ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ବାଲିଗୁଡା,୨୬।୨(ସଞ୍ଜୟ କୁମାର ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ବାଲିଗୁଡ଼ା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଧୀନ ପାଙ୍ଗାପଡ଼ା ଗ୍ରାମର ସପନ ପାଟ୍ଟମାଝୀ।

ଅଭିଯୋଗ ମୁତାବକ, ସପନ ଘର ନିର୍ମାଣ କାମ କରିବାକୁ ଗୁମୁଡୁମାହାରୁ ଯାଇଥିଲେ। ସେଠାରେ ଜଣେ ୧୭ ବର୍ଷିୟ ନାବାଳିକାଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା। ହେଲେ ଡିସେମ୍ବର ୨୬ ତାରିଖରେ ସପନ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ପରେ ନାବାଳିକାଙ୍କୁ ବଳାତ୍କାର କରି ବାଲିଗୁଡ଼ାରେ ଆଣି ଛାଡ଼ି ଚାଲିଯାଇଥିଲେ। ପୀଡିତା ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ବାଲିଗୁଡ଼ା ଥାନାରେ ଏକ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ବାଲିଗୁଡ଼ା ଥାନା ପୋଲିସ ଧାରା ୩୭୬(୧), ୩୬୩, ୫୦୬ ଓ ଆଇପିସି ୬ ପୋକ୍ସୋ ଦଫା ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ପାଙ୍ଗାପଡ଼ା ଗ୍ରାମରୁ ଅଭିଯୁକ୍ତ ସପନଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ପ୍ରକାଶ କରିଛନ୍ତି।