ଆଶା ଓ ନିରାଶାରେ ମେଧାବୀ

ଅକ୍ଷୟ କୁମାର ମିଶ୍ର

ପରୀକ୍ଷାର୍ଥୀମାନେ ଅଭିଯୋଗ କରୁଥିଲେ କଠିନ ପରିଶ୍ରମ କରି ଫଳ ଯାହା ମିଳିଲା ସବୁଦିନ ବୁଲାବୁଲି କରି ପାଠ ନ ପଢ଼ି ଫଳ ସେଇଆ ପାଇଲା। ଏବେ ଅଭିଯୋଗ ଉଠିଲାଣି ରାତି ଅନିଦ୍ରା ରହି ପାଠ ପଢ଼ିଲି ହେଲେ ଲାଭ କିଛି ହେଲାନାହିଁ। ପ୍ରଥମ ଅଭିଯୋଗଟି ସେହି ମେଧାବୀ ଛାତ୍ରୀଛାତ୍ରଙ୍କର ଯେଉଁମାନେ ବର୍ଷସାରା ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ନିଜର ପରୀକ୍ଷା ଫଳ ଦେଖି ସେମାନେ ଯେତିକି ଖୁସି ହୁଅନ୍ତି ନାହିଁ ସେତିକି ନିରାଶ ହୁଅନ୍ତି ଯେତେବେଳେ ଶ୍ରେଣୀରେ ଭଲ ପଢୁ ନ ଥିବା ସାଙ୍ଗସାଥୀ ଉତ୍ତମ ନମ୍ବର ରଖି ଉତ୍ତୀର୍ଣ୍ଣ ହୁଅନ୍ତି। ସେମାନଙ୍କ ମନରେ ପରୀକ୍ଷା ବ୍ୟବସ୍ଥା ପ୍ରତି କ୍ଷୋଭ ହୁଏ।
ସେମାନଙ୍କ ମୁହଁରୁ ଉପରୋକ୍ତ ଅଭିଯୋଗ ବାହାରି ଆସେ। ଅବଶ୍ୟ ପରବର୍ତ୍ତୀ ସମୟରେ ସେମାନେ ମନକୁ ବୁଝାଇ ଦେଇ ଉଚ୍ଚଶିକ୍ଷାରେ ଆହୁରି ଭଲ କରିବା ପାଇଁ ଲାଗିପଡ଼ନ୍ତି।
ହେଲେ ସମ୍ପ୍ରତି ଯେଉଁ ସବୁ ଘଟଣା ଆମ ରାଜ୍ୟରେ ଘଟୁଛି ତାହା ଦେଖି ମେଧାବୀ ଛାତ୍ରୀଛାତ୍ରଙ୍କୁ ଆଜି ବାଧ୍ୟ କରିଛି ଏମିତି ହତାଶାପୂର୍ଣ୍ଣ ମନ୍ତବ୍ୟ ଦେବାକୁ। ପୂର୍ବରୁ ଅନ୍ୟ ରାଜ୍ୟଗୁଡ଼ିକରେ ଏହା ଶୁଣିବାକୁ ମିଳୁଥିଲା। ଯିଏ ଲକ୍ଷ ଲକ୍ଷ ଟଙ୍କା ଦେଇ ପାରିଲା ସିଏ ଚାକିରି ହାତେଇ ପାରିଲା। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିକୁ ନେଇ ଏ ପ୍ରକାର ଅଭିଯୋଗ ଶୁଣିବାକୁ ମିଳୁଥିଲା। ଏପରିକି ଏହା ଉପରେ ବିଚାରାଳୟକୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡ଼ିଛି। ସରକାରଙ୍କର ଜଣେ ବଡ଼ ମନ୍ତ୍ରୀ ଏବେ ଜେଲରେ। ଆମ ରାଜ୍ୟରେ କିନ୍ତୁ ଏମିତି ଅଭିଯୋଗ ଶୁଣାଯାଉ ନ ଥିଲା। ଯଦି କାଁଭାଁ କେହି ଅଭିଯୋଗ ଆଣୁଥିଲେ ଅଧିକାଂଶ ଲୋକ ଏହାକୁ ବିଶ୍ୱାସ କରୁ ନ ଥିଲେ। ଅବଶ୍ୟ ବ୍ୟକ୍ତିବିଶେଷଙ୍କ ଉପରେ ଏମିତି ଅଭିଯୋଗ ଯେ ହେଉ ନ ଥିଲା ଏହା କୁହାଯାଇପାରିବ ନାହିଁ। କିନ୍ତୁ ବିଗତ ୩/୪ ବର୍ଷ ହେଲା ଏହି ଅଭିଯୋଗ ଅଧିକ ଶୁଣିବାକୁ ମିଳୁଛି। ମାଧ୍ୟମିକ ଶିକ୍ଷକ ଚୟନ କ୍ଷେତ୍ରରେ ଅନିୟମିତତା ହୋଇଛି ଏବଂ ୧୫/ ୨୦ ଲକ୍ଷ ଟଙ୍କା ବିନିମୟରେ ଚାକିରି ଦିଆଯାଇଛି ବୋଲି ସଙ୍ଗିନ ଅଭିଯୋଗ ଆଣି ଶହ ଶହ ପରୀକ୍ଷାର୍ଥୀ ଆନ୍ଦୋଳନ କରିବା ଭଳି ଏକ ଅଭାବନୀୟ ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ସବୁଠାରୁ ଗୁରୁତର ଅଭିଯୋଗ ଥିଲା ଯେଉଁ ସଂସ୍ଥାକୁ ସରକାର ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ଦେଇଥିଲେ, ସେହି ସଂସ୍ଥା କୁଆଡ଼େ ଅନ୍ୟ ରାଜ୍ୟରେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥାଇ ଅନିୟମିତତା କରିଛି ଏବଂ ଅର୍ଥ ଜରିମାନା ଦେଇଛି। ଅନେକଙ୍କ ପାଇଁ ଏହା ଥିଲା ଅର୍ଦ୍ଧସତ୍ୟ।
ତା’ପରେ ଟଙ୍କା ଦେଲେ ଚାକିରି ମିଳିବ ଏହି କଥା ଖୋଲାଖୋଲି ଆଲୋଚନା ଚାଲିଲା। ଟଙ୍କା ଦେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସହିତ ଉତ୍ତର ଦିଆଯିବ। ପ୍ରସ୍ତୁତ ହୁଅ। ପରୀକ୍ଷାରେ ବସ। ପ୍ରଥମେ ପ୍ରମାଣପତ୍ର ଜମା ଦିଅ। ପରୀକ୍ଷା ଦେଇ ସାରିବା ପରେ ଅଧା ଟଙ୍କା ଦେବାକୁ ପଡିବ। ଚାକିରିରେ ନିଯୁକ୍ତି ପାଇବା ପରେ ଅବଶିଷ୍ଟ ଟଙ୍କା ନିଆଯିବ। କେଉଁ ଚାକିରି ପାଇଁ କେତେ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ତାହା ମଧ୍ୟ ମୂଲଚାଲ ସରିଥିବ। ଏହାପରେ କିଏ ବା ଅବିଶାସ କରିବ? ଅର୍ଦ୍ଧସତ୍ୟ ବୋଲି ବିଚାର କରୁଥିବା ଲୋକମାନେ ଏହାକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଧରିନେଲେ। ଏହାସତ୍ତ୍ୱେ କେତେଜଣ ଲୋକ ଏଭଳି କଥାକୁ ଖଣ୍ଡନ କରୁଥିଲେ। ଠକାମିର ଶିକାର ହେବାକୁ ପଡ଼ିବ ବୋଲି ସେମାନେ ସତର୍କବାଣୀ ଶୁଣାଉଥିଲେ।
ଏବେ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଜେଇ ସିଭିଲ ମୁଖ୍ୟ ପରୀକ୍ଷା ପୂର୍ବରୁ କୌଣସି ଏକ ହୋଟେଲରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କିଛି ପରୀକ୍ଷାର୍ଥୀ ଏକତ୍ରିତ ହୋଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଥିବା ସମୟରେ ପୋଲିସ ଚଢ଼ାଉକରି କେତେଜଣ ଦଲାଲଙ୍କୁ ଗିରଫ କରିବା ଖବର ରାଜ୍ୟରେ ଚହଳ ପକାଇଦେଇଛି। ଏହା ଉପରେ ସତ୍ୟର ମୋହର ଲଗାଇଛି ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି)। ପ୍ରଶ୍ନପତ୍ର ପ୍ରଘଟକୁ ସ୍ବୀକାର କରିନେଇ ଜେଇ ସିଭିଲ ମୁଖ୍ୟ ପରୀକ୍ଷାକୁ ରଦ୍ଦ କରିଦିଆ ଯାଇଛି ଏବଂ ପୁନର୍ବାର ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି। ଏତିକିରେ କଥାଟି ଥମିଯାଇ ନାହିଁ। ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ କିଛି ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାର ପୁନରାବୃତ୍ତି ନ ଘଟୁ ଦାବି କରିଛନ୍ତି। କର୍ତ୍ତୃପକ୍ଷଙ୍କ ପାଖରୁ ପ୍ରତିଶ୍ରୁତି ଚାହିଁଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଏହି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ମଧ୍ୟ କରାଗଲା ନାହିଁ। ସତେ ଯେମିତି ଏହା ଏକ ମାମୁଲି କଥା!
ଲୋକେ କୁହାକୁହି ହେଲେଣି ପ୍ରଶ୍ନପତ୍ର ପ୍ରଘଟ ହେବା ନୂଆ କଥା ନୁହେଁ। ଏହା ପୂର୍ବରୁ ବହୁବାର ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ବିଭିନ୍ନ ସାର୍ଟିଫିକେଟ ପରୀକ୍ଷାରେ ଏହା ହେଉଥିଲା। ଯେତେବେଳେ ଏହା ଦାଣ୍ଡରେ ପଡ଼ି ହାଟରେ ଗଡ଼େ ପରୀକ୍ଷା ବାତିଲ କରିଦିଆଯାଏ। ଆଉ କେତେବେଳେ ଏହାକୁ ଅସ୍ବୀକାର କରି ଛାତ୍ରୀଛାତ୍ରଙ୍କ ସମସ୍ତ ଆପତ୍ତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଦିଆଯାଏ। ସମାଜ ଉପରେ ଏହାର କୁପ୍ରଭାବ ପଡ଼ିବା କଥାଟିକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏଇଠୁ ଆରମ୍ଭ ହୁଏ କମ୍‌ ପରିଶ୍ରମ କରି ଅଧିକ ପ୍ରାପ୍ତ ହେବାର ପ୍ରବଣତା। କିନ୍ତୁ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା କଥାଟିକୁ ସହଜରେ ହଜମ କରିହେଉ ନାହିଁ। ଏହା ପଛରେ ଏକ ବଡ଼ ଧରଣର ସ୍କାମ୍‌ ହୋଇଥାଏ। ସରକାରୀ ଓ ବେସରକାରୀ ବହୁ ଦାମୀନାମୀ ଲୋକଙ୍କର ସମ୍ପୃକ୍ତି ଥାଏ। ଅଥଚ କେବେହେଲେ କେହି ବଡ଼ ମାଛ ତଦନ୍ତ ଜାଲରେ ଧରାପଡ଼ିବା ଏ ଯାଏଁ କାନ ଶୁଣିନାହିଁ। ବେଳେ ବେଳେ କେରାଣ୍ଡି ଧରି ଏମିତି ପ୍ରଚାର ହୁଏ ସତେ ଯେମିତି ଏକ ବଡ଼ ରୋହି ଧରି ପକାଇଛନ୍ତି। ସେହି ହୋହଲ୍ଲା ଭିତରେ ଅସଲ ଦୋଷୀ ଖସିଯାଏ
ଦୋଷୀ ଧରାପଡୁ କି ନ ପଡୁ ଏହା ଭିନ୍ନ କଥା। କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ଯୁବଶକ୍ତି ଉପରେ ପଡୁଛି। ମେଧାବୀ ଛାତ୍ରୀଛାତ୍ରମାନେ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ସେମାନେ ଠେଲି ହୋଇଯାଇଛନ୍ତି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ଉତ୍କଟ ବେକାରି ସମସ୍ୟାରେ ଯେତେବେଳେ ଯୁବଶକ୍ତି ଜର୍ଜରିତ ସେତିକିବେଳେ ଏମିତି ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମସ୍ତ ସନ୍ଦେହକୁ ଦ୍ୱିଗୁଣିତ କରିଦେଇଛି।
ଏହା ନିଶ୍ଚିତ ଯେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗର ଦକ୍ଷତା, ନିରପେକ୍ଷତା ତଥା ସ୍ବଚ୍ଛତାକୁ ନେଇ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ସନ୍ଦେହ ଦୂର କରିବା ପାଇଁ ସରକାର ତୁରନ୍ତ ଏକ ନିରପେକ୍ଷ ତଦନ୍ତ ସଂସ୍ଥା ଦ୍ବାରା ତଦନ୍ତ କରାଇବା ଆବଶ୍ୟକ ଏବଂ ଯେଉଁମାନେ ଅସାଧୁ କାର୍ଯ୍ୟରେ ଲିପ୍ତ ରହି ଗୋପନୀୟତାକୁ ଧ୍ୱଂସ କରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଜରୁରୀ। ନ ହେଲେ ସରକାର ମଧ୍ୟ ଲୋକଙ୍କ ସନ୍ଦେହ ଘେରକୁ ଆସିବେ। କେବଳ ଓଏସ୍‌ଏସ୍‌ସି ନୁହେଁ, କ୍ରମେ ଲୋକେ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନ ଏବଂ ଅନ୍ୟ ଯେଉଁ ସଂସ୍ଥା ନିଯୁକ୍ତି ନିମନ୍ତେ ପରୀକ୍ଷା ପରିଚାଳନା କରୁଛନ୍ତି ସେଗୁଡ଼ିକୁ ମଧ୍ୟ ବିଶ୍ୱାସ କରିବେ ନାହିଁ। ଆଜିର ଦିନରେ ନୂତନ ସମୟୋପଯୋଗୀ ପଦ୍ଧତି ଅନୁସରଣ କରିବା ଆବଶ୍ୟକ। ସମାନ ମାନଦଣ୍ଡ ଥାଇ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ନିମନ୍ତେ ଏକ ଏକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା କଲେ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ। ଫଳରେ ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ଆସନ୍ତା।
ସଭାପତି, ଓଷ୍ଟା
ମୋ-୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri