ଅମୃତ ପୁରୁଷ ଭୀମ ଭୋଇ

ଡ. ଉଦ୍ଧବ ଚରଣ ନାୟକ

ଓଡ଼ିଶାର ନିଜସ୍ବ ଧର୍ମ ମହିମା ଧର୍ମରେ ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସେଇଁ ବା ‘ମହିମାସ୍ବାମୀ’। ମୁଖ୍ୟ ପ୍ରଚାରକ ଭୀମଭୋଇ ।
ଭୀମଭୋଇ ମହିମାଧର୍ମର ଆଦିକବି। ବୌଦ୍ଧ ଧର୍ମରେ ନାଗାର୍ଜୁନ, ଖ୍ରୀଷ୍ଟଧର୍ମରେ ସେଣ୍ଟପଲ ଓ ବ୍ରାହ୍ମ ସମାଜରେ କେଶବ ଚନ୍ଦ୍ର ସେନ୍‌ଙ୍କ ପରି ମହିମାଧର୍ମରେ ଭୀମଭୋଇଙ୍କ ଭୂମିକା ଅତ୍ୟନ୍ତ ତାପତର୍‌ୟ୍ୟପୂର୍ଣ୍ଣ। ଭୀମଭୋଇ ଏକାଧାରରେ ଥିଲେ ଜଣେ କବି, ପଣ୍ଡିତ, ବାଗ୍ମୀ, ସଂଗଠକ, ଧର୍ମପ୍ରଚାରକ ଓ ସଂସ୍କାରକ। ତାଙ୍କ ବ୍ୟକ୍ତିତ୍ୱର ପଟାନ୍ତର ନାହିଁ। ଊନବିଂଶ ଶତକରେ ଭାରତ ବର୍ଷରେ ଧର୍ମ – ସମାଜ କ୍ଷେତ୍ରରେ ପ୍ରକାଶ ପାଇଥିବା ପୁନଃ ଅଭ୍ୟୁତ୍‌ଥାନ ଆନ୍ଦୋଳନରେ ମହିମା ଗୋସେଇଁ (୧୮୨୬-୧୮୭୬) ଓ ଭୀମଭୋଇ (୧୮୪୬-୧୮୯୫) ଥିଲେ ଅନ୍ୟତମ ପୁରୋଧା। ଭୀମଭୋଇ ଥିଲେ ମହିମାସ୍ବାମୀଙ୍କର ପ୍ରଧାନ ଗୃହୀଭକ୍ତ। ମହିମା ସ୍ବାମୀଙ୍କ କୃପାରୁ ତାଙ୍କର କବିତ୍ୱ ବୋଲି ଭୀମଭୋଇ ବାରମ୍ବାର ସ୍ବରଚନାରାଜିରେ ଉଲ୍ଲେଖ କରିଯାଇଛନ୍ତି।
ସମାଜରେ ପ୍ରଚଳିତ ହୀନ ଜାତିଭେଦ, ଅନ୍ଧବିଶ୍ୱାସ, କୁସଂସ୍କାର, ପ୍ରତିମାପୂଜା ତଥା ବ୍ରାହ୍ମଣ୍ୟ ଧର୍ମ ପ୍ରଭାବରୁ ସମାଜର ଅସ୍ପୃଶ୍ୟ, ନିଷ୍ପେଷିତ ଦଳିତ ଲୋକଙ୍କୁ ମୁକ୍ତ କରି ସୁସ୍ଥ ରଖିବା ପାଇଁ ଭୀମଭୋଇ ଥିଲେ ଦୃଢ଼ ପରିକର। ଭୀମଭୋଇ ସମାଜକୁ ଆହ୍ବାନ ଜଣାଇ ମୁକ୍ତ କଣ୍ଠରେ ଘୋଷଣା କରିଥିଲେ-
”ଜାତି ଖୋଜିଲେ ମୁକ୍ତି ନାହିଁ।
ମୁକ୍ତି ଖୋଜିଲେ ଜାତି ନାହିଁ॥
ଏକ ଶୂନ୍ୟ ବ୍ରହ୍ମଙ୍କଠାରେ ଶରଣପଶ।
ରୂପନାମରେ ମୁକ୍ତି ନାହିଁ॥
କାମନା ହିଁ ମୁକ୍ତିର ପ୍ରତିବନ୍ଧକ।
ଅଲେଖ ଏକାକ୍ଷର ହିଁ ବ୍ରହ୍ମନାମ॥“
ଭୀମଭୋଇଙ୍କର ଏହି ବାଣୀ ହେଉଛି ମହିମାଧର୍ମର ମୂଳନୀତି ଓ ଆଦର୍ଶ। ୧୮୭୬ ମସିହାରେ ଗୁରୁ ମହିମା ସ୍ବାମୀଙ୍କର ଯୋରନ୍ଦାଠାରେ ବ୍ରହ୍ମଲୀନ ଘଟିବାରୁ ଭୀମଭୋଇ ମହିମା ଧର୍ମ ପ୍ରଚାରରେ ମନ ନିବେଶକରି ମହିମା ଧର୍ମ ସମ୍ପର୍କରେ ରାଶି ରାଶି ଗ୍ରନ୍ଥ ରଚନା କରିବାରେ ଲାଗିଲେ। ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଆସି ଭୀମଭୋଇଙ୍କଠାରୁ ଦୀକ୍ଷା ଗ୍ରହଣ କରି ମହିମାଧର୍ମରେ ଦୀକ୍ଷିତ ହେଲେ। ଭୀମଭୋଇ ସଂସ୍କାରମୂଳକ ସଙ୍ଗୀତ ଗାନକରି ଲୋକମାନଙ୍କୁ ଉଦ୍‌ବୋଧନ ଦେଲେ।
ଛତିଶ କୁଳୀ ବାଉନ ଯେ ପାଟକ
ଯେ ଅଛି ସ୍ତ୍ରିରୀ ପୁରୁଷ,
ଉଚ୍ଚ ନୀଚ ବୋଲି ବାରଣ ନ କରି
ନାମରେ ଶରଣ ପଶ।
ମହିମା ଧର୍ମ ଦ୍ୱାରା ସମାଜରେ ସଂସ୍କାର ଆଣିବା ନିମନ୍ତେ ଭୀମଭୋଇ ପ୍ରଥମେ ହରିଜନମାନଙ୍କ କୌଳିକ ସଂଜ୍ଞାକୁ ହଟାଇ ସେମାନଙ୍କୁ ‘ଶାସେନୀ’ ସଂଜ୍ଞା ପ୍ରଦାନ କଲେ। ଦିନକୁ ଦିନ ଭୀମଭୋଇଙ୍କର ଶିଷ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ତାଙ୍କର ଚିନ୍ତା, ଚେତନା, ଦର୍ଶନ ଓ ଦୃଷ୍ଟି ନିକ୍ଷେପ ହେଲା ସମାଜ ପାଇଁ – ମାନବ ସମ୍ବଳର ବିକାଶ ପାଇଁ, ସାମଜରେ ଶଢୁଥିବା ଜନଗଣଙ୍କ ପାଇଁ, ମାନବିକ ମୂଲ୍ୟବୋଧର ବିକାଶ ପାଇଁ, ଜାତୀୟ ଚରିତ୍ର ଗଠନ ପାଇଁ, ଧାର୍ମିକ ସାଂସ୍କୃତିକ ଚେତନାର ଅଭିବୃଦ୍ଧି ପାଇଁ ଓ ନାରୀ ପୁରୁଷ ମଧ୍ୟରେ ସମାନତା ରକ୍ଷା ପାଇଁ। ନିଜ ଆଶ୍ରମ ପ୍ରାଙ୍ଗଣରେ ଭୀମଭୋଇ ପ୍ରତ୍ୟହ ଗୀତା, ଭାଗବତ, ପୁରାଣ ଶାସ୍ତ୍ର, ବେଦ-ବେଦାନ୍ତ ଓ ଦର୍ଶନ ଆଦି ସମ୍ପର୍କରେ ମନମୁଗ୍ଧକର ପ୍ରବଚନ ପ୍ରଦାନ କରୁଥିଲେ। ଭକ୍ତମାନେ ସେସବୁ ଶ୍ରବଣ କରି ଆନନ୍ଦିତ, ଉଲ୍ଲସିତ ଓ ପୁଲ୍ଲକିତ ହୋଇ ଉଠୁଥିଲେ। ଭୀମଭୋଇ ଜଣେ କବି, ସାଧାରଣ ମହିମାଭକ୍ତ ଓ ଧର୍ମ ପ୍ରଚାର କରୁ କରୁ ହୋଇଗଲେ ‘ସନ୍ଥ ସାଧକ ଭୀମଭୋଇ’।
ସେ ମହିମାଧର୍ମ ଏକେଶ୍ୱରବାଦ ସମ୍ପର୍କରେ ରଚନା କଲେ ରାଶି ରାଶି ପୁସ୍ତକ। ସେ ନିରକ୍ଷର ଥିବାରୁ ଚାରିଜଣ ଲେଖନକାରଙ୍କୁ ଏକାଠି ବସାଇ ଭଜନ ଜଣାଣ ଡାକି ଦେଇଥିଲେ। ସେସବୁ ଏକ ସଙ୍ଗରେ ଚାରୋଟି ସ୍ବାଦର ଭଜନରେ ପରିଣତ ହୋଇଯାଇଥିଲା। ସେ ଏକଶହ ବତିଶ ଖଣ୍ଡ ପୁସ୍ତକ ସମେତ ହଜାର ହଜାର ଭଜନ ଜଣାଣ ରଚନା କରିଯାଇଥିବାର ଜଣାଯାଏ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ବ୍ରହ୍ମ ନିରୂପଣ ଗୀତା, ସ୍ତୁତି ଚିନ୍ତାମଣି, ଶ୍ରୁତି ନିଷେଦ ଗୀତା, ଶ୍ରୀଶ୍ରୀ ନିର୍ବେଦ ସାଧନ । ଭୀମ ଭୋଇଙ୍କର ବୈଶିଷ୍ଟ୍ୟ ହେଲା ସେ ନିଜର ସମସ୍ତ ରଚନା କଣ୍ଠସ୍ଥ କରି ରଖିଥିଲେ। ଯେତେବେଳେ ଯେଉଁ ପୁସ୍ତକର ଯେଉଁ ଅଧ୍ୟାୟରୁ ତାଙ୍କୁ ବୋଲିବାକୁ କୁହାଯାଉଥିଲା ତାହା ଅନାୟାସରେ ଗାଇ ଦେଇ ପାରୁଥିଲେ। ପୁଣି ସେ ଯେଉଁ ଭଜନ ଜଣାଣ, ଚଉତିଶା ଆଦି ରଚନା କରିଯାଇଛନ୍ତି, ସେସବୁକୁ ସେ କୌଣସି ରାଗ ବା ସ୍ବର ଦେଇ ରଚନା କରି ନ ଥିଲେ। ସେ ସ୍ବରଚିତ ଭଜନ, ଜଣାଣକୁ ଏପରି ଭାବରେ ରଚନା କରିଥିଲେ ଯେ, ସେସବୁକୁ ବୋଲିବା ମାତ୍ରେ ସ୍ବତଃ ତାହା ଏକ ରାଗକୁ ସ୍ପର୍ଶ କରି ଦେଉଥିଲା। ଭୀମଭୋଇ ଓଡ଼ିଆ, ବଙ୍ଗଳା, ସଂସ୍କୃତ, ଓଡ଼ିଆ-ତେଲୁଗୁ ମିଶ୍ରିତ ଭାଷାରେ ବହିମାନ ରଚନା କରିଯାଇଛନ୍ତି। ମହିମା ବିନୋଦ (ବଙ୍ଗଳା) ଓ ମନୁ ସଭା ମଣ୍ଡଳ (ତେଲୁଗୁ, ଓଡିଆ, ସଂସ୍କୃତ ମିଶ୍ରିତ ଭାଷାରେ) ଏହାର ଜ୍ୱଳନ୍ତ ଉଦାହରଣ।
ଭୀମଭୋଇଙ୍କର ଆବିର୍ଭାବ ଘଟିଥିଲା ୧୮୪୬ ମସିହା ବୈଶାଖ ପୂର୍ଣ୍ଣମୀ ତିଥିରେ। ବର୍ତ୍ତମାନର ସୋନପୁର ଜିଲା ଅନ୍ତର୍ଗତ ବୀର ମହାରାଜପୁର ଅଞ୍ଚଳର ଜଟାସିଙ୍ଗା ଗ୍ରାମର ପୋଖରୀ ହୁଡାରେ ଥିବା ତାଳବଣରେ। ତାଙ୍କୁ ପାଇ ନିଃସନ୍ତାନ କନ୍ଧ ଦମ୍ପତି ଦନାର ଭୋଇ ଓ ଗୁରୁବାରୀ ନିଜ ପୁତ୍ର ପରି ପାଳନ କରିଥିଲେ। ଏବେ ବି ତାଙ୍କ ପ୍ରକୃତ ପିତାମାତାଙ୍କ ପରିଚୟ ତମସାଚ୍ଛନ୍ନ ା ଏହି ମହାନ୍‌ ପୁରୁଷ ସନ୍ଥ କବିଙ୍କର ୧୮୯୫ ମସିହା ଶିବରାତ୍ରିରେ ତିରୋଧାନ ଘଟିଥିଲା ସେହି ସୋନପୁରର ଖଲିଆପଲି ମହିମା ଆଶ୍ରମରେ। ଆଜି ସେହି ପୀଠ ମହିମା ଧର୍ମର ଅନ୍ୟତମ ପୁଣ୍ୟ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ଏହି ମହାପୁରୁଷଙ୍କର କ’ଣ ମୃତ୍ୟୁ ହୋଇପାରେ !! ସେ ଅମୃତ ପୁରୁଷ…..

ଭୁବନେଶ୍ୱର, ମୋ-୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri