ତୁମ ଭାରତ ମହାନ୍‌

ଅଧ୍ୟାପକ ନିରଞ୍ଜନ ପାଢ଼ୀ

କେଇଦିନ ତଳେ ଅମୃତ ମହୋତ୍ସବର ଅମୃତ ଲଗ୍ନରେ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କରିଥିବା ସମ୍ବୋଧନ ଯେଉଁମାନେ ଶୁଣିଥିବେ, ସେମାନେ ଜାଣିଥିବେ ସମଗ୍ର ବିଶ୍ୱର ସବୁ ଦେଶ ତୁଳନାରେ ଭାରତବର୍ଷ କେମିତି ଭିନ୍ନ ଓ ଅନନ୍ୟ। ତେବେ କେବଳ ଆମ ପ୍ରଧାନମନ୍ତ୍ରୀ କାହିଁକି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତ ପ୍ରତିକ୍ଷଣରେ ଅନୁଚ୍ଚାରିତ ଭାବେ ଝରି ପଡ଼ିଥାଏ ଯେଉଁ ତିନିଟି ଶବ୍ଦର ଅମୃତମୟ ଆବେଦନ, ତାହା ହେଉଛି- ମେରା ଭାରତ ମହାନ୍‌୍‌। ନିଜ ଗର୍ଭରୁ ଜନ୍ମ ନେଇଥିବା ଶିଶୁଟି ଯେତେ କୁତ୍ସିତ କଦାକାର ହେଲେ ବି ସେ ଯେମିତି ମା’ ପାଇଁ ଜଗତର ସୁନ୍ଦରତମ ସୃଷ୍ଟି, ସେମିତି ଯାବତୀୟ ସ୍ଖଳନ ସତ୍ତ୍ୱେ ବି ଜଣେ ମା’ ତା’ ସନ୍ତାନ ପାଇଁ ଚିରକାଳ ଅନନ୍ୟା। ସୁତରାଂ, ‘ମୋ ଭାରତ ମହାନ୍‌୍‌’ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ବତଃସ୍ପୂର୍ତ୍ତ ସ୍ବାଭାବିକ ଉଚ୍ଚାରଣ। ଅବଶ୍ୟ ଏ କଥା ଭିନ୍ନ ଯେ ନିଜ ଜନ୍ମଦାତ୍ରୀଙ୍କ ମହନୀୟ ତ୍ୟାଗକୁ ବିସ୍ମରି ଯାଇ ବୃଦ୍ଧାବସ୍ଥାରେ ତାଙ୍କୁ ପରିତ୍ୟାଗ କରୁଥିବା କିଛି କୁଳାଙ୍ଗାର ସନ୍ତାନଙ୍କ ପରି ନିଜ ଜନ୍ମଭୂମିର ଛାତି ଉପରେ ଛିଡ଼ା ହୋଇ ସବୁଯାକ ପ୍ରତିଷ୍ଠା ଓ ପ୍ରତିପତ୍ତି ଅର୍ଜନ କଲାପରେ କିଛି ଭାରତୀୟ ଏ କଥା କହିବାକୁ ପଛାନ୍ତି ନାହିଁ- ”ଏ ଦେଶରେ ଅସହିଷ୍ଣୁତା ଯେମିତି ବଢ଼ି ଚାଲିଛି, ତହିଁରେ ଏ ଦେଶ ଛାଡ଼ି ଅନ୍ୟ ଦେଶରେ ରହିବାକୁ ମୋ ପତ୍ନୀ କହୁଛି।“
ତେବେ ନିଜ ମାଆଙ୍କୁ ନିଜେ ମହାନ୍‌୍‌ କହିଲେ ଯେଉଁ ସୁଖ ନ ଥାଏ, ତା’ଠାରୁ କାହିଁ କେତେ ଅଧିକ ଖୁସି ମିଳେ ଯେତେବେଳେ ଅନ୍ୟ କେହି କହନ୍ତି-”ତୁମ ଭାରତ ମହାନ୍‌୍‌’। ଠିକ୍‌ ସେଦିନର ସେଇ ଦିଗ୍‌ବିଜୟୀ ଆଲେକ୍‌ଜାଣ୍ଡାର ଏଇ ଭୂମିର ଅନ୍ୟତମ ଶାସକ ପୁରୁଙ୍କୁ ପରାସ୍ତ କରି ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଓ ଜାତୀୟତାବୋଧ ନିକଟରେ ମଥାନତ କରି କହିଥିଲେ, ”ଆପଣଙ୍କ ଭାରତ ମହାନ୍‌୍‌“। ଏହାର ବହୁବର୍ଷ ପରେ ସ୍ବାମୀ ବିବେକାନନ୍ଦ ଚିକାଗୋ ଧର୍ମ ମହାସଭାରେ ବିଶ୍ୱର ବହୁ ପ୍ରାଜ୍ଞପ୍ରବୁଦ୍ଧଙ୍କ ଆଗରେ ଧର୍ମର ଯେଉଁ ଭିନ୍ନ ପରିଭାଷା ପେସ୍‌ କରିଥିଲେ, ତାହା ପ୍ରତ୍ୟକ୍ଷ କରି ଅବଶିଷ୍ଟ ବିଶ୍ୱ ଏକ ସଙ୍ଗେ ଗାଇ ଉଠିଥିଲା- ‘ତୁମ ଭାରତ ମହାନ୍‌୍‌’। ପ୍ରକୃତରେ ନିଜ ମା’ ହେଉ କି ମାତୃଭୂମି, ଏ ଦୁହିଁଙ୍କର ପ୍ରଶଂସା ଅନ୍ୟ ମୁହଁରୁ ଶୁଣିଲେ ସନ୍ତାନର କର୍ଣ୍ଣ ମନ ଧନ୍ୟ ହୋଇଯାଏ।
ଅଥଚ ଅନ୍ୟପକ୍ଷରେ ନିଜ ଜନନୀ ଓ ଜନ୍ମଭୂମିଙ୍କ ନିନ୍ଦାଗାନ କାନରେ ପଡ଼ିଲେ କେମିତି ହୁଅନ୍ତା କାହାର ଅନୁଭବ! କେଇଦିନ ତଳେ ଚାଇନା ଓ ତାଇଓ୍ବାନ୍‌ର ସମ୍ପର୍କ ତିକ୍ତ ହୋଇଥିଲା। ଦୁଇଦେଶର ପ୍ରେକ୍ଷାପଟରେ ଭାରତର ସମ୍ଭାବ୍ୟ ଭୂମିକାକୁ ନେଇ ଏକ ସଙ୍କେତଧର୍ମୀ ଆଲେଖ୍ୟ ଘୂରି ବୁଲୁଥିଲା ସାମାଜିକ ଗଣମାଧ୍ୟମରେ। ଆଲେଖ୍ୟଟିର ଅନ୍ତର୍ନିହିତ ବାର୍ତ୍ତା ଥିଲା ଚିନ୍ତା ଉଦ୍ରେକକାରୀ। କର୍ମନିଯୁକ୍ତି ପାଇଁ ତାଇଓ୍ବାନ୍‌ରେ ରହୁଥିବା ଜଣେ ଭାରତୀୟ ଯୁବକ ଲକ୍ଷ୍ୟ କଲେ ଯେ ତାଇଓ୍ବାନ୍‌ ନାଗରିକଙ୍କର ଭାରତୀୟମାନଙ୍କ ପାଇଁ ଭଲ ଧାରଣା ନାହିଁ, ଶ୍ରଦ୍ଧା ବା ସମ୍ମାନ ତ ଦୂରର କଥା। ସେ ଏହାର କାରଣ ଜାଣିବାକୁ ବ୍ୟଗ୍ର ହୋଇ ଉଠିଲେ। ବହୁଦିନ ଚେଷ୍ଟା କରି ବିଫଳ ହେଲା ପରେ ଶେଷରେ ତାଙ୍କର ଜଣେ ତାଇଓ୍ବାନ୍‌ ସହକର୍ମୀଙ୍କ ସହ ଘନିଷ୍ଠ ହୋଇ ଯାହା ଜାଣିଲେ, ତାହା ଏତେ ଯୁକ୍ତିଯୁକ୍ତ ଥିଲା ଯେ ସେହି ଅବଧାରଣାକୁ ପ୍ରତିହତ କରିବା ଥିଲା ତାଙ୍କ ପାଇଁ ସାଧ୍ୟାତୀତ। ”ଯେଉଁ ଦେଶର ବତିଶ କୋଟି ଜନତାଙ୍କୁ ମାତ୍ର ଦଶ ହଜାର ବ୍ରିଟିଶର୍‌ ଦୁଇଶହ ବର୍ଷ ଯାଏଁ ଶାସନ କରିପାରନ୍ତି, ପୁଣି ଜେନେରାଲ ଡାୟରଙ୍କ ପରି ଜଣେ ଫିରିଙ୍ଗୀ କମାଣ୍ଡରଙ୍କ ଆଦେଶରେ ଫିରିଙ୍ଗୀ ସେନାରେ କର୍ମରତ ଶହେଜଣ ଭାରତୀୟ ସୈନ୍ୟ ଗୁଳି ମାରି ତେରଶହ ନିରସ୍ତ୍ର ଭାରତୀୟଙ୍କୁ ହତ୍ୟା କରିପାରନ୍ତି ଓ ମୋଗଲ ଶାସନ କାଳରେ ଛୋଟ ଚାକିରି ଓ କିଛି ଟଙ୍କା ବିନିମୟରେ ନିଜ ଧର୍ମ ପରିବର୍ତ୍ତନ କରିପାରନ୍ତି, ସେଭଳି ଦେଶ ଓ ତାହାର ନାଗରିକମାନଙ୍କ ପାଇଁ ଆମ ଦେଶର ବା ଆମ ନାଗରିକମାନଙ୍କର ସାମାନ୍ୟ ସମ୍ମାନ ନାହିଁ।“ ନିଜ ଦେଶ ବିରୋଧରେ କି ନିଷ୍ଠୁର ସତ୍ୟର ନିର୍ମମ ଅବତାରଣା! ଅଥଚ ଏହା ଅତିରଞ୍ଜିତ ବା ଅସତ୍ୟ ନୁହେଁ ଯେ, ଏହାକୁ ସେକାଳର ବା ଏକାଳର କୌଣସି ଦେଶପ୍ରେମୀ ଭାରତୀୟ ପ୍ରତିବାଦ ବା ପ୍ରତିହତ କରିବେ, କରିପାରିବେ!
ନାଗରିକମାନଙ୍କ ଗଣ ଚରିତ୍ର ନୁହେଁ, ଜଣେ ନାଗରିକଙ୍କର ଚରିତ୍ର ମଧ୍ୟ ଗୋଟିଏ ଦେଶର କପାଳରେ କଳାର କାଳିମା ବୋଳି ଦେଇପାରେ। ଏ ସମ୍ପର୍କରେ ଏକ ବଳିଷ୍ଠ ଦୃଷ୍ଟାନ୍ତ। ଜଣେ ହଙ୍ଗେରୀ ନାଗରିକ ଭାରତ ପରିଭ୍ରମଣରେ ଆସି ଦିନେ ଏକ ଦାମିକା ସାଇକେଲରେ ଭୁବନେଶ୍ୱରରୁ ପୁରୀ ଯାଉଥିଲା ବେଳେ ଅଚାନକ ତାଙ୍କ ସାଇକେଲଟିରୁ ପବନ ବାହାରିଗଲା। ସେ ଚାଲି ଚାଲି ଆଗକୁ ବଢ଼ୁଥିଲା ବେଳେ ଜଣେ ଅଳ୍ପ ପଢ଼ୁଆ ସ୍ଥାନୀୟ ଯୁବକ ତାଙ୍କ ସମସ୍ୟା ବୁଝିଲା ଓ ନିକଟରେ ଥିବା ତାଙ୍କ ଘରକୁ ଯାଇ ସାଇକେଲରେ ପବନ ଭରିଦେବା ପାଇଁ ପ୍ରସ୍ତାବ ବାଢ଼ିଲା। ମୁଖ୍ୟ ରାସ୍ତାରୁ ବାଟ ଭାଙ୍ଗି ଯୁବକଟି ସହ ତାଙ୍କ ଗଁା ଆଡ଼କୁ ମୁହଁାଇଲେ ବିଦେଶୀ। ଗଁା ଭିତରେ ଗୋଟିଏ ଘର ପିଣ୍ଡାରେ ବିଦେଶୀଙ୍କୁ ବସାଇ ସେ ଘର ପଛକୁ ସାଇକେଲ ନେଇ ପମ୍ପ୍‌ ଦେବାକୁ ଗଲା ଯେ ଗଲାପୁତ୍ର ଆଉ ବାହୁଡ଼ି ନ ଆସିଲା। ଦୀର୍ଘ ଚାରିଘଣ୍ଟା ଅପେକ୍ଷା କରି ନିଜ ସାଇକେଲଟିକୁ ଫେରି ପାଇବାର କୌଣସି ସମ୍ଭାବନା ନ ଦେଖି ସେ ମୁଖ୍ୟ ରାସ୍ତାକୁ ଫେରିଆସିଲେ ଓ ଜଣେ ବୟସ୍କ ଉଚ୍ଚଶିକ୍ଷିତ ଓଡ଼ିଆଙ୍କ ନିକଟରେ ନିଜର ଦୁର୍ଦ୍ଦଶା ବଖାଣି ପଚାରୁଥିଲେ- ”ଇଜ୍‌ ଦିସ୍‌ ଇଓର ଇଣ୍ଡିଆ?“ ପ୍ରଶ୍ନଟିଏ ତ ନୁହେଁ, ପ୍ରତ୍ୟେକ ଭାରତୀୟଙ୍କ ଛାତିରେ ହାତୁଡ଼ିର ପ୍ରଚଣ୍ଡ ପ୍ରହାର ଯେମିତି!
ଆମରି ମାଟିରେ ସେମିତି ଆଉ ଏକ କଥା। ନେଦରଲାଣ୍ଡର ବାସିନ୍ଦା ପତ୍ନୀପତି ଦୁହେଁ ଭାରତ ଭ୍ରମଣରେ ଆସି ଓଡ଼ିଶାର ଏକ ଗ୍ରାମ୍ୟ ମେଳା ବୁଲି ଦେଖୁଥିଲା ବେଳେ କେହି ଦୁର୍ବୃତ୍ତ ତାଙ୍କ ମୋଟରସାଇକେଲରୁ ସବୁତକ ତେଲ ଚୋରାଇ ନେଇଥିଲା। ମେଳାସ୍ଥଳରୁ ପ୍ରାୟ ଛଅକିମି ଚାଲି ଚାଲି ଆସି ନିକଟସ୍ଥ ଛୋଟ ସହରର ପେଟ୍ରୋଲ ଟାଙ୍କିରେ ପହଞ୍ଚତ୍ ଦେଖିଲେ ଟାଙ୍କିରେ ତେଲ ନାହିଁ। ବିବ୍ରତ ବିଦେଶୀ ଦମ୍ପତି ସେଇ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଭେଟି ତାଙ୍କ ସହାୟତା ଲୋଡ଼ିବାରୁ ସେ କଳାବଜାରରେ ପେଟ୍ରୋଲ ବିକୁଥିବା ଜଣେ ଦୋକାନୀଠୁଁ ତେଲ କିଣିନେବାକୁ ପରାମର୍ଶ ଦେଲେ। ହଠାତ୍‌ ଗମ୍ଭୀର ହୋଇ ଉଠିଲେ ବିଦେଶୀ ଓ ପରବର୍ତ୍ତୀ ପେଟ୍ରୋଲ ଟାଙ୍କି ସେଠାରୁ କେତେ ଦୂର ବୋଲି ବ୍ୟବସାୟୀଙ୍କୁ ପଚାରିଲେ। ସେଠାରୁ ବାର କିମି ଶୁଣିଲା ପରେ ତାଙ୍କ ଜିମାରେ ବାଇକ୍‌ଟି ରଖି ହାତରେ ଗୋଟିଏ ଜାର୍‌ ଧରି ଅନ୍ୟ ଟାଙ୍କି ଉଦ୍ଦେଶ୍ୟରେ ପତ୍ନୀପତି ଦୁହେଁ ଚାଲିବାକୁ ଲାଗିଲେ; ଆଶ୍ଚର୍ଯ୍ୟ ଚକିତ ବ୍ୟବସାୟୀଙ୍କୁ ଏ କଥା କହି- ”କାହାରି ଉଚିତ ପ୍ରାପ୍ୟଠାରୁ ବେଶି ବା କମ୍‌ ନ ଦେବା ପାଇଁ ଆମ ଦେଶ ଆମକୁ ଶିକ୍ଷା ଦେଇଛି। ବିଦେଶ ମାଟିରେ ଏ ଶିକ୍ଷାର ଅବମାନନା କଲେ ଆମ ଦେଶର ଅସମ୍ମାନ ହେବନି? ଦେଶର ସମ୍ମାନ ଆଗରେ ଚବିଶ କିମି ଚାଲିବା କେଉଁ ବଡ଼କଥା ଯେ!“ ଆଶ୍ଚର୍ଯ୍ୟରେ ଆଖି ଯୋଡ଼ିକ ଖୋସି ହୋଇ ଯାଇଥିଲା ସେଦିନ ସେଇ ବ୍ୟବସାୟୀଙ୍କର। ତାଙ୍କ ପାଟିରୁ ବାହାରି ପଡ଼ିଥିଲା- ”କେତେ ମହାନ୍‌୍‌ ତୁମର ଦେଶ!“
‘ମୋ ଭାରତ ମହାନ୍‌୍‌’ ବୋଲି ଗଳା ଫଟାଇ ସ୍ଲୋଗାନ ଦେଲେ ଅବା ଇଟାବାଲି ବୋହୁଥିବା ଟ୍ରକ୍‌ ପଛରେ ବଡ଼ ବଡ଼ ଅକ୍ଷରରେ ଲେଖିଦେଲେ ଭାରତ ମହାନ୍‌ ହୋଇଯାଏ ନାହିଁ। ସେଥିପାଇଁ ଆମ ଦେଶର ପୁରୁ ଓ ବିବେକାନନ୍ଦଙ୍କ ପରି ବା ନେଦରଲାଣ୍ଡର ସେହି ଦମ୍ପତିଙ୍କ ପରି ନିଜକୁ ଗଢ଼ିବାକୁ ହୁଏ, ଯାହା ନିଜ ଢୋଲ ନିଜେ ପିଟିବା ବଦଳରେ ଆମକୁ ଦେଖି ବିଦେଶୀଏ କହନ୍ତେ- ‘ତୁମ ଭାରତ ମହାନ୍‌’!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri