ସ୍ଥାପତ୍ୟର ଅଗ୍ରଧାବିକା

ମାରିନା ତବସୁମ୍‌

ଘର, କାର୍ଯ୍ୟାଳୟ, ଷ୍ଟୁଡିଓଠାରୁ ଆରମ୍ଭ କରି ସର୍ବସାଧାରଣ ସୌଧ ନିର୍ମାଣ ଲାଗି ସ୍ଥପତିଙ୍କ ଉପସ୍ଥିତି ନିତାନ୍ତ ଜରୁରୀ। କେଉଁଠି ବାସ୍ତୁଶାସ୍ତ୍ର ଦେଖାଯାଇ ଏସବୁ ନିର୍ମାଣ ହେଉଛି ତ ଆଉ କେଉଁଠି ବିଶୁଦ୍ଧ ପରିବେଶ ଉପଯୋଗୀ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କେତେକ ସୃଜନଶୀଳ ସ୍ଥପତି ଅଛନ୍ତି ଯେଉଁମାନେ ଲାଭଖୋର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଜାବୁଡ଼ି ନ ଧରି ନୂଆ କିଛି ଭେଟି ଦେବାକୁ ଅହରହ ଚେଷ୍ଟା କରୁଛନ୍ତି। ବାଂଲାଦେଶର ମାରିନା ତବସୁମ୍‌ ଏଭଳି ଚେହେରାର ଜଣେ ବ୍ୟକ୍ତି, ଯିଏକି ପରିବେଶ ଓ ଜଳବାୟୁକୁ ଦୃଷ୍ଟିରେ ରଖି ନକ୍ସା ଆଙ୍କୁଛନ୍ତି। ତାଙ୍କ ସୃଜନାତ୍ମକ ପରିକଳ୍ପନାରେ ଗଢ଼ିଉଠୁଥିବା ସୌଧ ଅନ୍ତର୍ଜାତୀୟ ସ୍ତରର ଦୃଷ୍ଟି ଆକର୍ଷଣ କରିବାରୁ ପ୍ରଥମ ଦକ୍ଷିଣ ଏସୀୟ ଭାବେ ସେ ଲିସବନ୍‌ ଟ୍ରଏନାଲ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ସମକାଳୀନ ବିଷୟବସ୍ତୁ, ନିର୍ଦ୍ଦିଷ୍ଟ ସଂସ୍କୃତି ଓ ଭୌଗୋଳିକ ସ୍ଥିତିକୁ ଦେଖି ତବ୍‌ସୁମ୍‌ କାର୍ଯ୍ୟ ଜାରି ରଖିବା ତାଙ୍କ କ୍ୟାରିୟରକୁ ଅଧିକ ଆକର୍ଷଣୀୟ କରିପାରିଛି ବୋଲି ପୁରସ୍କାରର ବିଚାରକମଣ୍ଡଳୀ ଉକ୍ତ ସମ୍ମାନ ଘୋଷଣା କରିବା ଅବସରରେ ଏଭଳି ପ୍ରଶଂସାସୂଚକ ମନ୍ତବ୍ୟ ଦେଇଛନ୍ତି।
ମାରିନା ତବସୁମ୍‌ ୧୯୬୯ରେ ବାଂଲାଦେଶ ରାଜଧାନୀ ଢାକାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ବଙ୍ଗ ବିଭାଜନ ପରେ ୧୯୪୭ରେ ଢାକା ଚାଲିଯାଇଥିଲେ। ପିତା କର୍କଟ ରୋଗ ବିଶାରଦ ହୋଇଥିଲେ ହେଁ ଝିଅ ପିଲାଦିନୁ ଥିଲେ ସୃଜନମନସ୍କ। ହୋଲି କ୍ରସ୍‌ ଗର୍ଲସ ସ୍କୁଲ ଓ କଲେଜରୁ ସେ ପଢ଼ା ଶେଷ କରିବା ପରେ ୧୯୯୪ରେ ବାଂଲାଦେଶ ୟୁନିଭର୍ସିଟି ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲଜିରୁ ଆର୍କିଟେକ୍‌ଚରରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୯୫ରେ ସେ କାସେଫ୍‌ ଚୌଧୁରୀଙ୍କ ସହ ମିଶି ‘ଅର୍ବାନା’ ନାମରେ ଏକ ସ୍ଥାପତ୍ୟ ସଂସ୍ଥା ପ୍ରତିଷ୍ଠା କରିଥିଲେ। ୧୦ ବର୍ଷ ସେହିଠାରେ ବିଭିନ୍ନ ପ୍ରକାର ପ୍ରକଳ୍ପର ନକ୍ସା ଆଙ୍କିଥିଲେ । ଏହି ଦଶନ୍ଧି ଭିତରେ ସେ ଅର୍ଜନ କରିଥିବା ଅଭିଜ୍ଞତାକୁ ପାଥେୟ କରି ୨୦୦୫ରେ ନିଜସ୍ବ ଫାର୍ମ ଗଢ଼ିଲେ ଓ ତାହାର ନାମ ଦେଇଥିଲେ ‘ମାରିନା ତବସୁମ୍‌ ଆର୍କିଟେକ୍ଟସ’। ଏହାର ପ୍ରମୁଖ ସ୍ଥପତି ଭାବେ ସେ ନୂଆ ଧରଣର ପରିକଳ୍ପନା କରି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେଲେ। ତାଙ୍କ ସୃଜନାତ୍ମକ କାର୍ଯ୍ୟକୁ ଦେଖି ବାଂଲାଦେଶର ବିଆର୍‌ଏସି ବିଶ୍ୱବିଦ୍ୟାଳୟ ୨୦୦୫ରେ ତବ୍‌ସୁମ୍‌ଙ୍କୁ ଭିଜିଟିଂ ପ୍ରଫେସର ନିଯୁକ୍ତ କରିଥିଲା। ସେଠାରେ ସେ ସମକାଳୀନ ଦକ୍ଷିଣ ଏସୀୟ ସ୍ଥାପତ୍ୟ ଉପରେ ଛାତ୍ରୀଛାତ୍ରଙ୍କୁ ପଢ଼ାଇଲେ। ଢାକାସ୍ଥିତ ଅନ୍ୟତମ ଘରୋଇ ବିଶ୍ୱବିଦ୍ୟାଳୟ ‘ୟୁନିଭର୍ସିଟି ଅଫ୍‌ ଏସିଆ ପାସିଫିକ୍‌’ରେ ଅଣ୍ଡରଗ୍ରାଜୁଏଟ୍‌ ଷ୍ଟୁଡିଓ ପାଠ୍ୟକ୍ରମ ପଢ଼ାଇବା ସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ସମ୍ମିଳନୀରେ ସ୍ଥାପତ୍ୟ କଳା ଉପରେ ସନ୍ଦର୍ଭ ଉପସ୍ଥାପନ କରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସମ୍ମାନ ସ୍ବରୂପ ତାଙ୍କୁ ୨୦୧୫ରୁ ‘ବେଙ୍ଗଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆର୍କିଟେକ୍‌ଚର ଲାଣ୍ଡସ୍କେପ୍‌ସ ଆଣ୍ଡ୍‌ ସେଟଲ୍‌ମେଣ୍ଟସ’ ଏକାଡେମିକ୍‌ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ରଖାଯାଇଆସିଛି। ବାଂଲାଦେଶର ସିଭିଲ୍‌ ଏଭିଏଶନ ଅଥରିଟି (ସିଏଏ) କାର୍ଯ୍ୟ ଲାଗି ଭାରତର ଶ୍ରେଷ୍ଠ ସ୍ଥପତି ବିଜୟ ଜୈନଙ୍କୁ ନିମନ୍ତ୍ରଣ କରିବା ଲାଗି ୨୦୧୩ରେ ପ୍ରସ୍ତାବ ଦେଇ ସ୍ଥାପତ୍ୟ କଳା ପ୍ରତି ଥିବା ତାଙ୍କ ଗଭୀର ଅନୁରାଗକୁ ବ୍ୟକ୍ତ କରିଥିଲେ।
ତବସୁମ୍‌ ନୂଆ ପିଢ଼ିର ସ୍ଥାପତ୍ୟ ଭାବନାର ଅନ୍ୟତମ ପ୍ରମୁଖ ବିନ୍ଧାଣି। ସେ କହନ୍ତି ବଜାରଭିତ୍ତିକ ସୌଧ ପରିକଳ୍ପନାରେ କେବଳ ଲାଭଖୋର ମନୋବୃତ୍ତି ନୁହେଁ, ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନୁକୂଳ ହୋଇପାରୁଥିବା ପ୍ରକଳ୍ପକୁ ଛିଡ଼ା କରାଇପାରିଲେ ସ୍ଥପତିର ନକ୍ସା ବାସ୍ତବ ରୂପ ନେଇଥାଏ। ମଣିଷର ଜୀବନ୍ତ ଅଭ୍ୟାସ ଓ ଚାହିଦାକୁ ଦେଖି ପୁନଃଭାବନା ଜାଗ୍ରତ ହେବା ଆବଶ୍ୟକ। ବିଶ୍ୱକୁ ବଦଳାଇବା କ୍ଷେତ୍ରରେ ସୂକ୍ଷ୍ମ ପରିବର୍ତ୍ତନ ମୁଖ୍ୟ ହାତଯନ୍ତ୍ରଟି ମଧ୍ୟ ପାଲଟିଯାଇପାରେ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନକୁ ଦୃଷ୍ଟିରେ ରଖି ସ୍ଥପତିମାନେ ନିଜସ୍ବ ଚିନ୍ତା ଖଟାଇବା ଦରକାର। ପ୍ରତ୍ୟେକ ପ୍ରକଳ୍ପ ଲାଗି ପ୍ରଚୁର ଗବେଷଣା ଓ ସୂଚନାକୁ ଏକତ୍ର କରାଯିବା ଆବଶ୍ୟକ ହୋଇପଡ଼ିଲାଣି। ତେଣୁ ସେ ସଂଗ୍ରହାଳୟ, ଗୋଷ୍ଠୀ କେନ୍ଦ୍ର ହେଉ ବା ଘରୋଇ ଆବାସସ୍ଥଳୀ ଯାହା କିଛି ପାଇଁ ନକ୍ସା ଦେଇଥାଆନ୍ତି, ସେଥିରେ ପରିବେଶ ଉପଯୋଗୀ ଚିନ୍ତାକୁ ସନ୍ନିବେଶିତ କରିଥାଆନ୍ତି। ବାଂଲାଦେଶର ‘ବେ ଅର୍‌ ରୁଫ୍‌ ମସ୍କ’ ପ୍ରକଳ୍ପ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସୂଚାଇଥାଏ। ସେଥିପାଇଁ ସେ ୨୦୧୬ରେ ସ୍ଥାପତ୍ୟ କ୍ଷେତ୍ରରେ ଆଗା ଖାଁ ପୁରସ୍କାର ପାଇଥିଲେ। ତବସୁମ୍‌ ଏବେ ଦକ୍ଷିଣ-ପୂର୍ବ ବାଂଲାଦେଶର କକ୍ସ ବଜାର ନିକଟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଲାଗି ଖୁବ୍‌ କମ୍‌ ଅର୍ଥ ବ୍ୟୟରେ ମୋବାଇଲ ମଡ୍ୟୁଲାର ହାଉସ୍‌ ନିର୍ମାଣ ଲାଗି କାର୍ଯ୍ୟ କରୁଛନ୍ତି। ଏପରି କି ସ୍ଥାନାନ୍ତରିତ ହୋଇପାରୁଥିବା ବାଉଁଶ କୁଡ଼ିଆ ନିର୍ମାଣ କରି ଯୋଗାଇ ଦେବାରେ ତାଙ୍କର ଅବଦାନ ରହିଛି। ଏଭଳି ମାନବୀୟ କାର୍ଯ୍ୟ ସହ ପରିବେଶ ଉପଯୋଗୀ ସ୍ଥାପତ୍ୟ ଶିଳ୍ପ ସକାଶେ ଉପାଦେୟ ନକ୍ସା ଦେବାରେ ତବସୁମ୍‌ ଅଗ୍ରଧାବିକା ପାଲଟିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?