ସ୍ଥାପତ୍ୟର ଅଗ୍ରଧାବିକା

ମାରିନା ତବସୁମ୍‌

ଘର, କାର୍ଯ୍ୟାଳୟ, ଷ୍ଟୁଡିଓଠାରୁ ଆରମ୍ଭ କରି ସର୍ବସାଧାରଣ ସୌଧ ନିର୍ମାଣ ଲାଗି ସ୍ଥପତିଙ୍କ ଉପସ୍ଥିତି ନିତାନ୍ତ ଜରୁରୀ। କେଉଁଠି ବାସ୍ତୁଶାସ୍ତ୍ର ଦେଖାଯାଇ ଏସବୁ ନିର୍ମାଣ ହେଉଛି ତ ଆଉ କେଉଁଠି ବିଶୁଦ୍ଧ ପରିବେଶ ଉପଯୋଗୀ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କେତେକ ସୃଜନଶୀଳ ସ୍ଥପତି ଅଛନ୍ତି ଯେଉଁମାନେ ଲାଭଖୋର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଜାବୁଡ଼ି ନ ଧରି ନୂଆ କିଛି ଭେଟି ଦେବାକୁ ଅହରହ ଚେଷ୍ଟା କରୁଛନ୍ତି। ବାଂଲାଦେଶର ମାରିନା ତବସୁମ୍‌ ଏଭଳି ଚେହେରାର ଜଣେ ବ୍ୟକ୍ତି, ଯିଏକି ପରିବେଶ ଓ ଜଳବାୟୁକୁ ଦୃଷ୍ଟିରେ ରଖି ନକ୍ସା ଆଙ୍କୁଛନ୍ତି। ତାଙ୍କ ସୃଜନାତ୍ମକ ପରିକଳ୍ପନାରେ ଗଢ଼ିଉଠୁଥିବା ସୌଧ ଅନ୍ତର୍ଜାତୀୟ ସ୍ତରର ଦୃଷ୍ଟି ଆକର୍ଷଣ କରିବାରୁ ପ୍ରଥମ ଦକ୍ଷିଣ ଏସୀୟ ଭାବେ ସେ ଲିସବନ୍‌ ଟ୍ରଏନାଲ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ସମକାଳୀନ ବିଷୟବସ୍ତୁ, ନିର୍ଦ୍ଦିଷ୍ଟ ସଂସ୍କୃତି ଓ ଭୌଗୋଳିକ ସ୍ଥିତିକୁ ଦେଖି ତବ୍‌ସୁମ୍‌ କାର୍ଯ୍ୟ ଜାରି ରଖିବା ତାଙ୍କ କ୍ୟାରିୟରକୁ ଅଧିକ ଆକର୍ଷଣୀୟ କରିପାରିଛି ବୋଲି ପୁରସ୍କାରର ବିଚାରକମଣ୍ଡଳୀ ଉକ୍ତ ସମ୍ମାନ ଘୋଷଣା କରିବା ଅବସରରେ ଏଭଳି ପ୍ରଶଂସାସୂଚକ ମନ୍ତବ୍ୟ ଦେଇଛନ୍ତି।
ମାରିନା ତବସୁମ୍‌ ୧୯୬୯ରେ ବାଂଲାଦେଶ ରାଜଧାନୀ ଢାକାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ବଙ୍ଗ ବିଭାଜନ ପରେ ୧୯୪୭ରେ ଢାକା ଚାଲିଯାଇଥିଲେ। ପିତା କର୍କଟ ରୋଗ ବିଶାରଦ ହୋଇଥିଲେ ହେଁ ଝିଅ ପିଲାଦିନୁ ଥିଲେ ସୃଜନମନସ୍କ। ହୋଲି କ୍ରସ୍‌ ଗର୍ଲସ ସ୍କୁଲ ଓ କଲେଜରୁ ସେ ପଢ଼ା ଶେଷ କରିବା ପରେ ୧୯୯୪ରେ ବାଂଲାଦେଶ ୟୁନିଭର୍ସିଟି ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲଜିରୁ ଆର୍କିଟେକ୍‌ଚରରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୯୫ରେ ସେ କାସେଫ୍‌ ଚୌଧୁରୀଙ୍କ ସହ ମିଶି ‘ଅର୍ବାନା’ ନାମରେ ଏକ ସ୍ଥାପତ୍ୟ ସଂସ୍ଥା ପ୍ରତିଷ୍ଠା କରିଥିଲେ। ୧୦ ବର୍ଷ ସେହିଠାରେ ବିଭିନ୍ନ ପ୍ରକାର ପ୍ରକଳ୍ପର ନକ୍ସା ଆଙ୍କିଥିଲେ । ଏହି ଦଶନ୍ଧି ଭିତରେ ସେ ଅର୍ଜନ କରିଥିବା ଅଭିଜ୍ଞତାକୁ ପାଥେୟ କରି ୨୦୦୫ରେ ନିଜସ୍ବ ଫାର୍ମ ଗଢ଼ିଲେ ଓ ତାହାର ନାମ ଦେଇଥିଲେ ‘ମାରିନା ତବସୁମ୍‌ ଆର୍କିଟେକ୍ଟସ’। ଏହାର ପ୍ରମୁଖ ସ୍ଥପତି ଭାବେ ସେ ନୂଆ ଧରଣର ପରିକଳ୍ପନା କରି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେଲେ। ତାଙ୍କ ସୃଜନାତ୍ମକ କାର୍ଯ୍ୟକୁ ଦେଖି ବାଂଲାଦେଶର ବିଆର୍‌ଏସି ବିଶ୍ୱବିଦ୍ୟାଳୟ ୨୦୦୫ରେ ତବ୍‌ସୁମ୍‌ଙ୍କୁ ଭିଜିଟିଂ ପ୍ରଫେସର ନିଯୁକ୍ତ କରିଥିଲା। ସେଠାରେ ସେ ସମକାଳୀନ ଦକ୍ଷିଣ ଏସୀୟ ସ୍ଥାପତ୍ୟ ଉପରେ ଛାତ୍ରୀଛାତ୍ରଙ୍କୁ ପଢ଼ାଇଲେ। ଢାକାସ୍ଥିତ ଅନ୍ୟତମ ଘରୋଇ ବିଶ୍ୱବିଦ୍ୟାଳୟ ‘ୟୁନିଭର୍ସିଟି ଅଫ୍‌ ଏସିଆ ପାସିଫିକ୍‌’ରେ ଅଣ୍ଡରଗ୍ରାଜୁଏଟ୍‌ ଷ୍ଟୁଡିଓ ପାଠ୍ୟକ୍ରମ ପଢ଼ାଇବା ସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ସମ୍ମିଳନୀରେ ସ୍ଥାପତ୍ୟ କଳା ଉପରେ ସନ୍ଦର୍ଭ ଉପସ୍ଥାପନ କରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସମ୍ମାନ ସ୍ବରୂପ ତାଙ୍କୁ ୨୦୧୫ରୁ ‘ବେଙ୍ଗଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆର୍କିଟେକ୍‌ଚର ଲାଣ୍ଡସ୍କେପ୍‌ସ ଆଣ୍ଡ୍‌ ସେଟଲ୍‌ମେଣ୍ଟସ’ ଏକାଡେମିକ୍‌ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ରଖାଯାଇଆସିଛି। ବାଂଲାଦେଶର ସିଭିଲ୍‌ ଏଭିଏଶନ ଅଥରିଟି (ସିଏଏ) କାର୍ଯ୍ୟ ଲାଗି ଭାରତର ଶ୍ରେଷ୍ଠ ସ୍ଥପତି ବିଜୟ ଜୈନଙ୍କୁ ନିମନ୍ତ୍ରଣ କରିବା ଲାଗି ୨୦୧୩ରେ ପ୍ରସ୍ତାବ ଦେଇ ସ୍ଥାପତ୍ୟ କଳା ପ୍ରତି ଥିବା ତାଙ୍କ ଗଭୀର ଅନୁରାଗକୁ ବ୍ୟକ୍ତ କରିଥିଲେ।
ତବସୁମ୍‌ ନୂଆ ପିଢ଼ିର ସ୍ଥାପତ୍ୟ ଭାବନାର ଅନ୍ୟତମ ପ୍ରମୁଖ ବିନ୍ଧାଣି। ସେ କହନ୍ତି ବଜାରଭିତ୍ତିକ ସୌଧ ପରିକଳ୍ପନାରେ କେବଳ ଲାଭଖୋର ମନୋବୃତ୍ତି ନୁହେଁ, ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନୁକୂଳ ହୋଇପାରୁଥିବା ପ୍ରକଳ୍ପକୁ ଛିଡ଼ା କରାଇପାରିଲେ ସ୍ଥପତିର ନକ୍ସା ବାସ୍ତବ ରୂପ ନେଇଥାଏ। ମଣିଷର ଜୀବନ୍ତ ଅଭ୍ୟାସ ଓ ଚାହିଦାକୁ ଦେଖି ପୁନଃଭାବନା ଜାଗ୍ରତ ହେବା ଆବଶ୍ୟକ। ବିଶ୍ୱକୁ ବଦଳାଇବା କ୍ଷେତ୍ରରେ ସୂକ୍ଷ୍ମ ପରିବର୍ତ୍ତନ ମୁଖ୍ୟ ହାତଯନ୍ତ୍ରଟି ମଧ୍ୟ ପାଲଟିଯାଇପାରେ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନକୁ ଦୃଷ୍ଟିରେ ରଖି ସ୍ଥପତିମାନେ ନିଜସ୍ବ ଚିନ୍ତା ଖଟାଇବା ଦରକାର। ପ୍ରତ୍ୟେକ ପ୍ରକଳ୍ପ ଲାଗି ପ୍ରଚୁର ଗବେଷଣା ଓ ସୂଚନାକୁ ଏକତ୍ର କରାଯିବା ଆବଶ୍ୟକ ହୋଇପଡ଼ିଲାଣି। ତେଣୁ ସେ ସଂଗ୍ରହାଳୟ, ଗୋଷ୍ଠୀ କେନ୍ଦ୍ର ହେଉ ବା ଘରୋଇ ଆବାସସ୍ଥଳୀ ଯାହା କିଛି ପାଇଁ ନକ୍ସା ଦେଇଥାଆନ୍ତି, ସେଥିରେ ପରିବେଶ ଉପଯୋଗୀ ଚିନ୍ତାକୁ ସନ୍ନିବେଶିତ କରିଥାଆନ୍ତି। ବାଂଲାଦେଶର ‘ବେ ଅର୍‌ ରୁଫ୍‌ ମସ୍କ’ ପ୍ରକଳ୍ପ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସୂଚାଇଥାଏ। ସେଥିପାଇଁ ସେ ୨୦୧୬ରେ ସ୍ଥାପତ୍ୟ କ୍ଷେତ୍ରରେ ଆଗା ଖାଁ ପୁରସ୍କାର ପାଇଥିଲେ। ତବସୁମ୍‌ ଏବେ ଦକ୍ଷିଣ-ପୂର୍ବ ବାଂଲାଦେଶର କକ୍ସ ବଜାର ନିକଟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଲାଗି ଖୁବ୍‌ କମ୍‌ ଅର୍ଥ ବ୍ୟୟରେ ମୋବାଇଲ ମଡ୍ୟୁଲାର ହାଉସ୍‌ ନିର୍ମାଣ ଲାଗି କାର୍ଯ୍ୟ କରୁଛନ୍ତି। ଏପରି କି ସ୍ଥାନାନ୍ତରିତ ହୋଇପାରୁଥିବା ବାଉଁଶ କୁଡ଼ିଆ ନିର୍ମାଣ କରି ଯୋଗାଇ ଦେବାରେ ତାଙ୍କର ଅବଦାନ ରହିଛି। ଏଭଳି ମାନବୀୟ କାର୍ଯ୍ୟ ସହ ପରିବେଶ ଉପଯୋଗୀ ସ୍ଥାପତ୍ୟ ଶିଳ୍ପ ସକାଶେ ଉପାଦେୟ ନକ୍ସା ଦେବାରେ ତବସୁମ୍‌ ଅଗ୍ରଧାବିକା ପାଲଟିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ଚୋରି

ରୁଦ୍ର ପ୍ରସନ୍ନ ରଥ   ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...

ଋତୁସ୍ରାବ ଓ ବାଲ୍ୟ ବିବାହ

ଘାସିରାମ ପଣ୍ଡା ଋତୁସ୍ରାବକୁ ନେଇ ସାଧାରଣରେ ବିଶେଷ ଆଲୋଚନା ହୁଏ ନାହିଁ। ପରମ୍ପରା ଓ ଧାର୍ମିକ ଧାରଣା ଦ୍ୱାରା ନିୟନ୍ତ୍ରିତ ହେବା କାରଣରୁ ଋତୁସ୍ରାବକୁ ନେଇ...

ଶ୍ରମିକମାରଣ ଆଇନ ଓ କୋଭିଡ୍‌-୧୯

ସୁକାନ୍ତ କୁମାର ପଟେଲ କୋଭିଡ୍‌-୧୯ ମହାମାରୀ ସମଗ୍ର ବିଶ୍ୱରେ କେବଳ ମାନବ ଜୀବନ ପ୍ରତି ବିପତ୍ତି ସୃଷ୍ଟି କରିନାହିଁ ବରଂ ସାମାଜିକ ଓ ଅର୍ଥନୈତିକ ବିପତ୍ତି...

ଲୋକ ସଭାର ଅଧିଷ୍ଠାତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଲୋକ ସଭାର ମୁଖ୍ୟ ହେଉଛନ୍ତି ବାଚସ୍ପତି। ସେ ଗୃହ ସଦସ୍ୟଙ୍କ କ୍ଷମତା ଓ ସ୍ବାଧିକାର ରକ୍ଷକ ଭାବେ ଜଣାଶୁଣା। ସଂସଦୀୟ...

ମୋ ମାତୃଭାଷା ମୋତେ ଶ୍ରେଷ୍ଠ

ବୈକୁଣ୍ଠନାଥ ମିଶ୍ର ଶୀର୍ଷକଟି ବ୍ୟାସକବି ଫକୀର ମୋହନଙ୍କ କବିତାର ଏକ ଉଦ୍ଧୃତାଂଶ। କବିଙ୍କ ଭାଷାରେ- ଭ୍ରମିଲି ବହୁ ଦେଶଦୂର- କାଞ୍ଚତ୍ କାମାକ୍ଷା କାନପୁର।/ ପଢ଼ିଲି ନାନା...

ନିଃସଙ୍ଗ ପୃଥିବୀ

ଦ୍ୱିତୀ ଚନ୍ଦ୍ର ସାହୁ ଫୋନ୍ ରିଂରୁ ଜାଣିହେଲା କିଏ ଫୋନ୍‌ କରିଛି। ବ୍ୟସ୍ତତା ଭିତରେ ସ୍କ୍ରିନ୍‌ରେ କଲ୍‌କୁ ନ ପରଖି ଉଠାଇଲି କଲ୍‌। ସେପଟୁ ବନ୍ଧୁ...

ଏଇ ଭାରତରେ

କୃଷିରେ ଗୋଷ୍ଠୀଗତ ଭାଗୀଦାରି ବୃଦ୍ଧି ପାଇବା ଏକ ଶୁଭ ସଙ୍କେତ, ବଳିଷ୍ଠ ପ୍ରୟାସ। ଏଭଳି ପ୍ରୟାସ କରୁଛନ୍ତି ଆଇଆଇଟି(ହାଇଦ୍ରାବାଦ)ର ପୂର୍ବତନ ଛାତ୍ର ସୁନିତ ରେଡ୍ଡୀ। ସେ...

ଏନ୍‌କାଉଣ୍ଟର ବନାମ ବିଳମ୍ବିତ ନ୍ୟାୟ

ଈପ୍ସିତା ମହାନ୍ତି   ୨୦୨୧ ଜୁଲାଇ ୨୪ରେ ଚୌଦ୍ୱାରରୁ ବାରିପଦା କାରାଗାରକୁ ନିଆଯିବା ବାଟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ଏନ୍‌କାଉଣ୍ଟର କରାଗଲା। ଏଥିପୂର୍ବରୁ ଭାରତରେ ଏକାଧିକ...

Advertisement
Archives

Model This Week