ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଶାରୀରିକ ସମ୍ପର୍କ ଲାଗି ରାଜି ନ ହେବାରୁ ମହିଳାଙ୍କ ପ୍ରେମିକ ଓ ତାଙ୍କ ମା’ ମିଶି ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ଏନେଇ ଏକ ହତ୍ୟା ମାମଲା (ନଂ. ୫୦/୨୬) ରୁଜୁ ହୋଇ ଅଭିଯୁକ୍ତ ପୁଅ ଓ ମା’ଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି।
ବାଉଁଶବଣି ଗ୍ରାମରେ ଅନନ୍ତ ସିଂଙ୍କ ଝିଅ ଯମୁନା (୨୭) ବିବାହ ବିଚ୍ଛେଦ ପରେ ବାପଘରେ ରହୁଥିଲେ। ଜାରାସାହି ଗ୍ରାମର ବିବାହିତ ବୁଦ୍ଧିଆ ସିଂ (୩୧)ଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କୁ ଛାଡ଼ି ବାପ ଘରକୁ ପଳାଇଥିଲେ। ଏହି ଅବସରରେ ଯମୁନା ଓ ବୁଦ୍ଧିଆଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଦୁହଁିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। ଯମୁନାଙ୍କୁ ବିବାହ କରିବେ ବୋଲି ବୁଦ୍ଧିଆ ପ୍ରତିଶ୍ରୁତି ଦେଇଥିଲେ। ଗତ ୧୭ ତାରିଖରେ ଯମୁନା ବୁଦ୍ଧିଆଙ୍କ ଘରକୁ ଯାଇଥିଲେ। ଶୀଘ୍ର ବିବାହ ହେବା ପାଇଁ ଜିଦ୍ ଧରିଥିଲେ। ବାହାଘର ହେବ କହି ସେଦିନ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ପାଇଁ ବୁଦ୍ଧିଆ ବାଧ୍ୟ କରିଥିଲେ। ଏଥିରେ ଅରାଜି ହେବାରୁ ବୁଦ୍ଧିଆ ଓ ତାଙ୍କ ମା’ କୋଇଲି ସିଂ (୬୫) ଆପ୍ରୋନ୍ ଯୋଗେ ଯମୁନାଙ୍କ ତଣ୍ଟିକୁ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଖବରପାଇ ରୂପ୍ସା ଥାନା ଆଇଆଇସି ସୌମ୍ୟଚିତ୍ ମିଶ୍ର ଓ ଏଏସ୍ଆଇ ବିକାଶ ସେଠୀ ପହଞ୍ଚତ୍ ମୃତଦେହ ଜବତ କରିଥିଲେ।
Dharitri – Odisha’s No.1 Odia Daily

