ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନଶିପ୍ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର ପ୍ରଥମ ଦିବସରେ ଭାରତ ୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ଲାଭ କରିଛି। ରବିବାରଠାରୁ ଆରମ୍ଭ ହୋଇଥିବା ଏହି ଇଭେଣ୍ଟ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ଦଳ ପ୍ରତ୍ୟେକ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଛି। ସାବ୍ରେ, ଫଏଲ୍ ଓ ଏପି ସମେତ ସମସ୍ତ ୬ ବ୍ୟକ୍ତିଗତ ଇଭେଣ୍ଟରେ ଅତିକମ୍ରେ ଜଣେ ଲେଖାଏ ଭାରତୀୟ ପୋଡିୟମରେ ପହଞ୍ଚିପାରିଥିବା ଫେନ୍ସିଂ ଆସୋସିଏଶନ ଅଫ୍ ଇଣ୍ଡିଆ ପ୍ରକାଶ କରିଛି।
ପୁରୁଷ ସାବ୍ରେ ପ୍ରତିଯୋଗିତାରେ ନିଖିଲ ଓ୍ବାଗ୍ଙ୍କ ନେତୃତ୍ୱରେ ଭାରତୀୟ ଦଳ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି। ଲକ୍ଷ୍ୟ ବଡସର ଏକ ରୌପ୍ୟ ପାଇଥିବାବେଳେ ଅଶ୍ୱିନୀ ଆର୍ଯ୍ୟ ଓ ଲାଇଶ୍ରାମ୍ ମୋରାମ୍ବା ବ୍ରୋଞ୍ଜ ବାଣ୍ଟିକରି ନେଇଛନ୍ତି। ପରୁଷ ଫଏଲରେ ତେଜସ ପାଟିଲ ରୌପ୍ୟ ଏବଂ ହିମାଶ ସାନାସାମ୍ ବ୍ରୋଞ୍ଜ ପାଇଛନ୍ତି। ପୁରୁଷ ଏପି’ରେ ଲୋକେଶ ଭିମାନି ଦେଶ ପାଇଁ ଏକ ରୌପ୍ୟ ଆଣିଦେଇଥିବା ବେଳେ ସୌର୍ଯ୍ୟ ଅଶ୍ବିନୀ ଓ ଗଡ୍ଓ୍ବିନ ଅନବକେସ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଭାରତୀୟ ମହିଳା ଫେନ୍ସରମାନେ ମଧ୍ୟ ଆଧିପତ୍ୟ ବିସ୍ତାର କରିଥିବା ଦେଖିବାକୁ ମିଳିଛି। ସେମାନେ ତିନୋଟି କାଟେଗୋରି ମଧ୍ୟରୁ ଦୁଇଟିରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଜୟସ ଆଶିତା ମହିଳା ଫଏଲ୍ରେ ସ୍ବର୍ଣ୍ଣ ଜିତିଥିବା ବେଳେ ତାଙ୍କ ସାଥୀ କନଗଲକ୍ଷ୍ମୀ ରୌପ୍ୟ ଲାଭ କରିଛନ୍ତି। ମହିଳା ଏପିରେ ପ୍ରାଚୀ ଲୋହାନ ସ୍ବର୍ଣ୍ଣ ପଦକ ଲାଭ କରିଥିବା ବେଳେ ନିବେଧ୍ୟା ନାୟର ଓ ଅନୁପ୍ରିୟା ଉଭୟେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।ମହିଳା ସାବ୍ରେରେ ଜେଫରଲିନ୍ଙ୍କୁ ସ୍ବର୍ଣ୍ଣ ମିଳିଥିବା ବେଳେ ଶେୟା ଗୁପ୍ତା ବ୍ରୋଞ୍ଜ ଜିତିଛନ୍ତି। ଦଳର ଏହି ସଫଳତା ପାଇଁ ଫେନ୍ସିଂ ଆସୋସିଏଶନ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।