Posted inଫୁରସତ

ଆମ ପରମ୍ପରାର ସୁନ୍ଦର ନିଦର୍ଶନ ଝୋଟି

ଆମ ଓଡ଼ିଆ ସଂସ୍କୃତିରେ ଝୋଟି ବା ଚିତାର ରହିଛି ଏକ ସ୍ବତନ୍ତ୍ର ମହତ୍ତ୍ୱ। ଓଡ଼ିଆ ଘରର ଯେକୌଣସି ପର୍ବପର୍ବାଣିରେ ଝୋଟି, ଚିତା ବା ରଙ୍ଗୋଲିର ଏକ ପ୍ରମୁଖ ଭୂମିକା। ଏହା ଦ୍ୱାରା ଘର ଭିତରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଝୋଟି ବା ଚିତା ପକାଇବା ଲାଗି ଆମେ ମୁରୁଜ ବା ପିଠଉରୁ ପ୍ରସ୍ତୁତ ସମ୍ମିଶ୍ରଣର ବ୍ୟବହାର କରିଥାଉ। ମାର୍ଗଶିର ମାସ ଗୁରୁବାର ତଥା ମାଣବସାରେ ଘର ଲିପାପୋଛା କରି ଘରେଘରେ ଝୋଟି ପକେଇବା ଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାଆନ୍ତି ବୋଲି ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରାଯାଇଛି। ସେହିଭଳି ବିବାହ, ବ୍ରତ, ବିଭିନ୍ନ ହୋମ, ଯଜ୍ଞ, ସତ୍ୟନାରାୟଣ ପୂଜା, କାର୍ତ୍ତିକ ପଞ୍ଚୁକ ପର୍ବ ଆଦିରେ ମୁରୁଜରେ ଝୋଟି ପକେଇବାର ଏକ ନିଆରା ପରମ୍ପରା ଦେଖିବାକୁ ମିଳେ ଯାହାକୁ ଶୁଭ ବୋଲି ଗ୍ରହଣ କରାଯାଏ।
ଗୃହରେ ସୌଭାଗ୍ୟ ଓ ଶାନ୍ତି ଆଣେ: ଆମ ଚଳଣି ଓ ପରମ୍ପରାରେ ଝୋଟିର ମହତ୍ୱ କେତେ ରହିଛି ସେ ସମ୍ପର୍କରେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ଇଂ. ସନ୍ନ୍ୟାସୀ ପଣ୍ଡା କୁହନ୍ତି: ଝୋଟିର ବ୍ୟବହାର କେବେଠୁ ଆରମ୍ଭ ହେଲା, ତା’ର ଠିକ୍‌ ଆକଳନ କରିବା କଷ୍ଟସାଧ୍ୟ ହେଲେ ବି ଏହା ଦକ୍ଷିଣ ଭାରତର ଚୋଳ ରାଜବଂଶଙ୍କ ଶାସନ ସମୟରୁ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଇପାରେ। ରାମାୟଣରେ ମଧ୍ୟ ଏହାର ବର୍ଣ୍ଣନା ରହିଛି। ମା’ ସୀତାଙ୍କ ସ୍ବୟଂବର ସମୟରେ ଜନକପୁରର ପ୍ରତି ଘରେଘରେ ଏବଂ ସ୍ବୟଂବର ହେଉଥିବା ମହଲରେ ବି ମୁରୁଜ ଏବଂ ଚିତାରେ ବିଭିନ୍ନ ଆକୃତିର ଝୋଟି ପଡ଼ିଥିବାର ଜଣାପଡ଼େ।

ଧର୍ମମାସ କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉଁରା ଚାରିପାଖେ ବିଭିନ୍ନ ରଙ୍ଗର ମୁରୁଜରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଦେଉଳ, ପତିତପାବନ ଆଦି ଚିତ୍ର ସହିତ ରାଧାକୃଷ୍ଣ, ବିଭିନ୍ନ ପକ୍ଷୀ ଯଥା ମୟୂର, ହଂସ ଏବଂ ପ୍ରଜାପତି ଆଦିର ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥା’ନ୍ତି। ଅନ୍ୟାନ୍ୟ ଦିନମାନଙ୍କରେ ଘରର ଫାଟକ ସାମ୍ନାରେ ମୁରୁଜ ପଡ଼େ। ବିଭିନ୍ନ ହୋମଯଜ୍ଞ, ପୂଜାପାଠ ଏବଂ ଶ୍ରାଦ୍ଧଦିନଗୁଡ଼ିକରେ ବ୍ରାହ୍ମଣ ପୁରୋହିତମାନେ ମୁରୁଜରେ ଦେବଦେବୀଙ୍କ ବିଭିନ୍ନ ଆୟୁଧ ବା ମଣ୍ଡଳ ଆଙ୍କିଥା’ନ୍ତି। ମୁରୁଜ ସାଧାରଣତଃ ଅରୁଆ ଚାଉଳ ଚୂନା, ଅଟା, ଇଟାଘୋରା ବା ଶୁଖିଲା ଫୁଲରୁ ତିଆରି କରାଯାଏ। ଏବେ ରାସାୟନିକ ଉପାୟରେ ପ୍ରସ୍ତୁତ ମୁରୁଜ ବଜାରରେ ବିକ୍ରି ହେଲାଣି। ଏହାକୁ ପଞ୍ଚମୁରୁଜ କୁହାଯାଏ। ଠିକ୍‌ ସେହିପରି ଚିତା। ମୁରୁଜ ଶୁଖିଲା ହୋଇଥିବା ବେଳେ ଚିତା ହେଉଛି ଅରୁଆ ଚାଉଳବଟା ପାଣି। ବିଶେଷକରି ମାଣବସା ଗୁରୁବାର ଦିନ ବାରଣ୍ଡା, ଅଗଣା, ଦୁଆରବନ୍ଧ, ଲକ୍ଷ୍ମୀଙ୍କ ଆସ୍ଥାନରେ ଲକ୍ଷ୍ମୀପାଦଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚିତା ପକାଯାଏ। ଦଶହରା ସମୟରେ ଘରେଘରେ କାନ୍ଥରେ ବିଭିନ୍ନ ରକମର ପଦ୍ମର ଚିତା ପଡ଼େ। ଏଥିନିମନ୍ତେ ଢାଉଘୋରା, ଚୂନପାଣି, ଅଳତା କିମ୍ବା ଅଳତା ମିଶ୍ରିତ ଚୂନପାଣି ଇତ୍ୟାଦିର ରଙ୍ଗ ବ୍ୟବହାର କରାଯାଏ।

ଝୋଟି ପଛରେ ଥିବା ମନୋବୈଜ୍ଞାନିକ କାରଣ: ପ୍ରତ୍ୟେକ ଝୋଟି ହେଉଛି ଗୋଟିଏ ଲେଖାଏଁ ସ୍ବତନ୍ତ୍ର ରେଖାଚିତ୍ର। ଏହା ଆମ ଅବଚେତନ ମନରେ ଏକ ଭାବ ତରଙ୍ଗ ସୃଷ୍ଟି କରେ, ଯାହା ମନକୁ ଶାନ୍ତ ରଖେ। ଅନେକ ରେଖା ସମ୍ବଳିତ ଏହି ରେଖାଚିତ୍ର ବା ଝୋଟିକୁ ଦେଖିଲେ ଆମ ମସ୍ତିଷ୍କରେ ଥିବା ନ୍ୟୁରନ୍‌ଗୁଡ଼ିକ ସକ୍ରିୟ ହୋଇଉଠନ୍ତି, ଯାହା ଯୋଗୁ ମନରେ ଶାନ୍ତି ଆସେ। ଠିକ୍‌ ସେହିପରି ପ୍ରତ୍ୟେକ ଦେବଦେବୀଙ୍କ ନିମନ୍ତେ ମଧ୍ୟ ଏକ ସ୍ବତନ୍ତ୍ର ରେଖାଚିତ୍ର ବା ମଣ୍ଡଳ ଅଛି, ଯଦ୍ଦ୍ବାରା ଉକ୍ତ ଦେବୀ ବା ଦେବତା ସହଜରେ ଆକର୍ଷିତ ହୋଇଥା’ନ୍ତି ଏବଂ ପୂଜା ସଫଳ ହେବାର ଆଶା କରାଯାଏ। ଝୋଟିର ସନ୍ଦର୍ଶନ ଦ୍ୱାରା ଯେ ମନ ଶାନ୍ତ ରୁହେ ବା ପୂଜାପାଠ ସଫଳ ହୁଏ ତା’ ନୁହେଁ, ଏହା ମଧ୍ୟ ଗୃହର ସୌଭାଗ୍ୟ ବଢ଼ାଏ। ଘର ଭିତରେ ଥିବା ନକାରାତ୍ମକ ଶକ୍ତିକୁ ଦୂରେଇ କେବଳ ସକାରାତ୍ମକ ଶକ୍ତିକୁ ଗୃହ ମଧ୍ୟକୁ ଆକର୍ଷଣ କରି ଆଣିପାରିବାର ଶକ୍ତି ଝୋଟିର ଅଛି। ସେଥିପାଇଁ ଆନ୍ଧ୍ର, ତାମିଲନାଡ଼ୁ, ମହାରାଷ୍ଟ୍ର ଆଦି ରାଜ୍ୟର ପ୍ରାୟ ଗୃହସ୍ଥମାନେ ପ୍ରତିଦିନ ନିଜ ଅଗଣା ବା ଦାଣ୍ଡଦୁଆରେ ମୁରୁଜରେ ଝୋଟି ପକାଇଥା’ନ୍ତି। ବିଭିନ୍ନ ରାଜ୍ୟରେ ଏହାର ସ୍ବତନ୍ତ୍ର ନାଁ ରହିଛି ଯେପରି ତାମିଲନାଡୁରେ ‘କୋଲମ୍‌’, ଝାରଖଣ୍ଡରେ ‘ମଣ୍ଡନା’, ମହାରାଷ୍ଟ୍ରରେ ‘ରଙ୍ଗ୍‌ଭାଲି’, ଆନ୍ଧ୍ରପ୍ରଦେଶରେ ‘ମୁଗ୍ଗୁ’, ରାଜସ୍ଥାନରେ ‘ମାଣ୍ଡନା’, ପଶ୍ଟିମବଙ୍ଗରେ ‘ଆଲ୍‌ପନା’, ବିହାରରେ ‘ଆରିପନା’, ମଧ୍ୟପ୍ରଦେଶରେ ‘ଚୌକପୂର୍ଣ୍ଣା’, ଉତ୍ତରାଖଣ୍ଡରେ ‘ଆଇପନ୍‌’, ଉତ୍ତରପ୍ରଦେଶରେ ‘ସୋନା ରଖନା’ ଇତ୍ୟାଦି।

ଝୋଟିକୁ ନେଇ ଲୋକକଥା: ଦେଶର ଦକ୍ଷିଣ ଅଞ୍ଚଳରେ ଝୋଟି ପକାକୁ ନେଇ ଏକ ସୁନ୍ଦର କିମ୍ବଦନ୍ତୀ ଅଛି। ଲୋକକଥା ଅନୁଯାୟୀ ‘ଆନ୍ଦାଲ୍‌’ ନାମକ ଏକ ମହିଳା ଭକ୍ତ ବହୁ କଠୋର ତପସ୍ୟା କରି ଭଗବାନ୍‌ ତିରୁମାଲାଙ୍କୁ ସନ୍ତୁଷ୍ଟ କରି ତାଙ୍କୁ ପତି ରୂପେ ପ୍ରାପ୍ତ ହୋଇଥିଲେ। ଏହି ପବିତ୍ର ବିବାହ ତେଲୁଗୁ କ୍ୟାଲେଣ୍ଡରର ନବମ ମାସ (ମରପାଝୀ)ରେ ହିଁ ହୋଇଥିଲା। ଓଡ଼ିଆ ମାସାନୁଯାୟୀ ଏହା ଶୁକ୍ଳ ଏକାଦଶୀ (ଅଧା ଡିସେମ୍ବର) ଠାରୁ ମକର ସଂକ୍ରାନ୍ତି (ଅଧା ଜାନୁୟାରୀ) ପର୍ଯ୍ୟନ୍ତ ବୁଝାଏ। ଏହି ଅବଧିକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଉଯାଉଥିବାରୁ ଅବିବାହିତା ଝିଅମାନେ ବଡ଼ିଭୋର୍‌ରୁ ଉଠି ତିରୁମାଲାଙ୍କୁ ଖୁସି କରିବା ପାଇଁ ମାସ ସାରା ବିଭିନ୍ନ ପ୍ରକାର ଝୋଟି ପକାଇବା ଆରମ୍ଭ ବୋଲି କୁହାଯାଏ। ତେଣୁ ମୁରୁଜ ବା ଚିତା ଦ୍ୱାରା ଝୋଟି ପକାଇବା ପଛରେ ନିଶ୍ଚିତ ଭାବେ ଏକ ଉକ୍ତି ଓ ବିଶ୍ୱାସର ପୃଷ୍ଠଭୂମି ଥିବାବେଳେ ଏବଂ ଏହା ଆମ ମାନବୀୟ ଚେତନାକୁ ସମୃଦ୍ଧ କରିବା ପାଇ’ଁ ଯେ ଅଭିପ୍ରେତ, ଏହା ନିଃସନ୍ଦେହରେ ସ୍ବୀକାର କରାଯାଇପାରେ।

ଆମ ସଂସ୍କୃତିର ଏକ ଅଙ୍ଗ: ଝୋଟି ପକାଇବା, ମୁରୁଜ ଦେବା, ଚିତା ପକାଇବା ଆମ ସଂସ୍କୃତିର ଏକ ମହନୀୟ ବିଭବ ଯାହା କେଉଁ ଆଦିମ କାଳରୁ ରହି ଆସିଛି। ଏ ସମ୍ପର୍କରେ କିସ୍‌ ମାନିତ ବିଶ୍ୱବିଦ୍ୟାଳୟର ଓଡିଆ ଅଧ୍ୟାପିକା ଦେବହୁତି ପଟ୍ଟନାୟକ କୁହନ୍ତି: ଆମର ସମସ୍ତ ପର୍ବପର୍ବାଣି, ସାଂସ୍କୃତିକ ଅନୁଷ୍ଠାନ, ଯେପରିକି ବିବାହ ବ୍ରତ ସମୂହରେ ଚିତା ପକାଇବା ଏକ ପରମ୍ପରା; ଯାହା ଶୁଭ ବୋଲି ଗ୍ରହଣ କରାଯାଏ। ଆମ ସାଂସ୍କୃତିକ ଜୀବନରେ ଯେମିତି ପ୍ରତିଟି କ୍ଷେତ୍ରରେ ଝୋଟିର ସ୍ବାତନ୍ତ୍ର୍ୟ ରହିଛି ଆଦିବାସୀ ପରମ୍ପରା ଓ ଚଳଣିରେ ମଧ୍ୟ ଏହା ବେଶ୍‌ ଗୁରୁତ୍ୱ ରଖେ।
ଓଡ଼ିଶାରେ ୨୨ ପ୍ରକାର ଜନଜାତି ରହିଛନ୍ତି। ପ୍ରତ୍ୟେକ ଜନଜାତିର ଚିତ୍ରକଳା ସ୍ବତନ୍ତ୍ର। ଏମାନଙ୍କ ଭିତରେ ଶଉରା ଜନଜାତି ଏକ ବୃହତ୍ତର ଗୋଷ୍ଠୀ। ସେମାନଙ୍କ ଭିତରେ ଲାଞ୍ଜିଆ ଶଉରା ହେଉଛନ୍ତି ଆଦିମ ଜନଜାତି। ତାଙ୍କର ଚିତ୍ରକଳା ତାଙ୍କ ସାଂସ୍କୃତିକ ଜୀବନର ପ୍ରଧାନ ଅଙ୍ଗ। ଆମେ ଯେମିତି ବାହାଘରରେ ଚିତ୍ର ଆଙ୍କିଥାଉ, ସେମାନେ ସେମିତି ନୂଆଘର କଲେ ଘର ଭିତର କାନ୍ଥରେ ବିଧି ମୁତାବକ ଚିତ୍ର ଆଙ୍କି ବହୁବର୍ଷ ରଖିଥା’ନ୍ତି, ଯାହାକୁ ‘ଇଡିତାଲ’ ବୋଲି କୁହାଯାଏ। ଶଉରା ଭାଷାରେ ଏହାର ଅର୍ଥ କାନ୍ଥଚିତ୍ର। ଆମେ ଯେମିତି ଚାଉଳକୁ ବାଟି ଝୋଟି ପକାଇବାରେ ବ୍ୟବହାର କରୁ, ସେମାନେ ମଧ୍ୟ ସେମିତି ବ୍ୟବହାର କରନ୍ତି। ଶଉରା ଗୋଷ୍ଠୀର ମୁଖ୍ୟ ପୂଜକ ହେଉଛନ୍ତି ‘କୁଡ଼ାଙ୍ଗା’। ସେମାନେ ଚିତ୍ରଶିଳ୍ପୀ ଭାବେ କାମ କରନ୍ତି। ସେମାନେ ଏହି ଇଡିତାଲ ଚିତ୍ର ଆଙ୍କିଥାଆନ୍ତି। ଇଡିତାଲକୁ ନେଇ ଅନେକ ପ୍ରଥା, ଗାଥା, କଥା ରହିଛି। ଆମେ ଯେମିତି ମାଣବସାରେ ଲକ୍ଷ୍ମୀଙ୍କର ପାଦପଦ୍ମ ଚିତା ପୂଜା କରୁ, ଶଉରାମାନେ ମଧ୍ୟ ଇଡିତାଲକୁ ଇଷ୍ଟଦେବ ରୂପେ ପୂଜା କରନ୍ତି। ଆଦିବାସୀ ଜନଜାତିମାନଙ୍କ ମଧ୍ୟରେ କନ୍ଧ ଜନଜାତି ମଧ୍ୟ ଓଡ଼ିଶାରେ ସର୍ବାଧିକ। ଏମାନଙ୍କର ଚିତ୍ରକଳା ଝୋଟିକୁ ‘ମାଞ୍ଜିଗୁଣ୍ଡା’ କହନ୍ତି। ଏମାନେ ମଧ୍ୟ ଲକ୍ଷ୍ମୀପୂଜା, ଦଶହରା ଏବଂ ଅନ୍ୟାନ୍ୟ ପର୍ବପର୍ବାଣିମାନଙ୍କରେ ଚାଉଳଚୂନାରେ ପିଠଉ କରି ଝୋଟି ପକାଇଥା’ନ୍ତି। ଆଦିମ ଜନଜାତିମାନଙ୍କ ଭିତରେ କୁଟିଆ କନ୍ଧ ଅନ୍ୟତମ। ସେମାନଙ୍କର ଝୋଟିକୁ ‘ଟିକାଙ୍ଗକୁଡ଼ା’ କୁହାଯାଏ। ଏମାନେ କେବଳ ହାତରେ ଅଙ୍ଗୁଳିଛିଟା ଓ ଟୋପି ଦ୍ବାରା ଝୋଟି ଆଙ୍କିଥା’ନ୍ତି। କୁଟିଆ କନ୍ଧମାନଙ୍କ ଚିତ୍ରର ଆଉ ଏକ ନମୁନା ହେଉଛି ଦେହରେ ଚିତା କୁଟାଇବା, ଯାହାକୁ ଅଙ୍ଗ ଆଲେଖନ କୁହାଯାଏ। ଦେହର ବିଭିନ୍ନ ଅଂଶରେ ଚିତା କୁଟାଇ ଏମାନେ ଖୁବ୍‌ ଆନନ୍ଦ ପାଆନ୍ତି। ଚିତା କୁଟାଇବା ସେମାନଙ୍କର ପ୍ରଧାନ କଳା ନିଦର୍ଶନ। ଆଦିବାସୀମାନଙ୍କର ଚିତାକୁଟା ବର୍ତ୍ତମାନର ଟାଟୁ ବୋଲି କୁହାଯାଇପାରେ। ସୁନ୍ଦରଗଡ଼ ଜିଲାରେ ବାସ କରୁଥିବା କିଷାନ ଗୋଷ୍ଠୀର ଆଦିବାସୀମାନେ ସ୍ବତନ୍ତ୍ର ଚିତ୍ରକଳା କରିଥାଆନ୍ତି, ଯାହା ତାଙ୍କ ଧାର୍ମିକ ବିଶ୍ୱାସର ପ୍ରତୀକ। ଚିତ୍ର ମାଧ୍ୟମରେ ଆରାଧ୍ୟା ଦେବଦେବୀ ମାନଙ୍କର ରୂପକୁ ପ୍ରତୀକ ଭାବେ ପୂଜା କରନ୍ତି। ପାଉଡ଼ିଭୂୟାଁ ଜନଜାତି ଆଦିବାସୀମାନଙ୍କ ଭିତରେ ଏକ ଆଦିମ ଗୋଷ୍ଠୀ। ଏମାନଙ୍କ ଚିତ୍ରକଳାକୁ ‘ଝାଂଜରା’ ବୋଲି କୁହାଯାଏ। ଏହା ସେମାନଙ୍କ ସାମାଜିକ ଅନୁଷ୍ଠାନ ଦ୍ବାରା ସ୍ବୀକୃତ। ଆଜିକାଲିର ଝୋଟିରେ ପାଉଡ଼ିଭୂୟଁା ଚିତ୍ରକଳାର ପ୍ରଭାବ ଦେଖିବାକୁ ମିଳୁଛି। ସାନ୍ତାଳ ଜନଜାତି ଓଡ଼ିଶାରେ ବହୁଳ ଭାବେ ବାସ କରନ୍ତି। ବର୍ତ୍ତମାନ ଏମାନେ ଆଦିବାସୀମାନଙ୍କ ଭିତରେ ଶିକ୍ଷିତ ଗୋଷ୍ଠୀ। ଏମାନଙ୍କ ଚିତ୍ରକଳାକୁ ‘ଚିଇତା’ ବୋଲି କୁହାଯାଏ, ଯାହାକୁ ଆମେ ଚିତା ବୋଲି କହୁ। ଏମାନେ ଘରକୁ ସୁନ୍ଦର ଭାବେ ଲିପା ପୋଛା କରି ଖୁବ୍‌ ସହଜ ଓ ସଂକ୍ଷିପ୍ତ ଢଙ୍ଗରେ ଝୋଟି ଆଙ୍କନ୍ତି। ଜୁଆଙ୍ଗ ଜନଜାତି ଏକ ଆଦିମ ଜନଜାତି। ଏମାନଙ୍କର ଚିତ୍ରକଳା ମୌଳିକ। ସେମାନେ ଶିଳ୍ପକଳା ମାଧ୍ୟମରେ ସେମାନଙ୍କର ଚିତ୍ରକଳାକୁ ପରିସ୍ଫୁଟ କରିଥାଆନ୍ତି। ସେମାନେ ସୂକ୍ଷ୍ମ ଖୋଦନ କଳା ପ୍ରବୀଣ। ସେମାନଙ୍କର ଚିତ୍ରକଳା ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିପାରିଛି। ଏହାଛଡା ୬୨ ପ୍ରକାର ଜନଜାତିଙ୍କ ଚିତ୍ରକଳା ରହିଛି। ପ୍ରକୃତରେ ଦେଖିବାକୁ ଗଲେ ଆଦିବାସୀ ସମ୍ପ୍ରଦାୟର ଚରତ୍ର କଳା ସହିତ ଆମ ଆଜିକାର ଝୋଟିର ଅନେକ ସାମଞ୍ଜସ୍ୟ ରହିଛି। ରଙ୍ଗ ଓ ଫୁଲର ଯୁଗଳବନ୍ଦୀରୁ ସୃଷ୍ଟି ରଙ୍ଗୋଲି:ରଙ୍ଗୋଲି କହିଲେ ଆମେ ସାଧାରଣତଃ ବିଭିନ୍ନ ପ୍ରକାର ରଙ୍ଗ ଓ ଫୁଲର ସମ୍ମିଶ୍ରଣରେ ନିର୍ମିତ ଚିତ୍ରକଳାକୁ ବୁଝିଥାଉ। ଏହାର ବିଭିନ୍ନ ଆକାର ଓ ପ୍ରକାର ରହିଛି। ଭାରତରେ ରଙ୍ଗୋଲିର ଉତ୍ପତ୍ତି ପ୍ରାୟତଃ ଦକ୍ଷିଣ ଭାରତରୁ ବୋଲି କୁହାଯାଏ। କାଳକ୍ରମେ ଏହା ସମଗ୍ର ଭାରତକୁ ବ୍ୟାପୀଥିଲା ବୋଲି ବିଶ୍ୱାସ ରହିଛି। ବିଭିନ୍ନ ପୂଜାପର୍ବ ତଥା ଶୁଭ ଅବସରରେ ଘରେଘରେ ରଙ୍ଗୋଲି ବା ଚିତା ପକେଇବାର ପ୍ରଥା ରହିଛି। ପାରମ୍ପରିକ ରଙ୍ଗୋଲିରେ ବିଭିନ୍ନ ପ୍ରକାରର ରଙ୍ଗ ମୁରୁଜ, ପ୍ରାକୃତିକ ରଙ୍ଗ, ଫୁଲ ଗୁଣ୍ଡ, ଚାଉଳ ଗୁଣ୍ଡ ଆଦି ବ୍ୟବହହାର କରାଯାଇଥାଏ। ଯୁଗ ବଦଳିବା ସହ ଝୋଟି ବା ରଙ୍ଗୋଲି କରିବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। ମୁରୁଜ, ଚାଉଳ ଗୁଣ୍ଡ, ହଳଦୀ ଗୁଣ୍ଡ, ସିନ୍ଦୂର ଆଦି ପାରମ୍ପରିକ ସାମଗ୍ରୀ ବଦଳରେ ସ୍ଥାନ ପାଇଛି ଷ୍ଟିକର ରଙ୍ଗୋଲି, ପ୍ଲାଷ୍ଟିକ ରଙ୍ଗୋଲି, ଆକ୍ରିଲିକ ରଙ୍ଗୋଲି, କ୍ୟାଣ୍ଡେଲ ରଙ୍ଗୋଲି, କୁନ୍ଦନ ରଙ୍ଗୋଲି ଇତ୍ୟାଦି। ଏହିସବୁ ରଙ୍ଗୋଲି ଦେଖିବାକୁ ଯେତିକି ଆକର୍ଷଣୀୟ, କରିବା ମଧ୍ୟ ସେତିକି ସହଜ। ଅତି କମ୍‌ ସମୟ ମଧ୍ୟରେ ତତ୍‌କ୍ଷଣାତ୍‌ ଏହାକୁ କରାଯାଇପାରେ। ବିଭିନ୍ନ ଅବସର ଲାଗି ଭିନ୍ନଭିନ୍ନ ଡିଜାଇନ୍‌ର ରଙ୍ଗୋଲି ମାର୍କେଟରେ ଉପଲବ୍ଧ। ଏହାକୁ ଆପଣ ଆପଣଙ୍କ ଘରର ପ୍ରବେଶ ପଥ, ବଡ଼ ହଲ କିମ୍ବା ଡ୍ରଇଂରୁମରେ ସଜେଇ ଘରକୁ ଦେଇପାରିବେ ଏକ ଫେଷ୍ଟିଭ ଲୁକ୍‌। ଏହିସବୁ ଇନ୍‌ଷ୍ଟାଣ୍ଟ୍‌ ରଙ୍ଗୋଲି ବ୍ୟତୀତ ଆଜିକାଲି ବିଭିନ୍ନ ଫ୍ୟୁଜନ୍‌ ରଙ୍ଗୋଲି ତଥା ଥିମ୍‌କୁ ନେଇ ରଙ୍ଗୋଲି ପ୍ରସ୍ତୁତ କରାଯାଉଛି। ବିବାହ, ବ୍ରତ, ପର୍ବପର୍ବାଣି, ଅଫିସ ଫଙ୍କସନ୍‌ ଆଦି ଅବସରରେ ଏହି ଫ୍ୟୁଜନ୍‌ ରଙ୍ଗୋଲି ବା ଥିମ୍‌ ରଙ୍ଗୋଲି ଲୋକଙ୍କୁ ବେଶ ପସନ୍ଦ ଆସୁଛି।

ଫୁଲ ଏବଂ ପତ୍ରରେ ରଙ୍ଗୋଲି: ବିଭିନ୍ନ ପ୍ରକାର ଫୁଲ ଏବଂ ପତ୍ରକୁ ବ୍ୟବହାର କରି ଏହି ରଙ୍ଗୋଲି ପ୍ରସ୍ତୁତ କରାଯାଇଥାଏ। ମନପସନ୍ଦର ଯେକୌଣସି ଡିଜାଇନର ଝୋଟି ଆଙ୍କି ତାକୁ ବିଭିନ୍ନ ରଙ୍ଗର ଫୁଲ, ଫୁଲପାଖୁଡ଼ା, ପତ୍ର ଆଦି ଦ୍ୱାରା ସଜ୍ଜା ଯାଇଥାଏ। ଏହି ରଙ୍ଗୋଲି ପ୍ରସ୍ତୁତ କରିବା ଲାଗି ଗେଣ୍ଡୁଫୁଲ, ଗୋଲାପ ପାଖୁଡ଼ା, ସେବତୀ, ରଜନୀଗନ୍ଧା, ଜାରବେରା, କାଠଚମ୍ପା, ଟଗର ଫୁଲ ତଥା ବିଭିନ୍ନ ଗଛର ପତ୍ରକୁ ବ୍ୟବହାର କରି କରାଯାଇଥାଏ। ଏହି ରଙ୍ଗୋଲିକୁ ଆଉ ଟିକିଏ ଆକର୍ଷଣୀୟ କରିବା ଲାଗି ଏଥିରେ ଦୀପ, କ୍ୟାଣ୍ଡେଲ, ଟେରାକୋଟା ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଇଥାଏ।

ଫ୍ଲୋଟିଂ ରଙ୍ଗୋଲି: ଏହି ରଙ୍ଗୋଲି ପାଣିର ପୃଷ୍ଠ ଭାଗରେ କରାଯାଇଥାଏ। କାଚ, ପିତ୍ତଳ ବା ଟେରାକୋଟା ପାତ୍ରରେ ପାଣି ରଖି ଏହା ଉପରେ ବିଭିନ୍ନ ଫୁଲ, ପତ୍ର, ଫ୍ଲୋଟିଂ କ୍ୟାଣ୍ଡେଲ, ଆକ୍ରେଲିକ ରଙ୍ଗୋଲି ଆଦି ଦ୍ୱାରା ସଜ୍ଜା ଯାଇ ଏହି ରଙ୍ଗୋଲି ପ୍ରସ୍ତୁତ କରାଯାଇଥାଏ। ଉକ୍ତ ରଙ୍ଗୋଲିକୁ ସେଣ୍ଟର ଟେବୁଲ, ଘରର ଅଗଣା, ହଲ୍‌ର ସେଣ୍ଟର ସ୍ଥାନରେ ରଖାଯାଇଥାଏ, ଯାହା ଘରକୁ ଦେଇଥାଏ ଏକ ଆଟ୍ରାକ୍ଟିଭ ଲୁକ୍‌। ଫଳ ଏବଂ ପରିବାରେ ରଙ୍ଗୋଲି: ଫୁଲ ରଙ୍ଗୋଲି ଭଳି ପରିବା ଏବଂ ଫଳ ରଙ୍ଗୋଲି ମଧ୍ୟ ଦେଖିବାକୁ ଖୁବ୍‌ ଆକର୍ଷଣୀୟ। ବିଭିନ୍ନ ରଙ୍ଗର ପରିବା ଏବଂ ଫଳକୁ ସୁନ୍ଦର ଭାବେ ସଜାଇ ଏହି ରଙ୍ଗୋଲି ପ୍ରସ୍ତୁତ କରାଯାଇଥାଏ। ଉକ୍ତ ରଙ୍ଗୋଲି ବିଭିନ୍ନ ପର୍ବପର୍ବାଣି ତଥା ଥିମ୍‌କୁ ନେଇ ପ୍ରସ୍ତୁତ କରାଯାଇଥାଏ।

ଚାଉଳ ଏବଂ ଶସ୍ୟରେ ରଙ୍ଗୋଲି: ରଙ୍ଗୋଲି ମଧ୍ୟରେ ଆଉ ଏକ ସୃଜନାତ୍ମକ ରଙ୍ଗୋଲି ହେଉଛି ଚାଉଳ ଏବଂ ଶସ୍ୟରେ ପ୍ରସ୍ତୁତ ରଙ୍ଗୋଲି। ଚକ୍‌ ବା ମୁରୁଜରେ ମନପସନ୍ଦର ଝୋଟି ଆଙ୍କି ଏହା ଭିତରେ ବିଭିନ୍ନ ରଙ୍ଗର ଚାଉଳ, ଡାଲି, ଶସ୍ୟ ଆଦିକୁ ସଜାଇ ଏହି ରଙ୍ଗୋଲି ପ୍ରସ୍ତୁତ କରାଯାଇଥାଏ।

ରଙ୍ଗିନ୍‌ ବାଲିରେ ରଙ୍ଗୋଲି: ଖାସ୍‌ ରଙ୍ଗୋଲି କରିବା ପାଇଁ ଆଜିକାଲି ମାର୍କେଟରେ ବିଭିନ୍ନ ରଙ୍ଗର ବାଲି ବା ମାର୍ବଲ ଗୁଣ୍ଡ ଉପଲବ୍ଧ ହେଉଛି। ଏହି ରଙ୍ଗୋଲିକୁ ଅଧିକ ଆକର୍ଷଣୀୟ କରିବା ଲାଗି ଏଥିରେ ଗ୍ଲିଟର ଡଷ୍ଟ ବା ଜିଙ୍କ୍‌ ମଧ୍ୟ ବ୍ୟବହାର କରାଯାଇଥାଏ। ଚକ୍‌ ବା ମୁରୁଜରେ ଆଉଟ୍‌ ଲାଇନ୍‌ ଆଙ୍କି ଏହାକୁ ରଙ୍ଗିନ୍‌ ବାଲି ଓ ଜିଙ୍କ୍‌ ଦ୍ୱାରା ଭରି ମନପସନ୍ଦର ରଙ୍ଗୋଲି ପ୍ରସ୍ତୁତ କରିଯାଇଥାଏ। ଏହି ରଙ୍ଗୋଲିର ବିଭିନ୍ନ ପ୍ରକାର ପ୍ୟାଟର୍ନ ମଧ୍ୟ ରହିଛି ଯଥା, ଡଟେଡ ରଙ୍ଗୋଲି, ଜ୍ୟୋମେଟ୍ରି ପ୍ୟାଟର୍ନ ରଙ୍ଗୋଲି, ଫ୍ରି ହ୍ୟାଣ୍ଡ ରଙ୍ଗୋଲି, ଅର୍ନାମେଣ୍ଟାଲ ରଙ୍ଗୋଲି ଇତ୍ୟାଦି। ଏହି ରଙ୍ଗୋଲି ପ୍ରସ୍ତୁତ କରିବା ଲାଗି ମାର୍କେଟରେ ଏଥିଲାଗି ସ୍ବତନ୍ତ୍ର କିଟ୍‌ ମଧ୍ୟ ଉପଲବ୍ଧ। ଏହା ସାହାଯ୍ୟରେ ଅତି ସହଜରେ ମନପସନ୍ଦର ରଙ୍ଗୋଲି ଅଙ୍କା ଯାଇପାରିବ।

ରେଡିମେଡ୍‌ ରଙ୍ଗୋଲି: ଇଷ୍ଟାଣ୍ଟ ରଙ୍ଗୋଲି ଭାବେ ଆର୍ଟିଫିସିଆଲ ରଙ୍ଗୋଲି ଯଥା ଷ୍ଟିକର ରଙ୍ଗୋଲି, ପ୍ଲାଷ୍ଟିକ୍‌ ରଙ୍ଗୋଲି, ଆକ୍ରିଲିକ ରଙ୍ଗୋଲି, କ୍ୟାଣ୍ଡେଲ ରଙ୍ଗୋଲି, କୁନ୍ଦନ ରଙ୍ଗୋଲି ଆଦିର ବେଶ ଡିମାଣ୍ଡ ଦେଖିବାକୁ ମିଳୁଛି। ବିଭିନ୍ନ ଅକେଜନ ପାଇଁ ଭିନ୍ନଭିନ୍ନ ପ୍ରକାରର ଆର୍ଟିଫିସିଆଲ ରଙ୍ଗୋଲି ମାର୍କେଟରେ ଉପଲବ୍ଧ ହେଉଛି। ବିଶେଷକରି ଦୀପାବଳି ଅବସରରେ ଏହି ରଙ୍ଗୋଲିର ଚାହିଦା ଦେଖିବାକୁ ମିଳେ। ଏହିସବୁ ରଙ୍ଗୋଲିକୁ ଆପଣ ଚଟାଣରେ ସେମିତି ସଜାଇ ପାରିବେ, ନଚେତ ଅନ୍ୟାନ୍ୟ ରଙ୍ଗୋଲି ସହ ଫ୍ୟୁଜନ୍‌ କରି ପ୍ରସ୍ତୁତ କରିପାରିବେ।
ଜୈବିକ ରଙ୍ଗରେ ରଙ୍ଗୋଲି: ଯଦି ଆପଣ ଚାହାନ୍ତି ଆର୍ଟିଫିସିଆଲ ରଙ୍ଗୋଲି ବା ବିଷାକ୍ତ କେମିକାଲ୍‌ଠାରୁ ଦୂରେଇ ରହିବା ପାଇଁ, ତେବେ ପ୍ରାକୃତିକ ଜୈବିକ ରଙ୍ଗ ବ୍ୟବହାର କରି ମଧ୍ୟ ଆପଣ ରଙ୍ଗୋଲି ପ୍ରସ୍ତୁତ କରିପାରିବେ। ଜୈବିକ ରଙ୍ଗ ଯଥା ଚାଉଳ ଗୁଣ୍ଡ, ହଳଦୀ, ଚନ୍ଦନ, ହିନା ଗୁଣ୍ଡ ଆଦି ବ୍ୟବହାର କରି ଆପଣ ସୁନ୍ଦର ଡିଜାଇନର ରଙ୍ଗୋଲି ପ୍ରସ୍ତୁତ କରିପାରିବେ।

ରଙ୍ଗୋଲି ଦେଇଛି ପରିଚୟ: ପାରମ୍ପରିକ ରଙ୍ଗୋଲି ବ୍ୟତୀତ ଆଜିକାଲି ମଡର୍ନ ରଙ୍ଗୋଲି ପ୍ରତି ଲୋକଙ୍କ ବେଶ୍‌ ଚାହିଦା ବଢିବାରେ ଲାଗିଛି ଏ ସମ୍ପର୍କରେ ଜାତୀୟ ସ୍ତରୀୟ ରଙ୍ଗୋଲି ଚିତ୍ରଶିଳ୍ପୀ ବବ୍‌ଲୁ ମହାନ୍ତି କୁହନ୍ତି: ସାତ ରଙ୍ଗର ସମ୍ମିଶ୍ରଣରେ ପ୍ରସ୍ତୁତ କଳାକୃତିକୁ ରଙ୍ଗୋଲି କୁହାଯାଏ। ଏହା ଏକ ପାରମ୍ପରିକ ଚିତ୍ର କଳା। ଏହାକୁ ପ୍ରସ୍ତୁତ କରିବା ଲାଗି ସୃଜନଶୀଳତାର ବିଶେଷ ଆବଶ୍ୟକତା ରହିଛି। ନିଜ ଭାବନାକୁ ରଙ୍ଗ ମାଧ୍ୟମରେ ପରିପ୍ରକାଶ କରିବାର ଏହା ହେଉଛି ଏକ ମାଧ୍ୟମ। ତେବେ ଛୋଟବେଳୁ ମା’ ଏବଂ ଆଈଙ୍କୁ ଝୋଟି ପକାଇବା ଦେଖି ମୁଁ ପ୍ରଭାବିତ ହୋଇଥିଲି। ଏହାପରେ ରଙ୍ଗ ମୁରୁଜକୁ ନେଇ କିଛି ନୂଆ କରିବା ପ୍ରଚେଷ୍ଟାରେ ମୁଁ ଏହି କଲରଫୁଲ ରଙ୍ଗୋଲି ପ୍ରସ୍ତୁତ କରିବା ଆରମ୍ଭ କଲି। ସେବେଠାରୁ ଏହି ହବି ମୋତେ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ପୁରସ୍କାର ଏବଂ ସମ୍ମାନର ଅଧିକାରୀ ମଧ୍ୟ କରାଇପାରିଛି। ତେବେ ରଙ୍ଗୋଲି ପ୍ରସ୍ତୁତ କରିବା ପାଇଁ ମୁଁ ଉଭୟ ପାରମ୍ପରିକ ତଥା ଆଧୁନିକ ସାମଗ୍ରୀ ଏବଂ ଶୈଳୀ ଉପଯୋଗ କରିଥାଏ। ମୁଁ ପ୍ରସ୍ତୁତ କରିଥିବା ଏହି ରଙ୍ଗୋଲିଟି ହେଉଛି ‘ମା ତାରିଣୀ ରଙ୍ଗୋଲି’। ଏଥିରେ ମୁଁ ଫୁଲ ଗୁଣ୍ଡ, ପତ୍ର ଗୁଣ୍ଡ ତଥା ବିଭିନ୍ନ ରଙ୍ଗର ମୁରୁଜ, ଫୁଲ ପାଖୁଡା ଏବଂ ଡେକୋରେଶନ ଲାଗି ଦୀପ ବ୍ୟବହାର କରିଛି। ପ୍ରଥମେ ମୁରୁଜରେ ମା’ ତାରିଣୀ ଏବଂ ମନ୍ଦାର ଫୁଲ ଚିତ୍ରକୁ ଆଙ୍କିଛି। ଏହା ପରେ ନାଲି ମୁରୁଜକୁ ମୁଖ୍ୟତଃ ମନ୍ଦାର ଫୁଲ ପାଇଁ ବ୍ୟବହାର କରିଥିବା ବେଳେ ମା’ଙ୍କ ଚିତ୍ର ଲାଗି ହଳଦିଆ, ସବୁଜ, ଗୋଲାପୀ ଆଦି ରଙ୍ଗକୁ ବ୍ୟବହାର କରିଛି। ଏହି ରଙ୍ଗୋଲିକୁ ଆପଣ ବିଭିନ୍ନ ପୂଜା ପାର୍ବଣରେ ଘରେ ପ୍ରସ୍ତୁତ କରିପାରିବେ। ସେହିଭଳି ଦୀପାବଳି ଭଳି ଅବସରରେ ଘରକୁ ସୁନ୍ଦରଭାବେ ସଜେଇବା ପାଇଁ ଆପଣ ନିଜ ସୃଜନଶୀଳତାକୁ ବ୍ୟବହାର କରି ଏହିଭଳି ସୁନ୍ଦର ସୁନ୍ଦର ରଙ୍ଗୋଲି ପ୍ରସ୍ତୁତ କରିପାରିବେ।
ସତରେ ପୁରୁଣା ସଂସ୍କୃତିରୁ ଆରମ୍ଭ କରି ଆଜି ଯାଏଁ ସବୁବେଳେ ସବୁ ସମୟରେ ଝୋଟି ତା’ର ସ୍ବାତନ୍ତ୍ର୍ୟ ଯେ ଜାହିର କରିପାରିଛି ସେ କଥା ନିଃସନ୍ଦେହ।

-ରୋଜାଲିନ୍‌ ମହାନ୍ତି
ଲିପ୍‌ସା ବିଶୋଇ


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?