ଆଜିର ଅର୍ଥନୀତି/ ଅଲଗାବାଦ ଛାଡ଼

ଚଳିତ ସପ୍ତାହରେ ଭାରତ ଆଞ୍ଚଳିକ ବ୍ୟାପକ ଆର୍ଥିକ ଭାଗୀଦାରି (ଆର୍‌ସିଇପି) ଶିଖର ବୈଠକରୁ ଶେଷ ମୁହୂର୍ତ୍ତରେ ଓହରିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍‌ସିଇପି ବୈଠକରେ ଭାଗନେବା ପାଇଁ ବ୍ୟାଙ୍କକ୍‌ ଯାଇଥିଲେ। ତେଣୁ ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ବିଶ୍ୱାସ କରି ନେଇଥିଲେ ଯେ ଭାରତ ବିଶ୍ୱର ବୃହତ୍ତମ ବାଣିଜ୍ୟ ଗୋଷ୍ଠୀ ସହ ଯୋଗଦେବ। ଆର୍‌ସିଇପିରେ ୧୬ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି- ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରସଂଘ (ଏସିଆନ୍‌)ର ୧୦ଟି ରାଷ୍ଟ୍ର ଏବଂ ଏହା ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଅଂଶୀଦାର ଥିବା ୬ଟି ରାଷ୍ଟ୍ର। ଏହିସବୁ ଦେଶର ମୋଟ ଜନସଂଖ୍ୟା ହେଉଛି ୩୦୦ କୋଟି, ଯାହା ବିଶ୍ୱ ଜନସଂଖ୍ୟାର ୪୫ ପ୍ରତିଶତ ଏବଂ ମିଳିତ ମୋଟ ଘରୋଇ ଉତ୍ପାଦ (ଜିଡିପି) ହେଉଛି ୨୧.୩ ଟ୍ରିଲିୟନ ଆମେରିକୀୟ ଡଲାର। ସାରା ବିଶ୍ୱର ବ୍ୟବସାୟ କ୍ଷେତ୍ରରେ ଏହିସବୁ ଦେଶର ୪୦ ପ୍ରତିଶତ ଶେୟାର ରହିଛି। ଭାରତ ଉକ୍ତ ସଂଗୋଷ୍ଠୀରେ ଯୋଗ ନ ଦେଇ ଓହରିଆସିବା ପରେ ଗୋଷ୍ଠୀର ଓଜନ କିଛି ପରିମାଣରେ କମିଯାଇଛି। ତେବେ ଭାରତ ସାଙ୍ଗରେ ରହୁ ବା ନ ରହୁ ଆର୍‌ସିଇପି ତଥାପି ବିଶ୍ୱର ବୃହତ୍ତମ ବାଣିଜି୍ୟକ ଗୋଷ୍ଠୀ ହୋଇ ରହିବ।
ତଥାପି ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀ ମୋଦି କାହିଁକି ଶେଷ ମୁହୂର୍ତ୍ତରେ ଗୋଷ୍ଠୀରେ ସାମିଲ ହେବାକୁ ମନା କରିଦେଲେ। ଭାରତ କ’ଣ ଏପରି ସର୍ତ୍ତ ରଖିଲା ଯାହା ଗ୍ରହଣ କରିବାକୁ ଗୋଷ୍ଠୀ ମନା କରିଦେଲା? ଭାରତ ଚାହୁଁଥିଲା ଚାଇନାରୁ ଆମଦାନି କରାଯାଉଥିବା ଦ୍ରବ୍ୟଗୁଡ଼ିକର ଏକ ସୀମା ରହୁ। ପୁଣି ଭାରତ ସେବା କ୍ଷେତ୍ରରେ ଅଧିକ ବ୍ୟବସାୟ କରିବାକୁ ଚାହୁଁଥିଲା। ଭାରତୀୟ ଦ୍ରବ୍ୟ ଓ ସେବା ଯେପରି ଚାଇନା ବଜାରରେ ଅଧିକ ସୁଯୋଗ ପାଇବ ତାହା ଭାରତର ଇଚ୍ଛା ଥିଲା। କୃଷିଜାତ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଶୁଳ୍କ ହ୍ରାସକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଥିଲା। ଏସବୁ ଦାବି କିଛି ନୂଆ ନୁହେଁ। ବିଭିନ୍ନ ମଞ୍ଚରୁ ଭାରତ ଏହିସବୁ ଦାବି ମାନିନେବାକୁ ଚାପ ପକାଇ ଆସୁଛି। ତେଣୁ ଆର୍‌ସିଇପିରେ ଚାଇନାର ପ୍ରଭାବ ଅଧିକ ଥିବାରୁ ଭାରତର ଦାବିଗୁଡ଼ିକୁ ଯେ ଗ୍ରହଣ କରାଗଲା ନାହିଁ, ତାହା ବୁଝିବାରେ କୌଣସି ଅସୁବିଧା ନାହିଁ।
ବର୍ତ୍ତମାନ ଆମେରିକା ଓ ଚାଇନା ଭିତରେ ବାଣିଜ୍ୟ କାରବାରକୁ ନେଇ ଅଚଳାବସ୍ଥା ଦେଖାଦେଇଥିବା ବେଳେ ଚାଇନା ଚାହୁଁଛି ଭାରତର ମନ ନେଇ ଆମେରିକାରେ ହେଉଥିବା କ୍ଷତିକୁ ଭରଣା କରିବ। ଭାରତ ପାଇଁ ଗୋଷ୍ଠୀରେ ଯୋଗଦେବା ଅର୍ଥ ଚାଇନା ପଛରେ ଠିଆହେବା। ଏହା ଆମେରିକାକୁ କେବେହେଲେ ଖୁସି କରିବ ନାହିଁ। ତେବେ ଯାହା ହେଉ ନା କାହିଁକି ଭାରତ ଏପରିଭାବେ ଆର୍‌ସିଇପିରୁ ଉଠି ଚାଲିଆସିବା ଉତ୍ତମ କୂଟନୀତିର ପରିଚାୟକ ନୁହେଁ। ଯଦି ଭାରତ ଉକ୍ତ ବହୁମୁଖୀ ବାଣିଜ୍ୟ ଗୋଷ୍ଠୀରେ ଯୋଗଦେବାର ନ ଥିଲା, ତେବେ ମୂଳରୁ ମୋଦି ସେଠାକୁ ଯିବା ହିଁ ଉଚିତ ନ ଥିଲା।
ଭାରତର ଆର୍‌ସିଇପିରୁ ଏପରିଭାବେ ଓହରିଆସିବାକୁ ଦେଶରେ ବିଭିନ୍ନ ବର୍ଗରୁ ସ୍ବାଗତ କରାଯାଉଛି। ଭାରତରେ ଛୋଟ ବଡ଼ ବ୍ୟବସାୟୀ ଓ କୃଷକମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପ୍ରଥମେ ଆର୍‌ସିଇପିକୁ ସ୍ବାଗତ କରିଥିବା ସିଆଇଆଇର ମନୋଭାବରେ ପରିବର୍ତ୍ତନ ଘଟିଛି। ଚାଇନା ସହ ଭାରତର ବ୍ୟାପକ ଦ୍ୱିପାକ୍ଷିକ ବାଣିଜି୍ୟକ ନିଅଣ୍ଟ ଦେଖାଦେଇଛି, ଯାହାର ପରିମାଣ ୫୩୦୦ କୋଟି ଡଲାର ହେବ। ଚାଇନାଠାରୁ ଅଧିକ ରପ୍ତାନି ଗ୍ରହଣ କଲେ ଏହି ନିଅଣ୍ଟ ଆହୁରି ବୃଦ୍ଧି ପାଇବ। ଆର୍‌ସିଇପି ସହ ଯୋଗ ଦେବାକୁ ରାଜି ହୋଇଥିଲେ ତାହା ଚାଇନା ସହ ଏକ ପକ୍ଷପାତମୂଳକ ବାଣିଜି୍ୟକ ରାଜିନାମା ସହ ସମାନ ହୋଇଥାନ୍ତା। ଏହା ଭାରତୀୟ ଶିଳ୍ପଗୁଡ଼ିକ ପ୍ରତି କ୍ଷତିକାରକ ହୋଇଥାନ୍ତା।
ଯେଉଁ ଦେଶଗୁଡ଼ିକ ସହ ଆମେ ମୁକ୍ତ ବାଣିଜ୍ୟ ରାଜିନାମା କରିଛୁ, ତାହା ଆମ ପାଇଁ ଖୁସିର କାରଣ ହୋଇପାରି ନାହିଁ। ଦକ୍ଷିଣ କୋରିଆ, ଏସିଆନ୍‌ ଓ ଜାପାନ ପ୍ରଭୃତି ସହ ମୁକ୍ତ ବାଣିଜ୍ୟ ରାଜିନାମା ହେବା ପରେ ବ୍ୟବସାୟ ବୃଦ୍ଧି ପାଇଥିଲେ ମଧ୍ୟ ରପ୍ତାନି ତୁଳନାରେ ଆମଦାନି ପରିମାଣ ବୃଦ୍ଧି ପାଇଛି। ନୀତି ଆୟୋଗର ତଥ୍ୟ ଅନୁସାରେ ଆର୍‌ସିଇପିର ଅଧିକାଂଶ ସଦସ୍ୟ ରାଷ୍ଟ୍ରଙ୍କ ସହ ଭାରତର ଦ୍ୱିପାକ୍ଷିକ ବାଣିଜି୍ୟକ ନିଅଣ୍ଟ ରହିଛି। ଆର୍‌ସିଇପି ଦେଶଗୁଡ଼ିକୁ ଆମର ରପ୍ତାନି ଭାରତର ମୋଟ ରପ୍ତାନିର ମାତ୍ର ୧୫ ପ୍ରତିଶତ ଥିବାବେଳେ ଏହି ଦେଶଗୁଡ଼ିକରୁ ଆମଦାନି ଆମ ମୋଟ ଆମଦାନିର ୩୫ ପ୍ରତିଶତ ରହିଛି।
ଆର୍‌ସିଇପିରେ ଯୋଗ ଦେଇଥିଲେ ଭାରତର ଲାଭ ଅପେକ୍ଷା କ୍ଷତି ଅଧିକ ହୋଇଥାନ୍ତା। ତେବେ ଏଥିରେ ଯୋଗ ନ ଦେବା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଅର୍ଥନୀତିରେ ଅଲଗାବାଦ ସ୍ଥାଣୁତା ଆଡ଼କୁ ବାଟ କଢ଼ାଇବ। ଭାରତ ତା’ର ସଂସ୍କାର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହ ଆମ ଶିଳ୍ପଗୁଡ଼ିକୁ ଦକ୍ଷ କରିତୋଳିବା ଦରକାର, ଯାହାଦ୍ୱାରା ସେମାନେ ବିଶ୍ୱସ୍ତରରେ ପ୍ରତିଯୋଗିତାକ୍ଷମ ହୋଇପାରିବେ। ନିଜ ଶିଳ୍ପଗୁଡ଼ିକୁ ବଞ୍ଚାଇବା ପାଇଁ ଆମଦାନୀ ଶୁଳ୍କ ବୃଦ୍ଧି ଓ କୋଟା ଧାର୍ଯ୍ୟ ପ୍ରଭୃତି ଅନିଶ୍ଚିତ ସୁରକ୍ଷାବାଦ ଆମ କମ୍ପାନୀଗୁଡ଼ିକର ଦକ୍ଷତାକୁ ପଙ୍ଗୁ କରିଦେବ। ସେମାନେ ଆନ୍ତର୍ଜାତିକ ବଜାରରେ କେବେ ବି ପ୍ରତିଯୋଗିତାକ୍ଷମ ହୋଇପାରିବେ ନାହିଁ। ଆର୍‌ସିଇପିରେ ଯୋଗ ନ ଦେବାର ନିଷ୍ପତ୍ତି ବର୍ତ୍ତମାନ ସରକାରଙ୍କର ଉତ୍ତମ ଅର୍ଥନୈତିକ ପଦକ୍ଷେପ ବୋଲି ମନେହୋଇପାରେ, ମାତ୍ର ଦୀର୍ଘକାଳୀନ ଭିତ୍ତିରେ ଏହା କ୍ଷତିକାରକ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri