Posted inଖେଳ

ଆଇପିଏଲ୍‌ ୧୨: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ହାଇଦ୍ରାବାଦ, ୧୩।୫(ପି.ଟି.)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହାଇଭୋଲ୍ଟେଜ ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ୧ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ଶେଷ ବଲ୍‌ରେ ହରାଇ ରେକର୍ଡ ଚତୁର୍ଥଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାରେ  ଚେନ୍ନାଇ ଅନ୍ତିମ ବଲରେ ଆବଶ୍ୟକ ଦୁଇ ରନ ସଂଗ୍ରହ କରି ନ ପାରି ୭ ଉଇକେଟ ହରାଇ ୧୪୮ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ୪ ଓଭର ବୋଲିଂ କରି ମାତ୍ର ୧୪ ରନ ବ୍ୟୟ କରିବା ସହ ମୂଲ୍ୟମାନ ୨ ଉଇକେଟ ଅକ୍ତିଆର କରିଥିବା ମୁମ୍ବାଇ ଡେଥ୍‌ ଓଭର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ପୂର୍ବରୁ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭ରେ ଟାଇଟଲ ହାସଲ କରିଥିଲା। ଅନ୍ୟପଟେ ଚେନ୍ନାଇ ୩ ଥର (୨୦୧୦, ୨୦୧୧, ୨୦୧୮) ଚାମ୍ପିୟନ ହୋଇଛି।

୧୫୦ ରନ ସାଧାରଣ ଟାର୍ଗେଟର ପିଛା କରି ଚେନ୍ନାଇ ପ୍ରଥମେ ଫାଫ୍‌ ଡୁପ୍ଲେସିଙ୍କୁ ହରାଇଥିଲା। ଡୁପ୍ଲେସି ୧୩ ବଲରୁ ୩ ଚୌକା ଓ ୧ ଛକା ସହ ୨୬ ରନ କରିଥିବା ବେଳେ କ୍ରୁନାଲ ପାଣ୍ଡ୍ୟାଙ୍କ ବଲ୍‌ରେ ଉଇକେଟକିପର କ୍ୱିଣ୍ଟନ ଡିକକ୍‌ଙ୍କ ଦ୍ୱାର ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ପ୍ରଥମ ଉଇକେଟରେ ଡୁପ୍ଲେସି ଓ ଶେନ୍‌ ଓ୍ବାଟସନ ୨୩ ବଲରୁ ୩୩ ରନ ସଂଗ୍ରହ କରିଥିଲେ। ଅଭିଜ୍ଞ ସୁରେଶ ରାଇନା ୮ ରନ କରିଥିବା ବେଳେ ରାହୁଲ ଚହରଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଦ୍ୱିତୀୟ ଉଇକେଟରେ ରାଇନା ଓ ଓ୍ବାଟସନ ୩୨ ବଲରୁ ୩୭ ରନ କରିଥିଲେ। ଏହାପରେ ମାତ୍ର ୧ ରନ କରିଥିବା ବେଳେ ନିର୍ଭରଯୋଗ୍ୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ  ଉଇକେଟ କିପର କ୍ୱିଣ୍ଟନ ଡିକକ୍‌ଙ୍କୁ କ୍ୟାଚ୍‌ ଦେଇ ଯଶପ୍ରୀତ୍‌ ବୁମରାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମାତ୍ର ୨ ରନ କରିଥିବା ବେଳେ ଇଶାନ କିଷନଙ୍କ ଡାଇରେକ୍ଟ ଥ୍ରୋରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ ଓ  ଚେନ୍ନାଇର ସମସ୍ୟା ବଢିଯାଇଥିଲା। ତେବେ ୧୬ତମ ଓଭରରେ ଲସିଥ ମାଲିଙ୍ଗା ୨୦ ରନ ବ୍ୟୟ କରି ଚେନ୍ନାଇକୁ ସୁଯୋଗ ଦେଇଥିଲେ। ଅର୍ଦ୍ଧଶତକ ହାସଲ ପରେ ଓ୍ବାଟସନ ଏକ ଜୀବନ ଦାନ ପାଇଥିଲେ ଓ ସେ ଏହାର ଭରପୂର ଫାଇଦା ଉଠାଇଥିଲେ। ୧୮ ଓଭରରେ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ୨୦ ରନ ବ୍ୟୟ କରିଥିଲେ। ଡ୍ବେନ ବ୍ରାଭୋ ୧୫ ବଲରୁ ୧ ଛକା ସହ ୧୫ ରନ ବୁମ୍‌ରାଙ୍କ ବଲରେ ଡିକକ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ପଞ୍ଚମ ଉଇକେଟ ଯୋଡିରେ ୩୪ ବଲରୁ ଓ୍ବାଟସନ ଓ ବ୍ରାଭୋ ୫୧ ରନ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ବିଜୟ ପାଇଁ ୯ ରନ ଆବଶ୍ୟକ ହେଉଥିବା ବେଳେ ଚତୁର୍ଥ ବଲ୍‌ରେ ଓ୍ବାଟସନ ୫୯ଟି ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୪ ଛକା ସହ ୮୦ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଫଳରେ ମ୍ୟାଚ୍‌ର ରୋମାଞ୍ଚ ବଢିଯାଇଥିଲା। ଅନ୍ତିମ ବଲ୍‌ରେ ବିଜୟ ପାଇଁ ୨ ରନ ଆବଶ୍ୟକ ହେଉଥିବା ବେଳେ ଶାର୍ଦ୍ଦୁଳ ଠାକୁର ମାଲିଙ୍ଗାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଫଳରେ ମୁମ୍ବାଇ ୧ ରନରେ ବାଜି ମାରିଥିଲା। ଶେଷରେ ଓ୍ବାଟସନଙ୍କ ଲଢୁଆ ଇନିଂସ ବେକାର ସାବ୍ୟସ୍ତ ହୋଇଥିଲା। ବୋଲିଂରେ ମୁମ୍ବାଇ ତରଫରୁ ବୁମରା ୨, କ୍ରୁନାଲ, ମାଲିଙ୍ଗା ଓ ରାହୁଲ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଆରମ୍ଭରୁ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲା। ଓପନର ତଥା ଅଧିନାୟକ ରୋହିତ ଶର୍ମା ଓ ସାଥୀ ଓପନର କ୍ୱିଣ୍ଟନ ଡିକକ୍‌ ଧୂଆଁଧାର ବ୍ୟାଟିଂର ନମୁନା ପ୍ରଦର୍ଶନ କରିଥିଲେ। ତେବେ ଡିକକ୍‌ ୧୭ଟି ବଲ୍‌ ଖେଳି ୪ ଛକା ସହ ୨୯ ରନ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କ ଏକ ବାଉନ୍ସରକୁ ଖେଳିବାକୁ ଯାଇ ବିଫଳ ହୋଇଥିଲେ। ବଲ୍‌ ତାଙ୍କ ଗ୍ଲୋଭ୍‌ରେ ବାଜିଥିଲା ଓ ସେ ଉଇକେଟକିପର ଧୋନୀଙ୍କ ହାତରେ ଧରାପଡିଥିଲେ।  ପ୍ରଥମ ଉଇକେଟରେ ରୋହିତ ଓ ଡିକକ୍‌ ୨୯ ବଲରୁ ୪୫ ରନ ସଂଗ୍ରହ କରିଥିଲେ। ଏହାର ଠିକ୍‌ ଦୁଇଟି ବଲ୍‌ ପରେ ରୋହିତ ଦୀପକ ଚହରଙ୍କ ଏକ ସ୍ଲୋ ବଲ୍‌କୁ ଖେଳିବାକୁ ପ୍ରୟାସ କରିଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇଥିଲା ଓ ଧୋନୀ ଡାଇଭ ମାରି କ୍ୟାଚ୍‌ ନେଇଥିଲେ। ଚହର ଦ୍ୱିତୀୟ ଓଭରରେ କୌଣସି ରନ୍‌ ନ ଦେଇ ମେଡେନ ନେବା ସହ ଗୋଟିଏ ଉଇକେଟ ନେଇଥିଲେ। ରୋହିତ ଆଉଟ୍‌ ହେବା ପରେ ରନ୍‌ ସଂଗ୍ରହ ହାରରେ ଅବନତି ହୋଇଥିଲା। ରୋହିତ ୧୪ ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୧୫ ରନ ସଂଗ୍ରହ କରିଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରି ତୃତୀୟ ଉଇକେଟରେ ୩୬ ବଲରୁ  ୩୭ ରନ ସଂଗ୍ରହ କରିଥିଲେ। ତେବେ ସୂର୍ଯ୍ୟକୁମାର ୧୭ଟି ବଲ୍‌ ଖେଳି ୧ ଚୌକା ସହ ୧୫ ରନ କରି ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ବ୍ୟାଟ୍‌ର ଏଜ୍‌ ନେଇ ବଲ୍‌ ଷ୍ଟମ୍ପରେ ବାଜିଥିଲା। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ବେଶି ସମୟ ତିଷ୍ଠିପାରି ନ ଥିଲେ। ୭ଟି ବଲରୁ ୭ ରନ କରିଥିବା ବେଳେ ସେ ଠାକୁରଙ୍କ ଦ୍ୱାର କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଏହାପରେ ଇଶାନଙ୍କ ପାଳି ପଡିଥିଲା। ସେ ୨୬ଟି ବଲରୁ ୩ ଚୌକା ସହ ୨୩ ରନ କରିଥିବା ବେଳେ ସୁରେଶ ରାଇନାଙ୍କୁ କ୍ୟାଚ୍‌ ଦେଇ ତାହିରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଚମକ ଦେଖାଇପାରି ନ ଥିଲେ। ସେ ୧୦ଟି ବଲ୍‌ ଖେଳି ଗୋଟିଏ ଲେଖାଏ ଚୌକା ଓ ଛକା ସହ ମାତ୍ର ୧୬ ରନ କରି ଚହରଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ରାହୁଲ ଖାତା ଖୋଲିବା ପୂର୍ବରୁ ଡୁପ୍ଲେସିଙ୍କୁ କ୍ୟାଚ୍‌ ଦେଇ ଚହରଙ୍କ ତୃତୀୟ ଶିକାର ହୋଇଥିଲେ। ୧୯ତମ ଓଭରର ଦ୍ୱିତୀୟ ଓ ଚତୁର୍ଥ ବଲ୍‌ରେ ଚହର ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ରନ ନେବାକୁ ପ୍ରୟାସ କରି ମିଚେଲ ମ୍ୟାକକ୍ଲିନହାନ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍‌ ହୋଇଥିଲେ। ମୁମ୍ବାଇ ୧୯ତମ ଓଭରରେ ଦୁଇ ଉଇକେଟ ହରାଇବା ସହ ୪ ଓ ଅନ୍ତିମ ଓଭରରେ ଗୋଟିଏ ଉଇକେଟ ହରାଇବା ସହ  ମାତ୍ର ୮ ରନ କରିଥିଲା। ଫଳରେ ଦଳର ସ୍କୋର ଦେଢଶହ ମଧ୍ୟରେ ସୀମିତ ରହିଥିଲା। ଚେନ୍ନାଇ ବିପକ୍ଷରେ ଚଳିତ ସେସନରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବା କିରନ ପୋଲାର୍ଡ ନିଜ ଜନ୍ମଦିନରେ ୨୫ ବଲରୁ ୩ଟି ଲେଖାଏ ଚୌକା ଓ ଛକା ସହ ୪୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଚେନ୍ନାଇ ତରଫରୁ ଚହର ସର୍ବାଧିକ ୩, ତାହିର ଓ ଠାକୁର ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ। ତାହିର ଏଥିସହ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ାଙ୍କୁ ପଛରେ ପକାଇ ଚଳିତ ଆଇପିଏଲ୍‌ରେ ସର୍ବାଧିକ ଉଇକେଟ ହାସଲ କରି ପର୍ପଲ କ୍ୟାପ୍‌ର ଅଧିକାରୀ ହୋଇଛନ୍ତି। ମୁମ୍ବାଇ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ଚେନ୍ନାଇ ଦଳ ଅପରିବର୍ତ୍ତିତ ରହିଥିଲା। ମୁମ୍ବାଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୟନ୍ତ ଯାଦବଙ୍କ ବଦଳରେ ମିଚେଲ ମ୍ୟାକ୍‌କ୍ଲିନ୍‌ହାନଙ୍କୁ ଦଳରେ ସାମିଲ କରିଥିଲା।

ସଂକ୍ଷିପ୍ତ ସ୍କୋର:

ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୪୯/୮

(ପୋଲାର୍ଡ- ୪୧*, ଡିକକ୍‌- ୨୯, ଇଶାନ-୨୩, ରୋହିତ- ୧୫, ସୂର୍ଯ୍ୟକୁମାର- ୧୫, ହାର୍ଦ୍ଦିକ- ୧୬, ଚହର- ୩/୨୬, ଠାକୁର- ୨/୩୭, ତାହିର- ୨/୨୩ )।

ଚେନ୍ନାଇ ସୁପର କିଙ୍ଗ ୨୦ ଓଭରରେ ୧୪୮/୭

(ଓ୍ବାଟସନ- ୮୦, ଡୁପ୍ଲେସି- ୨୬, ବୁମରା- ୨/୧୪,  କ୍ରୁନାଲ- ୧/୩୯, ମାଲିଙ୍ଗା- ୧/୪୯,ରାହୁଲ-୧/୧୪ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri