ଆଜିର ଅର୍ଥନୀତି/ ବାଉଁଶରାଣୀ ଚାଲି

ଏନ୍‌ଡିଏ ସରକାର ମୋଦିଙ୍କ ନେତୃତ୍ୱରେ ତାଙ୍କ ଦ୍ୱିତୀୟ ପାଳିରେ ଜୁଲାଇ ୫ ତାରିଖରେ ପ୍ରଥମ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅବସରରେ ଅଭିବୃଦ୍ଧିକୁ ସଂଜୀବିତ କରିବା, ନିଯୁକ୍ତି ସୃଷ୍ଟି କରିବା, ଅର୍ଥନୀତିରେ ସୁଧାର ଆଣିବା, ଟିକସ ରିହାତି ପ୍ରଦାନ କରିବା ଏବଂ ଏଗୁଡ଼ିକ ସହ ବିବେକବାନ୍‌ ଭାବେ ଆର୍ଥିକ ନିଷ୍ପତ୍ତି ଗ୍ରହଣ କରିବା ପ୍ରତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଦୃଷ୍ଟି ଦେବା ଆଶା କରାଯାଉଛି। ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀଙ୍କ ହାତରେ ଅନେକ ଦାୟିତ୍ୱ ରହିଛି। ଦେଶରେ ବେକାରି ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଏବଂ ଗତ ଆର୍ଥିକ ବର୍ଷର ଶେଷ ତ୍ରିମାସୀରେ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ହରାଇବା ସହ ଦ୍ୱିତୀୟ ସ୍ଥାନରେ ଥିବା ଚାଇନା ଏହି ସ୍ଥାନକୁ ଉନ୍ନୀତ ହୋଇଛି। କୃଷି ଅଭିବୃଦ୍ଧି ମାନ୍ଦେଇଯାଇଛି। ଏବର୍ଷ ପୁଣି ଜୁନ୍‌ ସୁଦ୍ଧା ୩୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାରୁ କୃଷି ଅଭିବୃଦ୍ଧି ଆଶାଜନକ ହେବା ଆଶା ନାହିଁ। ଅଧିକାଂଶ ରାଜ୍ୟରେ ଧାନବୁଣା ଓ ରୁଆ ବିଳମ୍ବିତ ହୋଇଛି। ଅର୍ଥମନ୍ତ୍ରୀଙ୍କ ବୃହତ୍‌ ଆହ୍ବାନଗୁଡ଼ିକ ମଧ୍ୟରେ ରହିଛି କୃଷିକ୍ଷେତ୍ରକୁ ସହାୟତା ଯୋଗାଇବା ପାଇଁ ୮୭୦ ଶହ କୋଟି ଟଙ୍କା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଜନମଙ୍ଗଳ କାର୍ଯ୍ୟଗୁଡ଼ିକ ପାଇଁ ଅର୍ଥ ଯୋଗାଡ଼ କରିବା। ଏଥିସହ ମଧ୍ୟ ତାଙ୍କୁ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୪ ପ୍ରତିଶତ ଭିତରେ ସୀମିତ ରଖିବାକୁ ହେବ। କ୍ରମଶଃ ତଳକୁ ଖସୁଥିବା ଅର୍ଥନୀତିରେ ଉନ୍ନତି ଆଣିବା ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ବିରାଟ ବୋଝ।
ଆଉ ଗୋଟିଏ ଆହ୍ବାନ ହେଉଛି ଉଭୟ ଉପଭୋଗ ଓ ପୁଞ୍ଜିନିବେଶ ବୃଦ୍ଧିକରିବା। କିନ୍ତୁ ଏହାର ବିପରୀତ ଲକ୍ଷଣମାନ ଦେଖିବାକୁ ମିଳୁଛି। ଶିଳ୍ପ ଉତ୍ପାଦନ ଏପ୍ରିଲ ମାସରେ ବିଯୁକ୍ତାତ୍ମକ ରହିଥିବା ବେଳେ ଅଟୋମୋବାଇଲ କମ୍ପାନୀଗୁଡ଼ିକ କ୍ଷୀୟମାଣ ଚାହିଦା ପରିପ୍ରେକ୍ଷୀରେ ଇନ୍‌ଭେଣ୍ଟରୀ ପାଇଲ୍‌-ଅପ୍‌ର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ ଗୋଟିଏ ବାଟ ହେଉଛି ଆୟକର ହ୍ରାସ କରି ଖାଉଟିମାନଙ୍କ ହାତରେ ଅଧିକ ଟଙ୍କା ରହିବାର ବ୍ୟବସ୍ଥା କରିବା। ମୋଦି ସରକାର ଉପରେ ମଧ୍ୟବିତ୍ତ ବର୍ଗଙ୍କର ଯଥେଷ୍ଟ ଆଶା ଓ ଭରସା ରହିଛି। ପୀୟୂଷ ଗୋୟଲ ତାଙ୍କ ମଧ୍ୟବର୍ତ୍ତିକାଳୀନ ବଜେଟରେ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବେତନଭୋଗୀ କର୍ମଚାରୀଙ୍କ ପାଇଁ ଯେଉଁ ଆୟକର ଘୋଷଣା କରିଥିଲେ ତାହା ଆଶାନୁରୂପ ନ ଥିଲା। ତେବେ ଟାଣଟୁଣ ଆର୍ଥିକ ସ୍ଥିତିକୁ ଚାହିଁଲେ ଏସବୁ କହିବା ସହଜ ହୋଇପାରେ, ମାତ୍ର କରିବା ସହଜ ନୁହେଁ।
ଜିଏସ୍‌ଟି ଆୟ ହ୍ରାସ ପାଇଛି। ପ୍ରତ୍ୟକ୍ଷ ଟିକସରୁ ଆୟ ମଧ୍ୟ କମିଛି। ନୂଆ ଅର୍ଥମନ୍ତ୍ରୀଙ୍କୁ ଜିଏସ୍‌ଟି ଢାଞ୍ଚା ଓ ପ୍ରକ୍ରିୟାଗୁଡ଼ିକୁ ସହଜ କରିବାର ଅବଶ୍ୟକତା ମଧ୍ୟ ରହିଛି। ତାଙ୍କ ପୂର୍ବସୂରି ଓ ପରାମର୍ଶଦାତା ଅରୁଣ ଜେଟ୍‌ଲୀ ଚଳିତ ସପ୍ତାହରେ ଟୁଇଟ୍‌ କରି ଜିଏସ୍‌ଟି ସ୍ଲାବ୍‌ଗୁଡ଼ିକୁ କମାଇ ଦୁଇ ରଖିବାକୁ ପରାମର୍ଶ ଦେଇଛନ୍ତି। ଜେଟ୍‌ଲୀ କହିଛନ୍ତି ଯେ ଏହି ପଦକ୍ଷେପ ନେବା ପାଇଁ ଏହା ଉପଯୁକ୍ତ ସମୟ। ସୀତାରାମନ୍‌ ତାହା କରିବାକୁ ପଦକ୍ଷେପ ନେଇପାରନ୍ତି। ସେ ମଧ୍ୟ ରପ୍ତାନିକୁ ପ୍ରତିଯୋଗିତାକ୍ଷମ କରିବା ପାଇଁ ଭିତ୍ତିଭୂମିର ବିକାଶ ଲାଗି ଚେଷ୍ଟା କରିବେ। ରପ୍ତାନି ହ୍ରାସ ପାଇବା ଯୋଗୁ ଉତ୍ପାଦନ କ୍ଷେତ୍ର ଉପରେ ପ୍ରଭାବ ପଡ଼ିବା ସହ ନିଯୁକ୍ତି ମଧ୍ୟ ସଂକୁଚିତ ହେଉଛି। ଅଧିକ ସୁବିଧାସୁଯୋଗ ପ୍ରଦାନ କରି ବିଦେଶୀ ପୁଞ୍ଜିନିବେଶ ବୃଦ୍ଧିକରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ମଧ୍ୟ ରହିଛି। ଭୂମି ଓ ଶ୍ରମ ସଂସ୍କାର ପ୍ରତି ମଧ୍ୟ ସରକାରଙ୍କୁ ଦୃଷ୍ଟିଦେବାକୁ ପଡ଼ିବ।
ପୀୟୂଷ ଗୋୟଲଙ୍କ ଦ୍ୱାରା ଉପସ୍ଥାପିତ ମଧ୍ୟବର୍ତ୍ତିକାଳୀନ ବଜେଟରେ ପ୍ରଦତ୍ତ ୨୦୧୮-୧୯ର ଅଭିବୃଦ୍ଧି ସଂଖ୍ୟା କିପରି ହାସଲ କରାଯିବ, ତାହା ମଧ୍ୟ ସୀତାରାମନ୍‌ଙ୍କ ପାଇଁ ଏକ ସମସ୍ୟା। କାରଣ ଆଗରୁ ପୂର୍ବାନୁମାନ କରାଯାଇଥିବା ସଂଖ୍ୟା ବଦଳିଛି। ମୁଖ୍ୟତଃ ଚିନ୍ତାର ବିଷୟ ହେଲା ସଂଶୋଧିତ ଆକଳନ ଅନୁସାରେ ଯେତିକି ରାଜସ୍ବ ମିଳିବ ବୋଲି କୁହାଯାଇଥିଲା, ତାହା ୧୧ ପ୍ରତିଶତ ବା ୧.୬ ଟ୍ରିଲିୟନ (ଲକ୍ଷ କୋଟି) ଟଙ୍କା ହ୍ରାସ ପାଇଛି। ଆଗରୁ ୧୪.୮୪ ଟ୍ରିଲିୟନ ରାଜସ୍ବ ଆଦାୟ ହେବ ବୋଲି ଆକଳନ କରାଯାଇଥିବା ବେଳେ ବାସ୍ତବରେ ତାହା ୧୩.୧୭ ଟ୍ରିଲିୟନ ଟଙ୍କା ହେବ ବୋଲି ଜଣାପଡ଼ିଛି। ଜଣେ ଭାଜପା ମନ୍ତ୍ରୀଙ୍କ ଦ୍ୱାରା ପ୍ରଥମୋକ୍ତ ପୂର୍ବାନୁମାନ ଉପସ୍ଥାପିତ କରାଯାଇଥିବା ବେଳେ ପରିବର୍ତ୍ତିତ ସଂଖ୍ୟା ତାଙ୍କୁ ଅକଳରେ ପକାଇଦେବା ସ୍ବାଭାବିକ। ମଧ୍ୟବର୍ତ୍ତିକାଳୀନ ବଜେଟରେ ଉପସ୍ଥାପିତ ସଂଖ୍ୟା ସଂଶୋଧିତ ଆକଳନଠାରୁ କାହିଁକି ଅଲଗା ହେଲା ତାହା ନୂଆ ଅର୍ଥମନ୍ତ୍ରୀଙ୍କୁ ବୁଝାଇବାକୁ ହେବ। ସଂଶୋଧିତ ଆକଳନଠାରୁ ନେଟ୍‌ ଟିକସ ରାଜସ୍ବ କାହିଁକି ୧୧ ପ୍ରତିଶତ କମିଲା ତାକୁ ନେଇ ପ୍ରଶ୍ନ ଉଠିପାରେ। ତେବେ ସେ ଯାହା ହେଉ ସୀତାରାମନ୍‌ଙ୍କୁ ଏବେ ବାଉଁଶରାଣୀ ପରି ଦଉଡ଼ିରେ ଚାଲିବା ପରି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri