Categories: ଖେଳ

ଯୁବ ବକ୍ସିଂ ଚାମ୍ପିୟନଶିପ: କ୍ୱାର୍ଟରରେ ଅରୁନ୍ଧତି, ବେବିରୋଜିସାନା

ନୂଆଦିଲ୍ଲୀ,୧୭।୪(ପି.ଟି.): ପୋଲାଣ୍ଡର କିଏଲ୍‌ସିଠାରେ ପୁରୁଷ ଓ ମହିଳାଙ୍କୁ ନେଇ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ପଦକ ବିଜୟିନୀ ଅରୁନ୍ଧତି ଚୌଧୁରୀ ୬୯ କେ.ଜି. ବର୍ଗରେ ଓ ବେବିରୋଜିସାନା ଚାନୁ ୫୧ କେ.ଜି. ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଅନ୍ୟ ୩ଜଣ ଭାରତୀୟ ବକ୍ସର ମଧ୍ୟ ପ୍ରାରମ୍ଭିକ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ତେବେ ୫୨ କେ.ଜି. ବର୍ଗରେ ବିକାଶ ଓ ୫୪ କେ.ଜି. ବର୍ଗରେ ଅର୍ଶୀ ଖାଁ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।
ଅରୁନ୍ଧତି ଓ ଚାନୁଙ୍କୁ ବାଦ୍‌ ଦେଲେ ୬୦ କେ.ଜି. ବର୍ଗରେ ଆକାଶ ଗୋର୍ଖା, ୬୯ କେ.ଜି. ବର୍ଗରେ ସୁମିତ ଓ ୪୮ କେ.ଜି. ବର୍ଗରେ ଗୀତିକା ବିଜୟୀ ହୋଇଛନ୍ତି। ଖେଲୋ ଇଣ୍ଡିଆ ଗେମ୍ସରେ ୩ଥର ସ୍ବର୍ଣ୍ଣ ପଦକ ଜିତିଥିବା ଅରୁନ୍ଧତି କଲମ୍ବିଆର ଡେୟାନେଇରା କାସାସ ଜେରେଜଙ୍କୁ ୫-୦ରେ ପରାସ୍ତ କରିଛନ୍ତି। କ୍ୱାର୍ଟରରେ ସେ ୟୁକ୍ରେନ୍‌ର ଆନା ସେଜକୋଙ୍କୁ ଭେଟିବେ। ସେହିପରି ଇମ୍ଫାଲସ୍ଥିତ ଏମ୍‌ସି ମେରିକମ ଏକାଡେମୀର ପ୍ରତିଭା ଚାନୁ ଇସ୍ତୋନିଆର ଗୋରିସନାଜାଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି।
ପୁରୁଷ ବିଭାଗରେ ଆକାଶ ୫-୦ରେ ଜର୍ମାନୀର ଏନ୍‌ରିକୋ କ୍ଲିସ୍କଙ୍କୁ ହରାଇଥିବା ବେଳେ ସୁମିତ ଭେନେଜୁଏଲାର ରାଫାଏଲ ଆଣ୍ଟୋନିଓ ପେରଡୋମୋଙ୍କୁ ମାତ୍ର ୫ ମିନିଟ ମଧ୍ୟରେ ପରାସ୍ତ କରିଥିଲେ। ଆକାଶ ଏବେ ମଙ୍ଗୋଲିଆର ଜାନ- ଏରଡେନ ଗାନବାତାରଙ୍କୁ କ୍ୱାର୍ଟରରେ ଭେଟିବେ। ସେହିପରି ସୁମିତ ସ୍ଲୋଭାକିଆର ଲାଡିସ୍ଲାଭ ହୋରଭାଥଙ୍କୁ ଭେଟିବେ। ଗୀତିକା ରୁଷିଆର ଡାଏନା ଏରମାକୋଭାଙ୍କୁ ହରାଇଛନ୍ତି। ସେ ଏବେ କାଜାଖସ୍ତାନର ଆରାଇଲି ମାରାତଙ୍କୁ ଦ୍ୱିତୀୟ ରାଉଣ୍ଡରେ ଭେଟିବେ। ତେବେ ବିକାଶ ୧-୪ରେ ମଙ୍ଗୋଲିଆର ସୁଖବାତ୍‌ ଏନ୍‌ଖଜୋରିଟଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ଅର୍ଶୀ ମଧ୍ୟ ୧-୪ରେ ଉଜ୍‌ବେକିସ୍ତାନର ନିଗିନା ଉକ୍ତାମୋଭାଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହି ଇଭେଣ୍ଟରେ ୫୨ଟି ଦେଶରୁ ୪୧୪ ବକ୍ସର ଅଂଶଗ୍ରହଣ କରିଛନ୍ତି। ୧୦ ଜଣ ଲେଖାଏ ପୁରୁଷ ଓ ମହିଳାଙ୍କୁ ନେଇ ଏକ ୨୦ ଜଣିଆ ଭାରତୀୟ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛି।

Share