ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ସଭାପତି ଗାଙ୍ଗୁଲି ତାଙ୍କ କୋଲକାତା କାର୍ଯ୍ୟାଳୟରେ ଏହି ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ଏହି ଧମକ କେବଳ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀଙ୍କୁ ନୁହେଁ ବରଂ ତାଙ୍କ ସହିତ କାମ କରୁଥିବା ସମସ୍ତଙ୍କୁ ମଧ୍ୟ ମିଳିଛି।

ଧମକପୂର୍ଣ୍ଣ ଚିଠିଟି କୁରିଅର ମାଧ୍ୟମରେ ପଠାଯାଇଥିଲା, ଯେଉଁଥିରେ ଇଂରାଜୀରେ ଲେଖାଯାଇଥିଲା। ଗାଙ୍ଗୁଲି ପରିବାର ଠାକୁରପୁକୁର ଥାନାରେ ଏହି ମାମଲା ସମ୍ପର୍କରେ ଅଭିଯୋଗ କରିଛନ୍ତି।
ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପରିବାର ଗତ ଛଅ ମାସ ଧରି ନିରନ୍ତର ଧମକ ପାଉଥିଲେ; କିନ୍ତୁ ସୋମବାର କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (CAB) କାର୍ଯ୍ୟାଳୟରେ ପହଞ୍ଚିଥିବା ଦୁଇଟି ଚିଠିରେ ଅତ୍ୟନ୍ତ ଆକ୍ରମଣାତ୍ମକ ଏବଂ ହିଂସାତ୍ମକ ଭାଷା ବ୍ୟବହାର କରାଯାଇଥିଲା। ପ୍ରାରମ୍ଭରେ, ଏହି ଧମକକୁ ଜଣେ ଅସନ୍ତୁଷ୍ଟ ପ୍ରଶଂସକଙ୍କ କାମ ବୋଲି ଖାରଜ କରାଯାଇଥିଲା।
ଏଥର ମିଳିଥିବା ଦୁଇଟି ନଆ ଚିଠିରେ କେବଳ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପରିବାର ପ୍ରତି ଘୃଣାପୂର୍ଣ୍ଣ ମନ୍ତବ୍ୟ ଦିଆଯାଇନଥିଲା ବରଂ ଗାଙ୍ଗୁଲି ଏବଂ ତାଙ୍କ କର୍ମଚାରୀଙ୍କୁ ହତ୍ୟା କରିବାକୁ ସ୍ପଷ୍ଟ ଧମକ ମଧ୍ୟ ଦିଆଯାଇଥିଲା।
CAB କାର୍ଯ୍ୟାଳୟରେ କୋରିଅର ମାଧ୍ୟମରେ ମିଳିଥିବା ଚିଠିଗୁଡ଼ିକରେ ପଶ୍ଚିମବଙ୍ଗର ବେଲଘରିଆ ଅଞ୍ଚଳର ବାସିନ୍ଦା ଅରୁଣ କୁମାରଙ୍କ ନାମ ଥିଲା। ତଦନ୍ତ ପରେ, ପୋଲିସ ଜାଣିବାକୁ ପାଇଲା ଯେ ଚିଠିରେ ଉଲ୍ଲେଖ କରାଯାଇଥିବା ମୋବାଇଲ ନମ୍ବରଟି ମଧ୍ୟ ଅରୁଣ କୁମାରଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ପୋଲିସ ଏହି ଘଟଣାର ଗମ୍ଭୀର ତଦନ୍ତ ଆରମ୍ଭ କରିଛି।
ସୌରଭ ଗାଙ୍ଗୁଲି ପ୍ରଥମ ଭାରତୀୟ କ୍ରିକେଟର ନୁହଁନ୍ତି ଯିଏ ହତ୍ୟା ଧମକ ପାଇଥିଲେ। ଗତ ବର୍ଷ ହିଁ ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲର୍‌ଡରୁ ହତ୍ୟା ଧମକ ଏବଂ ଦାଦାବଟି ଦାବି କରାଯାଇଥିଲା। ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏପରି ଧମକର ସମ୍ମୁଖୀନ ହୋଇଛନ୍ତି, ନିଜକୁ ISIS କଶ୍ମୀର ବୋଲି ପରିଚୟ ଦେଉଥିବା ଏକ ଗୋଷ୍ଠୀରୁ ସେ ଏହି ଧମକ ପାଇଛନ୍ତି।
ଗାଙ୍ଗୁଲିଙ୍କୁ ପୂର୍ବରୁ ୨୦୧୭ରେ ହତ୍ୟା ଧମକ ମିଳିଥିଲା। ଏହି ଘଟଣା ତାଙ୍କ ଏକ କ୍ରିକେଟ ଇଭେଣ୍ଟରେ ଯୋଗ ଦେବାକୁ ମନା କରିବା ସହିତ ଜଡିତ ବୋଲି କୁହାଯାଉଛି। ପୂର୍ବରୁ ଏମ ଏସ ଧୋନି, ରାହୁଲ ଦ୍ରାବିଡ ଏବଂ ମହମ୍ମଦ ଶାମିଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି।

Dharitri – Odisha’s No.1 Odia Daily