ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି ଏକ ଆର୍ଥିକ ମଞ୍ଚ ଯେଉଁଠାରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ଶେୟାର ବା ଅଂଶଧନ କ୍ରୟ ବିକ୍ରୟ କରାଯାଏ। ଜଣେ ବ୍ୟକ୍ତି ଯେ କୌଣସି କମ୍ପାନୀର ଶେୟାର କିଣିଲେ ସେ ସେହି କମ୍ପାନୀର ଆଂଶିକ ମାଲିକ ହୋଇଯାଏ।
ଶେୟାର ବଜାର ଦେଶର ଅର୍ଥନୀତିର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା କମ୍ପାନୀଗୁଡ଼ିକୁ ପୁଞ୍ଜି ସଂଗ୍ରହ କରିବାର ସୁଯୋଗ ପ୍ରଦାନ କରିଥାଏ। ବର୍ତ୍ତମାନ ଡିଜିଟାଲ ପ୍ରଯୁକ୍ତିର ବିକାଶ ଏବଂ ଆର୍ଥିକ ସଚେତନତା ବୃଦ୍ଧି ଯୋଗୁ ଅନେକ ଲକ୍ଷ ଭାରତୀୟ; ବିଶେଷ କରି ଯୁବପିଢ଼ି ଶେୟାର ବଜାରରେ ସେମାନଙ୍କ ସଞ୍ଚତ୍ତ ପୁଞ୍ଜି ନିବେଶ କରୁଛନ୍ତି।
କେବଳ ମହାନଗର ନୁହେଁ, ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳର ଯୁବକମାନେ ମଧ୍ୟ ଆଜି ମୋବାଇଲ୍‌ ଫୋନ୍‌ ସହାୟତାରେ ଶେୟାର ବଜାରର ଉତ୍ଥାନ ପତନ ଉପରେ ଦୃଷ୍ଟି ରଖିଛନ୍ତି। ଏକ ସମୟରେ ଯେଉଁ ବଜାରକୁ କେବଳ ଶିଳ୍ପପତି ଓ ବଡ଼ ବଡ଼ ବ୍ୟବସାୟୀଙ୍କର କ୍ଷେତ୍ର ଭାବରେ ଦେଖା ଯାଉଥିଲା, ସେହି ବଜାର ଆଜି ସାଧାରଣ ଯୁବପିଢ଼ିଙ୍କର ଦୈନନ୍ଦିନର ଆଲୋଚନାର ବିଷୟ ହୋଇପଡ଼ିଛି।ଏହି ପରିବର୍ତ୍ତନକୁ କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଆର୍ଥିକ ପ୍ରବୃତ୍ତି ନ କହି ଏକ ନିର୍ଦ୍ଦିଷ୍ଟ ଯୁବ ସମାଜର ଆର୍ଥିକ ସଚେତନତା କହିଲେ ଠିକ୍‌ ହେବ।
ଆଜିର ଯୁବପିଢ଼ି ପାରମ୍ପରିକ ପାଠପଢ଼ା, ଚାକିରି ଏବଂ ଗତାନୁଗତିକ ଧାରାରେ ଅବସର ପରେ ପେନ୍‌ସନର ଜୀବନ ଦର୍ଶନରେ ସୀମିତ ରହିବାକୁ ଚାହୁଁ ନାହାନ୍ତି। ସେମାନେ ଆର୍ଥିକ ସ୍ବାଧୀନତା, ଅତିରିକ୍ତ ଆୟ ଓ ଶୀଘ୍ର ସଫଳତାର ଅନ୍ବେଷଣରେ ଅଛନ୍ତି। ଦେଶରେ ମହଙ୍ଗା, ବେକାରି ଓ ସାଧାରଣ ଚାକିରି କ୍ଷେତ୍ରରେ ଅନିଶ୍ଚିତତା ସେମାନଙ୍କୁ ନୂତନ ଆର୍ଥିକ ମାର୍ଗ ଖୋଜିବାକୁ ବାଧ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ଶେୟାର ବଜାର ସେମାନଙ୍କ ପାଇଁ ଏକ ସମ୍ଭାବନାର ମାର୍ଗ ଭାବରେ ଦେଖା ଯାଉଛି। ଫଳରେ ଶିକ୍ଷିତ ଯୁବପଢ଼ିଙ୍କ ମଧ୍ୟରେ ଆର୍ଥିକ ସଚେତନତା ବୃଦ୍ଧି ପାଉଛି। ବର୍ତ୍ତମାନ ଏହି ସବୁ ବିଷୟରେ ଅବଗତ ହୋଇ ଗ୍ରାମୀଣ ସ୍ବଳ୍ପଶିକ୍ଷିତ ସାଧାରଣ ଯୁବକମାନେ ମଧ୍ୟ ବିଭିନ୍ନ ପ୍ରକାର ଦୀର୍ଘମିଆଦୀ ନିବେଶର ତାତ୍ପର୍ଯ୍ୟ ବୁଝିବା ଆରମ୍ଭ କଲେଣି। ଏ ପ୍ରକାର ମାନସିକତା ନିଶ୍ଚିତମତେ ଏକ ସୁସ୍ଥ ଆର୍ଥିକ ସମାଜ ଗଠନର ପ୍ରତୀକ।
ଯେତେବେଳେ ସାଧାରଣ ନିବେଶକ ଏକ ଭଲ କମ୍ପାନୀରେ ଦୀର୍ଘ ମିଆଦୀ ନିବେଶ କରନ୍ତି, ସେହି ଟଙ୍କା ଦେଶର ଶିଳ୍ପ ଉତ୍ପାଦନ ଓ ଅର୍ଥନୀତିର ବିକାଶକୁ ତ୍ୱରାନ୍ବିତ କରେ। କମ୍ପାନୀ ପୁଞ୍ଜି ପାଏ। ନୂତନ କାରଖାନା ଗଢ଼େ। ନିଯୁକ୍ତି ସୃଷ୍ଟି କରେ ଓ ଦେଶର ସାମଗ୍ରିକ ଘରୋଇ ଉତ୍ପାଦ (ଜିଡପି)ବୃଦ୍ଧି କରିବାରେ ସହାୟକ ହୁଏ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆଜିର ଅନେକ ଯୁବକ ପ୍ରତିଦିନ ଟ୍ରେଡର ଭାବରେ ବଜାରକୁ ପ୍ରବେଶ କରୁଛନ୍ତି। ସେମାନେ ବଜାର ବିଷୟରେ ପ୍ରକୃତ ଅଧ୍ୟୟନ ନ କରି ନିଜ ସଞ୍ଚୟର ଜମା ପୁଞ୍ଜିରେ ବିଭିନ୍ନ କମ୍ପାନୀର ଅଂଶଧନ କ୍ରୟ କରି କ୍ଷତିଗ୍ରସ୍ତ ହୁଅନ୍ତି। ଯୁବପିଢ଼ି ମଧ୍ୟରେ ଅତ୍ୟଧିକ ଆର୍ଥିକ କ୍ଷତି ସେମାନଙ୍କୁ ମାନସିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ କରିଦିଏ। ଏହାର ପରିଣାମ ସ୍ବରୂପ ସେମାନେ କୁସଙ୍ଗରେ ପଡ଼ି ଅସହ୍ୟ ଉପାୟରେ ଅର୍ଥୋପାର୍ଜନ ପାଇଁ ଚେଷ୍ଟା କରନ୍ତି। ତେଣୁ ଶେୟାର ବଜାରରେ ପ୍ରବେଶ କରିବା ପାଇଁ ଏ ସମ୍ବନ୍ଧୀୟ ଜ୍ଞାନ ସହିତ ଧୈର୍ଯ୍ୟ ଓ ଶୃଙ୍ଖଳା ଆବଶ୍ୟକ। ଦୈନିକ କିଣାବିକା ବା ଅଳ୍ପଦିନ ଅବଧିର ଲାଭ ଦେଶର ଉତ୍ପାଦନ ବା ଶିଳ୍ପ ଅଭିବୃଦ୍ଧିରେ କୌଣସି ପ୍ରକାରର ସାହାଯ୍ୟ କରେନାହିଁ।
ଯଦି ଯୁବଶକ୍ତି ବୈଷୟିକ ଗବେଷଣା, ବିଜ୍ଞାନ, ଉଦ୍ୟୋଗ, କୃଷି ଓ ପ୍ରଯୁକ୍ତି ବିଦ୍ୟାରେ ସମୟ ନ ଦେଇ କେବଳ ଦୈନିକ କ୍ରୟ ବିକ୍ରୟରେ ଆକର୍ଷିତ ହେବେ ତେବେ ଦୀର୍ଘଦିନ ପରେ ଏହା ଦେଶର ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପକାଇପାରେ। ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ। ଶେୟାର ବଜାର ମାଧ୍ୟମରେ ସହଜ ଓ ସରଳ ଉପାୟରେ ଅର୍ଥ ଉପାର୍ଜନ କଲେ ଦେଶର ଯୁବପିଢ଼ି ଆର୍ଥିକ କ୍ଷେତ୍ରରେ ମଜଭୁତ ହୋଇପାରିବେ। କୌଣସି ଏକ ଦେଶ ଶେୟାର ବଜାରରେ କେବଳ କମ୍ପାନୀର ଅଂଶଧନ କ୍ରୟ ବିକ୍ରୟ ଦ୍ୱାରା ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ହୋଇ ପାରେ ନାହିଁ। ଉତ୍ପାଦକ ଶ୍ରମ, ବିଭିନ୍ନ ଗବେଷଣା, ଶିଳ୍ପ ଓ କୃଷିର ପ୍ରଗତି ମାଧ୍ୟମରେ ଦେଶ ଶକ୍ତିଶାଳୀ ହୁଏ।
ବାସ୍ତବରେ ଦେଖିବାକୁ ଗଲେ ଆଜିର ଯୁବପିଢ଼ି ବିଶେଷତଃ ଶିକ୍ଷିତ ଓ ରୋଜଗାର ଯୁବପିଢ଼ି ଶେୟାର ବଜାରକୁ ସହଜରେ ଧନୀ ହେବାର ଏକ ମାଧ୍ୟମ ମନେକରନ୍ତି। ବଜାରର ପ୍ରତ୍ୟେକ ଉତ୍ଥାନ ପଛରେ ଯେପରି ଏକ ସୁଯୋଗ ଲୁକ୍କାୟିତ ଥାଏ, ସେହିପରି ପ୍ରତ୍ୟେକ ପତନ ପଛରେ ଥାଏ ଏକ ନିର୍ଦ୍ଦିଷ୍ଟ ବଜାର ଆପଦ। ଯାହା କେବଳ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ନୁହେଁ, ସମଗ୍ର ବଜାରକୁ ପ୍ରଭାବିତ କରିଥାଏ। ଶେୟାର ବଜାର କେବେହେଲେ ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁ ପ୍ରଭାବିତ ହୁଏ ନାହିଁ। ଏହା ଦେଶର ଅର୍ଥନୀତି, ରାଜନୈତିକ ପରିସ୍ଥିତି ଏବଂ ସର୍ବୋପରି ନିବେଶକଙ୍କ ମନୋବିଜ୍ଞାନର ସମ୍ମିଳିତ ପ୍ରତିଫଳନ ସହିତ ଗଭୀର ଭାବରେ ଜଡ଼ିତ।
ଯେତେବେଳେ ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଏ, ସେତେବେଳେ ବିଦେଶୀ ସଂସ୍ଥାଗତ ନିବେଶକମାନେ ସେମାନଙ୍କ ନିବେଶ ବୃଦ୍ଧି କରନ୍ତି। ସେତେବେଳେ ବି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ପାଇଯାଏ। କମ୍ପାନୀଗୁଡ଼ିକର ଲାଭ ବୃଦ୍ଧି ପାଏ। ଅନ୍ୟ ପକ୍ଷରେ ଦେଶର ଆର୍ଥିକ ମନ୍ଥରତା ଦେଖାଦେଲେ ତାହା ବଜାରକୁ ଅନିଶ୍ଚିତତା ଆଡ଼କୁ ଠେଲିଦିଏ। ସୁଧ ହାର ଓ ମୁଦ୍ରାସ୍ଫୀତି ବଜାରର ଆଉ ଦୁଇଟି ମୁଖ୍ୟ ନିର୍ଣ୍ଣାୟକ। ବଜାରରେ ସୁଧ ହାର ବୃଦ୍ଧି ପାଇଲେ ଋଣ ମହଙ୍ଗା ହେବା ସହିତ ବ୍ୟବସାୟର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଏ ଏବଂ ନିବେଶ ମନ୍ଥର ହୁଏ।
ପରିଶେଷରେ ଏତିକି କୁହାଯାଇପାରେ ଯେ, ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହି ଇଞ୍ଜିନ ଠିକ୍‌ ଭାବରେ ଚାଲିଲେ ଦେଶର ଆର୍ଥିକ ପ୍ରଗତି ସମ୍ଭବ ହୋଇପାରିବ। ଏହି ଇଞ୍ଜିନକୁ ଠିକ୍‌ ଭାବରେ ଚଳାଇବାର ମୁଖ୍ୟ ଦାୟିତ୍ୱ ହେଉଛି, ଆମ ଦେଶର ଶିକ୍ଷିତ ଯୁବପିଢ଼ିର, ଯେଉଁମାନଙ୍କ ହାତରେ ଦେଶର ଭବିଷ୍ୟତ ନିର୍ଭରଶୀଳ।

ପ୍ରମୋଦ କୁମାର ମିଶ୍ର
ସମ୍ବଲପୁର
ମୋ: ୯୪୩୭୪୨୦୫୪୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?