ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ହତ୍ୟା

ଭଦ୍ରକ, ୨୫ା୧(ସନାତନ ରାଉତ): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଚିଙ୍ଗିଡ଼ିପୁରସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକ ହେଲେ ଯାଜପୁର ଜିଲା ସଦର ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ବ୍ରାହ୍ମଣବଚ୍ଛ ଗ୍ରାମର କେଦାର ପରିଡ଼ା। ଅତ୍ୟଧିକ ମାଡ଼ କାରଣରୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି।

କେଦାରଙ୍କୁ ନିଶା ନିବାରଣ ପାଇଁ ପରିବାର ଲୋକେ ଜାନୁଆରୀ ୪ ତାରିଖରେ ଉକ୍ତ କେନ୍ଦ୍ରରେ ଛାଡ଼ିଥିଲେ। ମଙ୍ଗଳବାର ସନ୍ଧ୍ୟାରେ କେଦାରଙ୍କ ଦେହ ଅସୁସ୍ଥ ଅଛି ବୋଲି କେନ୍ଦ୍ର ପକ୍ଷରୁ ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ଜଣାଯାଇଥିଲ। କିଛି ସମୟ ପରେ ଭଦ୍ରକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। କେଦାରଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ସହ ପ୍ରବଳ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବଡଭାଇ ସୁଦର୍ଶନ ଧାମନଗର ଥାନାରେ ଏତଲା ଦେଇଛନ୍ତି। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ଧାମନଗର ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଧାମନଗର ଏସ୍‌ଡିପିଓ ରମେଶ ସିଂ କହିଛନ୍ତି, ମାମଲା(ନଂ.୪୫/୨୪) ରୁଜୁ ହୋଇଛି। ନିଶା ନିବାରଣ କେନ୍ଦ୍ରର ଇନ୍‌ଚାର୍ଜଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଛି। ଏହାସହ ନିଶା ନିବାରଣ କେନ୍ଦ୍ରରେ ଥିବା ଅନ୍ୟ ଅନ୍ତେବାସୀଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଛି।