Categories: Home Middleଖେଳ

ସନ୍ନ୍ୟାସ ଘୋଷଣା କଲେ ମହମ୍ମଦ ଶାମି: ଭାରତୀୟ ଦଳକୁ ଫେରିବା ସ୍ବପ୍ନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର (ନଭେମ୍ବର ୬) ଶାମି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ଟେଷ୍ଟ କ୍ରିକେଟରୁ ଅଲବିଦା କହିବା ନିଷ୍ପତ୍ତି ନେଇଛନ୍ତି। ସେ ଭାରତୀୟ ଦଳ ପାଇଁ ଶେଷ ଟେଷ୍ଟ ମ୍ୟାଚ ଜୁନ ୨୦୨୩ରେ ଖେଳିଥିଲେ। ଏହା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଥିଲା। ତେବେ ଶାମି ଏବେ ବି ଭାରତୀୟ ଦଳ ପାଇଁ ଦିନିକିଆ ଓ ଟି-୨୦ ଭଳି ସୀମିତ ଓଭର୍‌ କ୍ରିକେଟ ଖେଳିବାକୁ ଉପଲବ୍ଧ ରହିବେ।

ଲଗାତାର ଭାବେ ଟେଷ୍ଟ ଦଳରୁ ବାଦ ପଡ଼ୁଥିଲେ ଶାମି। ତଥାପି ଭାରତୀୟ ଦଳକୁ ଫେରିବା ଆଶାରେ ସେ ବଙ୍ଗଳା ପକ୍ଷରୁ ନିୟମିତ ଭାବେ ରଣଜୀ ଟ୍ରଫି ଖେଳୁଥିଲେ। ଗତ ସିଜିନରେ ରଣଜୀ ଟ୍ରଫିରେ ଚମତ୍କାର ବୋଲିଂ କରି ସେ ମୋଟ ୩୬ଟି ଉଇକେଟ୍‌ରେ ହାସଲ କରିଥିଲେ। ଚଳିତ ରଣଜୀ ସିଜିନରେ ମଧ୍ୟ ସେ ବଙ୍ଗଳା ଦଳ ପକ୍ଷରୁ ଖେଳୁଥିଲେ। ଏହି ସିଜିନରେ ମାତ୍ର ୩ଟି ମ୍ୟାଚ ଖେଳି ସେ ୧୪ଟି ଉଇକେଟ୍‌ ନେଇଥିଲେ।

ଶାମି ଭିଡିଓ ଶେୟାର କରି ପ୍ରଥମେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏହା ସହ କ୍ୟାପଶନରେ ରେଡ ବଲ କ୍ରିକେଟରୁ ଅବସର ନେବା ସମ୍ପର୍କରେ ଘୋଷଣା କରିଥିଲେ। ସେ ଲେଖିଥିଲେ, ଧଳା ଜର୍ସିକୁ ବିଦାୟ ଜଣାଉଛି, କିନ୍ତୁ ଏହା ସହ ଜଡ଼ିତ ସ୍ମୃତିକୁ କେବେ ବି ଭୁଲିପାରିବି ନାହିଁ। ପ୍ରଥମ ଥର ଭାରତୀୟ ଜର୍ସି ପିନ୍ଧିବା ସମୟରେ ମୋର କେବଳ ଗୋଟିଏ ସ୍ବପ୍ନ ଥିଲା- ଭାରତ ପାଇଁ କିଛି କରି ଦେଖାଇବା। ଏହା ପରେ ପ୍ରତ୍ୟେକ ଉଇକେଟ୍‌, ପ୍ରତ୍ୟେକ ସଂଘର୍ଷ, ପ୍ରତ୍ୟେକ ଆଘାତ ଏବଂ ପ୍ରତ୍ୟାବର୍ତ୍ତନ ମୋତେ କିଛି ନା କିଛି ଶିକ୍ଷା ଦେଇଛି।

ଭାରତୀୟ ବୋଲର୍‌ ଆହୁରି ଲେଖିଛନ୍ତି, ଟେଷ୍ଟ କ୍ରିକେଟ ମୋ ପାଇଁ କେବଳ ଏକ ଫର୍ମାଟ ନୁହେଁ, ବରଂ ମୋ ଜୀବନର ଏକ ଅତ୍ୟନ୍ତ ବିଶେଷ ଅଂଶ ହୋଇ ରହିଛି। ଆଜି ଭାରାକ୍ରାନ୍ତ ହୃଦୟ ଏବଂ ଅସଂଖ୍ୟ ସୁନ୍ଦର ସ୍ମୃତି ସହ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଉଛି। ଏହି ଯାତ୍ରାରେ ମୋ ସହ ରହିଥିବା ପ୍ରତ୍ୟେକ ସାଥୀ ଖେଳାଳି, କୋଚ୍‌, ପରିବାର ଏବଂ କୋଟି କୋଟି ଭାରତୀୟଙ୍କୁ ହୃଦୟରୁ ଧନ୍ୟବାଦ। ଭଲ ଓ ଖରାପ ସମୟରେ ମୋ ଉପରେ ଭରସା ରଖିଥିବାରୁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ।

Dharitri – Odisha’s No.1 Odia Daily

Share