ମନ ଜିଣିବା ଦରକାର

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ଯାତ୍ରା’ ୩୦ ଜାନୁୟାରୀ ୨୦୨୩ରେ ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ଶେଷ ହୋଇଛି। ଭାରତ ଯୋଡ଼ୋ ଯାତ୍ରା ଶିବିର ନିକଟରେ ତ୍ରିରଙ୍ଗା ଉଡ଼ାଇବା ସହ ଭଉଣୀ ପ୍ରିୟଙ୍କାଙ୍କ ସହ ରାହୁଲ ବରଫରେ ଖେଳୁଥିବାର ଦୃଶ୍ୟକୁ ସେଠାରେ ଅନେକେ ଉପଭୋଗ କରିଥିବା ଦେଖିବାକୁ ମିଳିଛି। ୨୯ ଜାନୁୟାରୀରେ ରାହୁଲ ଶ୍ରୀନଗରର ଲାଲ୍‌ଚୌକରେ ତ୍ରିରଙ୍ଗା ଉଡ଼ାଇବା ଘଟଣା ଗଣମାଧ୍ୟମରେ ବହୁ କଷ୍ଟରେ ପ୍ରକାଶ ପାଇଛି। କଷ୍ଟରେ ଏଇଥିପାଇଁ କୁହାଯାଉଛି, କାରଣ ଭାରତ ଯୋଡ଼ୋ ଯାତ୍ରାକୁ ଭାରତର ମୁଖ୍ୟ ଗଣମାଧ୍ୟମ ଉଭୟ ଟେଲିଭିଜନ ଓ ଛାପାରେ ଆଦୌ ଗୁରୁତ୍ୱ ଦିଆଯାଇ ନ ଥିଲା। ଏଠାରେ ମନେପଡ଼େ ବିଶ୍ୱନାଥ ପ୍ରତାପ ସିଂ ପ୍ରଧାନମନ୍ତ୍ରୀ ଥିବାବେଳେ ବିନା ନିରାପତ୍ତାରେ ଶ୍ରୀନଗର ଗସ୍ତ କରିଥିବା ଘଟଣା। ସେତେବେଳେ ଲୋକଙ୍କ ସହ ଯୋଡ଼ି ହେବାକୁ ଚାହିଁ ସେ ଏଭଳି ପଦକ୍ଷେପ ନେଇଥିଲେ। ଏବର ସରକାର ସାମରିକ ଶକ୍ତି ଦେଖାଇ ଜମ୍ମୁ ଓ କଶ୍ମୀର ଜନସାଧାରଣଙ୍କୁ ଦମନ କରିବାକୁ ଚାହୁଁଛନ୍ତି, ଯାହା ଉପତ୍ୟକାରେ କ୍ରୋଧ ସୃଷ୍ଟି କରି ରଖିଛି। ଭାରତୀୟ ରାଜନୀତିରେ ଜମ୍ମୁ ଓ କଶ୍ମୀରର ଗୁରୁତ୍ୱ ସର୍ବଦା ରହିଆସିଛି। ପାକିସ୍ତାନ ଓ ଚାଇନା ସୀମାନ୍ତ ହୋଇଥିବାରୁ ସେଠାକାର ଅଧିବାସୀ ଭାରତ ସରକାରଙ୍କଠାରୁ ଯେତେବେଳେ ସୁବିଧା ଓ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି, ସେତେବେଳେ ସେପଟକୁ ଢଳିଛନ୍ତି। ଅତ୍ୟଧିକ ସାମରିକ ହସ୍ତକ୍ଷେପ ସେଠାରେ ଅନେକ ସମୟରେ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି। ଏବେ ଯେତେବେଳେ ରାହୁଲ ସେଠାକୁ ଯାଇ ଲୋକଙ୍କ ସହ ମିଶିଛନ୍ତି, ତାହା ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଥିବା ଅନୁମାନ କରାଯାଉଛି। ଯାତ୍ରାର ଶେଷ ପାହାଚରେ ଜମ୍ମୁ ଓ କଶ୍ମୀରରେ ରାହୁଲଙ୍କୁ ନ୍ୟାଶନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ବିପୁଳ ସମର୍ଥନ ଭାଜପାକୁ ତଟସ୍ଥ କରିଦେଇଛି। କୁହାଯାଉଛି ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଏହି ଭାରତ ଯୋଡ଼ୋ ଯାତ୍ରା ପ୍ରମୁଖ ରାଜନୈତିକ ବାତାବରଣ ସୃଷ୍ଟି କରିଦେଇଛି। ଭାଜପାର ‘ନୂଆ ଭାରତ’କୁ ଚ୍ୟାଲେଞ୍ଜ ଦେଲା ଭଳି ‘ଭାରତ ଯୋଡ଼ୋ ଯାତ୍ରା’ ଉଭା ହୋଇଥିବା ରାଜନୈତିକ ପଣ୍ଡିତମାନେ ଅନୁମାନ କଲେଣି।
୪ ହଜାରରୁ ଊର୍ଦ୍ଧ୍ୱ କିଲୋମିଟର ଯାତ୍ରା କରିବା ପରେ ରାହୁଲ ଜନମାନସରେ ନିଜର ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଥିବା ଯେକେହି ସ୍ବୀକାର କରିବେ। କାରଣ ୧୪ଟି ରାଜ୍ୟ ଦେଇ ଗଲା ବେଳେ ସେ ସମାଜର ପ୍ରତ୍ୟେକ ବର୍ଗଙ୍କ ସହ ରାସ୍ତାରେ ଚାଲୁଥିବାବେଳର ଦୃଶ୍ୟ ସୋସିଆଲ ମିଡିଆରେ ବହୁଳ ପ୍ରଚାରିତ ହୋଇଛି। ଧଳା ଟି-ଶାର୍ଟ ଓ ପାଚିଲା ଦାଢ଼ି ଧରି ଆଗକୁ ମାଡ଼ି ଚାଲିଥିବା ବେଳେ ଯେଉଁମାନେ ତାଙ୍କ ସହ ସାମିଲ ହୋଇଥିଲେ ସମସ୍ତେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ବିରୋଧୀମାନେ ତାଙ୍କ ଯାତ୍ରାକୁ ବିଫଳ ରାଜନେତାଙ୍କ ହତାଶ ପ୍ରୟାସ ବୋଲି ଅଭିହିତ କରିଛନ୍ତି। ଆଜିର ଭୋଟ ରାଜନୀତିରେ କଂଗ୍ରେସ ପୂର୍ବାପେକ୍ଷା ଅତ୍ୟନ୍ତ ଦୁର୍ବଳ ବୋଲି ସମସ୍ତେ ଜାଣନ୍ତି। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଶାସନ କରୁଥିବା ବେଳେ ନିକଟରେ ହିମାଚଳ ପ୍ରଦେଶରେ କ୍ଷମତାକୁ ଫେରିଛି। ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ବେଳେ ଗୁଜରାଟରେ ଦଳର ଶୋଚନୀୟ ପରାଜୟ ଘଟିଥିବା ସତ୍ତ୍ୱେ ରାହୁଲ ତାହାକୁ ଭ୍ରୂକ୍ଷେପ କରିନାହାନ୍ତି। ତୃଣମୂଳ ସ୍ତରରେ ଦଳକୁ କିଭଳି ମଜଭୁତ କରିହେବ ଓ ସେ ଲୋକଙ୍କ ସହ କିପରି ଯୋଡ଼ି ହେବେ ସେହି ଲକ୍ଷ୍ୟରେ ଧାଇଁଛନ୍ତି। ଭାରତୀୟ ରାଜନୀତିକୁ ଦେଖିଲେ କୌଣସି ନେତା ଦୀର୍ଘକାଳ ଧରି ଗାଦିରେ ବସିବା ସମ୍ଭବ ନୁହେଁ। କିଛି ମାସ ପୂର୍ବରୁ ଯେଉଁମାନେ ରାହୁଲଙ୍କୁ ‘ପପୁ’ ବୋଲି ସମ୍ବୋଧନ କରି କଟାକ୍ଷ କରୁଥିଲେ ଭାରତ ଯୋଡ଼ୋ ଯାତ୍ରା ପରେ ସେହିଭଳି ସ୍ଥିତି ନାହିଁ। ଏଥିରୁ ବୁଝାଯାଇପାରେ ଯେ ପରିବର୍ତ୍ତିତ ପରିସ୍ଥିତିରେ ରାହୁଲଙ୍କ ପ୍ରତି ସମର୍ଥନ ବଢ଼ୁଥିବାରୁ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଶଙ୍କାଗ୍ରସ୍ତ ହୋଇଛି। ସମ୍ଭବତଃ ସେଥିପାଇଁ ରାହୁଲଙ୍କ ଗସ୍ତ ସମୟରେ କୋଭିଡ୍‌ ବ୍ୟାପିବା ବିଷୟକୁ ଭାଜପା ପ୍ରସଙ୍ଗ କରିଥିଲା।
ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲଙ୍କୁ ଯେଉଁଭଳି ସମର୍ଥନ ମିଳିଛି, ତାହା ଭୋଟରେ ପରିଣତ ହେଲେ ୨୦୨୪ ସାଧାରଣ ନିର୍ବାଚନ ଏକ ନୂଆ ମୋଡ଼ ନେଇପାରେ ବୋଲି ଆଲୋଚନା ହେଲାଣି। ସାଧାରଣ ନିର୍ବାଚନ ପୂର୍ବରୁ ମେଘାଳୟ, ମିଜୋରାମ୍‌, ନାଗାଲାଣ୍ଡ, ତ୍ରିପୁରା, କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ଲାଗି ନିର୍ବାଚନ ହେବାର ଅଛି। ଏଥିରେ କଂଗ୍ରେସ ଅଚାନକ ସଫଳତା ପାଇ ନ ପାରେ। କିନ୍ତୁ ଯେଉଁଭଳି ଭାବେ ରାହୁଲ ଲୋକଙ୍କ ମନ ଜିଣିବା ଆରମ୍ଭ କରିଛନ୍ତି, ତାହାର ଦୀର୍ଘମିଆଦୀ ପ୍ରଭାବ ଭାରତୀୟ ରାଜନୀତି ଉପରେ ପଡ଼ିବା ସହିତ ତାଙ୍କର ବ୍ୟକ୍ତିଗତ ଭାବମୂର୍ତ୍ତି ନିଶ୍ଚିତ ଭାବେ ସକାରାତ୍ମକ ଦିଗକୁ ଯାଉଛି। ପିଲାବେଳୁ ଶୁଣିଆସିଛୁ ‘କଶ୍ମୀରରୁ କନ୍ୟାକୁମାରୀ’ ଶବ୍ଦ। ଦେଶ ଅଖଣ୍ଡତା ଓ ସଂହତିର କଥା ଉଠିଲେ ଏହା କୁହାଯାଇଥାଏ। ଅର୍ଥାତ୍‌ ଭାରତୀୟ ଅସ୍ମିତା ସହ କଶ୍ମୀର ଜଡ଼ିତ। ଉତ୍ତର ଭାରତର ଅନେକ ନଦୀ ସେହିଠାରୁ ବହିଆସି ସମ୍ପୃକ୍ତ ଅଞ୍ଚଳକୁ ଶସ୍ୟଶ୍ୟାମଳା କରିରଖିଛି। ତେଣୁ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ଭୌଗୋଳିକ ଓ ସର୍ବୋପରି ସୌନ୍ଦର୍ଯ୍ୟର ମୁକୁଟ ପିନ୍ଧିଥିବା କଶ୍ମୀର ବିଶ୍ୱ ପର୍ଯ୍ୟଟନ ଲାଗି ଭୂସ୍ବର୍ଗ ଭାବେ ଅଭିହିତ ହୋଇଥାଏ। ତେଣୁ ସେଭଳି ଅଞ୍ଚଳ ଓ ଏହାର ଲୋକଙ୍କ ଉପରେ କୌଣସି ଚାପ ପ୍ରୟୋଗ କରିବା ପରିବର୍ତ୍ତେ ମନଜିଣିପାରିଲେ ଶାନ୍ତି ବିରାଜମାନ କରନ୍ତା। ରାହୁଲ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ବିରୋଧୀଙ୍କୁ ସାମାନ୍ୟ ଲାଗିପାରେ; କିନ୍ତୁ ତାହା ବାସ୍ତବତାରେ ପରିଣତ ହୋଇପାରିଲେ ସେ କ୍ଷମତାସର୍ବସ୍ବ ରାଜନୀତିର ପରିଭାଷା ବଦଳାଇବାରେ ସକ୍ଷମ ହେଲେ ବୋଲି କୁହାଯାଇପାରିବ।

ରାହୁଲ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ବିରୋଧୀଙ୍କୁ ସାମାନ୍ୟ ଲାଗିପାରେ; କିନ୍ତୁ ତାହା ବାସ୍ତବତାରେ ପରିଣତ ହୋଇପାରିଲେ ସେ କ୍ଷମତାସର୍ବସ୍ବ ରାଜନୀତିର ପରିଭାଷା ବଦଳାଇବାରେ ସକ୍ଷମ ହେଲେ ବୋଲି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri