ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ ନିର୍ମାଣାଧୀନ ଆବାସ ଘର ଭିତରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, ବାଢୁଣିଆ ଗାଁର ଜଣେ ଯୁବକଙ୍କ ମୃତଦେହ ନିର୍ମାଣାଧୀନ ଘର ଭିତରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଚିହ୍ନ ରହିଥିବାରୁ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାସ୍ଥଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି। ଏହାସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଥ୍ୟ ଓ ପ୍ରମାଣ ସଂଗ୍ରହ କରୁଛି।
ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ତାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାର ପ୍ରକୃତ କାରଣ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

