ରକ୍ତଚାପ ଫାଶରେ ଯୁବଗୋଷ୍ଠୀ

ଈପ୍ସିତା ମହାନ୍ତି

ଯୁବକମାନଙ୍କର ଦେଶ ରୂପେ ଭାରତ ପରିଚିତ, ଯାହାର ମୋଟ ଜନସଂଖ୍ୟାର ୬୫% ହେଉଛନ୍ତି ଯୁବକ। ଏମାନଙ୍କର ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ। ଏଥିପାଇଁ ଭାରତକୁ ଯୁବଶକ୍ତିର ଭଣ୍ଡାର କୁହାଯାଉଛି। କିନ୍ତୁ ଦୁଃଖର ବିଷୟ, ଭାରତର ସଂଖ୍ୟାଧିକ ଯୁବକ ଆଜି ଉଚ୍ଚ ରକ୍ତଚାପଜନିତ ରୋଗରେ ପୀଡିତ। ପୂର୍ବରୁ ଉଚ୍ଚ ରକ୍ତଚାପ ବୟସ୍କଙ୍କ ରୋଗ ରୂପେ ବିବେଚିତ ହେଉଥିଲା। ଏହା ବୃଦ୍ଧ, ପୁରୁଷ ଓ ସହରୀ ଲୋକଙ୍କ ରୋଗ ରୂପେ ପରିଗଣିତ ହେଉଥିଲା। ସେହି ସମୟ ଚାଲି ଯାଇଛି। ବିଭିନ୍ନ ସର୍ବେକ୍ଷଣ ଓ ଅନୁସନ୍ଧାନରୁ ଏହା ଭୁଲ୍‌ ବୋଲି ପ୍ରମାଣିତ ହୋଇଛି। ଆଜି ବହୁଳମାତ୍ରାରେ ଯୁବଗୋଷ୍ଠୀ, ମହିଳା ଓ ଗ୍ରାମାଞ୍ଚଳ ଅଧିବାସୀ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି।
ଆମ ଦେଶର ସର୍ବବୃହତ୍‌ ଚିକିତ୍ସାଳୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଉଚ୍ଚ ରକ୍ତଚାପଜନିତ ରୋଗ ଭାରତୀୟ ଯୁବବର୍ଗଙ୍କୁ ଖୁବ ଦ୍ରୁତ ଗତିରେ ଶିକାର କରିଚାଲିଛି। ବିପଜ୍ଜନକ କଥା ହେଉଛି, ଏ ସମ୍ପର୍କରେ ସେମାନଙ୍କର କୌଣସି ଧାରଣା ହିଁ ନାହିଁ। ଏମ୍ସର ଅଧ୍ୟୟନକୁ ଦେଖି କୁହାଯାଇପାରେ ଯେ; ଆବଶ୍ୟକତାଠାରୁ ଅତ୍ୟଧିକ ଚାପ ଓ ଦୈନନ୍ଦିନ ବିଶୃଙ୍ଖଳିତ ଜୀବନଶୈଳୀ ଆପଣେଇବା କାରଣରୁ ଭାରତକୁ ରୋଗଗ୍ରସ୍ତ ଯୁବକଙ୍କ ଦେଶର ଅପଖ୍ୟାତି ମୁଣ୍ଡେଇବାକୁ ପଡୁଛି। ବ୍ରିଟିଶ୍‌ ମେଡିକାଲ ଜର୍ନାଲରେ ପ୍ରକାଶିତ ଏମ୍ସର ଗବେଷଣାତ୍ମକ ତଥ୍ୟ ଅନୁସାରେ ଗତ ୨୦ ବର୍ଷରେ ଦିଲ୍ଲୀର ପ୍ରତି ୫ରୁ ୩ଜଣ ଯୁବକ ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି। ଯଦିଓ ଏହି ପରିସଂଖ୍ୟାନଟି ଦିଲ୍ଲୀର, କିନ୍ତୁ ଭାତହାଣ୍ଡିରୁ ଗୋଟାଏ ଚାଉଳକୁ ଚିପି ଭାତର ଅବସ୍ଥା ଜାଣିଲା ଭଳି ଦିଲ୍ଲୀର ଏହି ପରିସଂଖ୍ୟାନକୁ ବ୍ୟବହାର କରି ଦେଶର ଅନ୍ୟ ସହରର ଯୁବକଙ୍କ ଶାରୀରିକ ସ୍ଥିତି ଜାଣିହେବ। ଏହି ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳର ପ୍ରତି ୪ଜଣରୁ ଜଣେ ଯୁବକ ଉଚ୍ଚ ରକ୍ତଚାପର ଶିକାର ହେଉଥିବା ଜଣାଯାଏ। ଗ୍ରାମାଞ୍ଚଳରେ ଏହି ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି। ଏମ୍ସ ନିଜ ପୁରୁଣା ରୋଗୀଙ୍କୁ ନେଇ ନୁହେଁ, ବରଂ ଦିଲ୍ଲୀ ଓ ଏନ୍‌.ସି.ଆର୍‌. ଅଞ୍ଚଳର ସୁସ୍ଥ ଯୁବକଙ୍କୁ ନେଇ ଏହି ଅଧ୍ୟୟନ କରିଥିବା କହିଛି। ଏଥିସହ ହରିୟାଣାର ବଲ୍ଲଭଗଡ଼ ଜିଲା ଅନ୍ତର୍ଗତ ଗ୍ରାମାଞ୍ଚଳର ଲୋକଙ୍କୁ ମଧ୍ୟ ଏହି ଅଧ୍ୟୟନରେ ସାମିଲ କରିଥିଲା।
ବିଗତ ୨୦ବର୍ଷରେ ସହରାଞ୍ଚଳରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ୨୩%ରୁ ବୃଦ୍ଧି ପାଇ ୪୩%ରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୧୧%ରୁ ବୃଦ୍ଧି ପାଇ ୨୯% ରେ ପହଞ୍ଚିଛି। ଏହି ୨୦ବର୍ଷରେ ୩୫ରୁ ୪୪ବର୍ଷ ବୟସର ଯୁବକଙ୍କ ଠାରେ ଏହା ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଣସଂକ୍ରାମକ ରୋଗଗୁଡ଼ିକ ମଧ୍ୟରୁ ଉଚ୍ଚ ରକ୍ତଚାପକୁ ପ୍ରଥମ ସ୍ଥାନରେ ସ୍ଥାନିତ କରିଛି। ଯାହା ହୃଦ୍‌ଘାତ ସୃଷ୍ଟିରେ, ମସ୍ତିଷ୍କକୁ ଅଚଳ କରିବାରେ ଓ ବୃକକର କ୍ଷତି ଘଟାଇବାର ପ୍ରମୁଖ କାରଣ ସାଜିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତଥ୍ୟ ଅନୁଯାୟୀ, ୫୧% ପକ୍ଷାଘାତ ଓ ୪୫% ହୃତ୍‌ପିଣ୍ଡ ଆକସ୍ମିକ ଅକ୍ଷମତା (ହାର୍ଟଆଟାକ୍‌)ର କାରଣ ଏହି ଉଚ୍ଚ ରକ୍ତଚାପ। ତଥ୍ୟ ଅନୁସାରେ, ଭାରତର ସହରାଞ୍ଚଳର ମାତ୍ର ୨୦% ଓ ଗ୍ରାମାଞ୍ଚଳର ମାତ୍ର ୩୦% ଲୋକଙ୍କ ରକ୍ତଚାପ ନିୟନ୍ତ୍ରଣାଧୀନ। ତଥ୍ୟ କହୁଛି, ଭାରତରେ ପ୍ରତିବର୍ଷ ୩ କୋଟି ଲୋକ ହୃଦ୍‌ରୋଗରେ ଗମ୍ଭୀର ଭାବେ ପୀଡ଼ିତ ହୋଇଥା’ନ୍ତି। ଏମାନଙ୍କ ମଧ୍ୟରୁ ସହରାଞ୍ଚଳର ୧ କୋଟି ୪୦ ଲକ୍ଷ ଓ ଗ୍ରାମାଞ୍ଚଳର ୧ କୋଟି ୬୦ ଲକ୍ଷ ଲୋକ ରହିଛନ୍ତି। ଏଥିରୁ ବାର୍ଷିକ ୨୪ଲକ୍ଷ ଲୋକ ଜୀବନ ହରାଉଛନ୍ତି।
ବିଭିନ୍ନ କାରଣରୁ ଉଚ୍ଚ ରକ୍ତଚାପ ମାଡ଼ିବସେ। ଅହେତୁକ ପ୍ରତିଦ୍ୱନ୍ଦ୍ୱିତାର ଚାପ, ଜୀବନଶୈଳୀରେ ପରିବର୍ତ୍ତନ, ବାହାର ଖାଦ୍ୟପେୟ ଗ୍ରହଣ କରିବା, କାର୍ଯ୍ୟାଳୟରେ ଆବଶ୍ୟକତାଠାରୁ ଅଧିକ କାର୍ଯ୍ୟଭାର ପଡ଼ିବା ଓ ସ୍ବଳ୍ପ ବୟସରେ ହୃଦୟଜନିତ ରୋଗରେ ଆକ୍ରାନ୍ତ ହେବା ସହ ଉଚ୍ଚ ରକ୍ତଚାପ ଜନିତ ରୋଗର ସିଧା ସମ୍ପର୍କ ରହିଛି। କେହି ନିଜ କାର୍ଯ୍ୟାଳୟରେ ଆବଶ୍ୟକତାଠାରୁ ଅଧିକ କାର୍ଯ୍ୟ କରୁଥିଲେ, କାହା ଉପରେ ଅଧିକ କାର୍ଯ୍ୟଭାର ପଡୁଥିଲେ, କେହି ନିଜ ଲକ୍ଷ୍ୟ ପୂରଣ ପାଇଁ ଚାପଗ୍ରସ୍ତ ହେଲେ ସେ ହୃଦୟଜନିତ ଗମ୍ଭୀର ରୋଗର ଶିକାର ହୁଅନ୍ତି, ଯାହା ସମୟକ୍ରମେ ଉଚ୍ଚ ରକ୍ତଚାପ ସୃଷ୍ଟି କରେ। କାର୍ଯ୍ୟଭାର ଚାପରେ ଧୂମପାନ ଭଳି ମନ୍ଦଭ୍ୟାସରୁ କ୍ଷାନ୍ତ ରହିବା ଜରୁରୀ। କାରଣ ଧୂମପାନ ଯୋଗୁଁ ରକ୍ତଚାପ ଦ୍ରୁତ ଗତିରେ ବୃଦ୍ଧି ପାଏ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ସପ୍ତାହରେ ଅତି କମରେ ୫ଦିନ ଅଧଘଣ୍ଟା ଲେଖାଏଁ ପାଦରେ ଚାଲିବା ଅଭ୍ୟାସ କରିବା ଭଲ। ଯୋଗାଭ୍ୟାସ, ପହଁରିବା ଅବା ସାଇକେଲ ଚାଳନା ଭଳି ଅଭ୍ୟାସ ଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣରେ ରଖିହେବ। କିନ୍ତୁ ଉଚ୍ଚ ରକ୍ତଚାପ ଆକ୍ରାନ୍ତଙ୍କ ପାଇଁ କେଉଁ ସବୁ ଆସନ ନିଷିଦ୍ଧ ତାହାକୁ ପ୍ରଥମେ ଜାଣିନେବା ଉଚିତ। ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତିମାନେ ଲୁଣ କମ ଖାଇବା ବିଧେୟ। ଯଦି ପାରୁଛନ୍ତି, ଅଲଣା ଖାଦ୍ୟ ଖାଇବା ହିତକର। ତେଣିକି ବ୍ୟଞ୍ଜନ ସୁସ୍ବାଦୁ ଲାଗୁ ଅବା ନ ଲାଗୁ। ସକାଳ ଜଳଖିଆରେ ବାସି ରୁଟି ସହ ନିଜ ଖାଦ୍ୟରେ ସର୍ବଦା ତଟକା ପନିପରିବା ଓ ତାଜା ଫଳକୁ ସ୍ଥାନିତ କରିବା। ସକାଳୁ ଖାଲି ପେଟରେ ଆବଶ୍ୟକ ମୁତାବକ ପାଣି ପିଇବା। ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇଁ ଥରେ ଔଷଧ ଖାଇବା ଆରମ୍ଭ କରିଦେଲେ ଏଥିରୁ ମୁକ୍ତି ପାଇବା ସହଜସାଧ୍ୟ ହେବ ନାହିଁ। ଏସବୁ ନିୟମ ପାଳନ ଦ୍ବାରା ଉଚ୍ଚ ରକ୍ତଚାପ ଫାଶରୁ ଆକ୍ରାନ୍ତଙ୍କୁ ଅନେକାଂଶରେ ଲାଭ ମିଳିବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri