ଆଉ ଶ୍ରୀକ୍ଷେତ୍ର ଆସିବୁନି

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଜଗନ୍ନାଥ ଦର୍ଶନ ବିଶ୍ୱର କୋଣ ଅନୁକୋଣରେ ଥିବା ଭକ୍ତଙ୍କ ଜୀବନକାଳର ଏକ ବାଞ୍ଛିତ ଅଭିଳାଷ ଏବଂ ସେଇ ଦୃଷ୍ଟିରୁ ଶ୍ରୀକ୍ଷେତ୍ର ଆଗମନ ସମସ୍ତଙ୍କ ପାଇଁ ଏକ ଚିର ଈପ୍‌ସିତ ମୁହୂର୍ତ୍ତ। ସଭିଙ୍କ ଚେତନାରେ ଜଗନ୍ନାଥ ଦର୍ଶନ ଏକ ଅମୃତମୟ ଅନୁଭବର ସାକାର ରୂପାୟନ। କ’ଣ ଥାଏ କେଜାଣି ସେଇ କଳା କାଷ୍ଠ ମୂର୍ତ୍ତିର ଚକାଚକା ଦୁଇ ଆଖିରେ, ତାହା ଟାଣି ଆଣିପାରେ ଅଗଣିତ ଶ୍ରଦ୍ଧାଳୁ ଭକ୍ତଜନଙ୍କୁ। ସେଇ ଚମତ୍କାରୀ ଚକାନୟନ ଦିଓଟି ଆମ ଦାରୁଦେବତା ଶ୍ରୀଜଗନ୍ନାଥଙ୍କର। ସେଇ କଳାଠାକୁରଙ୍କୁ ଟିକେ ଆଖି ପୂରାଇ ଦେଖିବାକୁ ଭକ୍ତ ପ୍ରାଣର କି ବିଚିତ୍ର ବ୍ୟାକୁଳତା! କି ଆକୁଳ ଅସ୍ଥିରତା!
ଅଥଚ ସଦ୍ୟ ଜଗନ୍ନାଥ ଦର୍ଶନ କରି ଫେରିଥିବା ଜଣେ ଅଶୀତିପର ବୃଦ୍ଧ ଅନ୍ତରରେ ପୁଳାଏ ଅସନ୍ତୋଷ ଭରି ଦୀର୍ଘଶ୍ୱାସ ପକାଇ କହୁଥିଲେ- ”ଏଇଟା ଜୀବନର ଶେଷ ଦର୍ଶନ। ଆଉ ଶ୍ରୀକ୍ଷେତ୍ର ଆସିବୁନି।“ଏଇ ବୃଦ୍ଧ ଜଣକ କାର୍ତ୍ତିକର ପଞ୍ଚକ ବ୍ରତ ପାଳନ କରିବାକୁ ନିକଟରେ ସସ୍ତ୍ରିକ ପୁରୀ ଯାଇଥିଲେ। ପଞ୍ଚକ ସାରି ପୁରୀରୁ ଗାଁକୁ ବାହୁଡ଼ିବା ବାଟରେ ଭୁବନେଶ୍ୱରରେ ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚତ୍ଥିଲେ। ସମ୍ପର୍କୀୟଙ୍କ ନିକଟରେ ପୁରୀ ରହଣି ଓ ଜଗନ୍ନାଥ ଦର୍ଶନର ଅନୁଭୂତି ବଖାଣି ସେ ଦୁଃଖରେ କହିଥିଲେ, ଏଇ କଥା ପଦକ- ‘ଆଉ ଶ୍ରୀକ୍ଷେତ୍ର ଆସିବୁନି।’ ଜଗନ୍ନାଥ ଚେତନାରେ ନିଜ ଭକ୍ତସତ୍ତାକୁ ସମୃଦ୍ଧ କରିଥିବା ଯେକୌଣସି ଓଡ଼ିଆଙ୍କ କାନକୁ ବେଶ୍‌ ଶ୍ରୁତି କଟୁ ମନେ ହେଉଥିବା ଏଇ କଥା ପଦକରେ ଭରି ରହିଥିଲା ବ୍ୟବସ୍ଥା ବିରୋଧରେ ଯେତିକି ଅଭିଯୋଗ, ତାହାଠୁଁ ଢେର ଅଧିକ ଥିଲା ନିଜ ପ୍ରାଣଦେବତା ଜଗନ୍ନାଥଙ୍କ ପାଇଁ ଅଭିମାନ!
ଅତ୍ୟନ୍ତ ବାଷ୍ପରୁଦ୍ଧ କଣ୍ଠରେ ବୃଦ୍ଧ କହୁଥିଲେ- ବର୍ଷ ବର୍ଷ ଧରି ନୀଳାଚଳ ଶ୍ରୀକ୍ଷେତ୍ରରେ ପଞ୍ଚକ ପାଳନ କରିଆସୁଛୁ। ବର୍ଷର ଏଇ ପାଞ୍ଚଦିନ ଶ୍ରୀମନ୍ଦିରରେ କାଳିଆଠାକରଙ୍କୁ ଦର୍ଶନ ନ କଲେ ଜୀବନ କେମିତି ଅସମ୍ପୂର୍ଣ୍ଣ ବୋଧହୁଏ। ଅଥଚ ଏଥର ପୁଅ ସୂଚେଇ ଦେଲା ଯେ, ଆମଭଳି ପରିଣତ ବୟସର ବୁଢ଼ାବୁଢ଼ୀଙ୍କୁ ଜଗନ୍ନାଥ ଦର୍ଶନ କରିବାକୁ ନ ଆସିବା ପାଇଁ କୁଆଡେ ସତର୍କ କରିଦିଆଯାଇଛି। ପୁଅଠୁ ଏଭଳି ବିଚିତ୍ର ସୂଚନା ପାଇ ମୁଁ ଆଶ୍ଚର୍ଯ୍ୟ ହେଲି। କରୋନା କାଳର ସେଇ ଦୁଇ ବର୍ଷ ଠାକୁରଙ୍କଠୁ ଦୂରେଇ ରହି ଯେଉଁ କଷ୍ଟ ପାଇଛୁ, ସେ କଷ୍ଟ ଆଉଥରେ ଭୋଗିବାକୁ ମନ ଚାହିଁଲା ନାହିଁ। ଜଗନ୍ନାଥଙ୍କ ଡୋରି ଲାଗିଲେ କୋଉ ହାକିମ ଅବା ଭକ୍ତଙ୍କୁ ଅଟକାଇ ପାରିବେ! ସୁତରାଂ, ଆମେ ଆସିଲେ ସିନା, ମାତ୍ର ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଛିଡ଼ାହେବାର ଯେଉଁ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା ଓ ମନ୍ଦିର ଭିତରେ ଭୀଷଣ ଭିଡ଼ରେ ଯେମିତି ମୃତପ୍ରାୟ ଅବସ୍ଥା ସାମ୍‌ନା କରିବାକୁ ପଡ଼ିଲା, ତାହା ମନ୍ଦିର ହାକିମଙ୍କ ଚେତାବନୀକୁ ଯୁକ୍ତିଯୁକ୍ତ ସାବ୍ୟସ୍ତ କରୁଥିଲା।
ତେବେ କାହିଁକି ଶ୍ରୀକ୍ଷେତ୍ରରେ ଏ ଅବ୍ୟବସ୍ଥା। ପୂର୍ବରୁ ତ ଅଗଣିତ ଭକ୍ତଜନଙ୍କର ସମାଗମ ହେଉଥିଲା। ସିଂହଦ୍ୱାର ପୂର୍ବରୁ ବାରିକେଡ୍‌ ନ ଥିଲା। କାହାକୁ ବି ମୁହୂର୍ତ୍ତଟିଏ ଅପେକ୍ଷା କରିବାକୁ ପଡୁ ନଥିଲା ସିଂହଦ୍ୱାର ପ୍ରବେଶପଥରେ । ବେଳେବେଳେ ଲୋଭାସକ୍ତ ପଣ୍ଡାଙ୍କ ଦୌରାତ୍ମ୍ୟ ସହିବା ବ୍ୟତୀତ ବଡ଼ ଦେଉଳରେ ଦିଅଁ ଦର୍ଶନ ପାଇଁ କିଛି ବି ବାଧା ନ ଥିଲା। କୁହାଯାଉଛି ମନ୍ଦିର ପରିକ୍ରମା କାର୍ଯ୍ୟ ରୂପାୟନ ପାଇଁ ଅନ୍ୟ ସବୁ ଦ୍ୱାର ବନ୍ଦ ରହିଥିବା ହେତୁ ଏ ସବୁ ସାମୟିକ ଅସୁବିଧା। ମାତ୍ର ଭକ୍ତଙ୍କ ପାଇଁ ପରା ଭଗବାନ। ଭକ୍ତଜନଙ୍କ ଦର୍ଶନ ଜନିତ ଅଶ୍ୱସ୍ତି ଓ ଅସନ୍ତୋଷ ଦେଖି ଭଗବାନ ଖୁସି ହୁଅନ୍ତୁ କି ନ ହୁଅନ୍ତୁ ଜନମାନସରେ ଶ୍ରୀକ୍ଷେତ୍ରର ମହିମା କ୍ଷୁଣ୍ଣ ହେଉଛି ନିଶ୍ଚୟ ! ଶ୍ରୀକ୍ଷେତ୍ରର ମହିମା ଅନନ୍ତ କାଳ ଧରି ବିଶ୍ୱର ପ୍ରତ୍ୟେକ ପ୍ରାନ୍ତରେ ପରିବ୍ୟାପ୍ତ। କଶ୍ମୀରରୁ କନ୍ୟାକୁମାରୀ ଯାଏ, ପୁଣି ଆମେରିକାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ସବୁ କାଳରେ ଏହା ସମ୍ମୋହିତ କରିଆସିଛି। କିଏ ନନ୍ଦିଘୋଷ ରଥର ଦଉଡ଼ି ସ୍ପର୍ଶ କରିବାକୁ ପାଗଳ ତ କିଏ ପୁଣି ଦାସିଆ ବାଉରୀ ଗଁାରୁ ଆସିଥିବା ସଂକୀର୍ତ୍ତନ ଦଳରେ ମିଶି ଘେରାଏ ନାଚିବା ସୁଖରେ ବିଭୋର। କିଏ କେଉଁ ଭାବେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡକୁ ଆକର୍ଷିତ ହୋଇ ଆସନ୍ତି ତାହା ଜାଣି ହେଉ ନ ଥିଲେ ବି ସେମାନଙ୍କ ଭକ୍ତିଭାବୋଦୀପ୍ତ ମୁଖମଣ୍ଡଳରୁ ସ୍ପଷ୍ଟ ବାରିହୋଇପଡ଼େ ତାଙ୍କ ମନର ଭକ୍ତି ନିବେଦନ।
ମାତ୍ର ନିଜର ସମସ୍ତ କାମନାକୁ ମହୋଦଧିରେ ବିସର୍ଜନ ଦେଇ ଶ୍ରୀକ୍ଷେତ୍ରରୁ ବାହୁଡ଼ିଲା ବେଳେ ଯାତ୍ରୀଟି ମନରେ ନା ଥାଏ ତା’ ଯାତ୍ରା ପୂର୍ବର ଆନନ୍ଦ, ଆବେଗ ନା ଥାଏ ଆଧ୍ୟାତ୍ମିକ ଜାଗରଣର ସନ୍ତୋଷ। ପ୍ରଚଣ୍ଡ ଯାତ୍ରୀଭିଡ଼ରେ ପେଷିହୋଇ ଜଗନ୍ନାଥ ଦର୍ଶନ କଲାବେଳର କଷ୍ଟରେ ତା’ ଶରୀର ପୀଡ଼ା ପାଇବା ସହ ଆତ୍ମା ବି ପୀଡ଼ିତ ହୋଇଥାଏ ଅସୀମ ହତାଶା ଓ ଅସନ୍ତୋଷରେ। ନୀଳାଚଳର ଅମୃତ ଚାଖିବାକୁ କାହିଁ କେତେ ଦୂରରୁ ସେ ଧାଇଁ ଆସିଥିଲା। ଅଥଚ ଏଠି ତାକୁ ମିଳିଲା କ’ଣ! ବଙ୍ଗୋପସାଗରର ଲୁଣିପାଣିଠାରୁ ଆହୁରି କିଛି ଲବଣାକ୍ତ ଅନୁଭବ ଓ କଟୁତିକ୍ତ ଅନୁଭୂତି। ସୁତରାଂ ପୁରୀ ଛାଡ଼ିବା ବେଳେ ବହୁ ଦୂରରୁ ପତିତପାବନ ନେତକୁ ଚାହିଁ ଶେଷ ବିଦାୟ ମାଗୁଥିବା ବେଳେ ତା’ ମୁହଁରୁ ସ୍ବତଃ ବାହାରିପଡ଼େ-”ଏଇଟା ହିଁ ଶେଷ। ଆଉ ଶ୍ରୀକ୍ଷେତ୍ର ଆସିବି ନାହିଁ।“
ଏ ପ୍ରସଙ୍ଗରେ ଏକ ଅଙ୍ଗେଲିଭା ଅନୁଭୂତି। ପୁରୀରେ ଚାକିରି କରୁଥିଲାବେଳେ ଏକଦା ଟ୍ରେନ୍‌ରେ ଭୁବନେଶ୍ୱର ଫେରୁଥିବା ଏ ଲେଖକର ସହଯାତ୍ରୀ ଥିଲେ କେଇଜଣ ପୁରୀ ବାହୁଡ଼ା ବଙ୍ଗୀୟ ଭକ୍ତ। ପରସ୍ପର ସହ କଥାବାର୍ତ୍ତା ବେଳେ ସେମାନେ କେବଳ ଶ୍ରୀକ୍ଷେତ୍ର ନୁହେଁ, ସମଗ୍ର ଉତ୍କଳୀୟ ସଂସ୍କୃତି ବିରୋଧରେ ଯେଉଁ ବିଷୋଦଗାର କରୁଥିଲେ, ତାହା ବଡ଼ ଅସହ୍ୟ ବୋଧ ହେଲା ଏଇ ଉତ୍କଳାୟଟିକୁ। ଯୁଗ ଯୁଗ ଧରି ଜଗନ୍ନାଥ ଚେତନାରେ ସୁସମୃଦ୍ଧ ଉତ୍କଳୀୟ ସଂସ୍କୃତିକୁ ନେଇ ଗର୍ବ କରୁଥିବା ତା’ ଓଡ଼ିଆ ପ୍ରାଣଟି ଏହି ବଙ୍ଗବାସୀଙ୍କ ଅଭିଯୋଗ ନିକଟରେ ନିଜକୁ ଅସହାୟ ମଣୁଥିଲା। ସେ ଏହାର ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ସେଇ ଘଟଣାଟି ଘଟିଗଲା ଅତି ଅକସ୍ମାତ ଭାବେ।
ସେଇ ଯାତ୍ରୀ ଦଳଟିରେ ଥିଲା ପ୍ରାୟ ପାଞ୍ଚବର୍ଷ ବୟସର ଶିଶୁଟିଏ, ଯିଏ ଟିକେଟ୍‌ ଯାଞ୍ଚ କରୁଥିବା ଟିଟିଇଙ୍କ ଦୃଷ୍ଟିରେ ଥିଲା ଛଅବର୍ଷରୁ ଅଧିକ। ତା’ ପାଇଁ ଚାଇଲ୍‌ଡ ଟିକେଟ୍‌ଟିଏ ହୋଇ ନ ଥିବା ଅପରାଧରେ ସେ ଜରିମାନା ଆଦାୟ କରିବାକୁ ଯାଉଥିବା ବେଳେ ଘଟଣାରେ ହସ୍ତକ୍ଷେପ କରିଥିଲା ଏଇ ଓଡ଼ିଆ ଲୋକଟି। ଟିଟିଇଙ୍କ ନଜରରେ ଗୋଟିଏ ଶିଶୁର ବୟସ ନିର୍ଦ୍ଧାରିତ ହୁଏ ନାହିଁ ବୋଲି ସେ ଯୁକ୍ତି କରିବାରୁ ଅନ୍ୟାୟ ଭାବେ ଅଯଥା ଜରିମାନା ଦେବାଠୁ ମୁକ୍ତି ପାଇଥିଲେ ବଙ୍ଗୀୟଯାତ୍ରୀ ଦଳ। ଜଣେ ଅବାଞ୍ଛିତ ଓଡ଼ିଆ ଯାତ୍ରୀ ପାଇଁ କିଛି ରୋଜଗାର ହାତମୁଠାରୁ ଖସି ଯିବାରୁ ଚରମ ଅସନ୍ତୋଷରେ ଟିଟିଇ ଚାଲିଗଲା ପରେ ଯାତ୍ରୀ ଦଳର ମୁଖ୍ୟ ସତୁରି ବର୍ଷୀୟ ବ୍ୟକ୍ତି ଜଣଙ୍କ ଆଖିରୁ କୃତଜ୍ଞତାର ଲୁହ ଦୁଇ ବୁନ୍ଦା ନିଗିଡ଼ି ପଡ଼ିଲା। ସେ କହିଲେ-”ଜଗନ୍ନାଥ ବଡ଼ ଲୀଳାମୟ ବାବୁ! ଶହ ଶହ ମାଇଲ ଦୂରରୁ ଆମକୁ ତାଙ୍କ ନିକଟକୁ ଟାଣି ଆଣୁଛନ୍ତି। ବହୁବିଧ ଅସୁବିଧାର ସମ୍ମୁଖୀନ ହୋଇ ଆମେ ଯେତେବେଳେ ଆଉ ଶ୍ରୀକ୍ଷେତ୍ର ଆସିବୁନି ବୋଲି ଶପଥ କରୁଛୁ, ସେତେବେଳେ ଆପଣଙ୍କ ପରି ସମ୍ବେଦନା ପ୍ରକାଶ କରୁଥିବା ସହଯାତ୍ରୀଙ୍କୁ ପଠାଇ ଆମର ସେହି ଶପଥ ଭାଙ୍ଗି ଦେଉଛନ୍ତି।“ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦୁଇହାତ ଯୋଡ଼ି ବୃଦ୍ଧ ଜଣକ ତାଙ୍କ ଭାଷାରେ କହୁଥିଲେ, ”ଆମି ଆବାର ଆସ୍‌ବୋ ପ୍ରଭୋ!“
ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri