Categories: ଖେଳ

ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ୮ ଭାରତୀୟ

ନୂଆଦିଲ୍ଲୀ,୨୨।୪(ପି.ଟି.): ପୋଲାଣ୍ଡର କିଏଲ୍ସଠାରେ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ ମହିଳାଙ୍କ ସମେତ ୮ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ଭାରତ ପାଇଁ ଯୁବ ବର୍ଗରେ ଏକ ଆସାଧାରଣ ସଫଳତା ସାବ୍ୟସ୍ତ ହୋଇଛି। ଏହି ୮ଜଣ ପଦକ ହାସଲ କରିବା ନିଶ୍ଚିତ ହୋଇଛ। ଏହାକୁ ବାଦ୍‌ ଦେଲେ ଅନ୍ୟ ୩ ଭାରତୀୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ହଙ୍ଗେରୀରେ ଅନୁଷ୍ଠିତ ୨୦୧୮ ସଂସ୍କରଣରେ ଭାରତ ୧୦ ପଦକ ହାସଲ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥର ଅଧିକ ପଦକ ହାସଲ କରି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳିମାନେ।
ବୁଧବାର ବିଶ୍ରାମ ଦିବସ ପରେ ଗୁରୁବାର ଫାଇନାଲ ମୁକାବିଲାଗୁଡିକ ଆୟୋଜନ ହେବ। ଗୀତିକା (୪୮ କେ.ଜି.), ବେବିରୋଜିସାନା ଚାନୁ (୫୧ କେ.ଜି.), ଭିନିକା (୬୦ କେ.ଜି.), ଅରୁନ୍ଧତୀ ଚୌଧୁରୀ (୬୯ କେ.ଜି.), ପୁନମ୍‌ (୫୭ କେ.ଜି.) ଓ ଅଲଫିୟା ପଠାନ (+୮୧ କେ.ଜି.) ଫାଇନାଲକୁ ଉଠିଛନ୍ତି। ପୁରୁଷଙ୍କ ମଧ୍ୟରେ ସଚିନ (୫୬ କେ.ଜି.) ମଧ୍ୟ ଫାଇନାଲ ଟିକେଟ ହାସଲ କରିଛନ୍ତି।
ଗୀତିକା ୫-୦ରେ ଇଟାଲୀର ଏରିକା ପ୍ରିସ୍କିଆନଡାରୋଙ୍କୁ ହରାଇଥିଲେ। ଫାଇନାଲରେ ସେ ପୋଲାଣ୍ଡର ନାଟାଲିଆ ଡୋମିନିକାଙ୍କୁ ଭେଟିବେ। ସେହିପରି ଭିନିକା ୪-୧ରେ ଚେକ୍‌ ଗଣରାଜ୍ୟର ଭେରୋନିକା ଗାତଡୋଭାଙ୍କୁ ହରାଇ ଫାଇନାଲ ଟିକେଟ ହାସଲ କରିଛନ୍ତି। ଭିନିକା ଫାଇନାଲରେ କାଜାଖସ୍ଥାନର ଝୁଲଡିଜ ଶାୟାଖମେଟୋଭାଙ୍କୁ ଭେଟିବେ। ସେହିପରି ଅରୁନ୍ଧତୀ ୫-୦ରେ ଉଜବେକିସ୍ତାନର ଖାଡିଚାବୋନୁ ଅବଦୁଲାଏଭାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଓ ସେ ପୋଲାଣ୍ଡର ବାରବରା ମାସିନକଓ୍ବେସ୍କାଙ୍କୁ ଭେଟିବେ। ବେବିରୋଜିସାନା ମଧ୍ୟ ୫-୦ରେ ଇଟାଲୀର ଏଲେନ ଆୟାରୀଙ୍କୁ ପରାସ୍ତ କରିଛନ୍ତି। ସେ ଫାଇନାଲରେ ରୁଷିଆର ଭାଲେରିଆ ଲିଙ୍କୋଭାଙ୍କୁ ଭେଟିବେ। ପୁନମ୍‌ ୫-୦ରେ ଉଜ୍‌ବେକିସ୍ତାନର ସିଟୋରା ତୁରଡିବେକୋଭାଙ୍କୁ ହରାଇ ଅଗ୍ରଗତି କରିଥିବା ବେଳେ ଫାଇନାଲରେ ସେ ସ୍ଥେଲନି ଗ୍ରୋସିଙ୍କୁ ଭେଟିବେ। ସାନମାତା ୪-୧ରେ ପୋଲାଣ୍ଡର ଡାରିଆ ପାରାଡାଙ୍କୁ ହରାଇଛନ୍ତି ଓ ସେ ଫାଇନାଲରେ କାଜାଖସ୍ତାନର ଡାନା ଡିଡେଙ୍କୁ ଭେଟିବେ। ସେହିପରି ଅଲଫିଆ ୩-୨ରେ ପୋଲାଣ୍ଡର ଓଲିଓ୍ବିଆ ଟୋବେରେକଙ୍କୁ ହରାଇଛନ୍ତି ଓ ସେ ଫାଇନାଲରେ ମୋଲଡୋଭାର ଡାରିଆ କୋଜୋରେଜଙ୍କୁ ଭେଟିବେ। ସେହିପରି ଏକମାତ୍ର ଭାରତୀୟ ପୁରୁଷ ବକ୍ସର ଭାବେ ସଚିନ ଇଟାଲୀର ମାଇକେଲ ବାଲଡାସିଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି। ସ୍ବର୍ଣ୍ଣ ପଦକ ପାଇଁ ଫାଇନାଲରେ ସେ କାଜାଖସ୍ତାନର ୟେରବୋଲାଟ ସବିରଙ୍କୁ ଶୁକ୍ରବାର ଭେଟିବେ।
ଅନ୍ୟପଟେ ଯୁବ ଏସିଆନ ରୌପ୍ୟ ପଦକ ବିଜେତା ଅଙ୍କିତା ନରଓ୍ବାଲ (୬୪ କେ.ଜି.), ବିଶ୍ୱମିତା ଚୋଙ୍ଗଥୋମ (୪୯ କେ.ଜି.) ଓ ବିଶାଲ ଗୁପ୍ତା (୯୧ କେ.ଜି.) ସେମିଫାଇନାଲରେ ପରାସ୍ତ ହୋଇ ତୃତୀୟରେ ରହି ଅଭିଯାନ ଶେଷ କରିବା ସହ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। ୨୦୧୪ରେ ପ୍ରଥମଥର ପାଇଁ ଉଭୟ ପୁରୁଷ ଓ ମହିଳା ଏକାଠି ଖେଳିବାର ସୁଯୋଗ ପାଇଥିଲେ। ଅଙ୍କିତା ଓ ବିଶ୍ୱମିତା ୧-୪ ନିଷ୍ପତ୍ତିରେ ଯଥାକ୍ରମେ କାଜାଖସ୍ତାନର ସବିରଝାନ ଆକ୍କାଲିକୋଭ ଓ ସଞ୍ଜାର ତାସକେନବେଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ବଶାଲ ୫-୦ରେ ପୋଲାଣ୍ଡର ଜାକୁବ ଷ୍ଟ୍ରାସଜଓ୍ବେିସ୍କିଙ୍କଠାରୁ ପରାସ୍ତ ହୋଇଥିଲେ।

Share