ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍ ଉଦ୍ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।
୧୫ ଦିନ ଧରି ହେବାକୁ ଥିବା ଏହି ମହାଦେଶୀୟ କ୍ରୀଡ଼ା ମହୋତ୍ସବରେ ୪୫ଟି ଦେଶର ପ୍ରାୟ ୧୧,୦୦୦ ଆଥଲେଟ୍ ଅଂଶ ଗ୍ରହଣ କରିଛନ୍ତି। ସେମାନେ ୪୩ଟି କ୍ରୀଡ଼ା ଓ ୭୧ ସବ୍-ଇଭେଣ୍ଟରେ ଅଂଶଗ୍ରହଣ କରିବେ। ମୋଟ ୪୬୯ ସ୍ବର୍ଣ୍ଣ ପଦକର ବ୍ୟବସ୍ଥା ରହିଛି। ଉଦ୍ଯାପନୀ ଅକ୍ଟୋବର ୪ରେ ହେବ। ଟୋକିଓରେ ୧୯୫୮ ଏବଂ ୧୯୯୪ରେ ହିରୋସୀମା ପରେ ଜାପାନ ତୃତୀୟ ଥର ଏସିଆନ ଗେମ୍ସର ଆୟୋଜକ ହୋଇଛି।
ଦୁଇ ଘଣ୍ଟା ଧରି ଅନୁଷ୍ଠିତ ଏହି ସମାରୋହ ବେଳେ ଜାପାନ ସମ୍ରାଟ ନାରୁହିତୋ, ମହାରାଣୀ ମାସାକୋ, ରାଜକୁମାର ଆକିଶିନୋ ଓ ରାଜକୁମାରୀ କିକୋଙ୍କ ସମେତ ଅଲିମ୍ପିକ କାଉନ୍ସିଲ ଅଫ୍ ଏସିଆର ସଭାପତି ଶେଖ ଜୋଆନ ବିନ୍ ହାମାଦ ଅଲ୍ ଥାନି ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସଭାପତି କିର୍ଷ୍ଟି କୋଭେଣ୍ଟ୍ରି ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମେ ଜାପାନୀ ଜାତୀୟ ସଙ୍ଗୀତ ଗାନ ଏବଂ ପରେ ଜାତୀୟ ପତାକା ଉତ୍ତୋଳନ ସହ ସହ ଉଦ୍ଘାଟନୀ ସମାରୋହ ଆରମ୍ଭ ହୋଇଥିଲା। ପତାକା ଉତ୍ତୋଳନ ପୂର୍ବରୁ ଜାପାନିଜ ସେଲ୍ଫ ଡିଫେନ୍ସ ଫୋର୍ସର ୯ଜଣ ସଦସ୍ୟ ପତାକାକୁ ଷ୍ଟେଜ ଉପରକୁ ନେଇଥିଲେ। ଜାପାନ ସମ୍ରାଟ ନାରୁହିତୋଙ୍କ ଦ୍ୱାରା ଗେମ୍ସର ଅନୁଷ୍ଠାନିକ ଉଦ୍ଘାଟନ ହୋଇଥିଲା। ଉଦ୍ଘାଟନୀ ଉତ୍ସବ ବେଳେ ଷ୍ଟାଡିୟମ ଦର୍ଶକରେ ଭରପୂର ହୋଇଯିବା କଥା, ମାତ୍ର ଅନେକ ଆସନ ଖାଲି ପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା।
ପରେଡ ବେଳେ ଆଫଗାନିସ୍ତାନ ସବୁଠାରୁ ଆଗରେ ରହିଥିଲା। ଏହାପରେ ଦ୍ୱିତୀୟ ସ୍ଥାନରେ କ୍ରୀଡ଼ାର ପାଓ୍ବାର ହାଉସ୍ ବୋଲି କୁହଯାଉଥିବା ଚାଇନା ରହିଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦଳରେ ୮୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍ ରହିଥିଲେ। ଆଥଲେଟମାନଙ୍କ ପରେଡ୍ ବେଳେ ଭାରତର ଡବଲ ଅଲିମ୍ପିକ ପଦକ ବିଜେତା (୨୦୨୪ ପ୍ୟାରିସ) ମନୁ ଭାକର ଓ କବାଡ଼ି ଖେଳାଳି ପବନ ଶେରାଓ୍ବତ ୫୦୧ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ।
ଠିକଣା ସମୟରେ ସେରିମୋନିଆଲ କିଟ୍ ପାଇ ନ ଥିବାରୁ ଶଟ୍ପୁଟର ତାଜିନ୍ଦରପାଲ ସିଂ ତୁର୍ଙ୍କ ସ୍ଥାନରେ ଶେରାଓ୍ବତ ଓ ଭାକର ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିଥିଲେ। ଏସିଆନ ଗେମ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୨୩ ହାଙ୍ଗ୍ଝୋ ଏସିଆନ ଗେମ୍ସରେ ଦେଖିବାକୁ ମଳିଥିଲା। ଏଥିରେ ଭାରତ ୨୮ ସ୍ବର୍ଣ୍ଣ ସମେତ ୧୦୮ ପଦକ ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ନାଗୋୟାଠାରେ ଏହାଠାରୁ ଭଲ ପ୍ରଦର୍ଶନ କରିବା ଲାଗି ଭାରତ ଆଶା ରଖିଛି। ଉଦ୍ଘାଟନୀ ପୂର୍ବରୁ ବାସ୍କେଟବଲ, ଫୁଟ୍ବଲ, କ୍ରିକେଟ ସମେତ ଅନ୍ୟ କେତେକ ଖେଳ ଆରମ୍ଭ ହୋଇଯାଇଛି।

