ଯୁବକଙ୍କ ଉନ୍ମତ୍ତକାଣ୍ଡ: ଘରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ଗଳା କାଟିଲେ

ନୟାଗଡ଼ ଅଫିସ,୩୧ା୧: ନୟାଗଡ ଜିଲା ଶରଣକୁଳ ଥାନା ଗୋଡିପଡା ହାଇସ୍କୁଲ ସାହିରେ ଜଣେ ଯୁବକ ଶନିବାର ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଘରେ ପଶି ସେ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ୪ ଜଣ ସମ୍ପୃକ୍ତ ଯୁବକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣା ପରେ ଆକ୍ରମଣକାରୀ ମାନସିକ ଭାରସାମ୍ୟ ହରାଇ ନିଜ ଗଳାକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆହତଙ୍କ ମଧ୍ୟରୁ ଗୋଡିପଡା ସର୍ଦ୍ଦାର ପଟେଲ ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଲିଲିମା ବେହେରା(୩୫) ଓ ଆକ୍ରମଣକାରୀ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ସୁକାନ୍ତ ବେହେରା(୪୦)ଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଶିକ୍ଷୟିତ୍ରୀ ଲିଲିମାଙ୍କ ଭଡା ଘରର ମାଲିକ ସନ୍ତୋଷ ସାହୁ(୪୮), ତାଙ୍କ ମାଆ ପଦି(୭୦), ପୁଅ ଲିପୁନ୍‌(୧୭), ଭଣଜା ଅନିଲ(୧୮) ଆହତ ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ଶିକ୍ଷୟିତ୍ରୀ ଲିଲିମା ସମ୍ପୃକ୍ତ ଯୁବକଙ୍କୁ ଚିହ୍ନି ନ ଥିବା କହିଛନ୍ତି। ପୋଲିସ ଘଟଣାସ୍ଥଳରୁ ୪ଟି ଛୁରି ଜବତ କରିଛି। ତେବେ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

ଶିକ୍ଷୟିତ୍ରୀଙ୍କ ଭାଇ ଗୁଲଶନ ବେହେରାଙ୍କ ଅଭିଯୋଗ ଅନୁସାରେ ପୁରୀ ଜିଲା ସାତପଡାରେ ଲିଲିମାଙ୍କ ଘର। ସେ ଗୋଡିପଡା ସର୍ଦ୍ଦାର ପଟେଲ ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଅଛନ୍ତି। ଲିଲିମା ଗୋଡିପଡା ହାଇସ୍କୁଲ ସାହିରେ ସନ୍ତୋଷ ସାହୁଙ୍କ ଘରେ ଭଡାରେ ରହୁଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ। ସ୍ବାମୀ ବାହାରେ ଚାକିରି କରିଛନ୍ତି। ଲିଲିମା ସ୍କୁଲରେ ଥିବାବେଳେ ଜଣେ ଅଜଣା ଯୁବକ ଭଡା ଘର ମାଲିକଙ୍କ ମା’ ପଦିଙ୍କୁ ଶିକ୍ଷୟିତ୍ରୀ ଘରେ ଅଛନ୍ତି କି ନାହିଁ ଶନିବାର ଅପରାହ୍ନରେ ପଚାରିଥିଲେ। ଶିକ୍ଷୟିତ୍ରୀ ସ୍କୁଲକୁ ଯାଇଛନ୍ତି ଶୁଣିବା ପରେ ଯୁବକ ଜଣକ ଚାଲି ଯାଇଥିଲେ। ଅପରାହ୍ନରେ ଶିକ୍ଷୟିତ୍ରୀ ଘରକୁ ଫେରିବା ବେଳେ ସମ୍ପୃକ୍ତ ଯୁବକ ତାଙ୍କ ପିଛା କରି ଘରେ ପହଞ୍ଚି ଥିଲେ। ଘର ସମ୍ମୁଖରେ ତୁମ ସହ କଥା ଅଛି କହି ଶିକ୍ଷୟିତ୍ରୀଙ୍କୁ ଅଟକାଇଥିଲେ। ଶିକ୍ଷୟିତ୍ରୀ କହିଥିଲେ ମୁଁ ଆପଣଙ୍କୁ ଜାଣିନାହିଁ। ତେବେ ଅପେକ୍ଷା କରନ୍ତୁ ଡ୍ରେସ ବଦଳାଇ ଆସୁଛି। ଏତିକି ବେଳେ ଅଜଣା ଯୁବକ ଘରକୁ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ଘର ମାଲିକଙ୍କ ମା’ ଯୁବକଙ୍କୁ ଘରେ ପଶିବାକୁ ଦେଇ ନ ଥିଲେ। ଅଜଣା ଯୁବକ ଘର ମାଲିକଙ୍କ ମା’କୁ ମାରପିଟ୍‌ କରି ଘରେ ପଶି ଶିକ୍ଷୟିତ୍ରୀଙ୍କ ବେକ, ପିଠି ବାମ ହାତକୁ ଛୁରିମାଡ କରିଥିଲେ। ଶିକ୍ଷୟିତ୍ରୀଙ୍କୁ ରକ୍ଷା କରିବାକୁ ଘର ମାଲିକଙ୍କ ପରିବାର ଲୋକେ ଉଦ୍ୟମ କରିଥିଲେ। ଏଥିରେ ୪ଜଣ ଆହତ ହୋଇଥିଲେ। ଏହାପରେ ଘଟଣାସ୍ଥଳରୁ ଅଜଣା ଯୁବକ ଫେରାର ହୋଇ ନ ପାରି ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରି ତଳେ ପଡିଯାଇଥିଲେ। ଏହାକୁ ନେଇ ଗୋଡିପଡାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଗୋଡିପଡା ଫାଣ୍ଡି ପୋଲିସକୁ ଖବର ଦେଇ ଆହତ ଶିକ୍ଷୟିତ୍ରୀ ଓ ଆକ୍ରମଣକାରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।