାକୁ ମୁଁ ଏବେ ମଧ୍ୟ ଜାରି ରଖିଛି। ମୁଁ ଆଜି ବି ନାଟକ ଚୟନ କରିବା ବେଳେ ତା’ ଭିତରେ ସମାଜ ପ୍ରତି ଥିବା ବାର୍ତ୍ତା ଉପରେ ଗୁରୁତ୍ୱ ଦେଉଛି। ‘ସୀତାର ଜଳୁଛି ଚିତା’, ‘ମୃତ୍ୟୁଦଣ୍ଡ’, ‘ପାକିସ୍ତାନୀ ଝିଅ’ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ।

ଯାତ୍ରାଠୁ ଲୋକମାନେ ଦୂରେଇ ଯାଉଛନ୍ତି କି (?) ବୋଲି ଏକ ପ୍ରଶ୍ନର ଉତ୍ତରରେ ରାୟ କହନ୍ତି, ଲୋକମାନେ ଯାତ୍ରାଠୁ ଦୂରଉ ନାହାନ୍ତି। ବରଂ ଯାତ୍ରା ଲୋକମାନଙ୍କଠାରୁ ଦୂରେଇ ଯାଉଛି। ନାଟକ ଉପରେ ଗୁରୁତ୍ୱ ଦିଆଯାଉନି। ଫାଟକ ବଢୁଛି। ସପରିବାର ବସି ଦେଖିବା ଭଳି ନାଟକ ନାହିଁ। ସଂଳାପରେ ସଂଯମତା ନାହିଁ। କାହାଣୀ କୁଆଡ଼େ ଯାଉଛି ତା’ର ଠିକ୍‌ଠିକଣା ନାହିଁ। କମେଡି ନଁାରେ ଖାଲି ଭଲ୍‌ଗାର ବା ଅଶ୍ଳୀଳ କଥା। କାହିଁକି ଲୋକେ ନାଟକ ଦେଖିବେ?

ଶୁଣାଯାଏ କଳାକାରମାନେ (ଯଦିଓ ହାତଗଣତି) ମାଲିକମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଅନୁଯାୟୀ ନାଟକ ଲେଖେଇବାକୁ ଚେଷ୍ଟାକରନ୍ତି। ଏ ପ୍ରକାର ଅନୁଭୂତି ଆପଣଙ୍କର ଅଛି କି? ଏପ୍ରଶ୍ନର ଉତ୍ତରରେ ରାୟ କହନ୍ତି, କେବେକେବେ ଆମ ପାର୍ଟିରେ ଏଭଳି ଘଟଣା ଘଟିଛି। ତେବେ ମୁଁ ସେମାନଙ୍କ କଥା ଶୁଣିନି। ସେମାନେ ଛାଡ଼ି ପଳେଇ ଯାଇଛନ୍ତି। ମୋ ପାର୍ଟି କିନ୍ତୁ ଚାଲିଛି। ମୁଁ ଗୋଟିଏ କଥା ବୁଝେ କଳାକାରଙ୍କୁ ନୁହେଁ; କାହାଣୀକୁ ଗୁରୁତ୍ୱ ଦେଲେ ନାଟକ ଭଲ ହେବ। ମୋର ମନେପଡ଼େ ମଁୁ ଏକ ନାଟକ କରିଥିଲି ‘ଆକାଶବାଣୀ କଟକ’। ସ୍ବର୍ଗତ ଅନନ୍ତ ଓଝାଙ୍କ ରଚନା ଏବଂ ବିନୋଦ ରାଉତଙ୍କ ନିର୍ଦ୍ଦେଶନା। କୌଣସି କଳାକାରଙ୍କ ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। କାହାଣୀ ଯାହା ଚାହୁଁଥିଲା ସେହି ଅନୁଯାୟୀ କଳାକାରଙ୍କୁ ଭୂମିକା ଦିଆଯାଇଥିଲା। ଏ ନାଟକଟି ଓଡ଼ିଶାରେ ସର୍ବାଧିକ ଆଦୃତ ହୋଇଥିଲା। ମୋର ମନେଅଛି, ଗଞ୍ଜାମର ଠାକୁରାଣୀ ଯାତ୍ରାରେ ଆମ ସହିତ ଛ’ଟି ପାର୍ଟି କମ୍ପିଟିଶନ୍‌ କରୁଥିଲେ। ଆମର ସେଇ ଗୋଟିଏ ନାଟକ ଆଠଦିନ ହାଉସ୍‌ଫୁଲ୍‌ ଚାଲିଥିଲା ବେଳେ ଅନ୍ୟ ପାର୍ଟିସବୁ ଆଠଦିନରେ ତିନିଟା/ଚାରିଟା ନାଟକ ବଦଳେଇଥିଲେ। ଏଥର ଆପଣ ଚିନ୍ତା କରନ୍ତୁ! ରବି ରାୟ କହନ୍ତି, ଜଣକୁ ଗୁରୁତ୍ୱ ଦେଇ ନାଟକ କଲେ ସର୍ବପ୍ରଥମେ ଯାହା ନଷ୍ଟହେବ ତାହା ହେଉଛି ଟିମ୍‌ ସ୍ପିରିଟ୍‌। ଆଉ ଟିମ୍‌ ସ୍ପିରିଟ୍‌ ନଷ୍ଟହେଲେ ନାଟକ କେମିତି ଭଲ ହେବ?


Enter your email to get our daily news in your inbox.

All Right Reserved By Dharitri.Com

ରାମ କେବଳ ଏକ ଧର୍ମର ନୁହନ୍ତି, ସବୁ ଭାରତୀୟଙ୍କ ରକ୍ତରେ ଅଛନ୍ତି: ଚର୍ଚ୍ଚାରେ ଜାଭେଦ ଅଖତରଙ୍କ ମନ୍ତବ୍ୟ

ବିଶିଷ୍ଟ ଗୀତିକାର ଓ ପଟ୍ଟକଥା ଲେଖକ ଜାଭେଦ ଅଖତର ଭଗବାନ ଶ୍ରୀରାମଙ୍କ ପ୍ରଶଂସା କରି କହିଛନ୍ତି। ରାମ ଏକ ପୂଜନୀୟ ବ୍ୟକ୍ତିତ୍ୱ। ତାଙ୍କ ମହତ୍ତ୍ୱ କୌଣସି ଗୋଟିଏ…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ

ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍‌ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍‌ର ୨ ସଦସ୍ୟ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?