ଅତୁଲ୍ୟ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ପୂରିଛି ୭୩ ବର୍ଷ। ସେ ବୁଧବାର ୭୪ରେ ପଦାର୍ପଣ କରିବେ। ଏହି ଅବସରରେ ଏକ ସ୍ବତନ୍ତ୍ର ଉପସ୍ଥାପନା…

ଭାରତୀୟ ରାଜନୀତିରେ ଅନ୍ୟତମ ଉତ୍ତୁଙ୍ଗ ବ୍ୟକ୍ତି ଭାବେ ନବୀନ ପଟ୍ଟନାୟକ ଏବେ ଦଣ୍ଡାୟମାନ। ଦୀର୍ଘ ଶାସନ ତାଙ୍କ ପାଇଁ କାଳ ହେବ ବୋଲି ଯେଉଁ ରାଜନୈତିକ ବିଶ୍ଳେଷକମାନେ ଗତ ସାଧାରଣ ନିର୍ବାଚନ ବେଳେ ଭବିଷ୍ୟବାଣୀ କରିଥିଲେ, ଭୋଟର ତାହାକୁ ଶୂନ୍ୟରେ ମିଳାଇ ଦେଲେ। ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନଙ୍କ ପାଇଁ ପ୍ରତ୍ୟେକ ନିର୍ବାଚନ ଆହ୍ବାନ ସୃଷ୍ଟି କରିଥିଲେ ମଧ୍ୟ ତାହାକୁ ନିଜର ସରଳପଣିଆ ଓ ଭାବିଚିନ୍ତି ଦେଉଥିବା ମତ ଦ୍ୱାରା ପରାସ୍ତ କରିପାରିଛନ୍ତି। ସେ ଓଡ଼ିଆଙ୍କ ହୃଦୟରେ ଏଭଳି ବିରାଜମାନ କରିଛନ୍ତି ଯେ, ତାଙ୍କ ସମକକ୍ଷ ନେତା ବର୍ତ୍ତମାନ ପାଇଁ ଓଡ଼ିଶାରେ କେହି ନ ଥିବା ସୂଚାଇ ଦେଉଛି। ‘ଆପଣମାନେ ଖୁସି ତ, ମୁଁ ବହୁତ ଖୁସି’ ପରି ମୁଖନିଃସୃତ କଥା ପଦେ ତାଙ୍କ ଭାବମୂର୍ତ୍ତିକୁ ଅଧିକ ଉଜ୍ଜ୍ୱଳ କରିଦେଇଛି। ଏହା ଓଡ଼ିଆ ଜନମାନସକୁ ଛୁଇଁଯିବା ପରେ କଥା କଥାକେ ଲୋକେ ଏହି ପଦକୁ ବ୍ୟବହାର କରୁଛନ୍ତି। ଓଡ଼ିଶାର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକଠାରୁ ଆରମ୍ଭ କରି କ୍ରୀଡ଼ା ଯାଏ ବିବିଧ କ୍ଷେତ୍ରରେ ନବୀନଙ୍କ ଜନମଙ୍ଗଳ ଚିନ୍ତାଧାରା ଓ ତା’ର ପ୍ରୟୋଗ ସବୁବର୍ଗଙ୍କୁ ତାଙ୍କ ଆଡ଼କୁ ଆକୃଷ୍ଟ କରିଚାଲିଛି। ବିଗତ ଦିନର ତାଙ୍କର ଅନେକ ନିଷ୍ପତ୍ତି ବ୍ୟବସ୍ଥାକୁ ସଜାଡ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କଲାଣି।
ଏକଦା ରାଜନୀତି ପ୍ରତି ଅମଙ୍ଗ ଥିବା ନବୀନ ପିତା ବିଜୁ ପଟ୍ଟନାୟକଙ୍କ ଉପଯୁକ୍ତ ଦାୟାଦ ବୋଲି ବହୁ କ୍ଷେତ୍ରରେ ପ୍ରମାଣ ଦେଇସାରିଲେଣି। କ୍ରମାଗତ ଓଡ଼ିଶାର ମୁଖିଆ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ‘ପଞ୍ଚମରେ ନବୀନ’ ଶାସନ ବର୍ତ୍ତମାନ ଅନ୍ୟ ପ୍ରଦେଶ ଏବଂ ଜାତୀୟ ରାଜନୀତି ପାଇଁ ପ୍ରୟୋଗଶାଳା ପାଲଟିଯାଇଛି। ଏଠାରେ ଅନ୍ୟ ଏକ ସକାରାତ୍ମକ ସିଦ୍ଧାନ୍ତ କରାଯାଉଛି। ନବୀନ ନିଜ ତତ୍ତ୍ୱାବଧାନରେ ସରକାରୀ ଅଫିସରଙ୍କୁ ରାଜନୈତିକ ଚାପରୁ ଦୂରେଇ ରଖି ସିଧାସଳଖ ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାର ଏକ ନୂଆ ପ୍ରଣାଳୀ ଆରମ୍ଭ କରିଛନ୍ତି। ଏହା ତାଙ୍କୁ ରାଜନୈତିକ ସଫଳତା ଦେବା ସହିତ ଓଡ଼ିଶାର ଉଦାହରଣକୁ ଅନ୍ୟ ରାଜ୍ୟ ସମେତ କେନ୍ଦ୍ର ସରକାର ଅନୁକରଣ କରିବାକୁ ଆରମ୍ଭ କଲେଣି। ନବୀନଙ୍କ ପଞ୍ଚମ ପାଳି ପ୍ରଥମ ବର୍ଷ କେଇମାସର ଶାସନ ଶୈଳୀକୁ ଦେଖିଲେ ଭାରତୀୟ ରାଜନୀତିରେ ଭିନ୍ନ କୀର୍ତ୍ତିମାନ ସ୍ଥାପନ ହେଲାଣି। ତା’ ମଧ୍ୟରେ ସବୁଠୁ ଆଗକୁ ଚାଲିଆସିଛି ‘ମୋ ସରକାର’। ୧୫ ଅଗଷ୍ଟ ୨୦୧୯ରେ ଏହାର ପରିକଳ୍ପନା ହୋଇଥିବା ବେଳେ ୨ ଅକ୍ଟୋବରରେ ଏହା କାର୍ଯ୍ୟକାରୀ କରାଯାଇପାରିଛି। ଗାନ୍ଧୀଙ୍କ ଆଦର୍ଶ ଅନୁସରଣରେ ପରିକଳ୍ପିତ ଏହି କାର୍ଯ୍ୟକ୍ରମ ଦ୍ୱାରା ଶାସନରେ ଜନସାଧାରଣଙ୍କ ସ୍ବରକୁ ଗୁରୁତ୍ୱ ଦିଆଯିବାର ବ୍ୟବସ୍ଥା କରାଯାଇଛି। ‘ମୋ ସରକାର’ର ସ୍ବରୂପ ଅତି ସୂକ୍ଷ୍ମ ହୋଇଥିଲେ ହେଁ ଏହାର କାର୍ଯ୍ୟକାରିତା ସୁଦୂରପ୍ରସାରୀ ଭଳି ପ୍ରତୀୟମାନ ହେଉଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଲୋକେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ପହଞ୍ଚିବା ବେଳେ ସେମାନଙ୍କୁ ମର୍ଯ୍ୟାଦାର ସହ ଉପଯୁକ୍ତ ସେବା ଯୋଗାଇ ଦେବା ଲାଗି ନବୀନଙ୍କ ନିର୍ଦ୍ଦେଶ ରହିଛି। ଯେଉଁମାନେ ସରକାରୀ କାର୍ଯ୍ୟାଳୟରେ ପହଞ୍ଚିବେ, ସେମାନଙ୍କ ଫୋନ୍‌ ନମ୍ବର ସଂଗ୍ରହ କରାଯାଉଛି। ସେଥିରୁ କେତୋଟି ଚୟନ କରାଯିବା ପରେ ସିଧାସଳଖ ମୁଖ୍ୟମନ୍ତ୍ରୀ, ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ଭଳି ବଡ଼ ପଦବୀଧାରୀଙ୍କଠାରୁ ଫୋନ୍‌ ପାଇବା ପରେ ଲୋକେ ଆପତ୍ତି ଅଭିଯୋଗ ସିଧାସଳଖ ଜଣାଇ ପାରୁଛନ୍ତି। ବ୍ୟବସ୍ଥାରେ ଲୋକଙ୍କ ଯୋଗଦାନ ଶାସନକୁ ସୁଦୃଢ଼ କରିଥାଏ। ଗଲା କେଇଦିନକୁ ଦେଖିଲେ ଅଦ୍ୟାବଧି ୪୬ ଜଣ ପଦସ୍ଥ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ସରକାର ବିଦା କରିସାରିଲେଣି। ନବୀନଙ୍କ ଶାସନର ପ୍ରଥମ ପାଳିରୁ ଯେଉଁ କାର୍ଯ୍ୟ ଆରମ୍ଭ ହୋଇ ତାଙ୍କୁ ନିର୍ମଳ ଭାବମୂର୍ତ୍ତି ପ୍ରଦାନ କରିଥିଲା, ଏବର ଘନ ଘନ ସକାରାତ୍ମକ ପଦକ୍ଷେପ ନବୀନ ସରକାରଙ୍କ ଦୁର୍ନୀତି ପ୍ରତି ‘ଶୂନ୍ୟ ସହନଶୀଳତା’ ରହିଥିବାର ସୂଚନା ଦେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଡାକ୍ତରଖାନା ଓ ଥାନାରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଜୋରଦାର କାର୍ଯ୍ୟକାରୀ କରାଯାଇଛି। ସେହିପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ), ଡାକ୍ତରଖାନା ଓ ଥାନାରେ ଦଲାଲ ହଟିବା ଆରମ୍ଭ ହୋଇଛି। ଅନେକଙ୍କୁ ଗିରଫ କରାଯିବା ପରେ ଅନ୍ୟାନ୍ୟ କାର୍ଯ୍ୟାଳୟରେ ଥିବା ଦଲାଲଙ୍କ ଛାତିରେ ଛନକା ପଶିଗଲାଣି। ‘ମୋ ସରକାର’କୁ ଅଧିକ ବଳ ଦେଇଛି ୫-ଟି ଯଥା ଟେକ୍‌ନୋଲଜି (ପ୍ରଯୁକ୍ତିବିଦ୍ୟା), ଟ୍ରାନ୍ସପରେନ୍ସି (ସ୍ବଚ୍ଛତା), ଟିମ୍‌ଓ୍ବର୍କ (ଦଳଗତ କାର୍ଯ୍ୟ), ଟ୍ରାନ୍ସଫର୍ମେଶନ (ରୂପାନ୍ତରଣ) ଏବଂ ଟାଇମ୍‌ ଲିମିଟ୍‌ (ସମୟସୀମା) କାର୍ଯ୍ୟକ୍ରମ। ଏପରି କି ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ସହିତ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୌଳିକ ଭିତ୍ତିଭୂମିର ସର୍ବାଗ୍ରେ ଥିବା ଡାକ୍ତରଖାନାକୁ ବୁଲି ଦେଖୁଛନ୍ତି। ସ୍ଥଳବିଶେଷରେ ଅବ୍ୟବସ୍ଥା ଦେଖିଲେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ନିକଟରେ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍‌ଓଙ୍କୁ ନିଲମ୍ବନ କରାଯିବା ପରେ ଅନ୍ୟାନ୍ୟ ଡାକ୍ତରଖାନାରେ ଯୁଦ୍ଧକାଳୀନ ଭିତ୍ତିରେ ରୋଗୀସେବା ଲାଗି ତତ୍ପରତା ପ୍ରକାଶ ପାଇଛି। ହେଲେ ଏଭଳି କାର୍ଯ୍ୟାନୁଷ୍ଠାନକୁ କେତେକ ଲୋକ ବିରୋଧ କରୁଥିବା ବେଳେ ତାହା ପ୍ରଶଂସିତ ହେଉଛି, କାରଣ ଜନସାଧାରଣ ଏହାଦ୍ୱାରା ଲାଭବାନ ହେଉଛନ୍ତି। ୫-ଟି ସଚିବଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ୧୪ ଅକ୍ଟୋବରରେ ରିପୋର୍ଟ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ୍‌ ଆଦିବାସୀ ବହୁଳ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟସେବାର ଉନ୍ନତି ସକାଶେ ୪୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିବା ନିଶ୍ଚିତ ଭାବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମଙ୍ଗଳଦାୟକ ହୋଇପାରିବ। ଏସବୁ ଦେଖିଲେ ବଲିଉଡ୍‌ ଷ୍ଟାର ଅନିଲ କପୁରଙ୍କ ଅଭିନୀତ ‘ନାୟକ’ ଚଳଚ୍ଚିତ୍ରର ଛବି ଆଖିଆଗକୁ ଆସିଯାଉଛି। ସେଥିରେ କାହାଣୀ ଥିଲା ଗୋଟିଏ ଦିନ ପାଇଁ ଅନିଲ ପାଲଟିଥିଲେ ମୁଖ୍ୟମନ୍ତ୍ରୀ। ସେହି ୨୪ ଘଣ୍ଟା ମଧ୍ୟରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର କିଭଳି ଲୋକାଭିମୁଖୀ ହୋଇପାରେ ସିନେମାରେ ଦର୍ଶାଯାଇଥିଲା। ଯେଉଁ ଶୈଳୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେତେକ ଅମଲାତନ୍ତ୍ରୀ ଏବେ ସଜାଗ ହୋଇଯାଇଛନ୍ତି, ଏହା ନିଶ୍ଚିତ ଭାବେ ଅପାରଗ ଓ ଦୁର୍ନୀତିଗ୍ରସ୍ତଙ୍କୁ ଅଡ଼ୁଆରେ ପକାଉଛି। କେତେକ ଦୁର୍ଗମ ଅଞ୍ଚଳ ଯେଉଁଠିକି କେହି ସରକାରୀ କର୍ମଚାରୀଙ୍କ ଦିନେକାଳେ ପାଦ ପଡ଼ି ନ ଥିଲା, ସେଠାରେ ବଡ଼ ଅଧିକାରୀଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଶାସନରେ ଫରକ ଦେଖାଇବ। ବିରୋଧୀ ଅଭିଯୋଗ କରୁଛନ୍ତି ଯେ, ଏସବୁ ଲୋକଦେଖାଣିଆ। ଆଉ କେତେକ ପ୍ରଶ୍ନ କରୁଛନ୍ତି- ଏବେ ‘ମୋ ସରକାର’ ଚାଲିଲା, ପୂର୍ବରୁ ତା’ହେଲେ କାହା ସରକାର ଚାଲିଥିଲା। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶକ୍ତିଶାଳୀ ବିରୋଧୀ ରହିବା ଏବଂ ସେମାନଙ୍କ ମତକୁ ଗୁରୁତ୍ୱ ଦିଆଯିବା ଉଚିତ। କିନ୍ତୁ ଏହା ସ୍ବୀକାର୍ଯ୍ୟ ଯେ, ଶାସନରେ ସର୍ବଦା ନୂତନ କାର୍ଯ୍ୟପ୍ରଣାଳୀ ବ୍ୟବହାର କରାଯିବା ଦରକାର। ସେହି ଦୃଷ୍ଟିରୁ ଦେଖିଲେ, ଯେଉଁ ଶାସନ ବା ପ୍ରଶାସନ ଏକ ଭୁଲକୁ ସୁଧାରି ଦୋଷୀକୁ ଦଣ୍ଡ ଦେଇପାରୁଛି, ତାହାକୁ ସବୁ ଦିଗରୁ ସମର୍ଥନ କରାଯିବା ଉଚିତ।
ଶାସନରେ ସର୍ବଦା ବାଧକ ସାଜିଥାଏ ଦୁର୍ନୀତି। ଏହାର ସଂଜ୍ଞା ଲାଞ୍ଚ, ଆର୍ଥିକ ହେରଫେର ବା ଅନିୟମିତତା ଭିତରେ ସୀମିତ ନ ଥାଏ। ନୈତିକ ଭ୍ରଷ୍ଟତା ମଧ୍ୟ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିଥାଏ। ସେଥିଲାଗି ଲୋକସେବା ଦିଗରେ ନିଯୁକ୍ତ ବ୍ୟକ୍ତିମାନେ ଶାସନରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଜନତାଙ୍କ ନିକଟରେ ଉତ୍ତରଦାୟୀ ହେବା କଥା। କରଦାତାଙ୍କ ଅର୍ଥ କେବଳ ସରକାରୀ କର୍ମଚାରୀ ବା ଅଧିକାରୀଙ୍କୁ ପ୍ରତିପୋଷଣ କରେନାହିଁ, ଏହା ଜନମଙ୍ଗଳ କାର୍ଯ୍ୟରେ ବିନିଯୋଗ ହେଉଛି। ଏଣୁ ପ୍ରତ୍ୟେକ ବ୍ୟକ୍ତି ଦାୟିତ୍ୱବାନ୍‌ ହେବା ଉଚିତ। ଦୁର୍ନୀତି କଥା ଉଠିଲେ ବହୁଳ ପ୍ରଚଳିତ ପ୍ରବାଦ ମନକୁ ଆସେ-ଦୁଇ ହାତରେ ତାଳି ବାଜେ। ଅର୍ଥାତ୍‌ ଜନସାଧାରଣଙ୍କ ସହଯୋଗ ବିନା ଦୁନର୍ର୍ୀତି ରୋକାଯାଇ ପାରିବ ନାହିଁ। ଲାଞ୍ଚ ଦେଉଥିବା ବା ନେଉଥିବା ଉଭୟ ସମପରିମାଣରେ ଦୋଷୀ। ଏଥିରେ ବ୍ୟକ୍ତି ସାଧାରଣ ଜନତା ହୋଇପାରେ ବା ଅମଲାତନ୍ତ୍ରୀ, ନ୍ୟାୟପାଳିକା କିମ୍ବା ରାଜନେତା ବା ଯେ କେହି।
ଏବେ ଓଡ଼ିଶାର ସରକାରୀ ସ୍ତରରେ ସୁଶାସନ ଲାଗି ଯେଉଁ ତତ୍ପରତା ବା ନିଷ୍ଠା ପ୍ରକାଶ ପାଇଛି, ତାହା ଜାରି ରହିବା ଦରକାର। ଏହାକୁ ଅଧାପନ୍ତରିଆ କରି ରଖିଦେଲେ ଶାସନରେ ଯେଉଁ ସଂସ୍କାର ଆସିବା ଆରମ୍ଭ ହୋଇଛି, ତାହା ବାଧାପ୍ରାପ୍ତ ହେବ। ବିନା ଆନ୍ତରିକତାରେ କୌଣସି କାର୍ଯ୍ୟକ୍ରମକୁ ଦୀର୍ଘସ୍ଥାୟୀ କରାଯାଇ ପାରିବ ନାହିଁ। ଉତ୍ସାହରେ ହୁଏତ ଅନେକ ଯୋଜନା ବା କାର୍ଯ୍ୟକ୍ରମ ନିଆଯାଇ ପାରିଥାଏ। ଦେଖିବାକୁ ଗଲେ ନବୀନଙ୍କ ପଞ୍ଚମ ପାଳି ତାଙ୍କ ପୂର୍ବବର୍ତ୍ତୀ ପାଳି ତୁଳନାରେ ଅଧିକ ସକ୍ରିୟ ମନେହେଉଛି। ଏଥରକ ସେ ଅଧିକ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ସହ ସମନ୍ବୟ ରକ୍ଷା କରିପାରିଛନ୍ତି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଦୃଢ଼ୀଭୂତ କରିବାର କଳା ସେ ଆୟତ୍ତ କଲାଭଳି ଲକ୍ଷ୍ୟ କରାଯାଉଛି। ସେହିପରି ତାଙ୍କ ଦଳ କଥା ଦେଖିଲେ ବିଜେଡିରେ ସେ ଅପ୍ରତିଦ୍ୱନ୍ଦ୍ୱୀ। ଏହାସହ ତାଙ୍କ ଭାବମୂର୍ତ୍ତି ସହିତ ସମ୍ଭବତଃ ଜାତୀୟସ୍ତରରେ ମଧ୍ୟ କେହି ସମକକ୍ଷ ହୋଇପାରୁ ନାହାନ୍ତି।

ଜିତେନ୍ଦ୍ର କୁମାର ନାୟକ
– ଏ/ଇ-୫୮, ଭିଏସ୍‌ଏସ୍‌ ନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri